ଗ୍ରୀସ୍ ଦେଶର ଉପକଥା

 

 

 

 

 

 

 

 

 

 

ଗ୍ରୀସ୍‍ ଦେଶର ଉପକଥା

ଅଧ୍ୟାପକ ଶ୍ରୀଧର ଦାସ

 

ସୂଚୀପତ୍ର

 

୧.

ମେଦୁସାର ମୁଣ୍ତ

୨.

ଛୁଇଁଲେ ସୁନା

୩.

ପାଣ୍ତୋରାର ବାକ୍‌ସ

୪.

ପକ୍ଷୀରାଜ ଘୋଡ଼ା ପେଗାସସ୍

୫.

ସାୟାର୍ସଙ୍କ ନଅର

୬.

ଜାସନ ଓ ସୁନାର ଲୋମ

୭.

ଏଣ୍ଟିଅସ୍‍ ଓ ବାମନ ଜାତି

୮.

ନର୍ସିସସ୍ ଓ ପ୍ରତିଧ୍ୱନି

Image

 

ମେଦୁସାର ମୁଣ୍ତ

 

ଗୋଟିଏ ରାଜ୍ୟରେ ଅନେକ ଦୁଷ୍ଟ ଲୋକ ଥିଲେ । କିଏ ପରର ଉପକାର କରି ଆନନ୍ଦ ପାଆନ୍ତି–କିନ୍ତୁ ଏମାନେ ଅନ୍ୟର ଅନିଷ୍ଟ କରି ପାରିଲେ ଖୁସି ହେଉଥିଲେ ।

 

ଦାନେ ଥିଲେ ଏକ ରାଜାଙ୍କ ଝିଅ । ସେ ରଜାଘରେ ମଧ୍ୟ ବିଭା ହୋଇଥିଲେ । ତାଙ୍କର ଗୋଟିଏ ସୁନ୍ଦର ପୁଅ ହେଲା । ପୁଅଟିର ନାମ ଦିଆଗଲା ପର୍ସିଅସ । ଦାନେ ପୁଅଟିକୁ ଘେନି ସୁଖରେ ଥିଲେ । କିନ୍ତୁ ଦୁଷ୍ଟଲୋକେ ତାଙ୍କ ସୁଖ ଦେଖି ସହି ପାରିଲେ ନାହିଁ । ସେମାନେ ମାଆ ପୁଅ ଦୁହିଁଙ୍କୁ ଗୋଟିଏ କାଠ ବାକ୍‌ସରେ ପୂରାଇ ସମୁଦ୍ରରେ ଭସାଇ ଦେଲେ ।

 

ଦାନେ ପୁଅଟିକୁ କୋଳରେ ଧରି ବାକ୍‌ସ ଭିତରେ ପଡ଼ିଥାନ୍ତି; ଏଣେ ବାକ୍‌ସ ସମୁଦ୍ର ଉପରେ ଭାସି ଭାସି ଯାଉଥାଏ । ଭାଗ୍ୟକୁ ବାକ୍‌ସଟି ବୁଡ଼ିଲା ନାହିଁ–ନୋହିଲେ ମାଆପୁଅ ଦୁହେଁଯାକ ବୁଡ଼ି ମରିଥାନ୍ତେ । ଏହିପରି କେତେଦିନ ଭାସିବା ପରେ ବାକ୍‌ସ ଯାଇ ଏକ ଦ୍ୱୀପରେ ଲାଗିଲା । ଏହି ଦ୍ୱୀପର ନାମ ସେରିଫସ । ଯେତେବେଳେ ବାକ୍‌ସ ଦ୍ୱୀପରେ ଲାଗିଲା ସେତେବେଳକୁ ଜଣେ କେଉଟ ସେଠାକୁ ଜାଲ ଘେନି ମାଛ ଧରିବାକୁ ଆସୁଥିଲା । ସେ ବାକ୍‌ସଟିକୁ ଉଠାଇ ନେଇ ଦେଖିଲା, ତା ଭିତରେ ଗୋଟିଏ ସ୍ତ୍ରୀଲୋକ ନିଜ ପିଲାକୁ ଧରି ଶୋଇଛି ।

 

ମାଆ ପିଲା ଦୁହିଁଙ୍କର ଭାଗ୍ୟ ଭଲ ବୋଲି କହିବାକୁ ହେବ । ଏ ଦ୍ୱୀପର ଲୋକେ ବଡ଼ ଖରାପ, କାହାରି ଭଲ ଦେଖି ପାରନ୍ତି ନାହିଁ । ଏହି କେଉଟର ଭାଇ ହେଉଛି ସେହି ଦ୍ୱୀପର ରାଜା । ରାଜ୍ୟର ଲୋକେ ଯେମିତି ଦୁଷ୍ଟ, ରାଜା ମଧ୍ୟ ସେହିପରି । ମାତ୍ର ଏ କେଉଟଟିର ସ୍ୱଭାବ ଭିନ୍ନ । ସେ ପରର ଉପକାର କରିବାକୁ ସବୁବେଳେ ଆଗଭର । କାହାରି ଅନିଷ୍ଟ କରିବା କଥା କେବେହେଲେ ତା ମନରେ ନ ଥାଏ । ସେ ବାକ୍‌ସରୁ ମାଆ ପୁଅଙ୍କୁ ବାହାର କରି ନିଜ ଘରକୁ ନେଲା ଓ ଅତି ଯତ୍ନରେ ରଖିଲା । ଦିନ ପରେ ଦିନ, ବର୍ଷ ପରେ ବର୍ଷ ଗଡ଼ି ଚାଲିଲା । ପର୍ସିଅସ ଗୋଟିଏ ସୁନ୍ଦର ବଳିଷ୍ଠ ଯୁବକ ହେଲେ । ଖଣ୍ତା ଓ ଢାଲ ବ୍ୟବହାର କରିବାରେ ସେ ଖୁବ୍ ନାଁ ଅର୍ଜିଲେ ।

 

ଏହି କେଉଟର ଭାଇ ପଲିଡ଼େକ୍ଟସ ସେ ଦ୍ୱୀପର ରାଜା । ସେ ଦେଖିଲା, ପର୍ସିଅସ ଗୋଟିଏ ବଳିଷ୍ଠ ଯୁବକ । ତାଙ୍କର କିପରି ଅନିଷ୍ଟ ହେବ ସେଥିପାଇଁ ସେ ଉପାୟ ଚିନ୍ତାକଲା । ଗୋଟିଏ ଅତି ବିପଜ୍ଜନକ କାମ କରିବାକୁ ତାଙ୍କୁ ପଠାଇବ ବୋଲି ସେ ସ୍ଥିର କଲା ।

 

ଏହିପରି ବିଚାର କରି ପଲିଡ଼େକ୍ଟସ ଦିନେ ପର୍ସିଅସଙ୍କୁ ଡକାଇ ଆଣି କହିଲା, ‘‘ଦେଖ ପର୍ସିଅସ, ତୁମକୁ ଆମେ ବହୁତ ସାହାଯ୍ୟ କରିଛୁ । ମୋ ଭାଇ ତୁମକୁ ଓ ତୁମ ମାଆକୁ ପାଳି ଆସିଅଛନ୍ତି । ଏବେ ତୁମେ ଆମ ପାଇଁ କିଛି କରିବା ଦରକାର ।’’

 

ପର୍ସିଅସ ଉତ୍ତର କଲେ, ‘‘ମହାରାଜ, ଆପଣ ଏ ଦ୍ୱୀପର ରାଜା । ମୁଁ ଆପଣଙ୍କଠାରେ ବିଶେଷ ଋଣୀ । ଆପଣ ଯାହା ଆଦେଶ ଦେବେ ତାହା ନିଶ୍ଚୟ କରିବି । ଏପରିକି ସେଥିରେ ପ୍ରାଣଗଲେ ମଧ୍ୟ ମୁଁ ତାହା କରିବାକୁ ପ୍ରସ୍ତୁତ ।’’

 

ପଲିଡ଼େକ୍ଟସ କହିଲା, ‘‘ତୁମେ ଯୁବକ ଘରେ ବସିରହିବା ତୁମ ପକ୍ଷରେ ସୁନ୍ଦର ନୁହେଁ । ମୁଁ ତୁମକୁ ଗୋଟିଏ କାମ କରିବାକୁ ପଠାଇବାକୁ ଚାହେଁ । ଏଥିରେ ତୁମର ଧୈର୍ଯ୍ୟ, ସାହସ ଓ ବୁଦ୍ଧିର ଉପଯୁକ୍ତ ବ୍ୟବହାର କରିବାର ସୁବିଧା ପାଇବ । ତୁମେ ଶୁଣିଥିବ, ନିକଟରେ ମୋର ବିବାହ ହେବ । ରାଜକନ୍ୟା ହିପୋଡ଼େମିଆଙ୍କୁ ବିବାହ କରିବା ପୂର୍ବରୁ ସେ ମୋଠାରୁ ଗୋଟିଏ ଉପହାର ଚାହାନ୍ତି । ଅନ୍ୟ କୌଣସି ଉପହାରରେ ସେ ସନ୍ତୁଷ୍ଟ ହେବେ ନାହିଁ । ତୁମେ ଜାଣିଥିବ, ଆମ ରାଜ୍ୟରେ ତିନୋଟି ରାକ୍ଷସୀ ଅଛନ୍ତି । ସେଥିରୁ ଗୋଟିକର ନାମ ମେଦୁସା । ସେହି ମେଦୁସାର ମୁଣ୍ତଟି ତାଙ୍କୁ ଉପହାର ଦେବାକୁ ହେବ । ତୁମେ ଯାଇ ମେଦୁସାର ମୁଣ୍ତଟି କାଟିଆଣି ମୋତେ ଦେବ ।’’

 

ପର୍ସିଅସ କହିଲେ, ‘‘ଏପରି ଗୋଟିଏ କଠିନ କାର୍ଯ୍ୟର ଭାର ନେବା ମୋର ଭାଗ୍ୟ । ମୁଁ କାଲି ମେଦୁସାର ମୁଣ୍ତ ଆଣିବାକୁ ଯିବି ।’’

 

ରାଜା ପର୍ସିଅସଙ୍କୁ ଆହୁରି ସାବଧାନ କରିଦେଲେ ଯେ ମୁଣ୍ତଟି ଏପରି କାଟି ଆଣିବାକୁ ହେବ, ଯେପରି ସେଥିର କୌଣସି ଅଂଶ ଖଣ୍ତିଆଖାବରା ନ ହୁଏ ।

 

ପର୍ସିଅସ ରାଜାଙ୍କ ପାଖରୁ ଚାଲିଗଲେ । ରାଜା ହସି ହସି ମନକୁ ମନ କହିଲେ, ‘‘ଟୋକାଟା ଜାଣିନାହିଁ, ତା ମରଣ ନିକଟ ହେଲାଣି । ମେଦୁସା ପାଖକୁ ଯିବା ତ ଅସମ୍ଭବ; ଏ ତାକୁ ମାରି ତାର ମୁଣ୍ତ ଆଣିବ କିପରି ?’’

 

ଏଥି ଭିତରେ ଦେଶ ତମାମ ରାଷ୍ଟ୍ର ହୋଇଗଲା, ପର୍ସିଅସ ମେଦୁସାର ମୁଣ୍ତ କାଟି ଆଣିବାକୁ ଯାଉଛନ୍ତି । ରାଜା ଯେପରି ଖରାପ ଲୋକ, ତାଙ୍କ ପ୍ରଜାମାନେ ତ ତହିଁରୁ ଊଣା ନୁହନ୍ତି । ଦାନେ ଓ ପର୍ସିଅସଙ୍କ ଉପରକୁ ନିଶ୍ଚୟ ବିପତ୍ତି ମାଡ଼ି ଆସିଲା, ଏହା ଭାବି ସେମାନେ ଖୁବ୍ ଆନନ୍ଦିତ ହେଲେ । ରାଜ୍ୟ ଭିତରେ କେବଳ ଜଣେ ଲୋକର ମନରେ ଦୁଃଖ ହେଲା । ସେ ହେଉଛନ୍ତି ସେହି କେଉଟରାଜାଙ୍କ ଭାଇ–ଯିଏ ଏ ଦୁହିଁଙ୍କୁ ବାକ୍‌ସରୁ ଉଦ୍ଧାର କରି ପାଳିଆସିଥିଲା ।

 

ରାଜ୍ୟ ଭିତରେ ତିନୋଟି ରାକ୍ଷସୀ ଥିଲେ । ତାଙ୍କ ଭଳି ଭୀଷଣ ବିଚିତ୍ର ଜୀବ କେଉଁଠି ଦେଖାନଥିଲେ । ଏ ତିନି ରାକ୍ଷସୀ ହେଉଛନ୍ତି ତିନି ଭଉଣୀ । ଏମାନେ ଆଦୌ ମଣିଷ ପରି ଦେଖାଯାଉ ନ ଥିଲେ । ତାଙ୍କ ଦେହରେ ଚମଡ଼ା ନ ଥିଲା; ଥିଲା ଲୁହାର ପତ୍ର । ତାଙ୍କ ମୁଣ୍ତରେ ଗୁଡ଼ିଏ ଲେଖାଏଁ ସାପ ବାଳପରି ଓହଳି ଥାନ୍ତି । ସାପଗୁଡ଼ାକ ଗୁଡ଼େଇ ତୁଡ଼େଇ ହୋଇ ସୁ ସୁ ଶବ୍ଦ କରୁଥାନ୍ତି । ଲମ୍ୱ ଲମ୍ୱ ଜିଭ ଲହ ଲହ ହେଉଥାଏ । ରାକ୍ଷସୀଙ୍କ ଦାନ୍ତଗୁଡ଼ାକ ବାଘର ଦାନ୍ତ ପରି । ହାତ ଉପରେ ଚମଡ଼ା ନ ଥାଇ ଥାଏ ପିତ୍ତଳର ପତ୍ର । ଆଙ୍ଗୁଠିଗୁଡ଼ାକ ଗୋଜା ଗୋଜା, ଚିଲର ନଖ ପରି । ଆହୁରି ଆଶ୍ଚର୍ଯ୍ୟର କଥା, ସେମାନଙ୍କର ସୁନାର ଡେଣା ଥାଏ; ତା ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଚକ୍‌ଚକ୍‌ ଦିଶେ । ଏହାରି ସାହାଯ୍ୟରେ ସେମାନେ ସହଜରେ ଉଡ଼ି ପାରନ୍ତି । ସବୁଠାରୁ ବଡ଼ ବିପଦ ହେଉଛି, ଯଦି କେହି ମେଦୁସାକୁ ଚାହିଁଦେବ ସେ ତତ୍‌କ୍ଷଣାତ୍‌ ପଥର ପାଲଟିଯିବ । ତେଣୁ ରାକ୍ଷସୀମାନେ ଉଡ଼ିଯିବା ବେଳେ ଲୋକେ ଲୁଚି ରହନ୍ତି–କାଳେ ସେମାନଙ୍କୁ ଦେଖିପକାଇବେ-

 

ଏପରି ଭୀଷଣ ରାକ୍ଷସୀକୁ ମାରିବାକୁ ଯିବା ଯେ କି କଠିନ କାର୍ଯ୍ୟ ତାହା ସହଜେ ଅନୁମାନ କରାଯାଇପାରେ । ଯାହାର ଦେହ ଲୁହାରେ, ଆଙ୍ଗୁଠି ପିତ୍ତଳରେ, ଡେଣା ସୁନାରେ ଗଢ଼ା ତାକୁ ମାରିବା କଣ ସହଜ କଥା ? ମୁଣ୍ତର ସାପଗୁଡ଼ାକ ଦେଖିଲା ମାତ୍ରକେ ଚୋଟ ମାରିବେ । ସବୁଠାରୁ ବଡ଼ କଥା ହେଲା, ମେଦୁସାକୁ କେବେହେଲେ ଚାହିଁବାକୁ ହେବ ନାହିଁ । ତାକୁ ଦେଖିଲାମାତ୍ରେ ପଥର ପାଲଟି ଯିବାର ଭୟ ।

 

ଏପରି ଗୋଟାଏ ବିପଦପୂର୍ଣ୍ଣ କାମ କରିବାକୁ ଯାଉଛନ୍ତି ବୋଲି ପର୍ସିଅସ ମାଆଙ୍କୁ ମଧ୍ୟ କହିଲେ ନାହିଁ । ସେ ଆପଣା ଢାଲ ଓ ଖଣ୍ତା ଧରି ବାହାରିପଡ଼ିଲେ । ଗୋଟିଏ ଡଙ୍ଗାରେ ବସି ସେ ମେଦୁସା ରହୁଥିବା ରାଜ୍ୟରେ ପହଞ୍ଚିଲେ । ସେ ଗୋଟିଏ ଗଛ ମୂଳେ ବସି କଅଣ କରିବାକୁ ହେବ ଚିନ୍ତାକଲେ । ସେ ଯେତିକି ଭାବିଲେ, ସେତିକି ଆପଦ ବିପଦ କଥା ମନକୁ ଆସିଲା । ମେଦୁସାକୁ ମାରିବାର କୌଣସି ଉପାୟ ଦେଖାଗଲା ନାହିଁ ।

 

ସେ ମୁଣ୍ତ ପୋତି ଭାବୁଛନ୍ତି ଏହି ସମୟରେ ଶୁଣିପାରିଲେ–ପର୍ସିଅସ, ତୁମେ ଏତେ ମନଦୁଃଖ କରି ବସିଛ କାହିଁକି ?

 

ପର୍ସିଅସ ମୁହଁ ଟେକି ଦେଖିଲେ, ତାଙ୍କ ପାଖରେ ଗୋଟିଏ ସୁନ୍ଦର ଯୁବକ ଛିଡ଼ା ହୋଇଛନ୍ତି । ଯୁବକଟି ଯେ ଖବ୍ ସାହସୀ ଓ ବୁଦ୍ଧିମାନ୍‌ ସେ କଥା ତାଙ୍କ ଚେହେରାରୁ ଜଣାପଡ଼ିଯାଉଥିଲା । ତାଙ୍କ ମୁଣ୍ତରେ ଗୋଟିଏ ବିଚିତ୍ର ଟୋପି ଓ ହାତରେ ଗୋଟିଏ ବିଚିତ୍ର ବାଡ଼ି । ତାଙ୍କ ଅଣ୍ଟାରୁ ଗୋଟିଏ ଖଣ୍ତା ଝୁଲୁଥିଲା । ଲୋକଟିର ମୁହଁ ହସ ହସ–ସତେ ଯେପରି ପର୍ସିଅସକୁ ସାହାଯ୍ୟ କରିବାକୁ ସେ ସ୍ୱର୍ଗରୁ ଓହ୍ଲାଇ ଆସିଛନ୍ତି ।

 

ପର୍ସିଅସ ଉତ୍ତର କଲେ, ‘‘ମୁଁ ଗୋଟାଏ ଅସାଧ୍ୟ କାର୍ଯ୍ୟ କରିବାର ଭାର ନେଇ ଆସିଛି । କିପରି କଅଣ କରିବି ସେଇ କଥା ଭାବୁଛି ।’’

 

ଯୁବକ–‘‘କେତେ ଲୋକଙ୍କୁ ମୁଁ ନାନା ଅସାଧ୍ୟ କାର୍ଯ୍ୟରେ ସାହାଯ୍ୟ କରିଛି । ସେମାନେ ଶେଷରେ ସଫଳ ହୋଇଛନ୍ତି । ତୁମେ ମୋର ନାଆଁ ଶୁଣିଥିବ । ମୁଁ ହେଉଛି ମର୍କ୍ୟୁରି । ଆଚ୍ଛା, ତୁମେ କଅଣ କରିବାକୁ ଚାହଁ, ମୋତେ କହ । ହୁଏତ ମୁଁ ତୁମକୁ ସାହାଯ୍ୟ କରିପାରିବି ।

 

ପର୍ସିଅସ ଏହି ଯୁବକଙ୍କୁ ସବୁ ଘଟନା କହିଗଲେ । ରାଜା ପଲିଡ଼େକ୍ଟସ ତାଙ୍କୁ ମେଦୁସାର ମୁଣ୍ତଟି କାଟି ନେବାକୁ କହିଛନ୍ତି; କିନ୍ତୁ ତାକୁ ଚାହିଁଲାମାତ୍ରେ ସେ ପଥର ପାଲଟିଯିବେ; ତାକୁ ମାରି ମୁଣ୍ତ ନେବେ କିପରି ?

 

ମର୍କ୍ୟୁରି ହସି ହସି କହିଲେ, ‘‘ମୋ ମତରେ ସୁନ୍ଦର ପଥରମୂର୍ତ୍ତି ହୋଇ କାଳକାଳକୁ ପଡ଼ିରହିବା ଅପେକ୍ଷା ଏହିଭଳି ଯୁବକ ହୋଇ ଆଉ କେତେ ବର୍ଷ ବଞ୍ଚିରହିବା ତୁମ ପକ୍ଷରେ ଭଲ । ଯାହା ହେଉ, ମୁଁ ସେଥିର ଉପାୟ କହୁଛି । ପ୍ରଥମେ ଆମକୁ ତିନିଜଣ ସ୍ତ୍ରୀଲୋକଙ୍କ ପାଖକୁ ଯିବାକୁ ପଡ଼ିବ । ଏ ତିନିଜଣଙ୍କର ଗୋଟିଏ ମାତ୍ର ଆଖି । ଏଇ ଆଖିଟିକୁ ସେମାନେ ପାଳିକରି ବ୍ୟବହାର କରନ୍ତି । ପୁଣି ସେମାନଙ୍କ ପାଖକୁ ରାତିରେ ଜହ୍ନ ନଥିଲାବେଳେ ଯିବାକୁ ହେବ କିମ୍ୱା ଠିକ୍‌ ଗୋଧୂଳି ସନ୍ଧ୍ୟାବେଳେ ଯିବାକୁ ହେବ । ଅନ୍ୟ ସମୟରେ ସେମାନଙ୍କ ଦେଖା ମିଳିବ ନାହିଁ । ସୂର୍ଯ୍ୟ କିମ୍ୱା ଚନ୍ଦ୍ରକିରଣ ପଡ଼ିଥିବା ବେଳେ ସେମାନେ ବାହାରକୁ ଆସନ୍ତି ନାହିଁ ।’’

 

ପର୍ସିଅସ କହିଲେ, ‘‘ଆମର ତ ମେଦୁସାର ମୁଣ୍ତ ଦରକାର–ଏ ସ୍ତ୍ରୀଲୋକଙ୍କ ପାଖରେ ଆମର କି କାମ ?’’

 

ମର୍କ୍ୟୁରି ଉତ୍ତର କଲେ, ‘‘ତୁମେ ଭାବୁଛ, ଏକାବେଳକେ ମେଦୁସା ପାଖକୁ ଚାଲିଯିବ । ସେ କଥା କଣ ସମ୍ଭବ ? ସେଥିପାଇଁ ଆଗରୁ ଅନେକ କଥା କରିବାକୁ ପଡ଼ିବ । ଆଗେ ତୁମର ଢାଲଟାକୁ ମାଜି ଖୁବ୍ ଚକ୍‍ଚକ୍ କରିଦିଅ; ଯେପରିକି ସେଥିରେ ଚାହିଁଲେ ଦର୍ପଣରେ ଦେଖିଲା ପରି ତୁମ ମୁହଁ ଦେଖାଯିବ ।’’

 

ପ୍ରଥମେ ପର୍ସିଅସ ଭାବିଲେ, ଢାଲକୁ ମାଜି ଚକ୍‍ଚକ୍ କରିବା ଏକ ବୃଥା ଶ୍ରମ ଛଡ଼ା ଆଉ କିଛି ନୁହେଁ । ଢାଲଟି ଖୁବ୍‌ ମଜଭୁତ୍ ହେବା ଦରକାର–ଶତ୍ରୁର ହତିଆର ଯେପରି ତାକୁ ଭେଦି ପାରିବ ନାହିଁ । ଖାଲି ଚକ୍‍ଚକ୍ ଦିଶିଲେ କି ଲାଭ ? ଯାହାହେଉ ସେ ମନଦେଇ ଢାଲକୁ ମାଜିବାରେ ଲାଗିଲେ । କିଛି ସମୟ ପରେ ଏହା ଦର୍ପଣ ପରି ଚକ୍‍ଚକ୍ ଦିଶିଲା । ମର୍କ୍ୟୁରି ସେଥିରେ ନିଜର ପ୍ରତିବିମ୍ୱ ଦେଖିପାରି ଖୁବ୍ ସନ୍ତୁଷ୍ଟ ହେଲେ । ତତ୍ପରେ ସେ ନିଜର ପୋଷାକ ଓ ଖଣ୍ତା ପର୍ସିଅସଙ୍କୁ ଦେଇ ତାଙ୍କ ପୋଷାକ ଓ ଖଣ୍ତା ନେଇ ଆସିଲେ ।

ଦୁହେଁ ଏହିପରି ପ୍ରସ୍ତୁତ ହୋଇ ଯିବାକୁ ଲାଗିଲେ । ମର୍କ୍ୟୁରି ଏତେ ବେଗରେ ଚାଲୁଥାନ୍ତି ଯେ ପର୍ସିଅସ ବହୁତ ପଛରେ ପଡ଼ି ଯାଉଥାନ୍ତି । କିଛି ଦୂର ଯିବା ପରେ ପର୍ସିଅସଙ୍କର ମନେହେଲା, ସତେଯେପରି ମର୍କ୍ୟୁରିଙ୍କ ଦୁଇ ପାଦରେ ଆଉ ମୁଣ୍ତର ଦୁଇ ପାଖରେ ଗୋଟାଏ ଲେଖାଏଁ ଡେଣା ଲାଗିଛି । ସେ ଖୁବ୍ ନିଖାରି ନିଖାରି ଚାହିଁଲେ ଓ ପ୍ରକୃତରେ ଡେଣା ଲାଗିନାହିଁ ବୋଲି ସ୍ଥିର କଲେ ।

ପଛରେ ଦଉଡ଼ି ଦଉଡ଼ି ପର୍ସିଅସଙ୍କର ଦମ୍‌ ଛୁଟିଗଲା । ମର୍କ୍ୟୁରି ତାହା ଜାଣିପାରି ଛିଡ଼ା ହୋଇଗଲେ । ପର୍ସିଅସ ପାଖକୁ ଲାଗିଆସିବାରୁ ସେ ଆପଣା ବାଡ଼ିଟି ତାଙ୍କ ହାତକୁ ବଢ଼ାଇ ଦେଇ କହିଲେ, ‘‘ଏଇଟି ତୁମର ଦରକାର ।’’ ଏଣିକି ପର୍ସିଅସ ଟିକିଏ ବେଗରେ ଚାଲିପାରିଲେ । ସେ କହିଲେ, ‘‘ଯଦି ମୋ ପାଦରେ ଗୋଟାଏ ଲେଖାଏଁ ଡେଣା ଲଗା ଜୋତା ଥାଆନ୍ତା, ମୁଁ ଆହୁରି ବେଗରେ ଯାଇପାରନ୍ତି ।’’ ମର୍କ୍ୟୁରି ଉତ୍ତର କଲେ, ଆଚ୍ଛା, ସେ କଥା ପରେ ଦେଖିବା ।’’

ଦୁହେଁ ପୁଣି ଚାଲିଲେ । ବାଡ଼ି ଧରିଲାବେଳୁ ପର୍ସିଅସଙ୍କ ଦେହରେ ନୂଆ ବଳ ଆସିଥିଲା-। ସେ ଆଉ ଆଗଭଳି ହାଲିଆ ହୋଇ ପଡ଼ୁ ନ ଥିଲେ । କିଛି ଦୂର ଯିବା ପରେ ସେମାନେ ସେହି ତିନିଜଣ ସ୍ତ୍ରୀଲୋକଙ୍କୁ ଭେଟିଲେ ।

ପର୍ସିଅସ ଦେଖିଲେ, ତିନିଜଣଯାକଙ୍କର ଗୋଟିଏ ମାତ୍ର ଆଖି । ଯାହାର ଯେତେବେଳେ ଦରକାର ସେ ତାକୁ ବ୍ୟବହାର କରି ଦେଖେ । ଆଉ ଦୁଇଜଣ ସେତେବେଳେ କିଛି ଦେଖି ପାରନ୍ତି ନାହିଁ । ଜଣେ ଆଖିଟି କାଢ଼ି ଆଉ ଜଣକୁ ବଢ଼ାଇ ଦେବାକୁ ଯାଉଥିବାବେଳେ ପର୍ସିଅସ ତା ହାତରୁ ଆଖିଟି ଘେନି ଆସିଲେ । ଏବେ ସମସ୍ତେ ଅନ୍ଧ ହୋଇଗଲେ । ମର୍କ୍ୟୁରି କହିଲେ, ‘‘ତିନି ପରୀ କେଉଁଠି ଅଛନ୍ତି କହିଦେଲେ ତମ ଆଖି ଫେରାଇ ଦେବୁ ।’’ ଶେଷରେ ସେମାନେ ବାଧ୍ୟହୋଇ ପରୀଙ୍କ ପାଖକୁ ଯିବାର ବାଟ ବତେଇ ଦେଲେ ।

 

ସେ ଦୁହେଁ ତିନି ପରୀଙ୍କ ପାଖେ ପହଞ୍ଚିଲେ । ଏମାନଙ୍କ ପାଖରେ ତିନୋଟି ବିଚିତ୍ର ଜିନିଷ ଥିଲା–ଗୋଟିଏ ଥଳୀ, ଯୋଡ଼ିଏ ବିଚିତ୍ର କଠାଉ ଓ ଗୋଟିଏ ଟୋପି ।

 

ପରୀମାନେ ଭାରି ସୁନ୍ଦରୀ । ସେମାନଙ୍କର ବ୍ୟବହାର ମଧ୍ୟ ଉତ୍ତମ । ମର୍କ୍ୟୁରି ସେମାନଙ୍କୁ ଆଗରୁ ଚିହ୍ନିଥିଲା ପରି ଜଣାପଡ଼ୁଥିଲା । ମର୍କ୍ୟୁରିଙ୍କ ଅନୁରୋଧରେ ସେମାନେ ଏହି ତିନୋଟି ଜିନିଷ ପର୍ସିଅସଙ୍କୁ ଦେବାପାଇଁ ରାଜି ହେଲେ ।

 

ପ୍ରଥମେ ସେମାନେ ଥଳିଟି ଦେଲେ । ଏଇଟି ହରିଣ ଚମଡ଼ାରେ ତିଆରି ଓ ତା ଉପରେ ସୁନ୍ଦର କାରୁକାର୍ଯ୍ୟ ହୋଇଥିଲା । ତାପରେ କଠାଉ ଦୁଇଟି ଆଣିଲେ । ପ୍ରତି କଠାଉରେ ଗୋଟିଏ ଲେଖାଏଁ ଡେଣା ଲାଗିଥିଲା । ପର୍ସିଅସ ପଟେ କଠାଉ ପାଖରେ ଥୋଇ ଆର ପଟକ ଗୋଟିଏ ଗୋଡ଼ରେ ପିନ୍ଧୁ ପିନ୍ଧୁ ଥୁଆହୋଇଥିବା କଠାଉଟି ଉଡ଼ିଯିବାକୁ ବସିଲା । ମର୍କ୍ୟୁରି ଡେଇଁପଡ଼ି ତାହା ଧରିପକାଇଲେ; ସାବଧାନ କରିଦେଲେ ଯେ ଦୁଇଟିଯାକ ଏକାବେଳକେ ପିନ୍ଧିବାକୁ ହେବ । ପର୍ସିଅସ ଦୁଇଟିଯାକ କଠାଉ ପିନ୍ଧି ସାରିବା ମାତ୍ରେ ସେ ଆଉ ଭୂଇଁ ଉପରେ ବସିରହିବା କଷ୍ଟକର ହେଲା । ସେ ଉଡ଼ିବାକୁ ବାହାରିଲେ । ଶେଷରେ ପରୀମାନେ ତାଙ୍କ ମୁଣ୍ତରେ ଟୋପିଟି ପିନ୍ଧାଇ ଦେଲେ । ଏହାକୁ ପିନ୍ଧିବା ମାତ୍ରେ ଏକ ଅଦ୍ଭୁତ ଘଟଣା ଘଟିଲା । ସେ ଆଉ କାହାରିକୁ ଦେଖାଗଲେ ନାହିଁ ।

 

ମର୍କ୍ୟୁରି ପ୍ରଶ୍ନ କଲେ, ‘‘ପର୍ସିଅସ, ତୁମେ କୁଆଡ଼େ ଅଛ ?’’ ପର୍ସିଅସଙ୍କଠାରୁ ଉତ୍ତର ମିଳିଲା–‘‘ଏଇ ଯେ ତୁମ ପାଖରେ । ତୁମେ କଅଣ ମୋତେ ଦେଖିପାରୁନାହଁ ?’’

 

ମର୍କ୍ୟୁରି–‘‘ଦେଖିପାରିବି କିପରି ? ଏ ଟୋପିକୁ ଯେ ପିନ୍ଧେ ସେ ଆଉ ଦେଖାଯାଏ ନାହିଁ-। ତୁମେ ମେଦୁସାକୁ ମାରିବାକୁ ଗଲାବେଳେ ସେ ତୁମକୁ ଦେଖିପାରିବ ନାହିଁ ବୋଲି ଏ ଟୋପି ତୁମକୁ ପିନ୍ଧାଇ ଦିଆଗଲା । ଏବେ ଏ କଠାଉ ପିନ୍ଧି ତୁମେ କିପରି ଯାଇପାରିବ ଦେଖିବା । ମୁଁ ଆଗେ ଆଗେ ଯାଉଛି । ତୁମେ ମୋ ପଛରେ ଆସ ।’’

 

ମର୍କ୍ୟୁରିଙ୍କ ଟୋପିର ଦୁଇପାଖେ ଦୁଇଟି ଡେଣା ଖୋଲିଗଲା । ଦୁହେଁଯାକ ଆକାଶକୁ ଉଠିଯାଇ ଉଡ଼ିବାକୁ ଲାଗିଲେ ।

 

ଆକାଶରେ ଚନ୍ଦ୍ର ଦେଖାଦେଲେ । ତାଙ୍କ ଉଜ୍ଜ୍ୱଳ କିରଣରେ ପୃଥିବୀ ଉପରଯାକ ରୁପା ପରି ଦିଶିଲା । ପର୍ସିଅସ ଆହୁରି ଉପରକୁ ଉଡ଼ି ଚନ୍ଦ୍ର ପାଖକୁ ଯିବା ପାଇଁ ମନକଲେ । ସେହି ଚନ୍ଦ୍ର ଉପରେ ରହିଲେ ତାଙ୍କ ଜୀବନଟା କେଡ଼େ ସୁଖରେ କଟିଯାନ୍ତା ! ସେ ଉଡ଼ୁ ଉଡ଼ୁ ତଳକୁ ଚାହିଁଲେ । କେତେ ନଦୀ, କେତେ ହ୍ରଦ, ପାହାଡ଼, ପର୍ବତ, ବଣ, ଗଛଲତା ତାଙ୍କ ଆଖିରେ ପଡ଼ିଲା । କେତେ ପର୍ବତ ଉପରେ ଥିବା ବରଫ ତାଙ୍କୁ ଦେଖାଯାଉଥାଏ । ସହର, ଗ୍ରାମ ସବୁ ଚିତ୍ରପଟ ପରି ବୋଧ ହେଉଥାଏ । ସେ ସେରିଫସ୍‌ ଦ୍ୱୀପକୁ ଚାହିଁଦେଲାକ୍ଷଣି ମାଆଙ୍କ କଥା ତାଙ୍କ ମନରେ ପଡ଼ିଲା । ସେ ଭାବିଲେ–ଚନ୍ଦ୍ରକୁ ଗଲେ ତ ଆଉ ମାଆଙ୍କୁ ଦେଖିପାରିବି ନାହିଁ !

 

ଆକାଶରେ ମେଘଖଣ୍ତମାନ ଦୂରରୁ କୋଠାଘରଭଳି ଦିଶୁଥାନ୍ତି । ପର୍ସିଅସ ତା ପାଖକୁ ଗଲେ ଦେଖନ୍ତି, କେବଳ ଥଣ୍ତା ବାମ୍ଫ । ସେ ସେଠାରୁ ଚାଲିଆସନ୍ତି ।

 

ଏହିପରି ଶୂନ୍ୟ ଆକାଶରେ ଦୁହେଁଯାକ ଅନେକ ବାଟ ଉଡ଼ିଯିବା ପରେ କାହାର ଡେଣାର ଶବ୍ଦ ଶୁଣାଗଲା । ପର୍ସିଅସ ଟିକିଏ ଭୟ କରିଗଲେ । ମର୍କ୍ୟୁରି କହିଲେ, ‘‘ଭୟର କାରଣ ନାହିଁ । ସେ ହେଉଛନ୍ତି ମୋର ଭଉଣୀ । ତାଙ୍କ ନାଆଁ ଏଥିନି । ସେ ଆମକୁ ସାହାଯ୍ୟ କରିବେ । ତାଙ୍କ ସାହାଯ୍ୟ ବିନା ତୁମେ ମେଦୁସାକୁ ମାରିପାରିବ ନାହିଁ । ଆମେ ଯାହା ଦେଖିପାରୁନାହେଁ, ସେ ତାହା ଦେଖିପାରନ୍ତି । ତୁମେ ଆଉ କାହାକୁ ଦେଖାଯାଉନାହଁ ସତ, କିନ୍ତୁ ସେ ତୁମକୁ ଦେଖିପାରି ଆସିଛନ୍ତି । ମେଦୁସା ଆଉ ତା ଦୁଇ ଭଉଣୀ କେଉଁଠି ଅଛନ୍ତି ଆମକୁ ଜଣାନାହିଁ । କୁଆଡ଼େ ଖୋଜି ବୁଲିବା ? ସେ ଆମକୁ ମେଦୁସା ପାଖରେ ପହଞ୍ଚାଇଦେବ ।’’

 

ସେତେବେଳକୁ ସେମାନେ ସମୁଦ୍ର ଉପରେ ଉଡ଼ୁଥିଲେ । ପର୍ସିଅସ ତଳକୁ ଚାହିଁ କେବଳ ନୀଳପାଣି ଆଉ ତା ଉପରେ ଧଳା ଢେଉ ଦେଖୁଥିଲେ । ତାଙ୍କ କାନ ପାଖରେ ଧୀରସ୍ୱରରେ ଶୁଣାଗଲା, ‘‘ଏଇ ଦେଖ, ତିନି ଭଉଣୀଯାକ ଶୋଇଛନ୍ତି ।’’ ପର୍ସିଅସ ସେମାନଙ୍କୁ ଦେଖିନପାରି ପଚାରିଲେ, ‘‘କାହିଁ, କେଉଁଠି ? ମୁଁ ସେମାନଙ୍କୁ ଦେଖିପାରୁନି ।’’

 

ପର୍ସିଅସ ପୁଣି ଶୁଣିଲେ, ‘‘ଆମ ତଳେ ଏଇ ଯେଉଁ ଦ୍ୱୀପଟା ଅଛି, ତାରି କୂଳକୁ ଚାହଁ ।’’

 

ମର୍କ୍ୟୁରି କହିଲେ, ‘‘ଦେଖିଲ, ମୋ କଥା ସତ କି ନା ? ମୋ ଭଉଣୀ ପ୍ରଥମେ ସେମାନଙ୍କୁ ଦେଖିବେ ବୋଲି ମୁଁ କହିଥିଲି ପରା !’’

 

ପର୍ସିଅସ ଖୁବ୍‌ ତଳକୁ ଚାହିଁ ଗୋଟିଏ ଛୋଟ ଦ୍ୱୀପ ଦେଖିପାରିଲେ । ତାର କୂଳଟା ପାହାଡ଼ିଆ । ସମୁଦ୍ରର ଲହରୀଗୁଡ଼ାକ କୂଳରେ ପିଟିହେଉଥାନ୍ତି । ଦ୍ୱୀପର ଗୋଟାଏ ପାଖର କୂଳ ପାହାଡ଼ିଆ ନୁହେଁ; ବାଲିରେ ପୂର୍ଣ୍ଣ । ତିନିଜଣଯାକ ସେଇ ବାଲିଆ ଜାଗାରେ ଓହ୍ଲାଇପଡ଼ିଲେ ।

 

ଏବେ ପର୍ସିଅସ ତିନି ଭଉଣୀଙ୍କୁ ଦେଖିପାରିଲେ । ସେମାନଙ୍କ ସୁନା ଡେଣା ଉପରେ ଚନ୍ଦ୍ରକିରଣ ପଡ଼ି ଚିକ୍‌ଚିକ୍‌ ଦିଶୁଥାଏ । ସେମାନଙ୍କ ଲମ୍ୱ ଲମ୍ୱ ଗୋଜିଆ ଆଙ୍ଗୁଠିଗୁଡ଼ାକ ଦେଖିଲେ ଡର ମାଡ଼ିବାର କଥା । ଏଣେ ମୁଣ୍ତର ସାପଗୁଡ଼ାକ ଜିଭ ଲହ ଲହ କରି ଗୁଡ଼େଇ-ତୁଡ଼େଇ ହେଉଥାନ୍ତି । ଭାଗ୍ୟର କଥା, ସେତେବେଳକୁ ସବୁ ଭଉଣୀ ନିଶ୍ଚିନ୍ତରେ ନିଦରେ ଶୋଇଥାନ୍ତି । ଚେଇଁଥିଲେ ସେମାନଙ୍କୁ ଚାହିଁଲାକ୍ଷଣି ଏମାନେ ପଥର ପାଲଟି ଯାଇଥାନ୍ତେ ।

 

ମର୍କ୍ୟୁରି ଚୁପ୍‌ କରି ପର୍ସିଅସଙ୍କ କାନରେ କହିଲେ, ‘‘ଏଇ ହେଉଛି ଅସଲ ସୁବିଧା ବେଳ-। ଶୀଘ୍ର ଖଣ୍ତାର ଏକ ଚୋଟରେ ମେଦୁସାର ମୁଣ୍ତଟାକୁ ଗଣ୍ତିରୁ ଅଲଗା କରିଦିଅ । ଦେଖ, ସେମାନେ ଆଖି ମେଲିବା ଆଗରୁ ତୁମ କାମ ଶେଷ କରିବ । ଆଖି ଖୋଲିଲେ ତୁମର ରକ୍ଷା ନାହିଁ-।’’

 

ପର୍ସିଅସ ଖଣ୍ତା ଧରି ବାହାରିଲେ; କିନ୍ତୁ ତିନିଙ୍କ ଭିତରୁ ମେଦୁସା କିଏ ଜାଣିନପାରି ଟିକିଏ ଛିଡ଼ା ହୋଇଗଲେ । ଏହି ସମୟରେ ଏଥିନି ତାଙ୍କ କାନ ପାଖରେ କହିଲେ, ‘‘ଦେଖ, ଜଣେ କଡ଼ ଲେଉଟାଉଛି, ଆଉ ଦୁଇଜଣ ଶୋଇରହିଛନ୍ତି । ଯିଏ କଡ଼ ଲେଉଟାଉଛି, ସେଇ ହେଉଛି ମେଦୁସା । ସାବଧାନ୍‌, ତା ନିଦ ଭାଙ୍ଗିଆସୁଛି । ସେ କାଳେ ଆଖି ମେଲା କରିଦେବ, ସେଥିପାଇଁ ତୁମେ ଢାଲ ଉପରେ ତାର ଛାଇକୁ ଚାହିଁ ତାକୁ ହାଣିବ ।’’

 

ଏତେବେଳକୁ ପର୍ସିଅସ ସହଜରେ ବୁଝିପାରିଲେ ଯେ ମର୍କ୍ୟୁରି ତାଙ୍କୁ ଢାଲ ମାଜି କାଚପରି ଚିକ୍‌କଣ କରିବାକୁ କହିବାର ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା । ସେ ଏଣିକି କେବଳ ଢାଲକୁ ଚାହିଁଲେ । ସେ ଆସ୍ତେ ଆସ୍ତେ ସେମାନଙ୍କ ପାଖକୁ ଆସିବାରୁ ସାପଗୁଡ଼ାକ ସୁ ସୁ ଶବ୍ଦ କରି କାମୁଡ଼ିବାକୁ ବାହାରିଲେ । ସେହି ଶବ୍ଦରେ ମେଦୁସାର ନିଦ ଭାଙ୍ଗିଗଲା । ସେ ଆଖି ଖୋଲିବା ଆଗରୁ ପର୍ସିଅସ ଖଣ୍ତାରେ ଏପରି ଚୋଟ ମାରିଲେ ଯେ ମୁଣ୍ତଟା ଗଣ୍ତିରୁ ଅଲଗା ହୋଇ ଟିକିଏ ଦୂରରେ ପଡ଼ିଲା ।

 

ମର୍କ୍ୟୁରି ପର୍ସିଅସଙ୍କୁ ପ୍ରଶଂସା କରି କହିଲେ, ‘‘ଆଉ ମୁହୂର୍ତ୍ତେ ବିଳମ୍ୱ କରନାହିଁ । ଶୀଘ୍ର ମୁଣ୍ତଟାକୁ ଥଳି ଭିତରେ ପୂରାଇ ଦିଅ ।’’

 

ପର୍ସିଅସ ଢାଲରେ ମେଦୁସାର ମୁଣ୍ତର ପ୍ରତିବିମ୍ୱଆଡ଼କୁ ଅନାଇଁ ଥଳିରେ ମୁଣ୍ତଟିକୁ ପୂରାଇଦେଲେ । ଆଶ୍ଚର୍ଯ୍ୟର କଥା, ଥଳିଟି ଏତେ ଛୋଟ ହେଲେହେଁ ସେଥିରେ ସେ ପ୍ରକାଣ୍ତ ମୁଣ୍ତଟା ପଶିଗଲା ।

 

ଏଥିନି ପୁଣି କହିଲେ, ‘‘ପର୍ସିଅସ, ତୁମେ ମେଦୁସାକୁ ମାରିଛ ସତ, ମାତ୍ର ବିପଦ ପୂରା ଯାଇନାହିଁ । ମେଦୁସାର ଭଉଣୀ ଦୁଇଟା ଉଠିପଡ଼ିବେ । ତା ଆଗରୁ ତୁମର ଏଠାରୁ ପଳାଇଯିବା ଦରକାର । ଏଇ ଦେଖ, ରାକ୍ଷସୀ ଦୁଇଟା ଉଠିବାକୁ ବାହାରିଲେଣି ।’’

 

ପର୍ସିଅସ ଥଳିଟି ଧରି ମୁହୂର୍ତ୍ତକ ଭିତରେ ଉପରକୁ ବହୁ ଦୂର ଉଡ଼ିଗଲେ । ରାକ୍ଷସୀ ଦୁହେଁ ଉଠିପଡ଼ି ଭଉଣୀର ଗଣ୍ତିଟା ପଡ଼ିଥିବାର ଦେଖି ଗର୍ଜନ କରିଉଠିଲେ । ଦୁହିଁଙ୍କ ମୁଣ୍ତର ସାପମାନେ ସୁ ସୁ ଗର୍ଜନ କଲେ । ଏଣେ ପର୍ସିଅସଙ୍କ ଥଳିରେ ଥିବା ମେଦୁସା ମୁଣ୍ତର ସାପଗୁଡ଼ାକ ମଧ୍ୟ ଗର୍ଜୁଥାନ୍ତି ।

 

ଦୁଇ ରାକ୍ଷସୀ ରାଗରେ ଗର୍ଜନ କରି ସୁନାର ଡେଣା ମେଲାଇ ଆକାଶରେ ଉଡ଼ିବାକୁ ଲାଗିଲେ । ସେମାନଙ୍କର ଦାନ୍ତ କଡ଼ମଡ଼ ହେଉଥାଏ । ସେମାନେ ପ୍ରଥମେ ଆକାଶକୁ କିଛି ଦୂର ଉପରକୁ ଉଠି ମେଦୁସାର ଗଣ୍ତି ଚାରିପାଖେ ଉଡ଼ି ଚାହିଁଲେ; କିନ୍ତୁ କାହାରିକୁ ଦେଖିପାରିଲେ ନାହିଁ ।

 

ପର୍ସିଅସ ଯେଉଁ ଟୋପି ପିନ୍ଧିଥିଲେ, ତା ଯୋଗେ ସେ କାହାରିକୁ ଦିଶୁନଥିଲେ । ତେଣୁ ଭଉଣୀ ଦୁହେଁ ତାଙ୍କୁ ଦେଖିପାରିଲେ ନାହିଁ । ଏଣେ ପର୍ସିଅସ ସାବଧାନ ଥାନ୍ତି ଯେପରି ସେ ସେମାନଙ୍କର ମୁହଁ ନ ଦେଖନ୍ତି । ଦୈବାତ୍‌ ସେମାନଙ୍କ ଆଖି ତାଙ୍କ ଉପରେ ପଡ଼ିଗଲେ ସେ ପଥର ହୋଇ ତଳକୁ ଖସି ପଡ଼ିଥାନ୍ତେ । ଏଣେ ପାଦରେ ଡେଣା ଲଗା କଠାଉ ପିନ୍ଧିଥିବାରୁ ସେ ଖୁବ୍‌ ବେଗରେ ଉଡ଼ୁଥାନ୍ତି । ଅଳ୍ପ ସମୟ ଭିତରେ ସେ ବହୁତ ଦୂରକୁ ଚାଲିଗଲେ । କ୍ରମେ ରାକ୍ଷସୀମାନଙ୍କର ଗର୍ଜନ ଆଉ ଶୁଣାଗଲା ନାହିଁ । ସେ ମେଦୁସାର ମୁଣ୍ତ ଧରି ସେରିଫସ ଦ୍ୱୀପରେ ପହଞ୍ଚିଲେ । ବାଟରେ ତାଙ୍କୁ ଆହୁରି ଅନେକ ବିପଦ ଘଟିଥିଲା । ସେଥିଭିତରୁ ଗୋଟିଏ ଘଟଣା ଉଲ୍ଲେଖ କରାଯାଇପାରେ । ବାଟରେ ପର୍ସିଅସ ଆଣ୍ତ୍ରୋମେଡ଼ା ବୋଲି ଗୋଟିଏ ପ୍ରକାଣ୍ତ ଦୁଷ୍ଟ ଦୈତ୍ୟକୁ ଭେଟିଲେ । ସେ ତାକୁ ମେଦୁସାର ମୁଣ୍ତଟା ଦେଖାଇଦେବାରୁ ସେ ଗଦାଏ ପଥର ହୋଇଗଲା । ଆଜିଯାଏ ସେ ପଥରଗଦା ରହିଛି । ଲୋକେ ଏବେ ତାକୁ କହନ୍ତି ଆଟଲାସ ପାହାଡ଼-। ତୁମେ କେବେ ଆଫ୍ରିକା ଗଲେ ସେହି ପାହାଡ଼ ଦେଖିପାରିବ ।

 

ସେରିଫସ ଦ୍ୱୀପରେ ପହଞ୍ଚିଲା ମାତ୍ରେ ପର୍ସିଅସ ମାଆକୁ ଦେଖିବାକୁ ଗଲେ । କେଉଟ ଘରକୁ ଯାଇ ବୁଝିଲେ ଯେ ମାଆ ସେଠାରେ ନାହାନ୍ତି । ପର୍ସିଅସ ଯିବା ପରେ ଦୁଷ୍ଟ ରାଜା ତାଙ୍କ ଉପରେ ନାନା ଅତ୍ୟାଚାର କରିବାରୁ ସେ ପଳାଇଯାଇ ଗୋଟିଏ ମଠରେ ଆଶ୍ରୟ ନେଇଥିଲେ । ମଠର ସନ୍ୟାସୀମାନେ ତାଙ୍କୁ ଆଦରରେ ରଖିଥିଲେ । ସେ ଦ୍ୱୀପର ଲୋକମାନେ ସମସ୍ତେ ଅତ୍ୟାଚାରୀ; କିନ୍ତୁ ସେହି କେଉଟ ଓ ମଠର ସନ୍ୟାସୀମାନେ ଭଲଲୋକ ଥିଲେ । ତେଣୁ ପର୍ସିଅସଙ୍କ ମାଆ ମଠରେ ସୁଖରେ ଥିଲେ ।

 

ପର୍ସିଅସ ଦୁଷ୍ଟମାନଙ୍କୁ ଉପଯୁକ୍ତ ଦଣ୍ତ ଦେବାକୁ ମନେ ମନେ ଥୟ କଲେ । ସେ ମେଦୁସାର ମୁଣ୍ତଟି ଥଳିରେ ଧରି ରାଜବାଟୀରେ ପହଞ୍ଚିଲେ । ପର୍ସିଅସଙ୍କୁ ଦେଖିଲାମାତ୍ରେ ପଲିଡ଼େକ୍ଟସ ମନେ ମନେ ରାଗିଗଲେ । ସେ ଭାବିଥିଲେ, ପର୍ସିଅସ ମେଦୁସାକୁ ଚାହିଁ ପଥର ହୋଇଯାଇଥିବ କିମ୍ୱା ତାର ହାତରେ ମରିଥିବ । ଏବେ ସେ ଫେରିଆସିଥିବାର ଦେଖି ସେ ରାଗିଉଠିକହିଲେ, ‘‘ମେଦୁସାର ମୁଣ୍ତ ଆଣିନଥିଲେ ତୋତେ ପ୍ରାଣଦଣ୍ତ ଦିଆଯିବ ।’’

 

ପର୍ସିଅସ ଉତ୍ତର କଲେ, ‘‘ମହାରାଜ, ମୁଁ ମେଦୁସାର ମୁଣ୍ତ ଆଣି ଆସିଛି । ତା ମୁଣ୍ତର ସାପଗୁଡ଼ାକ ଏବେ ମଧ୍ୟ ବଞ୍ଚିଛନ୍ତି ।’’

 

ଏଥିପୂର୍ବରୁ ରାଜା ପଲିଡ଼େକ୍ଟସ ଏହି ରାକ୍ଷସୀମାନଙ୍କ ବିଷୟରେ ନାନା ଅଦ୍ଭୁତ କଥା ଶୁଣିଥିଲେ । ଗୋଟାଏ ରାକ୍ଷସୀର ମୁଣ୍ତ ଆସିଛି ଶୁଣି ତାକୁ ଦେଖିବାପାଇଁ ତାଙ୍କ ମନ ଅଥୟ ହୋଇଉଠିଲା । ସେ ମୁଣ୍ତଟିକୁ ଦେଖାଇବାପାଇଁ ପର୍ସିଅସଙ୍କୁ ଆଦେଶ ଦେଲେ ।

 

ପର୍ସିଅସ କହିଲେ, ‘‘ଆପଣ ଶୁଣିଛନ୍ତି ଯିଏ ମେଦୁସାର ମୁହଁକୁ ଚାହିଁବ, ସେ ତାକୁ ଚାହିଁ ରହିଥିବ; ପଲକ ପକାଇ ପାରିବ ନାହିଁ । ପ୍ରକୃତରେ ସେ କଥା ସତ । ଏପରି ଗୋଟିଏ ବିଚିତ୍ର ଜିନିଷ ରାଜ୍ୟର ସବୁ ଲୋକେ ଦେଖିବା ଦରକାର । ମୋର ନିବେଦନ, ରାଜ୍ୟରେ ଗୋଟିଏ ଦିନ ସ୍ଥିର କରାଯାଉ । ସେ ଦିନ ସମସ୍ତେ ଏଠାକୁ ଆସି ମେଦୁସାର ମୁଣ୍ତକୁ ଦେଖିବେ ।’’

 

ଏ ପ୍ରସ୍ତାବଟି ରାଜାଙ୍କ ମନକୁ ପାଇଲା । ତା ଆରଦିନ ରାଜ୍ୟର ସମସ୍ତେ ରାଜବାଟୀକୁ ଆସି ମେଦୁସାର ମୁଣ୍ତକୁ ଦେଖିବେ ବୋଲି ଘୋଷଣା କରାଗଲା । ରାଜ୍ୟର ହଜାର ହଜାର ଲୋକ ଆସି ରାଜବାଟୀରେ ଜମାହେଲେ । ଯେଉଁ ଅଳ୍ପ କେତେଜଣ ନିଜ ନିଜ କାମରେ ଲାଗିଥିଲେ, ସେଇମାନେ କେବଳ ଆସିଲେ ନାହିଁ । ଯେଉଁ କେଉଟଟି ପର୍ସିଅସଙ୍କୁ ଆଶ୍ରୟ ଦେଇଥିଲା, ସେ ମାଛ ଧରିବା ପାଇଁ ଚାଲିଯାଇଥିଲା । ମଠର ସନ୍ନ୍ୟାସୀମାନେ ଦିଅଁପୂଜା ଓ ଧର୍ମଗ୍ରନ୍ଥ ପଢ଼ିବାରେ ଲାଗିଥିଲେ । ସେମାନେ ମେଦୁସାର ମୁଣ୍ତ ଦେଖିବାକୁ ଆସନ୍ତେ ବା କାହିଁକି ?

 

ରାଜା ଗୋଟିଏ ଉଚ୍ଚ ବେଦିରେ ସିଂହାସନ ଉପରେ ବସିଲେ । ରାଜ୍ୟର ହଜାର ହଜାର ଲୋକ ମେଦୁସାର ମୁଣ୍ତ ଦେଖିବେ ବୋଲି ଠେଲାଠେଲି ହେଉଥାନ୍ତି । ପର୍ସିଅସ ଥଳିଟି ଧରି ଠିଆହୋଇଥାନ୍ତି । ଲୋକେ ଅଥୟ ହୋଇ ପାଟିକଲେ, ‘‘ଆମକୁ ଶୀଘ୍ର ମେଦୁସାର ମୁଣ୍ତ ଦେଖାଅ-।’’

 

ପର୍ସିଅସ ଧୀରସ୍ଥିର ଭାବରେ କହିଲେ, ‘‘ମହାରାଜ, ଆପଣ ଓ ଆପଣଙ୍କ ପ୍ରଜାମାନେ ମେଦୁସାର ମୁଣ୍ତ ଦେଖିବାକୁ ଚାହାନ୍ତି । କିନ୍ତୁ ଏଭଳି ଗୋଟାଏ କଦର୍ଯ୍ୟ ଜିନିଷ ଦେଖି କାହାରି ଲାଭ ନାହିଁ; ବରଂ କ୍ଷତି ଅଛି । ତେଣୁ ମୁଁ ସେ ମୁଣ୍ତଟା ଦେଖାଇବାକୁ ଇଚ୍ଛା କରୁନାହିଁ ।’’

 

ପର୍ସିଅସଙ୍କର ଉଦ୍ଦେଶ୍ୟ ଭଲ ଥିଲା । ଏତେଗୁଡ଼ାଏ ଲୋକ ପଥର ପାଲଟିଗଲେ ଲାଭ କଅଣ ? ମାତ୍ର ଦୁଷ୍ଟ ଲୋକେ ସେ କଥା ବୁଝିଲେ ନାହିଁ । ରାଜା ରାଗିଉଠି କହିଲେ, ‘‘ମୋ ସାଥିରେ ପୁଣି ଥଟ୍ଟା ! ମେଦୁସାର ମୁଣ୍ତ ନ ଆଣି ମିଛରେ ଏତେଗୁଡ଼ାଏ ଲୋକଙ୍କୁ ଠକିବାକୁ ବସିଛି-। ତାକୁ ପ୍ରାଣଦଣ୍ତ ନ ଦେଇ ଛାଡ଼ିବି ନାହିଁ ।”
 

ମନ୍ତ୍ରୀମାନଙ୍କ ପରାମର୍ଶରେ ରାଜା ହୁକୁମ ଦେଲେ–ପର୍ସିଅସ ମେଦୁସାର ମୁଣ୍ତ ଦେଖାଉ, ନ ହେଲେ ତାର ମୁଣ୍ତକାଟ ହେବ ।

 

ପର୍ସିଅସ ଦେଖିଲେ, ଏଭଳି ଦୁଷ୍ଟ ଲୋକଙ୍କର ଉପକାର କରିବାକୁ ଚେଷ୍ଟା କରିବା ଠିକ୍‌ ନୁହେଁ । ସେ ନିଜ ମୁହଁ ବୁଲାଇ ଦେଇ ଥଳିରୁ ମେଦୁସାର ମୁଣ୍ତଟି କାଢ଼ି ଟେକିଧରିଲେ ।

 

ସମସ୍ତେ ସଙ୍ଗେ ସଙ୍ଗେ ପଥର ପାଲଟିଗଲେ । ରାଜା, ମନ୍ତ୍ରୀ, ରାଜ୍ୟର ଲୋକେ, ଯେ ଯେପରି ଥିଲେ ସେହିପରି ରହିଗଲେ । କ୍ଷଣକ ଭିତରେ ହଜାର ହଜାର ପଥରମୂର୍ତ୍ତି ଛଡ଼ା ଆଉ କିଛି ଦେଖାଗଲା ନାହିଁ ।

 

ପର୍ସିଅସ ସେହି ମୁଣ୍ତକୁ ପୁଣି ଥଳିରେ ବନ୍ଦ କରିଦେଲେ । ତାପରେ ମଠକୁ ଯାଇ ମାଆଙ୍କୁ ସବୁ ଘଟଣା କହିଲେ । ଏଣିକି ମାଆ ପୁଅ ନିଶ୍ଚିନ୍ତରେ ରହିଲେ । କେଉଟଟି ମଧ୍ୟ ସୁଖରେ ଚଳିଲା ।

Image

 

ଛୁଇଁଲେ ସୁନା

 

ବହୁକାଳ ପୂର୍ବେ ଗ୍ରୀସ୍‍ ଦେଶର ଗୋଟିଏ ରାଜ୍ୟରେ ମିଦାସ ବୋଲି ଜଣେ ରାଜା ଥିଲେ-। ତାଙ୍କର ବହୁତ ଧନସମ୍ପତ୍ତି ଥିଲା । ରାଜଭଣ୍ତାରରେ ସେ ବହୁତ ସୁନା ଜମା କରି ରଖିଥିଲେ । ସୁନାରେ ତାଙ୍କର ସବୁଠାରୁ ବେଶି ଲୋଭ । ଜଗତରେ ସେ ଦୁଇଟି ଜିନିଷକୁ ବେଶି ଭଲପାଉଥିଲେ–ଗୋଟିଏ ହେଉଛି ସୁନା, ଆରଟି ହେଉଛି ତାଙ୍କର ଏକମାତ୍ର ଝିଅ ମେରିଗୋଲ୍‌ଡ ।

 

ମିଦାସ ରାଜ୍ୟର ଭଲମନ୍ଦ ବୁଝିବାକୁ ଚେଷ୍ଟା କରୁନଥିଲେ; କିନ୍ତୁ ରାଜା ହୋଇ ରହିବାକୁ ତାଙ୍କର ଭାରି ଆଗ୍ରହ । ଏଥିର ଏକମାତ୍ର କାରଣ ହେଲା, ରାଜା ହୋଇଥିବାରୁ ସେ ଦେଶର ସୁନା ଆଣି ନିଜ ଭଣ୍ତାରରେ ରଖିପାରୁଥିଲେ । ସୁନାର ମୁକୁଟଟି ମୁଣ୍ତରେ ଦେଲାବେଳେ ତାଙ୍କ ମନ ଆନନ୍ଦରେ ପୂରିଯାଏ । ତାଙ୍କ ପରି ଭାଗ୍ୟବାନ୍‌ ଆଉ କିଏ ? ଏତେ ସୁନା କାହା ପାଖରେ ଅଛି ?

 

ମେରିଗୋଲ୍‌ଡ ବାର ତେର ବର୍ଷର ଝିଅ–ଗୋଟିଏ ଚାଉଳରେ ଗଢ଼ା । ଦେହର ରଙ୍ଗ ଗୌର । ମୁଣ୍ତର ବାଳଗୁଡ଼ିକ ରେଶମ ପରି କଅଁଳ, ଚିକ୍‍କଣ । ତାକୁ ଯିଏ ଦେଖେ, ଘଡ଼ିଏ ଚାହିଁ ରହିଯାଏ । ଏପରି ସୁନ୍ଦରୀ ଝିଅକୁ କେଉଁ ବାପ ଭଲ ନ ପାଇବ ! ମିଦାସଙ୍କର ଗୋଟିଏ କାମ ହେଲା, ଆହୁରି ସୁନା ସଞ୍ଚିବା; ଅନ୍ୟ କାମଟି ହେଲା ମେରିଗୋଲ୍‌ଡକୁ ଆଦର କରିବା । ତାର ମଧୁର କଥା ଶୁଣିଲେ ରାଜା ମିଦାସ ଦୁନିଆର ସବୁକଥା ଭୁଲିଯାନ୍ତି ।

 

ସକାଳେ ପୂର୍ବ ଦିଗରେ ନାଲି ଟହ ଟହ ସୂର୍ଯ୍ୟ ଉଦୟ ହେଲାକ୍ଷଣି ତାଙ୍କର ସୁନେଲି କିରଣ ପୃଥିବୀ ଉପରେ ପଡ଼େ । ମିଦାସ ଭାବନ୍ତି, ସୂର୍ଯ୍ୟ କିରଣରେ ସବୁ ଜିନିଷ ସୁନେଲି ରଙ୍ଗ ଧରୁଛନ୍ତି; ସତକୁସତ ସୁନା ହୋଇ ଯାଆନ୍ତେ କି ? ଯେତେବେଳେ ମେରିଗୋଲ୍‌ଡ ବଗିଚାରୁ କୌଣସି ହଳଦିଆ ଫୁଲ ତୋଳି ଆଣି ବାପାଙ୍କୁ ଦିଏ, ସେତେବେଳେ ମିଦାସ କହନ୍ତି, ‘‘ଏଗୁଡ଼ାକ ତୋଳିବାରେ କି ଲାଭ ? ସୁନାର ଫୁଲ ହୋଇଥିଲେ କେଡ଼େ ଭଲ ହୋଇଥାନ୍ତା ।’’ ଅତି ସୁନ୍ଦର ସୁଗନ୍ଧ ଗୋଲାପଫୁଲ ମଧ୍ୟ ରାଜାଙ୍କୁ ଭଲ ଲାଗେ ନାହିଁ । ସେ କହନ୍ତି, ‘‘ଏସବୁ ସୁନାର ହୋଇଥିଲେ ସିନା ଉପକାରରେ ଲାଗନ୍ତା ।

 

ରାଜାଙ୍କର ସୁନାରେ ଲୋଭ ଏପରି ବଢ଼ିଗଲା ଯେ ସେ ଦିନରାତି ଖାଲି ‘ସୁନା’ କଥା ଚିନ୍ତା କଲେ । ରାଜବାଟୀରେ ସୁନା ରଖିବା ପାଇଁ ଗୋଟାଏ ଭଣ୍ତାର ଘର ଥାଏ । ସେ ଘରେ ଲୁହାର କବାଟ ଲାଗିଥାଏ । ତାର ଚାବି ରାଜା ନିଜେ ରଖିଥାନ୍ତି । ପ୍ରତିଦିନ ସେ ଅନେକ ବେଳଯାଏ ସେଇ ଘରେ ରହନ୍ତି । ଘର ଭିତର ପାଖୁ କବାଟ ବନ୍ଦ କରି ସେ ସୁନାକୁ ଏପାଖ ସେପାଖ କରି ଦେଖନ୍ତି; କେତେଥର ମୋହରଗୁଡ଼ାକ ଗଣନ୍ତି । ମୋହରର ଶବ୍ଦ ତାଙ୍କ କାନକୁ ଭାରି ଭଲ ଲାଗେ । ରାଜବାଟୀରେ ବେଳେବେଳେ ନାଚ ଗୀତ ହୁଏ, କିନ୍ତୁ ରାଜା ସେ ସବୁ ଶୁଣିବାକୁ ଭଲପାଆନ୍ତି ନାହିଁ । ସୁନା ମୋହରର ଶବ୍ଦ ଶୁଣିଲେ ତାଙ୍କ ମନ ତୃପ୍ତ ହୋଇଯାଏ ।

 

ସୁନା ଛଡ଼ା ଅନ୍ୟ ଜିନିଷ ଛୁଇଁବାକୁ ତାଙ୍କ ମନ ହୁଏ ନାହିଁ । ଅବଶ୍ୟ ତାଙ୍କର ଖାଇବା ପିଇବା ପାଇଁ ବାସନ ସବୁ ସୁନାର ଥିଲା । କିନ୍ତୁ ଅନ୍ୟ ସବୁ ଜିନିଷ ଭିତରୁ କିଏ କାଠର, କିଏ କାଚର, କିଏ ରୁପାର ବା କଂସାର । ରାଜାଙ୍କୁ ସେ ସବୁ ଜିନିଷ ଭଲ ଲାଗୁନଥିଲା । ସେ ଭାବନ୍ତି, ସୁନାହିଁ ଜୀବନର ସବୁ ।

 

ଦିନେ ରାଜା ଭଣ୍ତାର ଘରେ ବସି ମୋହର ସବୁ ଗଣି ରଖୁଛନ୍ତି । ବେଳେବେଳେ ମୋହରର ଶବ୍ଦ ଶୁଣି ସେ ଆନନ୍ଦରେ ଅଧୀର ହୋଇ ପଡ଼ୁଛନ୍ତି । ଗୋଟିଏ ଛୋଟ ଝରକାବାଟେ ସୂର୍ଯ୍ୟକିରଣ ଆସି ସୁନାଗୁଡ଼ାକୁ ଆହୁରି ଚକ୍‍ଚକ୍ କରିଦେଉଛି । ତାଙ୍କ ଆଖି ଝଲସି ଯାଉଛି । ଏହି ସମୟରେ ସେ ଦେଖିଲେ–କାନ୍ଥକୁ ଲାଗି କିଏ ଜଣେ ଛିଡ଼ା ହୋଇଛି । ସେ ହଠାତ୍‌ କବାଟଆଡ଼କୁ ଚାହିଁଲେ । ପ୍ରଥମେ ତାଙ୍କର ସନ୍ଦେହ ହୋଇଥିଲା ଯେ ସେ ଭୁଲରେ କବାଟ ବନ୍ଦ କରିନଥିଲେ–ଏଥି ମଧ୍ୟରେ ସୁନା ଚୋରି କରିବା ପାଇଁ କେହି ଜଣେ ଘରେ ପଶି ଯାଇଛି । କିନ୍ତୁ କବାଟ ବନ୍ଦ ଥିବାର ଦେଖି ସେ ସେହି ଲୋକଆଡ଼କୁ ଭଲକରି ଚାହିଁଲେ । ତାଙ୍କ ହସ ହସ ମୁହଁରୁ ଗୋଟାଏ ଦୀପ୍ତି ବାହାରୁଛି । ଏବେ ରାଜା ବୁଝିପାରିଲେ, ଏଇଟି କୌଣସି ସାଧାରଣ ମନୁଷ୍ୟ ନୁହେଁ । ହୁଏତ ସ୍ୱର୍ଗର କୌଣସି ଦେବତା । ଦେବତା ନୋହିଥିଲେ କବାଟ ବନ୍ଦ ଥିବା ବେଳେ ଘର ଭିତରକୁ ଆସନ୍ତା କିପରି ?

 

ଏହି ଦେବତା ରାଜାଙ୍କୁ ଚାହିଁ କହିଲେ, ‘‘ମିଦାସ, ଦେଖୁଛି ତୁ ଖୁବ୍‌ ଧନୀଲୋକ । ଏତେ ସୁନା ରଖିଛୁ । ବେଶ୍‌ ସୁଖରେ ଥିବୁ ।’’

 

ରାଜା ଅତି ନମ୍ରଭାବରେ ପ୍ରଣାମ କରି କହିଲେ, ‘‘ପ୍ରଭୁ, ଏତିକି ମାତ୍ର ମୋର ସମ୍ପତ୍ତି । କେତେ ବର୍ଷ ହେଲା ଲାଗି ଲାଗି ଏତକ ସୁନା ସଂଗ୍ରହ କରିଛି । ସେତେ ବେଶି କଅଣ ? ହଜାର ବର୍ଷ ବଞ୍ଚିଲେ ଅବା ମନମୁତାବକ ସୁନା ଜମା କରିପାରନ୍ତି । କିନ୍ତୁ ମଣିଷ କଣ ଏତେ କାଳ ବଞ୍ଚିବ-?’’

 

ଦେବତା କହିଲେ, ‘‘ତେବେ ଏତିକି ସୁନାରେ ତୋ ମନରେ ସନ୍ତୋଷ ଆସି ନାହିଁ ? ତୋର ଆହୁରି ସୁନା ଦରକାର ?’’

 

ମିଦାସ ଦେଖିଲେ, ସ୍ୱର୍ଗର କେଉଁ ଦେବତା ତାଙ୍କ ଭଣ୍ତାର ଘରେ ଉଭା ହୋଇଛନ୍ତି । ଦେବତା ଇଚ୍ଛା କଲେ ତାଙ୍କ ମନର କାମନା ନିଶ୍ଚୟ ପୂର୍ଣ୍ଣ ହୋଇପାରିବ । ଏପରି ସୁଯୋଗ ଛାଡ଼ିବାର ନୁହେଁ ।

 

ସେ ଦେବତାଙ୍କ ପାଦ ତଳେ ପଡ଼ି କହିଲେ, ‘ପ୍ରଭୁ ଆପଣ ମୋ ମନକଥା ଅବଶ୍ୟ ଜାଣିପାରିଅଛନ୍ତି । ଏଇ ସାମାନ୍ୟ ସୁନାରେ ମୋର ମନରେ ତୃପ୍ତି ଆସୁନାହିଁ । ଆଉ କେତେ କାଳ ଲାଗିପଡ଼ି କେତେ ସୁନା ଜମାଇ ପାରିବି ? ମୋ ଉପରେ ଦୟାକରି ଆପଣ ଏଠାରେ ବିଜେ କରିଛନ୍ତି । ଆପଣ ଇଚ୍ଛାକଲେ ମୋର ମନର ଦୁଃଖ ଚାଲିଯିବ । ମୁଁ ମନଇଚ୍ଛା ସୁନା ରଖିପାରିବି ।’’

 

ଦେବତା କହିଲେ, ବେଶ୍‌ ମୁଁ ତୋର ଦୁଃଖ ଦୂର କରିବି । କହ, ତୋର କଅଣ ଦରକାର-?’’

 

ରାଜା ମିଦାସ ଆନନ୍ଦରେ ନାଚିଉଠିଲେ । ସେ ପ୍ରାର୍ଥନା କଲେ, ‘‘ପ୍ରଭୁ, ମୋତେ ଏତିକି ଶକ୍ତି ଦିଅନ୍ତୁ ଯେ ମୁଁ ଯାହା ଛୁଇଁବି ତାହା ସୁନା ପାଲଟି ଯିବ ।’’

 

ଦେବତା ଟିକିଏ ହସି କହିଲେ, ‘‘ଓଃ, ଏଇ କଥା । ହଁ, ମୁଁ ତୋତେ ସେ ଶକ୍ତି ଦେଇପାରେ । କିନ୍ତୁ ଏ ବର ନେବା ପୂର୍ବରୁ ଆହୁରି ଭାବିଚିନ୍ତି ଦେଖ–ଏତିକି ଶକ୍ତି ପାଇଲେ ତୁ ସୁଖରେ ଜୀବନ କଟାଇ ପାରିବୁ ତ ?’’

 

ରାଜା ମିଦାସ ଦେବତାଙ୍କର କଥାରୁ ବର ମିଳିବାର ଆଶା ପାଇ କହିଲେ, ‘‘ମୁଁ ଭାବିଚିନ୍ତି ଏ ବର ମାଗୁଛି । ଏହି ବର ମିଳିଲେ ମୋର ସୁଖର ମାତ୍ରା ପୂର୍ଣ୍ଣ ହେବ । କିଛି ଚିନ୍ତା ରହିବ ନାହିଁ ।’’

 

ଦେବତା ‘ତଥାସ୍ତୁ’ କହି ବୁଝାଇ ଦେଲେ–ତା ପରଦିନ ସକାଳୁ ବରର ଫଳ ମିଳିବ । ସଙ୍ଗେ ସଙ୍ଗେ ଘର ଭିତରର ଆଲୁଅରେ ମିଦାସଙ୍କର ଆଖି ବୁଜି ହୋଇଗଲା । ସେ ଆଖି ଖୋଲିଲା ବେଳକୁ ଦେଖନ୍ତି ଘରେ ସେ ଦେବତା ନାହାନ୍ତି ।

 

ସେ ଦିନଟିଯାକ ରାଜାଙ୍କ ମନ ଅସ୍ଥିର । ଖାଇବା ପିଇବା କାହିଁରେ ମନ ଲାଗୁ ନାହିଁ । ମେରିଗୋଲ୍‌ଡ ବାପାଙ୍କ ପାଖକୁ ଆସି ଆଦରରେ କେତେ କଥା ପଚାରିଲା । ମାତ୍ର ମିଦାସ ତାର କଥା ଶୁଣି ମଧ୍ୟ ଶୁଣିପାରୁନାହାନ୍ତି । ତାଙ୍କ ମନରେ ଏକମାତ୍ର ଚିନ୍ତା–ସତେ କଅଣ ଦେବତାଙ୍କ କଥା ଫଳିବ ? ସତେ ସେ ଯାହା ଛୁଇଁଦେବେ ତାହା ସୁନା ହୋଇଯିବ ?

 

ରାତିରେ ଖାଇ ପିଇ ରାଜା ଶୋଇବାକୁ ଗଲେ, ମାତ୍ର ତାଙ୍କ ଆଖିକି ନିଦ ଆସିଲା ନାହିଁ-। ରାତିଟା ତାଙ୍କୁ ବହୁତ ଲମ୍ୱ ଜଣାଗଲା । ପାହାନ୍ତିଆ ହୋଇ ଆସିଲା । ପକ୍ଷୀମାନେ ରାବି ଉଠିଲେ । ସୁଲୁସୁଲିଆ ପବନ ବହିଲା । ରାଜା ବିଛଣାରୁ ଉଠିପଡ଼ିଲେ । ସେ ନିଜ ଖଟକୁ ଚାହିଁଲେ-। ସକାଳ ହୋଇଗଲାଣି । ତେବେ ଖଟଟା ସୁନା ହୋଇଗଲା ନାହିଁ କାହିଁକି ? ତାଙ୍କ ମନ ମରିଗଲା-। ଦେବତା କଣ ତାଙ୍କୁ ଠକିଦେଇ ଗଲେ ? ସେ ହତାଶ ହୋଇ ଘର ଭିତରେ ଚାରିଆଡ଼କୁ ଚାହିଁଗଲେ ।

 

ଏହି ସମୟରେ ଝରକାବାଟେ ସୂର୍ଯ୍ୟକିରଣର ଗୋଟିଏ ରେଖା ତାଙ୍କ ଖଟ ଉପରେ ପଡ଼ିଗଲା । ସେ ଖଟ ଉପରୁ ଉଠି ଝରକା ଖୋଲିଦେଲେ । ଝଲକାଏ ସୂର୍ଯ୍ୟକିରଣ ଘର ଭିତରେ ପଶିଗଲା । ଖଟଟା ତାଙ୍କୁ ହଳଦିଆ ଦିଶିଲା । ସେ ଦୌଡ଼ିଆସି ବିଛଣା ଚାଦରଟାକୁ ଟେକିବାକୁ ଚେଷ୍ଟା କଲେ । ଦେଖନ୍ତି, ଚାଦରଟା ସୁନା ହୋଇଯାଇଛି । ତାଙ୍କ ଆନନ୍ଦ ଆଉ କହିଲେ ନ ସରେ । ଦେବତା ମିଛ କହିନାହାନ୍ତି; ସେ ଯାହା ଛୁଇଁବେ ସୁନା ହୋଇଯିବ । ସେ ଘର ଭିତରେ ଯାହା କିଛି ଦେଖିଲେ ସବୁ ଛୁଇଁଗଲେ । ସଙ୍ଗେ ସଙ୍ଗେ ସେ ସବୁ ସୁନା ହୋଇଗଲା । ସେ ଟିକିଏ ରହିଯାଇ ଚାରିପାଖକୁ ଚାହିଁଲେ । ସୁନାର ଘର, ସୁନା କାନ୍ଥ, ସୁନା କବାଟ, ସୁନା ଝରକା, ସୁନା ଖଟ, ସୁନା ଟେବୁଲ, ସୁନାର ସବୁ ଆସବାବ । ତାଙ୍କପରି ଧନୀ ଜଗତରେ ଆଉ କେହି ନ ଥିବେ । ତାଙ୍କ ପୋଷାକ ମଧ୍ୟ ସୁନାର ।

ସେ ଚଷମାଟା ଟେକି ନେଇ ଆଖିରେ ଲଗାଇ ଦେଖନ୍ତିତ, ଚଷମାର କାଚ ମଧ୍ୟ ସୁନା ପାଲଟି ଯାଇଛି; ଆଖିକୁ କିଛି ଦେଖାଯାଉ ନାହିଁ । ସେ ଚଷମାକୁ କାଢ଼ି ଟେବୁଲ ଉପରେ ରଖିଦେଲେ । ଭାବିଲେ, ଚଷମା ନ ହେଲେ ମୋର ଚଳିଯିବ । ମେରିଗୋଲ୍‌ଡ ପାଠ ପଢ଼ିଲାଣି । ସେ ବହି ପଢ଼ି ମୋତେ ଶୁଣାଇବ ।’’

ମିଦାସଙ୍କ ମନ ଅଥୟ । ଖାଲି ଘରଟା ସୁନା ହୋଇଛି । ସେ ସମଗ୍ର ରାଜବାଟୀକୁ ସୁନା ନ କରି ଛାଡ଼ିବେ ନାହିଁ । ସେ ଘରକୁ ଘର ବୁଲି ସବୁ ଛୁଇଁଗଲେ । ସେ ଯାହା କିଛି ଛୁଇଁ ଦିଅନ୍ତି, ତାହା ସୁନା ପାଲଟିଯାଏ । ସେତେବେଳେ ଗର୍ବରେ ତାଙ୍କ ଛାତି ଫୁଲିଉଠେ ।

ରାଜା ବଗିଚାକୁ ପଶିଗଲେ । କେତୋଟି ଗଛକୁ ଛୁଇଁଦେଲାକ୍ଷଣି ତାହା ସୁନା ପାଲଟି ଗଲା । ସୁନାର ଗଛରେ ସୁନାର ପତ୍ର, ସୁନାର କଢ଼ ଓ ଫୁଲ ଦେଖି ରାଜାଙ୍କ ମନ ଆନନ୍ଦରେ ପୂରିଗଲା । ବଗିଚାରେ କେତେଗୁଡ଼ିଏ ଗୋଲାପ ଗଛ ଥିଲା । ଆଗେ ରାଜା ସେଗୁଡ଼ିକୁ ଖୁବ୍ ଭଲ ପାଉଥିଲେ । ଟେବୁଲ ଉପରେ ଫୁଲଦାନିରେ ଦୁଇ ଚାରିଟା ଗୋଲାପ ଫୁଲ ନ ଥିଲେ ସେ ଚାକରଙ୍କ ଉପରେ ବିରକ୍ତ ହେଉଥିଲେ । ଏବେ ଗୋଲାପ ଫୁଲକୁ ତାଙ୍କର ଆଦର ନ ଥିଲା; ମାତ୍ର ମେରିଗୋଲ୍‌ଡର ଗୋଲାପଗୁଡ଼ିକ ଅତି ପ୍ରିୟ । ସେ କେତୋଟି ଗୋଲାପ ନେଇ ତାର ରେଶମି ବାଳରେ ଖୋସିଦିଏ । ସେତେବେଳେ ସେ ଭାରି ସୁନ୍ଦର ଦିଶେ । ରାଜା ଗୋଲାପ ବଗିଚାଯାକ ବୁଲି ସବୁ ଗଛ, ଡାଳ, ପତ୍ର, ଫୁଲକୁ ସୁନା କରିଦେଲେ ।

 

ଚାରିଆଡ଼ ବୁଲି ବୁଲି ରାଜାଙ୍କୁ ଭୋକ ହେଲା । ସେ ଖାଇବା ପାଇଁ ଟେବୁଲ ପାଖେ ବସିଗଲେ । ଚାକର ଗୋଟିଏ ଗିଲାସରେ ପାଣି ଓ କେତେଗୁଡ଼ିଏ ପ୍ଲେଟରେ ନାନା ରକମର ଖାଦ୍ୟ ଜିନିଷ ରଖିଦେଇ ଗଲା ।

 

ଏହି ସମୟରେ ମେରିଗୋଲ୍‌ଡ ହାତରେ ଗୋଟାଏ ସୁନାର ଗୋଲାପ ଫୁଲ ଧରି ଆସି କାନ୍ଦି କାନ୍ଦି କହିଲା, ‘‘ବାପା, ମୁଁ ବଗିଚାକୁ ଗୋଲାପ ଫୁଲ ଆଣିବାପାଇଁ ଯାଇଥିଲି । ଗଛଗୁଡ଼ାକ ସବୁ ହଳଦିଆ ହୋଇଯାଇଛି; ଏତେ ଟାଣ ଯେ ମୁଁ ବହୁ କଷ୍ଟରେ ଏଇ ଗୋଟିକ ଫୁଲ ଛିଣ୍ତାଇ ଆଣିଛି । ପୁଣି ଏ ଫୁଲର ସୁଗନ୍ଧି କୁଆଡ଼େ ଗଲା ? ସେ ମାଳି ବଗିଚାକୁ ଖରାପ କରିଦେଇଛି ।’’

 

ରାଜା ଅସଲ କଥା ଜାଣିପାରି କହିଲେ, ‘‘ମାଆ, ତୁ ପିଲାଲୋକ; ବୁଝି ପାରୁ ନାହୁଁ । ଆଗେ ଯେଉଁ ଫୁଲ ଥିଲା, ତାର ଦାମ୍‌ କେଇଟା ପଇସା ହୋଇଥାନ୍ତା । ଏବେ ସେ ଫୁଲ ସୁନା ହୋଇଯାଇଛି । ତାର ଦାମ୍‌ ଶହ ଶହ ଟଙ୍କା ହେବ ।’’

 

ମାତ୍ର ଏଥିରେ ମେରିଗୋଲ୍‌ଡର ଦୁଃଖ କମିଲା ନାହିଁ; ବରଂ ବଢ଼ିଲା । ତାର କାନ୍ଦ ଦେଖି ମିଦାସଙ୍କ ମନ ଟିକିଏ ଖରାପ ହେଲା । ସେ ଝିଅକୁ କହିଲେ; ‘‘ଆଚ୍ଛା, ତୋ ପାଇଁ ଭଲ ଭଲ ଫୁଲ ଆଣି ଦେବା । ଏବେ ତୁ ଆସି ମୋ ସାଥିରେ ଖାଆ ।

 

ମେରିଗୋଲ୍‌ଡ ଗୋଟିଏ ଚୌକିରେ ଟେବୁଲ ପାଖେ ବସି ପଡ଼ିଲା । ରାଜା କଫି ପିଇବା ପାଇଁ କପ୍‌ଟି ଟେକିବା ମାତ୍ରେ ତାହା ସୁନାର କପ୍ ହୋଇଗଲା । ସେ ଗୋଟିଏ ପ୍ଲେଟରେ କଫି ଢାଳିବାକୁ ବସିଲେ । ମାତ୍ର କପ୍‌ରୁ କଫି ନ ବାହାରି ତରଳ ସୁନା ବାହାରିଲା । ସେ ତାକୁ ପିଇ ନପାରି ପୁଣି ଟେବୁଲ ଉପରେ ରଖିଦେଲେ ।

 

ସେତେବେଳକୁ ମିଦାସଙ୍କୁ ବଡ଼ ଶୋଷ । ସେ କଫି ପିଇ ନପାରି ଦୁଃଖରେ କହିଲେ, ‘‘ଓଃ, ପିଇବି କିପରି ?’’

 

ବାପାଙ୍କ ଏହି କଥା ଶୁଣି ମେରିଗୋଲ୍‌ଡ ଚମକି ପଡ଼ିଲା । ସେ ପଚାରିଲା, ‘‘ବାପା, କଫି ପିଇଲ ନାହିଁ କାହିଁକି ?’’

 

ଝିଅର ମନ ଭୁଲାଇବା ପାଇଁ ମିଦାସ କହିଲେ, ‘‘ନାଁ, ସେ କିଛି ନୁହେଁ । ତୁ ତୋର ଦୁଧ ପିଇଦେ ।’’

 

ଟେବୁଲ ଉପରୁ ସେ ଯାହା କିଛି ପାଟି ପାଖକୁ ନେଇ ଖାଇବାକୁ ବସିଲେ, ସେ ସବୁ ସୁନା ହୋଇଗଲା । ସୁନାର ଡିମ୍ୱ, ସୁନାର ରୁଟି, ସୁନାର ମାଛ, ସୁନାର ମାଂସ–ଏସବୁ କଅଣ ମଣିଷ ଖାଇପାରେ ! ମିଦାସ ଆକୁଳ ହୋଇ ମେରିଗୋଲ୍‌ଡଆଡ଼କୁ ଅନେଇଲେ । ମେରିଗୋଲ୍‌ଡ ଦେଖିଲା, ବାପାଙ୍କ ମନ ଭଲ ନାହିଁ–ଆଖି ଲୁହରେ ଛଳ ଛଳ । ‘‘ବାପା, ତମ ମନ କାହିଁକି ଭଲ ନାହିଁ ?’’ ଏତିକି କହି ମେରିଗୋଲ୍‌ଡ ଉଠିପଡ଼ି ବାପାଙ୍କ ପାଖକୁ ଚାଲିଗଲା । ଝିଅ ପାଖକୁ ଆସିଲାକ୍ଷଣି ସେ ତାକୁ କୁଣ୍ଢାଇ ଚୁମ୍ବନ ଦେବାକୁ ଗଲେ । ମାତ୍ର କି ଭୀଷଣ ପରିବର୍ତ୍ତନ ! ମେରିଗୋଲ୍‌ଡ ତତ୍‌କ୍ଷଣାତ୍‌ ସୁନା ପାଲଟିଗଲା । ମିଦାସଙ୍କର ଆଖି ଖୋସି ହୋଇଗଲା । ଆଗରେ ତାଙ୍କର ଝିଅ ନାହିଁ, ତାର ହସ ହସ ମୁହଁ ନାହିଁ, ତୁଣ୍ତରୁ ମଧୁର ଦରୋଟି କଥା ବାହାରୁ ନାହିଁ–ଅଛି ଗୋଟିଏ ସୁନାର ପିତୁଳା ।

 

ମିଦାସଙ୍କର ମୁହଁ କଳା ପଡ଼ିଗଲା; ସେ ଭୋ ଭୋ କାନ୍ଦିଉଠିଲେ । ସେ ଆକୁଳ ହୋଇ ସେଇ ସୁନା ପିତୁଳାକୁ କୁଣ୍ଢାଇ କାନ୍ଦିବାକୁ ଲାଗିଲେ । ପିତୁଳାର ମୁଣ୍ତର ସୁନା ବାଳଗୁଡ଼ାକ ମଧ୍ୟ ତାଙ୍କୁ ଖରାପ ଲାଗିଲା । ଓଃ ! ସେ କଅଣ କଲେ ?

 

ମିଦାସଙ୍କର ଅବସ୍ଥା କହିଲେ ନ ସରେ । ସେ ପିତୁଳାକୁ ଧରି ରହିପାରିଲେ ନାହିଁ କି ତା ପାଖ ଛାଡ଼ି ଯାଇପାରିଲେ ନାହିଁ । ଦୁନିଆରେ ତାଙ୍କଠାରୁ ବଳି ହୀନ ଲୋକ ଆଉ କେହି ଥିବ ବୋଲି ସେ ଭାବି ପାରିଲେ ନାହିଁ । ସେ ମନେ ମନେ ବିଚାରିଲେ, ‘‘ମୋର ଏସବୁ ସୁନା କିଏ ନେଇଯାଉ । ଧନ ସମ୍ପତ୍ତି ଯାଉ । ଖାଲି ମୋ ପ୍ରାଣର ସଙ୍ଖାଳି ମେରିଗୋଲ୍‌ଡକୁ କେହି ଫେରାଇ ଦେଉ । ମୁଁ ତାକୁ ଘେନି ଭିକ ମାଗି ବୁଲିଲେ ମଧ୍ୟ ମୋର ଦୁଃଖ ରହିବ ନାହିଁ ।’’ ସେ ବିକଳରେ ଚାରିଆଡ଼କୁ ଚାହିଁଲେ; ସତେଅବା ଅତଳ ସମୁଦ୍ରରେ ସେ ବୁଡ଼ିଯାଇ ଆଶ୍ରୟ ଖୋଜୁଛନ୍ତି-

 

ଏହି ସମୟରେ ପୁଣି ଘର ଭିତରେ ସେହି ଦେବମୂର୍ତ୍ତି ଦେଖାଦେଇ ପଚାରିଲେ, ‘‘ମିଦାସ, ତୁ ଯେଉଁ ବର ପାଇଛୁ ସେଥିରେ ସନ୍ତୁଷ୍ଟ ଅଛୁତ ?’’

 

ମିଦାସ ଦେବତାଙ୍କ ପାଦତଳେ ପଡ଼ି କହିଲେ ‘‘ପ୍ରଭୁ, ମୁଁ ଯେଉଁ ବର ମାଗିଥିଲି, ସେ ବର ନୁହେଁ, ଘୋର ଅଭିଶାପ । ଜଗତରେ ଏବେ ମୋଭଳି ଦୁଃଖୀ କେହି ନ ଥିବେ । ଏତେ ସୁନା ଭିତରେ ରହି ମଧ୍ୟ ମୁଁ ଟିକିଏ ହେଲେ ସୁଖ ପାଇନାହିଁ । ଯେଉଁ ସ୍ନେହ ଶ୍ରଦ୍ଧା ପାଇଁ ମଣିଷ ବଞ୍ଚି ରହିବାକୁ ଚାହେଁ ତା ମୋର ନାହିଁ । ମୋର ଝିଅକୁ ଦେଖନ୍ତୁ । ଏ ସୁନାର ପିତୁଳାକୁ କି ସ୍ନେହ କରି ହେବ ? ମୋର ସୁନାରେ ଦରକାର ନାହିଁ । ମୋତେ ଦୟାକରନ୍ତୁ । ଆପଣଙ୍କ ବର ଫେରାଇ ନିଅନ୍ତୁ । ମୋତେ ମୋର ମେରିଗୋଲ୍‌ଡକୁ ଦିଅନ୍ତୁ ।’’

 

ଦେବତା କହିଲେ, ‘‘ତେବେ ଏଥିଭିତରେ ତୁ କିଛି ଶିଖିଛୁ । ଏବେ କହିଲୁ–ସୁନାର ମୂଲ୍ୟ ବେଶି ନାଁ ଗିଲାସେ ପାଣିର ମୂଲ୍ୟ ବେଶି ?’’

 

ମିଦାସ–‘‘ବିଧାତା ମଣିଷ ପାଇଁ ଯେଉଁ ପାଣି ସୃଷ୍ଟି କରିଛନ୍ତି ତାର ମୂଲ୍ୟ ନିଶ୍ଚୟ ବେଶି-। ସତେ ମୁଁ ପୁଣି ସେ ଅମୂଲ୍ୟ ପାଣି ପିଇପାରିବି ?’’

 

ଦେବତା–‘‘ଆଚ୍ଛା, ଖଣ୍ତିଏ ରୁଟି ଚାହୁଁ କି ସୁନା ଚାହୁଁ ?’’

 

ମିଦାସ–‘‘ଖଣ୍ତେ ରୁଟି ସାଙ୍ଗରେ ପୃଥିବୀ ଯାକର ସୁନା ସମାନ ହୋଇନପାରେ । ରୁଟି ମନୁଷ୍ୟର ପ୍ରାଣ ରକ୍ଷା କରିବ, ସୁନା କଅଣ ତା କରିପାରିବ ?’’

 

ଦେବତା–‘‘କହ ଦେଖି, ତୁ ସଂସାରର ସବୁ ସୁନା ନେବାକୁ ଚାହୁଁ ନା ମେରିଗୋଲ୍‌ଡକୁ ଫେରିପାଇବାକୁ ଚାହୁଁ ?’’

 

ମିଦାସ–‘‘ମୋର ସୁନା ଲୋଡ଼ା ନାହିଁ; ଧନସମ୍ପତ୍ତି କିଛି ମୁଁ ଚାହେଁ ନାହିଁ । ମୋର ମେରିଗୋଲ୍‌ଡକୁ ଫେରାଇ ଦିଅନ୍ତୁ । ମୋତେ ଏତିକି ଅନୁଗ୍ରହ କରନ୍ତୁ ।’’

 

ଦେବତା–‘‘ଯାହାହେଉ, ତୋର ସୁବୁଦ୍ଧି ଆସିଛି । ତୋର ହୃଦୟଟା ପଥର ହୋଇଯାଇନାହିଁ । ଏବେ ତୁ ଶିଖିଲୁ–ଭଗବାନ ପାଣି, ପବନ, ଖାଦ୍ୟଭଳି ଯେଉଁସବୁ ସାମାନ୍ୟ ଜିନିଷ ମନୁଷ୍ୟ ଜାତିପାଇଁ ଗଢ଼ିରଖିଛନ୍ତି, ତାର ମୂଲ୍ୟ ସୁନା ରୁପାର ମୂଲ୍ୟଠାରୁ ଢେର୍‌ ବେଶି । ବର୍ତ୍ତମାନ କହ ଦେଖି, ତୁ ଏହି ବର ରଖିବାକୁ ଚାହୁଁ ?’’

 

ମିଦାସ–‘‘ନାଁ ନାଁ, ମୋର ସେ ବର ଆଦୌ ଲୋଡ଼ା ନାହିଁ । ଜଗତରେ ଯଦି କିଛି ଘୃଣାର ବସ୍ତୁ ଥାଏ, ତେବେ ସେ ହେଉଛି ସୁନା । ଆପଣଙ୍କ ବର ଫେରାଇ ନେଇ ମୋତେ ରକ୍ଷାକରନ୍ତୁ ।

 

ଏହି ସମୟରେ ଗୋଟିଏ ମାଛି ଉଡ଼ିଆସି ରାଜାଙ୍କ ନାକ ଉପରେ ବସିଗଲା । ସଙ୍ଗେ ସଙ୍ଗେ ସେ ସୁନାର ମାଛିରେ ପରିଣତ ହୋଇ ତଳକୁ ଖସିପଡ଼ିଲା । ରାଜାଙ୍କ ଦେହ ଘୃଣାରେ ଥରି ଉଠିଲା । ଯେଉଁ ସୁନା କାଲି ତାଙ୍କ ଜୀବନର ସର୍ବସ୍ୱ ଥିଲା, ଆଜି ତାହା ପ୍ରତି ତାଙ୍କର ଚରମ ଘୃଣା ।

 

ଦେବତାଙ୍କ ହୃଦୟ ରାଜାଙ୍କ ଦୁଃଖରେ ତରଳି ଗଲା । ସେ ସ୍ନେହରେ କହିଲେ, ‘‘ରାଜା, ତୋର ଝିଅକୁ ଫେରି ପାଇବୁ । ମୁଁ ମୋର ବର ଫେରାଇ ନେଉଛି । ବଗିଚା ମୁଣ୍ତରେ ଯେଉଁ ନଈ ବହି ଯାଉଛି, ଯାଆ ସେଥିରେ ବୁଡ଼ି ଗାଧୋଇବୁ । ଗୋଟିଏ ପାତ୍ରରେ ସେଥିରୁ ଜଳ ଆଣି ଆସିବୁ । ତୁ ଯାହା ସବୁ ଛୁଇଁ ସୁନା କରିଛୁ, ତାହା ଉପରେ ସେହି ଜଳ ଢାଳିଲେ ସେ ସବୁ ପୂର୍ବ ରୂପ ଫେରି ପାଇବେ । ଏହା କରିପାରିଲେ ତୋର ସୁନା ପାଇଁ ଲୋଭ ତୁଟିଯିବ । ଈଶ୍ୱରଙ୍କ ସୃଷ୍ଟିକୁ ଭଲପାଆ-। ଧନର ଲୋଭ ଛାଡ଼ିଦେ ।’’

 

ରାଜା ମିଦାସ କୃତଜ୍ଞତା ପ୍ରକାଶ କରି ଦେବତାଙ୍କ ପାଦତଳେ ପଡ଼ି ମନେ ମନେ ପ୍ରତିଜ୍ଞା କଲେ, ‘‘ଆଉ କେବେହେଲେ ଧନ ଲୋଭ କରିବି ନାହିଁ । ଈଶ୍ୱର ଯାହା ସୃଷ୍ଟି କରିଛନ୍ତି ତାକୁ ଭଲପାଇବି ।’’

 

ରାଜା ଉଠି ଦେଖିଲେ ଦେବତା ଉଭେଇ ଯାଇଛନ୍ତି ।

 

ମୁହୂର୍ତ୍ତେ ଡେରି ନକରି ରାଜା ନଈକୁ ଦଉଡ଼ିଲେ । ଦେହରୁ ପୋଷାକ କାଢ଼ିବା କଥା ଭୁଲିଯାଇ ସେ ନଈ ଭିତରକୁ ପଶି ପାଣିରେ ବୁଡ଼ି ଉଠିଲେ । ଥଣ୍ତା ପାଣି ବାଜିଲାରୁ ତାଙ୍କ ଦେହ ସହିତ ମନ ବି ଥଣ୍ତା ହୋଇଗଲା । ସେ ମନେକଲେ ତାଙ୍କ ଛାତି ଉପରୁ ଗୋଟାଏ ବୋଝ ଖସିପଡ଼ିଲା । ସତେ କଅଣ ତାଙ୍କର ଅଭିଶପ୍ତ ବର ଚାଲିଯାଇଛି !

 

ସେ ମାଠିଆଏ ପାଣି ଧରି ନଈ ଉପରକୁ ଆସିଲେ । ନଈକୂଳରେ ଗୋଟାଏ ଅନାବନା ଗଛ ଥିଲା । ତାକୁ ସେ ଥରେ ଦୁଇଥର ଛୁଇଁଲେ । ଗଛଟା ସୁନା ପାଲଟିଲା ନାହିଁ । ତାଙ୍କ ମନରେ ବିଶ୍ୱାସ ଆସିଲା–ଠାକୁର ବର ଫେରାଇ ନେଇଅଛନ୍ତି ।

 

ପାଣି ମାଠିଆ ଧରି ସେ ପାଗଳ ପରି ଆଗ ମେରିଗୋଲ୍‌ଡ ପାଖକୁ ଆସିଲେ ଓ ତା ଉପରେ ପାଣି ଢାଳିଦେଲେ । ଚାହୁଁ ଚାହୁଁ ମୁଣ୍ତର ସୁନା ସୂତା ପରି ବାଳଗୁଡ଼ାକ ପୁଣି ଆଗ ରଙ୍ଗ ଦିଶିଲା । ମୁହଁରେ ପୁଣି ଗୋଲାପ ରଙ୍ଗର ଆଭା ଖେଳିଗଲା । ସୁନାର ଦେହ ଚାଲିଗଲା । ସେ ପୂର୍ବ ଦେହଧରି ଆଖିମେଲି ଦେଖେ ତ, ବାପା ତା ଉପରେ ପାଣି ଢାଳୁଛନ୍ତି । ସେ ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ବାପା, ବାପା, ଏ କଅଣ କରୁଛ ? ମୋ ଜାମା ଓଦା ହୋଇଗଲା । ମୋତେ ଶୀତ କରୁଛି-।’’

 

ମିଦାସଙ୍କର ଆନନ୍ଦ ଦେଖେ କିଏ ? ସେ ଝିଅକୁ କୋଳକୁ ଟେକି ନେଇ ଚୁମା ଦେବାକୁ ଲାଗିଲେ । ରାଜା ପାଣି ମାଠିଆ ଧରି ରାଜବାଟୀର ଘରଦ୍ୱାର, ବାଡ଼ି ବଗିଚା ସବୁଆଡ଼େ ପାଣି ସିଞ୍ଚିଗଲେ । ସବୁ ପୂର୍ବପରି ହୋଇଗଲା । ଝିଅକୁ ସେ ପୁଣି ଗୋଲାପ ବଗିଚାକୁ ନେଇଗଲେ । ମେରିଗୋଲ୍‌ଡ ଦେଖିଲା, ଗଛରେ ଆଗଭଳି ଫୁଲ ଫୁଟିଛି । ସେ ଆନନ୍ଦରେ କେତୋଟି ଫୁଲ ତୋଳି ବାପାଙ୍କୁ ଦେଇ କହିଲା, ‘‘ଦେଖିଲ ବାପା, ଫୁଲଗୁଡ଼ିକ କେଡ଼େ ସୁନ୍ଦର !’’

 

ମିଦାସଙ୍କର ସେହି ଦିନଠାରୁ ସୁନା ଲୋଭ ତୁଟିଗଲା । ସେ ଭଣ୍ତାର ଘର ଫିଟାଇ ସବୁ ସୁନା ପ୍ରଜାଙ୍କ ଭିତରେ ବାଣ୍ଟିଦେଲେ । ସେମାନଙ୍କୁ କହିଲେ, ‘‘ଈଶ୍ୱର ଆମମାନଙ୍କ ପାଇଁ ଦେଇ ନାହାନ୍ତି କଅଣ ? ପାଣି ପବନ ଯିଏ ଯେତେ ନେଲେ ସରିବ ନାହିଁ । ପୃଥିବୀକୁ ତାଡ଼ି ଚାଷ କର । ଖାଦ୍ୟର ଅଭାବ ରହିବ ନାହିଁ ।’’

 

ତାଙ୍କ ଦେଶର ଲୋକେ ସୁଖରେ ରହିଲେ । କେହି ପରଧନକୁ ଚାହିଁଲେ ନାହିଁ ।

Image

 

ପାଣ୍ତୋରାର ବାକ୍‌ସ

 

ଆଜି ଆମେ ପୃଥିବୀକୁ ଯେପରି ଦେଖୁଛୁ, ହଜାର ହଜାର ବର୍ଷ ତଳେ ସେପରି ନଥିଲା-। ଏବେ ଦେଖାଯିବ, କିଏ ବୁଢ଼ା, କିଏ ପିଲା, କିଏ ସୁସ୍ଥ, କିଏ ରୋଗୀ, କିଏ ଧନୀ, କିଏ ଗରିବ । ମାତ୍ର ସେଇ ପୂର୍ବ କାଳରେ ପୃଥିବୀ ଭିନ୍ନ ଥିଲା । ସମସ୍ତେ ଥିଲେ ପିଲା । ପୁଅ ଝିଅ ସବୁ ଆନନ୍ଦରେ ଥିଲେ । କାହାରି ରୋଗ ନଥିଲା କି କିଛି ଦୁଃଖ ନଥିଲା । କେହି ବୁଢ଼ା ହେଉନଥିଲେ କି ମରୁନଥିଲେ । ଖାଇବା ପିଇବା ବିଷୟରେ କାହାରି ଚିନ୍ତାନଥିଲା । ଯାହାର ଯାହା ଇଚ୍ଛା ସେ ଗଛରୁ ତୋଳି ଆଣି ଖାଉଥିଲା । କେହି କାହାକୁ ମନା କରିବା ଶୁଣାନଥିଲା । ମିହନ୍ତ କରି ଫସଲ ଆମଦାନି କରିବା, ରାନ୍ଧିବା ଏସବୁ ଦରକାର ପଡ଼ୁନଥିଲା ।

 

ବଡ଼ ଆଶ୍ଚର୍ଯ୍ୟର କଥା, ଏତେ ପିଲା ଥିଲେ, ହେଲେ ସେମାନଙ୍କ ଭିତରେ କେବେହେଲେ କଳିକଜିଆ ନଥିଲା । କେହି କେବେ କାନ୍ଦୁନଥିଲା । ମୋଟଉପରେ ଆଜିକାଲି ଆମେ ଯାହାକୁ ଦୁଃଖ, ରୋଗ, ଭୋକ, ବିପଦ ଓ ମରଣ ଆଦି କହୁଛୁ, ସେ କାଳରେ ସେ ସବୁ ଶୁଣାନଥିଲା । ଏବେ କଅଣ ଜଣେ ହେଲେ ମଣିଷ ଅଛି, ଯାହାର କି କିଛି ଦୁଃଖ ନାହିଁ ?
 

ସେ କାଳରେ ମଣିଷମାନଙ୍କର ଆନନ୍ଦର ସୀମାନଥିଲା । କିଛି କଠିନ କାମ କରିବା ଦରକାର ନଥିଲା । ପିଲାମାନେ ହସି ଖେଳି ଦିନ କଟାଇ ଦେଉଥିଲେ ।

 

ଏବେ ଏତେ ଦୁଃଖ କାହୁଁ ଆସିଲା, ଲୋକେ ଏତେ କଷ୍ଟ ପାଇଲେ କାହିଁକି–ସେ କଥା ଶୁଣ ।

 

ଏପିମିଥସ ବୋଲି ଗୋଟିଏ ପୁଅ ଥିଲା । ସେ ଅନ୍ୟ ପୁଅ ଝିଅଙ୍କ ସଙ୍ଗେ ଖେଳି ବୁଲି ଦିନ କାଟୁଥିଲା । ସେ ଗୋଟିଏ କୁଡ଼ିଆରେ ରହିଥାଏ । ଦିନେ ପାଣ୍ତୋରା ବୋଲି ଗୋଟିଏ ଝିଅ ଆସି କହିଲା, ‘‘ଏପିମିଥସ, ମୁଁ ତମ ଘରେ ରହିବି । ଦୁହେଁଯାକ ସାଙ୍ଗ ହୋଇ ଖେଳିବା, ବୁଲିବା ।’’

 

ଏପିମିଥସ ମନା କରିବ କାହିଁକି ? ଦୁହେଁଯାକ ଏକାଠି ରହିଲେ । ହସ ଖେଳରେ ଦିନଗୁଡ଼ାକ ପାଣିପରି ବୋହି ଯାଉଥାଏ । ଦିନେ ପାଣ୍ତୋରା ଦେଖିଲା, କୁଡ଼ିଆ ଭିତରେ ଗୋଟାଏ ବଡ଼ ବାକ୍‌ସ ରହିଛି । ପାଣ୍ତୋରା ପଚାରିଲା, ‘‘ଏପିମିଥସ, ଏ ବାକ୍‌ସରେ କଅଣ ଅଛି ? ଏହାକୁ କିଏ ଆଣି ରଖିଲା ?’’ ମାତ୍ର ଏପିମିଥସ କିଛି କହିଲା ନାହିଁ ।

 

ପାଣ୍ତୋରା ଅନ୍ୟ ପିଲାଙ୍କ ସାଥିରେ ଖେଳେ, ବୁଲେ ଓ ଗଛରୁ ଫଳ ତୋଳି ଖାଏ । ମାତ୍ର ସେ ଅଦ୍ଭୁତ ବାକ୍‌ସଟା କଥା ଭୁଲିପାରେ ନାହିଁ । ସେ ଏପିମିଥସକୁ କେତେଥର ପଚାରିଲା–ବାକ୍‌ସ କାହୁଁ ଆସିଲା, ସେଥିରେ କଅଣ ଅଛି । ମାତ୍ର କିଛି ଉତ୍ତର ପାଏ ନାହିଁ ।

 

କିନ୍ତୁ ପାଣ୍ତୋରାର ମନ ଥୟ ହୁଏ ନାହିଁ । ଅନେକ ଥର ପଚାରିବାରୁ ଦିନେ ଏପିମିଥସ କହିଲା, ‘‘ଜଣେ ସେ ବାକ୍‌ସଟା ଏଠାରେ ରଖି ମୋତେ ଜଗି ରଖିବାକୁ କହିଯାଇଛି । ତା ଭିତରେ କଅଣ ଅଛି, ମୁଁ ଜାଣେନି । କଅଣ ଗୁପ୍ତ ଜିନିଷ ହୋଇଥିବ । ତୁ ସେ କଥା ମୋତେ ପଚାରିବୁ ନାହିଁ-।’’

 

ଦିନ ପରେ ଦିନ ଗଡ଼ି ଚାଲିଲା । ପାଣ୍ତୋରା ଖେଳି ବୁଲୁଥାଏ, ମାତ୍ର ତା ମନଟା ଥାଏ ସେହି ବାକ୍‌ସରେ । ପୁଣି ଥରେ ସେ ଏପିମିଥସକୁ ପଚାରିଲା, ‘‘କହ, ସେ ବାକ୍‌ସ କିଏ ଆଣି ରଖିଲା ? ସେଥିରେ କି ଗୁପ୍ତ ଜିନିଷ ଅଛି ?’’ ଏପିମିଥସ କେତେ ଚୁପ୍‌ ହୋଇ ରହିବ ? ଶେଷକୁ ସେ କହିଲା, ‘‘ସେ ବାକ୍‌ସ ଭିତରେ କଅଣ ଅଛି, ମୁଁ ତ ନିଜେ ଜାଣେନି, ତୋତେ କିପରି କହିବି ? ଯିଏ ତାକୁ ଏଠି ରଖିଯାଇଛି, ସେ ଦେଖିବାକୁ ଗୋଟିଏ ସୁନ୍ଦର ଲୋକ । ତା ମୁହଁରେ ହସ ଲାଗି ରହିଥାଏ । ତା ମୁଣ୍ତରେ ଗୋଟାଏ ଟୋପି । ଆଶ୍ଚର୍ଯ୍ୟର କଥା, ସେ ଟୋପିର ଦୁଇପାଖେ ଚଢ଼େଇର ଡେଣା ପରି ଗୋଟାଏ ଗୋଟାଏ ଡେଣା ।’’

 

ପାଣ୍ତୋରା ପଚାରିଲା, ‘‘ସେ ହାତରେ ଗୋଟାଏ ବାଡ଼ି ଧରିଥିଲା କି ?’’

 

ଏପିମିଥସ କହିଲା, ‘‘ହଁ, ହଁ–ହାତରେ ସେ ଗୋଟାଏ ବାଡ଼ି ଧରିଥିଲା । ତା ବାଡ଼ିଟା ବି ଅଦ୍ଭୁତ । ଦୁଇଟା ସାପ ଗୁଡ଼େଇ ହେଲା ପରି ଦିଶୁଥିଲା । ମୁଁ ତ ପ୍ରଥମେ ତାକୁ ଦୁଇଟା ଜୀବନ୍ତ ସାପ ବୋଲି ମନେକରିଥିଲି ।’’

 

ପାଣ୍ତୋରା କହିଲା, ‘‘ସେ କିଏ ଏବେ ମୁଁ ଜାଣିଲି । ସେ ହେଉଛନ୍ତି ମର୍କ୍ୟୁରି । କେବଳ ତାଙ୍କରି ବାଡ଼ି ଦୁଇଟା ସାପ ଗୁଡ଼େଇ ହେଲା ପରି ହୋଇଥାଏ । ସେଇତ ମୋତେ ଏଠି ଛାଡ଼ିଦେଇ ଯାଇଛନ୍ତି । ବୋଧହୁଏ, ସେ ଏହି ବାକ୍‌ସରେ ଆମ ପାଇଁ ଭଲ ଭଲ ପୋଷାକ, ଖେଳନା ପ୍ରଭୃତି ରଖିଛନ୍ତି, ନ ହେଲେ ଭଲ ଖାଇବା ଜିନିଷ ହୋଇଥିବ । ଆ, ଦେଖିବା, ସେଥିରେ କଅଣ ଅଛି ?’’

 

ମାତ୍ର ଏପିମିଥସ ସେଥିରେ ରାଜି ନ ହୋଇ କହିଲା, ‘‘ସେଥିରେ ଯାହା ଥାଉ, ଆମର ତାକୁ ଫିଟାଇବା ଅନ୍ୟାୟ ହେବ । ଏଥର ସେ ଆସିଲେ, ତାଙ୍କୁ କହିବା । ସେ ଅନୁମତି ଦେଲେ ଫିଟାଇ ଦେଖିବା । ହୁଏତ ସେ ନିଜେ ବାକ୍‌ସ ଖୋଲି ଆମକୁ ଖେଳନା ଦେବେ ।’’ ଏହା କହି ଏପିମିଥସ ଅନ୍ୟ ପିଲାଙ୍କ ସାଥିରେ ଖେଳିବାକୁ ଚାଲିଗଲା ।

 

ସେ ଯିବା ପରେ ପାଣ୍ତୋରା କୁଡ଼ିଆ ଭିତରେ ବସି ମନେ ମନେ ଭାବିଲା, ‘‘ଏଇଟା ଗୋଟାଏ କିମିତି ପିଲା ? ଯେତେ କହିଲେ ଶୁଣୁନାହିଁ । ବାକ୍‌ସ ଭିତରଟା ଦେଖିଲେ କ୍ଷତି କଅଣ ହୁଅନ୍ତା ?’’

 

ସେ ବାକ୍‌ସଟିକୁ ଚାହିଁ ରହିଲା । କି ସୁନ୍ଦର ଶିଶୁକାଠରେ ତିଆରି । ଖୁବ୍ ପାଲିସ୍‍ ହୋଇଛି । ଚାହିଁଲେ ସେଥିରେ ଆପଣା ମୁହଁ ଦିଶୁଛି । ଚାରିପାଖେ କେଡ଼େ ସୁନ୍ଦର ଫୁଲ ଓ ପତ୍ରର ଛବି ଖୋଳା ହୋଇଛି । ଢାଙ୍କୁଣି ଉପରେ ଗୋଟିଏ ପିଲାର ଛବି । ପାଣ୍ତୋରା ବାକ୍‌ସ ପାଖରେ ଛିଡ଼ା ହୋଇ ସେ ଛବିକୁ ଚାହିଁଲା । ତାର ମନେହେଲା, ସତେଅବା ପିଲାଟି ହସି ହସି ତାକୁ କହୁଛି–ବାକ୍‌ସଟା ଫିଟାଇ ଦେଖୁନାହୁଁ କାହିଁକି ? ଦେଖିଲେ କଅଣ ଦୋଷ ଲାଗିବ ? ବାକ୍‌ସ ଭିତରେ କେତେ କଉତୁକିଆ ଜିନିଷ ଅଛି ।

 

ପାଣ୍ତୋରା ଯେତିକି ସେ ଛବିକି ଚାହିଁଲା, ତା ମନ ସେତିକି ଅଥୟ ହେଲା । ସେ ବାକ୍‌ସଟାକୁ ଟେକିବାକୁ ଚେଷ୍ଟା କଲା; ଟେକି ପାରିଲା ନାହିଁ । ତେବେ ଏଥିରେ ନିଶ୍ଚେ ବହୁତ ଖେଳନା ଅଛି ବୋଲି ସେ ଭାବିଲା । ସେ ବାକ୍‌ସ ଚାରିପାଖ ବୁଲି ଦେଖିଲା ।

 

ବାକ୍‌ସରେ ଚାବି ପଡ଼ିନଥିଲା; ଖାଲି ଗୋଟାଏ ସୁନେଲି ସୂତାରେ ବନ୍ଧା ହୋଇ ଗଣ୍ଠି ପଡ଼ିଛି । ଗଣ୍ଠିଟା ସହଜେ ଫିଟିଲାଭଳି ମନେହେଲା ନାହିଁ । ଖୁବ୍‌ ନିରେଖି ଦେଖିଲା–ମାତ୍ର ସୂତାର ଅଗ କି ମୂଳ କିଛି ପାଇଲା ନାହିଁ । ପାଣ୍ତୋରା ନିରାଶ ହୋଇ ଝରକା ବାଟେ ବାହାରକୁ ଚାହିଁଲା । ପିଲାମାନେ ଆପଣା ଆପଣା ଖେଳରେ ମାତିଛନ୍ତି । ସେମାନଙ୍କର ଆନନ୍ଦ ଧ୍ୱନି ଶୁଣାଯାଉଛି । କଅଁଳିଆ ଖରା ପଡ଼ିଛି । ସମସ୍ତେ ମଉଜ କରୁଛନ୍ତି; ଖାଲି ପାଣ୍ତୋରା ଘର ଭିତରେ ଏକୁଟିଆ ରହି ବାକ୍‌ସ କଥା ଭାବୁଛି । ତା ମନ ଆଉ କାହିଁରେ ନାହିଁ । ସେ ବାକ୍‌ସ ଉପରେ ଥିବା ଛବିଟିକୁ ଚାହିଁ ସୁନେଲି ସୂତାରେ ହାତ ମାରୁଛି । ତାକୁ ଜଣାଗଲା–ପିଲାଟି ଖୁବ୍ ହସୁଛି ।

ଠିକ୍‌ ଏତିକିବେଳକୁ ପାଣ୍ତୋରା ଦେଖିଲା, ସୂତାର ଗଣ୍ଠି ଫିଟିଯାଇଛି । ହଠାତ୍‌ ତା ମନରେ ଗୋଟାଏ ଭୟ ପଶିଗଲା । ଏପିମିଥସ ତାକୁ କଅଣ କହିବ । ସେ ଭାବିବ, ମୁଁ ଜାଣିଶୁଣି ବାକ୍‌ସ ଫିଟାଇଛି । ସେ ସୂତାରେ ପୁଣି ଗଣ୍ଠି ପକାଇ ଦେବାକୁ ବସିଲା ।

ସେ ନାନାପ୍ରକାର ଚେଷ୍ଟାକଲା; ମାତ୍ର ଗଣ୍ଠି ପଡ଼ିଲା ନାହିଁ । ସେ ଭାବିଲା, ‘‘ଆଉ ଟିକକ ପରେ ଏପିମିଥସ ଆସିବ । ସେ ଦେଖିବ ଯେ ସୂତା ଗଣ୍ଠି ଫିଟିଛି । ମୁଁ ଯେ ବାକ୍‌ସ ଭିତର ଦେଖି ନାହିଁ, ଏକଥା ସେ କଅଣ ସତ ମଣିବ ?’’ ସେ କଅଣ କରିବ କିଛି ଥୟ କରିପାରିଲା ନାହିଁ । ବାକ୍‌ସ ଉପରେ ଭରାଦେଇ ସେ ଛିଡ଼ା ହୋଇ ରହିଲା । ଏଇ ସମୟରେ ତା କାନ ପାଖରେ ଶୁଣାଗଲା, ‘‘ପାଣ୍ତୋରା, ଆମକୁ କାଢ଼ିଦେ । ଆମେ ବାହାରକୁ ଗଲେ ତୁ ଆମ ସାଥିରେ ଖେଳିବୁ । ଖାଲି ଆମକୁ ବାହାର କରିଦେଲେ ହେଲା ।’’

ଶବ୍ଦ କେଉଁଠୁ ଆସୁଛି ? ପାଣ୍ତୋରା ପ୍ରଥମେ ଚମକି ପଡ଼ିଲା । ପୁଣି ସେହି ନରମ ସ୍ୱର ଶୁଣାଗଲା, ‘‘ପାଣ୍ତୋରା, ଆମକୁ ବାହାର କରିଦେ ।’’ ପାଣ୍ତୋରା ଏଥର କାନଡେରି ଶୁଣିଲା । ସେ ଜାଣିପାରିଲା, ଏ ଶବ୍ଦ ସେହି ବାକ୍‌ସ ଭିତରୁ ବାହାରୁଛି । ସେ ଭାବିଲା, ‘‘ତେବେ ମୋରିଭଳି ପିଲା ଏହା ଭିତରେ ଅଛନ୍ତି । ଟିକିଏ ଭିତରକୁ ଚାହିଁ ଦେଖିଲେ ଦୋଷ କଅଣ ?’’ ସେ ଢାଙ୍କୁଣିକୁ ଟେକିବାକୁ ହାତରେ ଧରିଲା ।

 

ଠିକ୍‌ ଏତିକିବେଳକୁ ଏପିମିଥସ ଆସି ଦୁଆରେ ପହଞ୍ଚିଗଲା । ସେ ଯେବେ ପାଟି କରି ପାଣ୍ତୋରାକୁ ବାକ୍‌ସ ଫିଟାଇବାକୁ ମନା କରି ଦେଇଥାନ୍ତା, ତେବେ ରକ୍ଷା ମିଳିଥାନ୍ତା; ବାକ୍‌ସରେ କଅଣ ଅଛି କେହି ଜାଣି ପାରି ନଥାନ୍ତେ । ସେ ଦୁଆରମୁହଁରୁ ଦେଖିଲା, ପାଣ୍ତୋରା ବାକ୍‌ସ ଖୋଲୁଛି; ମାତ୍ର ସେ ତାକୁ ମନାକଲା ନାହିଁ । ଅସଲ କଥା ହେଉଛି, ବାକ୍‌ସ ଭିତରେ କଅଣ ଅଛି ଜାଣିବାକୁ ତାର ମଧ୍ୟ ମନ ଉଚ୍ଛନ୍ନ ହେଉଥାଏ । ସେ ଚୁପ୍‌ କରି ଦୁଆରମୁହଁରେ ଠିଆ ହୋଇ ରହିଲା-

 

ପାଣ୍ତୋରା ଢାଙ୍କୁଣିଟା ଟେକିଲା ମାତ୍ରେ କୁଡ଼ିଆ ଭିତର ଅନ୍ଧାର ହୋଇଗଲା । ଆକାଶରୁ ଘଡ଼ଘଡ଼ିର ଶବ୍ଦ ଶୁଣାଗଲା । ସେ ବାକ୍‌ସ ଭିତରକୁ ଚାହିଁଲାକ୍ଷଣି ସେଥିରୁ ବିରୁଡ଼ିପରି ଗୁଡ଼ାଏ ମାଛି ବାହାରି ତା ଦେହ ମୁହଁ ବିନ୍ଧିଦେଇ ଘରଯାକ ଉଡ଼ିଲେ । ବିଚାରୀକୁ ଏତେ କଷ୍ଟ ହେଲା ଯେ ସେ ବଡ଼ ପାଟି କରି କାନ୍ଦି ଉଠିଲା ।

 

ଏପିମିଥସ ଦୁଆରମୁହଁରେ ଠିଆ ହୋଇଥିଲା । ସେ ପୋକରୁ ଗୁଡ଼ାଏ ଉଡ଼ିଆସି ତାକୁ ମଧ୍ୟ ନାହୁଡ଼ ମାରିବାକୁ ଲାଗିଲେ । ସେ ବିକଳ ହୋଇ ପାଟିକଲା–‘‘ଓଃ ମରିଗଲି । ପାଣ୍ତୋରା, ପାଣ୍ତୋରା, ତୁ କଅଣ କଲୁ ? କାହିଁକି ସେ ବାକ୍‌ସ ଫିଟାଇଲୁ ?’’

 

ବିରୁଡ଼ିଭଳି ଛୋଟ ଜୀବ ହେଲେ କଅଣ ହେବ–ସେମାନଙ୍କର ଗୁଣୁଗୁଣୁ ଶବ୍ଦରେ କାନ ଅତଡ଼ା ପଡ଼ିଲା । ସେମାନଙ୍କ ନାହୁଡ଼ର ବିଷରେ ପିଲା ଦୁଇଟା ମଲାପରି ହୋଇଗଲେ । ସେମାନେ ଛଟପଟ ହୋଇ ଡେଇଁଲେ ।

 

ଏ ବାକ୍‌ସ ଭିତରେ ସବୁ ମନ୍ଦ ଚିନ୍ତା, ଦୁଃଖ, ରୋଗ, ମୃତ୍ୟୁ ବନ୍ଦ ହୋଇଥିଲେ । ତେଣୁ ପୃଥିବୀର ପିଲାମାନେ ଏସବୁ କଅଣ ଜାଣିନଥିଲେ । ଏବେ ପାଣ୍ତୋରା ବାକ୍‌ସ ଫିଟାଇ ଦେବାରୁ ସେମାନେ ବାହାରି ପଡ଼ି ପୃଥିବୀଯାକ ବ୍ୟାପିଗଲେ । ସେମାନେ ଯାହାକୁ ଦେଖିଲେ ତାକୁ ନାହୁଡ଼ରେ ବିନ୍ଧି ଦେଲେ । ଏଣିକି ପିଲାଙ୍କ ମୁହଁରେ ହସ ଦେଖାଗଲା ନାହିଁ । କାଳକଯାକ ପିଲା ନ ରହି ସେମାନେ ବୁଢ଼ା ବୁଢ଼ୀ ହେଲେ । ସେମାନଙ୍କ ଭିତରେ ରୋଗ ଦେଖାଗଲା । ଗଛରେ ଆଉ ସବୁ କାଳେ ଫୁଲ ଫଳ ରହିଲା ନାହିଁ । ଅଳ୍ପଦିନ ପରେ ସେ ସବୁ ଶୁଖି ଝଡ଼ିପଡ଼ିଲା । ପିଲାଙ୍କର ସୁଖର ଦିନ ସରିଗଲା ।

ନାନା କଷ୍ଟ ସହି ସହି ପାଣ୍ତୋରା ଓ ଏପିମିଥସ କୁଡ଼ିଆ ଭିତରେ ରହିଥାନ୍ତି । ଏଥିପୂର୍ବରୁ କଷ୍ଟ କଣ ସେମାନେ ଜାଣିନଥିଲେ । ନିଜ ଦୋଷରୁ ସେମାନଙ୍କର ଏପରି ଦଶା ହୋଇଛି; ଏହା ଭାବିଲାକ୍ଷଣି ସେମାନଙ୍କୁ କାନ୍ଦ ମାଡ଼େ । ଏବେ ଦୁହିଁଙ୍କ ଭିତରେ ଆଗଭଳି ମନ ମିଳେ ନାହିଁ, କଳି କଜିଆ ଲାଗେ । ଏହିପରି କେତେଦିନ ଗଲା ।

ଦିନେ ପାଣ୍ତୋରା ବାକ୍‌ସକୁ ଆଉଜି ମେଜିଆ ଉପରେ ବସିଥିଲା । କୁଡ଼ିଆର ଗୋଟିଏ କଣରେ ପାଣ୍ତୋରାଆଡ଼କୁ ପିଠିକରି ଏପିମିଥସ ବସିଥାଏ । କେହି କାହାକୁ କିଛି କହୁ ନଥାନ୍ତି । ଏପିମିଥସ ଭାବୁଥାଏ, ଖାଲି ପାଣ୍ତୋରାର ଦୋଷ କଅଣ ? ସେ ବି ଦୋଷୀ ।

ଏଇ ସମୟରେ ବାକ୍‌ସ ଭିତରୁ ଟକ୍‌ ଟକ୍‌ ଶବ୍ଦ ହେଲା । ପାଣ୍ତୋରା ଆଶ୍ଚର୍ଯ୍ୟ ହୋଇ ଠିଆହେଲା । ପୁଣି ଶୁଣାଗଲା ଟକ୍‌ ଟକ୍ ଶବ୍ଦ । ଶବ୍ଦଟା ଯେ ବାକ୍‌ସ ଭିତରୁ ଆସୁଛି, ସନ୍ଦେହ ନାହିଁ-। ସେ ଭାବିଲା, ବାକ୍‌ସ ଭିତରେ ଏତେ ଦୁଷ୍ଟ ଜୀବ ଥିଲେ । ସମସ୍ତେ ବାହାରି ଆସିଛନ୍ତି । ହୁଏତ ସେଥିରୁ ଗୋଟାଏ ରହିଯାଇଛି । ପାଣ୍ତୋରା ପଚାରିଲା, ‘‘ତୁ କିଏ ?’’

କଅଁଳିଆ ସ୍ୱରରେ ବାକ୍‌ସ ଭିତରୁ କିଏ କହିଲା, ‘ପାଣ୍ତୋରା, ଢାଙ୍କୁଣିଟା ଟେକିଦେଲେ ଦେଖିବ ମୁଁ କିଏ ?’’

 

ପାଣ୍ତୋରା ଆହୁରି ଦୁଃଖର ଆଶଙ୍କା କରି କାନ୍ଦି କାନ୍ଦି କହିଲା, ‘‘ନା, ନା, ତା ହବନି । ଥରେ ଢାଙ୍କୁଣି ଫିଟାଇ ଯେଉଁ ଫଳ ପାଇଛୁ, ସେଇ ଯଥେଷ୍ଟ । ଆଉ ଫିଟାଇବା ଦରକାର ନାହିଁ ।’’

 

ପୁଣି ସେହି କରୁଣ ସ୍ୱର ଶୁଣାଗଲା, ‘‘ପାଣ୍ତୋରା, ମୁଁ ସେମାନଙ୍କଭଳି ନୁହେଁ । ମୋର ନାହୁଡ଼ ନାହିଁ କି ମୁଁ କାହାରି ଅନିଷ୍ଟ କରେ ନାହିଁ । ମୋତେ ବାହାର କରିଦିଅ ଦେଖିବ, ତୁମର କିଛି କ୍ଷତି ହେବ ନାହିଁ ବରଂ ଲାଭ ହେବ ।’’

 

ପାଣ୍ତୋରାର ମନ ନରମ ହୋଇ ଆସିଥିଲା । ସେ ଏପିମିଥସକୁ ପଚାରିଲା, ‘‘ଆଉଥରେ ବାକ୍‌ସ ଫିଟେଇବି ?’’

 

ଏପିମିଥସ କହିଲା, ‘‘ଏତେ ଦୁଷ୍ଟ ଜୀବ ତ ବାହାରି ସାରିଲେଣି–ଆଉ ଗୋଟାଏ ଆସିଲେ କ୍ଷତି କଅଣ ?’’

 

ପୁଣି ବାକ୍‌ସ ଭିତରୁ ଶବ୍ଦ ଆସିଲା, ‘‘ପାଣ୍ତୋରା, ଏତିକି ବୁଝିପାରୁନାହଁ । ଏପିମିଥସର ମନ ମତେ ଦେଖିବାକୁ ଆକୁଳ ହେଲାଣି । ମତେ ବାକ୍‌ସରୁ ବାହାର କରିଦିଅ । ଦେଖିବ, ମୁଁ ତୁମର ଦୁଃଖରୁ କେତେ ହରିନେବି ।’’

 

ପାଣ୍ତୋରା ବାକ୍‌ସର ଢାଙ୍କୁଣି ଟେକିବାକୁ ବସିଲା । ଏପିମିଥସ ତାକୁ ସାହାଯ୍ୟ କଲା । ଦୁହେଁ ମିଶି ବାକ୍‌ସଟିକୁ ଖୋଲିଦେଲେ ।

 

ବାକ୍‌ସ ଭିତରୁ ବାହାରିପଡ଼ିଲା, ପରୀଭଳି ଟିକି ଜୀବଟିଏ । ତା ଦେହରୁ ଆଲୁଅ ବାହାରୁଛି । ସେ ଘର ଭିତରେ ଉଡ଼ିଲା ବେଳକୁ ତଳଯାକ ଆଲୁଅ ହୋଇଯାଉଥାଏ । ସେ ଉଡ଼ିଆସି ପାଣ୍ତୋରାକୁ ଚୁମ୍ୱନ ଦେଲା । ପାଣ୍ତୋରାର ଦୁଃଖ କଷ୍ଟ କୁଆଡ଼େ ଉଭେଇଗଲା । ତାପରେ ସେ ଏପିମିଥସକୁ ସେହିପରି ଚୁମ୍ୱନ ଦେଲା । ସେ ମଧ୍ୟ ନିଜର ଦୁଃଖ ଯନ୍ତ୍ରଣା ଭୁଲିଗଲା-

 

ଏବେ ଦୁହିଁଙ୍କର ମନରେ ଆନନ୍ଦ । ଏ ଟିକି ପରୀଟିକୁ ବାହାର କରିନଥିଲେ ସେମାନଙ୍କର କଷ୍ଟ କିଏ ହରିଥାନ୍ତା ? ପାଣ୍ତୋରା ପଚାରିଲା, ‘‘ତୁମେ କିଏ ?’’ ଉତ୍ତର ମିଳିଲା–ମୋ ନାଆଁଟି ହେଉଛି ‘ଆଶା’ । ମର୍କ୍ୟୁରି ବାକ୍‌ସ ଭିତରେ ସେ ଦୁଷ୍ଟ ଜୀବମାନଙ୍କ ସଙ୍ଗେ ମୋତେ ମଧ୍ୟ ରଖିଥିଲେ । ସେମାନଙ୍କର କାମ ହେଲା–ମଣିଷ ଜାତିକି କଷ୍ଟ ଦେବା । ମନୁଷ୍ୟ ଜାତି ଯେପରି ସେ କଷ୍ଟ ସହିପାରିବ, ସେଥିପାଇଁ ମୁଁ ସବୁବେଳେ ଜାଗ୍ରତ ରହିଥାଏ ।

 

ପାଣ୍ତୋରା ଦେଖିଲା ଯେ ପରୀର ଡେଣାରେ ଇନ୍ଦ୍ରଧନୁର ସାତୋଟିଯାକ ରଙ୍ଗ ଅଛି । ସେ ଏଥିର କାରଣ ପଚାରିବାରୁ ପରୀ କହିଲା, ‘‘ହଁ, ସଂସାରଟାରେ ଭଲ ଆଉ ମନ୍ଦ ମିଶି ରହିଛି । ହସ ପାଖେ କାନ୍ଦ, ସୁଖ ପାଖେ ଦୁଃଖ ଲାଗିଥିବ । ସେଥିପାଇଁ ମୋ ଡେଣାରେ କେତେକ ଉଜ୍ଜ୍ୱଳ ରଙ୍ଗ ସାଥିରେ ମଳିନ ରଙ୍ଗ ବି ରହିଛି ।’’

 

‘‘ତୁମେ କଅଣ ଆମ ସାଥିରେ କାଳ କାଳକୁ ରହିଥିବ ?’’–ପାଣ୍ତୋରା ପଚାରିଲା ।

 

ପରୀ ଉତ୍ତର କଲା, ‘‘ଯେତେଦିନ ଯାଏ ତୁମେ ମୋର ସାହାଯ୍ୟ ଲୋଡ଼ିବ, ସେତେଦିନ ଯାଏ ଅବଶ୍ୟ ରହିବି । ମୁଁ ତୁମ ପାଖେ ପାଖେ ଥିବି । ବେଳେବେଳେ ତୁମେ ମତେ ଦେଖିପାରିବ ନାହିଁ । ପୁଣି ବେଳେବେଳେ ତୁମେ ମତେ ନ ଖୋଜୁଣୁ ମୁଁ ଆସି ଦେଖାଦେବି ।’’

 

ପରୀର କଥା ସତ ହେଲା । ଦୁଷ୍ଟ ଜୀବଗୁଡ଼ାକ ପୃଥିବୀଯାକ ବୁଲି ଲୋକଙ୍କୁ ଦୁଃଖ କଷ୍ଟ ଦେଲେ; କିନ୍ତୁ ଆଶା ପାଖେ ପାଖେ ରହି ସେ ସବୁ କଷ୍ଟ ସହିବାକୁ ଲୋକଙ୍କୁ ବଳ ଦେଲା ।

 

ଏବେ ବି ଦୁନିଆରେ ସେଇ କଥା ଚାଲିଛି । ଯେତେ କଷ୍ଟ ହେଉ ପଛକେ ଆଶା ତାର ଦୁଃଖର ଭାରକୁ ଊଣା କରି ଦେଉଛି । ଦୁଃଖମୟ ସଂସାରରେ ଆଶାହିଁ ମନୁଷ୍ୟର ଆଶ୍ରୟ ସ୍ଥଳ ହୋଇ ରହିଛି । ଆଶା ଆମକୁ ନୂଆ ଜୀବନ ଦେଉଛି ।

Image

 

ଗ୍ରୀସ୍ ଦେଶର ଉପକଥା

ପକ୍ଷିରାଜ ଘୋଡ଼ା ପେଗାସସ୍‌

 

ବହୁଦିନ ପୂର୍ବର କଥା । ଗ୍ରୀସ୍‍ ଦେଶରେ ଜଣେ ଯୁବକ ଥିଲେ । ସେ ଦିନେ ସନ୍ଧ୍ୟାବେଳେ ଆସି ଗୋଟିଏ ଝରଣା କୂଳେ ବସିଲେ । ଝରଣାଟି କୁଳୁ କୁଳୁ ଶବ୍ଦ କରି ପାହାଡ଼ରୁ ବୋହି ଆସୁଥିଲା । ତାର ପାଣି ଅତି ନିର୍ମଳ, ଅତି ଥଣ୍ତା । ଯୁବକ ସେହି ଝରଣାରୁ କିଛି ପାଣି ଆଣି ପିଇଲେ ।

 

ଏହି ସମୟରେ ଜଣେ ସୁନ୍ଦରୀ ସ୍ତ୍ରୀଲୋକ ମାଠିଆ ଧରି ଝରଣାରୁ ପାଣି ନେବାପାଇଁ ଆସିଲେ । ଯୁବକ ତାଙ୍କୁ ଏହି ଝରଣାର ନାମ ପଚାରିଲେ । ଯୁବତୀ ଉତ୍ତର କଲେ, ‘‘ଏହାର ନାମ ହେଉଛି ପିରିନ । ଲୋକେ କହନ୍ତି, ପିରିନ ବୋଲି ଗୋଟିଏ ମାଆର ଆଖିର ଲୁହ ଝରଣା ହୋଇ ବହିଯାଉଛି । ତାର ପୁଅଟିଏ ଥିଲା । ସେ ତାକୁ ନିଜ ଜୀବନଠାରୁ ବେଶି ଭଲପାଉଥିଲା । ପିଲାଟି ମରିଯିବାରୁ ସେ କାନ୍ଦୁଛି । ତାର କାନ୍ଦଣା ଆଜିଯାଏ ବନ୍ଦ ହୋଇନାହିଁ । ତାରି ଲୁହ ହେଉଛି ଏଇ ଝରଣାର ପାଣି ।’’ ଯୁବକ କହିଲା, ‘‘ଓଃ, ତେବେ ଏଇ ହେଉଛି ପିରିନ ନଈ ! ମୁଁ ଏହାକୁ ଖୋଜି ଖୋଜି ଏଠାରେ ପହଞ୍ଚିଛି ।’’

 

ଜଣେ ଚାଷୀ ତା ବଳଦଙ୍କୁ ପାଣି ପିଆଇବା ପାଇଁ ସେଠାକୁ ଆସିଲା । ସେ ଯୁବକଙ୍କ ହାତରେ ଘୋଡ଼ାର ଲଗାମ୍‌ ଦେଖି ପଚାରିଲା, ‘‘ତୁମେ ହାତରେ ଗୋଟାଏ ଲଗାମ ଧରି ବୁଲୁଛ କାହିଁକି ? ତୁମ ଘୋଡ଼ାଟା କଅଣ ପଳାଇଗଲା ?’’

 

ଏହି ଯୁବକଙ୍କର ନାମ ବେଲାରଫୋନ୍‌ । ଚାଷୀର ପ୍ରଶ୍ନ ଶୁଣି ସେ କହିଲେ, ‘‘ନା, ନା, ମୋର ଘୋଡ଼ା ହଜି ନାହିଁ । ତୁମେ ପକ୍ଷିରାଜ ଘୋଡ଼ା ପେଗାସସ୍‌ର ନାଆଁ ଶୁଣିଥିବ । ତାର ଯୋଡ଼ାଏ ଡେଣା ଅଛି । ସେ ଉଡ଼ିପାରେ । ସେ ଏଇ ଝରଣାକୁ ପାଣି ପିଇବାକୁ ଆସେ ବୋଲି ଶୁଣି ମୁଁ ଏଠାକୁ ଆସିଛି ।’’

 

ଚାଷୀ କହିଲା, ‘‘ତେବେ ତୁମେ ଆସିଛ ପକ୍ଷିରାଜ ଘୋଡ଼ାକୁ ଧରି ନେବାପାଇଁ ? ତୁମେ ବି ସେଇ ପକ୍ଷିରାଜ ଘୋଡ଼ା କଥା ସତ ମଣୁଛ ? ହେଲା, ପକ୍ଷିରାଜ ଘୋଡ଼ାକୁ ଧରିଲ; ତାକୁ ନେଇ କଅଣ କରିବ ? କେ କଅଣ ହଳ କରିବ, ନାଁ ଗାଡ଼ି ଟାଣିବ ?’’

 

ବେଲାରଫୋନ୍‌ ଦେଖିଲେ ବୁଢ଼ା ଚାଷୀର ମୁହଁ ହସହସ । ସେ ପଚାରିଲେ, ‘‘ଅଜା, ତୁମକୁ ଷାଠିଏ କି ସତୁରି ବର୍ଷ ହେବଣି । ତମେ ପିଲାଦିନେ କେବେ ସେ ପେଗାସସ୍‌କୁ ଦେଖିଛ-?’’

 

ବୁଢ଼ା ଉତ୍ତର କଲା, ‘‘ମୋର ବୟସ କେତେ ହେଲାଣି ମୁଁ କହି ପାରିବି ନାହିଁ । ଏବେ କେତେ ବର୍ଷ ହେଲା ମୋର କିଛି ମନେରହୁନାହିଁ । ଗଲାଦିନ କଥା ସବୁ ଭୁଲିଯାଉଛି । ଆଗେ ପିଲାଦିନେ ମୁଁ ପକ୍ଷିରାଜ ଘୋଡ଼ା କଥା ସତ ମଣୁଥିଲି । ମୁଁ ଏବେ ସେ ସବୁ କଥା ଭାବେ ନାହିଁ ।’’

 

ସେତେବେଳକୁ ଯୁବତୀଟି ମାଠିଆରେ ପାଣି ପୂରାଇ ଛିଡ଼ା ହୋଇଥିଲେ । ବେଲାରଫୋନ୍‌ ତାଙ୍କୁ ପଚାରିଲେ, ‘‘ବୁଢ଼ାଙ୍କର ଆଖିକି ଭଲ ଦିଶୁନଥିବ । ତୁମେ କେବେ ସେ ପକ୍ଷିରାଜ ଘୋଡ଼ାକୁ ନିଜ ଆଖିରେ ଦେଖିଛ ?’’

 

ଯୁବତୀ ଟିକିଏ ହସିଦେଇ କହିଲେ, ‘‘ହଁ, ଥରେ ଦେଖିଥିଲା ପରି ମନେହେଉଛି । ତେବେ ସେ ପେଗାସସ୍‌ କି ଗୋଟାଏ ବଡ଼ ଚଢ଼େଇ ଠିକ୍‌ କରି କହି ପାରିବି ନାହିଁ । ଆକାଶରେ ଅନେକ ଉଚ୍ଚରେ ଉଡ଼ୁଥିଲା । ଆଉଥରେ ଏଇ ଝରଣା କୂଳରେ ମୁଁ ତାର ବୋବାଇବା ଶୁଣିଛି; ହେଲେ ତାକୁ ଦେଖି ନାହିଁ ।’’

 

ଗୋଟିଏ ଛୋଟପିଲା ପାଖରେ ଛିଡ଼ା ହୋଇ ଏମାନଙ୍କର କଥାବାର୍ତ୍ତା ଶୁଣୁଥିଲା । ବେଲାରଫୋନ୍‌ ତାକୁ ପଚାରିଲେ, ‘‘ତୁମେ କଅଣ କେବେ ପକ୍ଷିରାଜ ଘୋଡ଼ା ଦେଖିଛ ? ସେ କେଉଁଠି ପାଣି ପିଇବା ପାଇଁ ଏଇ ଝରଣା କୂଳକୁ ଆସେ ?’’

 

ପିଲାଟି କହିଉଠିଲା, ‘‘ହଁ, ମୁଁ କେତେଥର ଦେଖିଛି । କାଲି ତ ପେଗାସସ୍‌ ଏଠିକି ଆସିଥିଲା । ମୁଁ ତାକୁ ଦେଖିଥିଲି ।’’

 

ବେଲାରଫୋନ୍‌ ଏଇ ପିଲାଟିଠାରୁ ଖବର ଜାଣିବା ପାଇଁ ତାକୁ ଏକୁଟିଆ ଡାକି ନେଇ ଘାସ ଉପରେ ବସିଲେ । ସେ ପଚାରିଲେ, ‘‘ତୁମେ ନିଜ ଆଖିରେ ତାକୁ ଦେଖିଛ ବୋଲି କହୁଛ । ସେ ଦେଖିବାକୁ କିପରି, ସେ ଏଠାକୁ ଆସି କଅଣ କରେ ? ଯାହା ଜାଣିଛ, ସବୁ କହ ?’’

 

ପିଲାଟି କହିଗଲା, ‘‘ମୁଁ ପ୍ରାୟ ପ୍ରତିଦିନ ଏଇ ଝରଣା ପାଖକୁ ଆସି ସେଥିରେ କାଗଜ ଡଙ୍ଗା ଭସାଏ । ଡଙ୍ଗା ଛାଡ଼ିଲାବେଳକୁ ମୁଁ ପାଣିକି ଚାହେଁ । ସେଥିରେ ପକ୍ଷିରାଜ ଘୋଡ଼ାର ଛାଇ ଦିଶେ । ସେ ଆକାଶରେ ଚଢ଼େଇ ପରି ଉଡ଼ୁଥାଏ । ସେତେବେଳେ ମୋର ମନେହୁଏ, ସେ ମୋତେ ତା ପିଠିରେ ବସାଇ ନିଅନ୍ତା କି ମୁଁ କେତେ ଦେଶ ଦେଖନ୍ତି । ମୁଁ ଉପରକୁ ଚାହିଁଦେଲାକ୍ଷଣି ସେ ଉଡ଼ି କୁଆଡ଼େ ପଳାଏ; ଆଉ ଦିଶେ ନାହିଁ ।’’

 

ବେଲାରଫୋନ୍‌ ପିଲାଟିର କଥାରେ ବିଶ୍ୱାସ କଲେ । ସେ ଝରଣାରେ ପେଗାସସ୍‌ର ଛାଇ ଦେଖିଛି । ଯୁବତୀର କଥାକୁ ମଧ୍ୟ ସେ ସତ ବୋଲି ମନେକଲେ । ଯୁବତୀ ତାର ରାବ ଶୁଣିଛନ୍ତି । ତେବେ ପେଗାସସ୍‌ ବିଷୟରେ ଯାହା ସବୁ ଶୁଣାଯାଏ, ସେ ସବୁ ମିଛ ହୋଇନପାରେ ।

 

ବେଲାରଫୋନ୍‌ ଅନେକ ଦିନଯାଏ ସେଇ ଝରଣା କୂଳେ ଜଗି ରହିଲେ । ହାତରେ ଲଗାମ ଧରି ଆକାଶକୁ ଚାହିଁଥାନ୍ତି । ଲଗାମରେ ମଣିମୁକ୍ତା ଖଞ୍ଜା ହୋଇ ସୁନ୍ଦର ଦିଶୁଥାଏ । କଳିଆରିଟା ସୁନାର । କେତେବେଳେ ପେଗାସସ୍‌ର ଦେଖା ମିଳିଲେ, ଲଗାମ ଲଗାଇ ତା ଉପରେ ବସିଯିବେ ।

 

ଏଇପରି କେତେଦିନ ଗଲା । ଆଖପାଖର ଲୋକେ ବେଲାରଫୋନ୍‌ଙ୍କର ଏପରି ଚାହିଁ ରହିବା ଦେଖି ଥଟ୍ଟା କରନ୍ତି । କେହି କେହି କହନ୍ତି–‘‘ଘୋଡ଼ା କିଣିବ ? ଆସ, ମୁଁ ଗୋଟାଏ ଘୋଡ଼ା ବିକିବି ।’’ ଆଉ କିଏ କହେ–‘‘ଖାଲି ଲଗାମ ଧରି ବୁଲିଲେ କଅଣ ହେବ ? ମୋର ଘୋଡ଼ା ପାଇଁ ଗୋଟାଏ ଲଗାମ ଦରକାର । ବିକିବ ତ ମୁଁ ତମ ଲଗାମଟା କିଣିନେବି । ଭଲ ଦାମ୍ ପାଇବ ।’’ ମାତ୍ର ବେଲାରଫୋନ୍‌ ଲୋକଙ୍କ କଥା ଶୁଣି ନ ଶୁଣିଲା ପରି ରହନ୍ତି । ସେ ସବୁବେଳେ ଝରଣା କୂଳରେ ବସି ଆକାଶକୁ ଚାହିଁଥାନ୍ତି ।

 

ବେଲାରଫୋନ୍‌ଙ୍କର ପ୍ରତିଜ୍ଞା, ସେ ପକ୍ଷିରାଜ ଘୋଡ଼ା ପେଗାସସ୍‌କୁ ନଦେଖିଲେ ଫେରିବେ ନାହିଁ । ଏଥିର ଏକ କାରଣ ଥିଲା । ସେ ଶୁଣିଥିଲେ ଯେ ପାଖ ରାଇଜରେ ଗୋଟାଏ ଅସୁର ଅଛି । ସେ ସେଠାରେ ଲୋକଙ୍କ ଉପରେ ଭାରି ଅତ୍ୟାଚାର କରୁଛି । ତାକୁ କେହି ମାରିପାରୁ ନାହାନ୍ତି । ବେଲାରଫୋନ୍‌ ତାକୁ ମାରିବାକୁ ମନ କରିଥିଲେ । ତାକୁ ମାରିବାକୁ ହେଲେ ଏଇ ପକ୍ଷିରାଜ ଘୋଡ଼ାର ସାହାଯ୍ୟ ଦରକାର । ତା ବିନା ଅସୁରର ପାଖ ପଶିହେବ ନାହିଁ । ଏଇଥିପାଇଁ ବେଲାରଫୋନ୍‌ ପକ୍ଷିରାଜ ଘୋଡ଼ାକୁ ଚାହିଁ ରହିଥିଲେ ।

 

ସେ କାଳରେ କେତେ ଯୁବକ ଦୁଷ୍ଟ ରାକ୍ଷସ ବା ସେହିପରି ହିଂସ୍ର ଜନ୍ତୁଙ୍କୁ ମାରି ଲୋକଙ୍କର ଉପକାର କରିବାକୁ ବଡ଼ କାମ ବୋଲି ମନେ କରୁଥିଲେ । ଏଭଳି ଯୁବକଙ୍କର ପ୍ରଶଂସା ଚାରିଆଡ଼େ ଶୁଣାଯାଉଥିଲା ।

 

ବେଲାରଫୋନ୍‌ ଶୁଣିବାକୁ ପାଇଲେ, ଲିସିଆ ରାଜ୍ୟରେ ଗୋଟାଏ ଦୁଷ୍ଟ ଅସୁର ଅଛି । ଲିସିଆ ରାଜ୍ୟ ତାଙ୍କ ରାଜ୍ୟକୁ ଲାଗିଛି । ଏଇ ଅସୁର ଯୋଗେ ରାଜ୍ୟ ଛାରଖାର ହୋଇଯାଉଥିଲା । ଲୋକେ ତା ଭୟରେ ଥରହର ହେଉଥିଲେ । ବେଲାରଫୋନ୍‌ଙ୍କ ସାହସ ଓ ବଳ କଥା ଶୁଣିପାରି ଲିସିଆର ରାଜା ତାଙ୍କୁ କହିଲେ, ‘‘ଏ ଅସୁରକୁ ମାରି ମୋର ପ୍ରଜାଙ୍କୁ ରକ୍ଷାକର ।’’ ଏଇଥିପାଇଁ ବେଲାରଫୋନ୍‌ ପେଗାସସ୍‌କୁ ପାଇବା ସକାଶେ ଉଦ୍ୟମ କରୁଥିଲେ ।

 

ଏଇ ଅସୁରଟିର ନାମ ସାଇମେରା । ତା’ଭଳି ହିଂସ୍ର ଜନ୍ତୁ କେଉଁଠି ନ ଥିବେ । ତାର ବିକଟାଳ ରୂପ ଦେଖିଲେ ଲୋକେ ଡରରେ ଅଚେତା ହୋଇଯିବେ । ସେ ଏଡ଼େ ବେଗରେ ଯାଇପାରେ ଯେ କେହି ତା ସାଥିରେ ଦୌଡ଼ି ପାରିବେ ନାହିଁ । ତା ଦେହ ଲୁହାରୁ ବଳି ଟାଣ । ସେଥିରେ କୌଣସି ହତିଆର ଭେଦି ନପାରେ । ତାର ଲାଞ୍ଜଟି ଗୋଟିଏ ଅଜଗର ସାପଭଳି । କାହାର ସିନା ଗୋଟାଏ ମୁଣ୍ତ, ଏ ଅସୁରର ତିନିଟା ମୁଣ୍ତ । ଗୋଟିଏ ହେଉଛି ସିଂହମୁଣ୍ତ, ଗୋଟିଏ ଛେଳିମୁଣ୍ତ ଓ ଆଉ ଗୋଟିଏ ହେଉଛି ବିଷାକ୍ତ ସାପର ମୁଣ୍ତ । ସବୁ ମୁଣ୍ତରୁ ସବୁବେଳେ ଦାଉଦାଉ ନିଆଁ ବାହାରୁଥାଏ । ସାଇମେରା ସିଂହପରି ବେଗରେ ଦଉଡ଼ି ପାରୁଥିଲା, ଛେଳିପରି ଉଚ୍ଚକୁ ଉଠିପାରୁଥିଲା, ପୁଣି ସାପପରି ଘୁଷୁରି ପାରୁଥିଲା । ତେଣୁ ତାକୁ ମାରିବାକୁ କେହି ସାହସ କରି ପାରୁନଥିଲେ ।

 

ତା ନିଃଶ୍ୱାସ ନିଆଁହୁଳାପରି । ସେ ନିଃଶ୍ୱାସରେ ଗୋଟାଏ ଗୋଟାଏ ଗାଁ ପୋଡ଼ିଯାଏ-। କେତେ ବଣ ସେଥିରେ ପୋଡ଼ି ପାଉଁଶ ହୋଇଯାଏ । ସେ ଜୀଅନ୍ତା ମଣିଷ, ଗୋରୁଗାଈ ଗିଳି ଖାଇଦିଏ । ତାର ପେଟ ଭିତରଟା ଆଖୁଶାଳ ଚୁଲିପରି । ସେ ଯାହା ଗିଳେ, ତାହା ତାର ପେଟରେ ସିଝି ହଜମ ହୋଇଯାଏ । ଏପରି ଅସୁର ପାଖକୁ ଯିବା ପାଇଁ କାହାର ସାହସ ହେବ ?

 

ବେଲାରଫୋନ୍‌ ଭାରି ଚାଲାଖ । ସାଇମେରାକୁ ମାରିବାକୁ ଗଲେ ଆଗ ଗୋଟିଏ ଘୋଡ଼ା ଦରକାର । ତେବେ ଯେମିତି ଇଚ୍ଛା ସେମିତି ଘୋଡ଼ା ହେଲେ ଚଳିବ ନାହିଁ । ସେ ଖୁବ୍‌ ବେଗରେ ଦୌଡ଼ି ପାରିଲେ ହେବ । ପକ୍ଷିରାଜ ପେଗାସସ୍‌ହିଁ ଏ କାମ ପାଇଁ ଯୋଗ୍ୟ । ଅନେକେ ଭାବୁଥିଲେ, ପେଗାସସ୍‌ ବୋଲି କୌଣସି ଘୋଡ଼ା ନାହିଁ । ତା ବିଷୟରେ ଯେତେ କଥା ଶୁଣାଯାଏ, ସେ ସବୁ ଖାଲି ଗୁଲିଖଟି ଗପ । କିନ୍ତୁ ବେଲାରଫୋନ୍‌ଙ୍କର ବିଶ୍ୱାସ, ପ୍ରକୃତରେ ପେଗାସସ୍‌ ଅଛି । ତାକୁ ପାଇପାରିଲେ ସେ ସାଇମେରାକୁ ମାରିପାରିବେ ।

 

ପେଗାସସ୍‌କୁ ପାଇବା ପାଇଁ ସେ ଏତେ ବାଟ ଚାଲି ଲିସିଆରୁ ଗ୍ରୀସ୍‍କୁ ଆସିଥିଲେ । ପୁଣି ସେହି ପକ୍ଷିରାଜ ଘୋଡ଼ାକୁ ଆୟତ୍ତ କରିବା ଲାଗି ସୁନ୍ଦର ଲଗାମଟିଏ ଆଣିଥିଲେ । ଏ ଲଗାମର ଅଦ୍ଭୁତ ଶକ୍ତି ଥିଲା । ଥରେ ପକ୍ଷିରାଜ ଘୋଡ଼ା ଦେହରେ ଲଗାମ ଲାଗିଲେ, ସେ ବଶ ହୋଇଯିବ ଓ କଥା ମାନି ଯୁଆଡ଼େ ଯିବାକୁ କହିବ ସେଆଡ଼େ ଯିବ ।
 

ବେଲାରଫୋନ୍‌ ଝରଣାକୂଳରେ ବହୁତ ଦିନ ଅପେକ୍ଷା କଲେ; କିନ୍ତୁ ପେଗାସସ୍‌ର ଭେଟ ମିଳିଲା ନାହିଁ । ବେଳେବେଳେ ସେ ଚାଲିଯିବେ ବୋଲି ମନେକରନ୍ତି । କିନ୍ତୁ ସେ ସାନ ପିଲାଟି ତାଙ୍କୁ ମନାକରି କହେ, ‘‘ମୁଁ ନିଜ ଆଖିରେ ଦେଖିଛି, ପେଗାସସ୍‌ ଏଠିକି ଆସି ପାଣି ପିଏ; ଘାସ ଉପରେ ଗଡ଼େ । ଦେଖିବ, ଯେଉଁଦିନ ହେଉ ସେ ନିଶ୍ଚେ ଏଠିକି ଆସିବ ।’’

 

ଏଣେ ବେଲାରଫୋନ୍‌ଙ୍କ ମନ ଅସ୍ଥିର । ଖବର ମିଳୁଥାଏ, ସାଇମେରା ଲିସିଆରେ ଭାରି ଉତ୍ପାତ କରୁଛି । ଅନେକ ଲୋକଙ୍କୁ ଖାଇଗଲାଣି । ତା ଡରରେ କେତେ ଲୋକ ରାଜ୍ୟ ଛାଡ଼ି ଚାଲିଗଲେଣି । କେତେଦିନ ଆଉ ସେ ଚାହିଁ ରହିବେ ? କେବେ ପେଗାସସ୍‌କୁ ଧରି ସେ ଅସୁରକୁ ମାରିବେ, ଲୋକଙ୍କୁ ରକ୍ଷା କରିବେ ? ଚାହୁଁ ଚାହୁଁ ତାଙ୍କ ବାଳ ପାଚିଯିବ । ବୁଢ଼ାଦିନେ କ’ଣ ଅସୁର ସାଥିରେ ଲଢ଼ିବାକୁ ତାଙ୍କର ବଳ ଥିବ ।’’

 

ଦିନେ ପିଲାଟି କହିଲା, ‘‘ବେଲାରଫୋନ୍‌, ଆଜି ପେଗାସସ୍‌ ନିଶ୍ଚେ ଏଣିକି ଆସିବ । ମୋ ମନ ଭିତରେ କିଏ କହୁଛି ସେ ଆଜି ଆସିବ ।’’

 

ସେ ଦିନଯାକ ପିଲାଟି ବେଲାରଫୋନ୍‌ଙ୍କ ପାଖେ ପାଖେ ରହି ଆକାଶକୁ ଚାହିଁଥାଏ । ଦୁହେଁଯାକ ଟିକିଏ ଟିକିଏ ରୁଟି ଖାଇ ଝରଣାରୁ ପାଣି ପିଇଲେ; ବିଶ୍ରାମ ପାଇଁ ଝରଣାକୂଳର ଗଛଛାଇ ତଳେ ବସିରହିଲେ ।

 

ହଠାତ୍‌ ପିଲାଟି ବେଲାରଫୋନ୍‌ଙ୍କ ଦେହରେ ହାତ ମାରି ଚୁପ୍‌ଚୁପ୍‌ କରି କହିଲା, ‘‘ଏଇ ଝରଣାର ପାଣିକି ଚାହଁ ।’’

 

ବେଲାରଫୋନ୍‌ ଝରଣା ପାଣିକି ଚାହିଁଲେ । ପାଣି ଦର୍ପଣପରି ନିର୍ମଳ । ବେଲାରଫୋନ୍‌ ପାଣିରେ ଗୋଟାଏ ଛାଇ ଦେଖିପାରିଲେ । ସେ ଭାବିଲେ, ଏଟା ଗୋଟାଏ ପକ୍ଷୀର ଛାଇ ହେବ । ପକ୍ଷୀଟା ଆକାଶରେ ଖୁବ୍‌ ଉଚ୍ଚରେ ଉଡ଼ୁଛି ଓ ତାର ଡେଣା ଉପରେ ସୂର୍ଯ୍ୟକିରଣ ପଡ଼ୁଥିବାରୁ ଚକ୍‌ଚକ୍ କରୁଛି ।

 

ପିଲାଟି ପୁଣି କହିଲା, ‘‘ଭଲକରି ଦେଖ । ମୁଁ ଦେଖି ସାରିଲିଣି । ଏ ଚଢ଼େଇର ଛାଇ ନୁହେଁ; ପେଗାସସ୍‍ର ଛାଇ ।’’

 

ବେଲାରଫୋନ୍‌ଙ୍କ ଛାତି ଦମ୍‍ ଦମ୍ ପଡ଼ିଲା । ସତେ କଅଣ ସେ ମାସ ମାସ ଧରି ଯେଉଁ ପକ୍ଷିରାଜ ଘୋଡ଼ାକୁ ଚାହିଁ ବସିଥିଲେ, ସେଇ ତାଙ୍କ ପାଖକୁ ଉଡ଼ି ଆସୁଛି ? ସେ ପିଲାଟିକୁ କୋଳରେ ଟେକିନେଇ ଗଛ ଉହାଡ଼ରେ ଲୁଚିଗଲେ । ପେଗାସସ୍‌ ସେମାନଙ୍କୁ ଦେଖିଲେ ସେଠାରେ ନ ଓହ୍ଲାଇ ଚାଲିଯିବ–ଏହି ଭୟରେ ସେମାନେ ଲୁଚିରହି ପକ୍ଷିରାଜକୁ ଅନାଇଁଲେ । ଆକାଶରେ ଉଡ଼ିଲା ବେଳେ ତାର ଧଳା ଡେଣା ଉପରେ ସୂର୍ଯ୍ୟକିରଣ ପଡ଼ିବାରୁ ତାହା ଚକ୍‍ଚକ୍ ଦିଶୁଥିଲା । ଘୋଡ଼ାଟିର ସର୍ବାଙ୍ଗ ଧଳା ଓ ଅତି ସୁନ୍ଦର ।

 

ପେଗାସସ୍‌ କ୍ରମେ ତଳକୁ ତଳକୁ ଖସିଲା । ତାର ଡେଣା ଦୁଇଟି ପ୍ରସାରିତ ରହିଥାଏ । ଶେଷରେ ତାର ପାଦ ଘାସକୁ ଛୁଇଁଲା । ସେତେବେଳେ ତାର ଡେଣା ବନ୍ଦ ହୋଇଗଲା ।

 

ଝରଣାକୂଳକୁ ଯାଇ ସେ ମୁଣ୍ତ ନୁଆଇଁ ପାଣି ପିଇଲା । ଥରେ ପିଇ ଟିକିଏ ବିଶ୍ରାମ ନେଉଥାଏ; ପୁଣି ମୁଣ୍ତ ନୁଆଇଁ ପିଉଥାଏ । ଏହିପରି କେତେଥର ପିଇବା ପରେ ତାର ମନରେ ସନ୍ତୋଷ ଆସିଲା ପରି ବୋଧହେଲା ।

 

ପାଣି ପିଇବା ପରେ ସେ ଝରଣାକୂଳରେ ଥିବା ଘାସ ଓ ଲତାରୁ କିଛି ଖାଇ ଟିକିଏ ଏପାଖ ସେପାଖ ଦୌଡ଼ିଲା । ସେ ଆକାଶରେ ଉଡ଼ିପାରୁଥିଲେ ହେଁ ଭୂଇଁ ଉପରେ ଦୌଡ଼ିବାରେ ମଧ୍ୟ ତାର ଆନନ୍ଦ ଆସୁଥିଲା । ବେଳେବେଳେ ସେ ଭୂଇଁଠାରୁ ଅଳ୍ପ ଦୂର ଉପରକୁ ଯାଇ ପୁଣି ଫେରି ଆସୁଥିଲା । ବେଲାରଫୋନ୍‌ ଓ ପିଲା ଦୁହେଁଯାକ ପକ୍ଷିରାଜ ଘୋଡ଼ାର ଖେଳ କୌତୁକ ଦେଖୁଥାନ୍ତି । ବେଲାରଫୋନ୍‌ ମନେକରୁଥାନ୍ତି, ଏପରି ସୁନ୍ଦର ଘୋଡ଼ା ଉପରେ ଲଗାମ ଲଗାଇ ତାର ସ୍ୱାଧୀନତାରେ ବାଧାଦେବା ଏକ ପାପ କାର୍ଯ୍ୟ ହେବ ।

 

କିଛି ସମୟ ପରେ ପେଗାସସ୍ ଡେଣା ଦୁଇଟିକୁ ଯାକିଦେଇ ଘାସ ଉପରେ କେତେଥର ଗଡ଼ିଲା । ବେଳେବେଳେ ସେ ଗୋଡ଼ ଚାରିଟା ଉପରକୁ ଟେକି ଦେଉଥାଏ । ବେଲାରଫୋନ୍‌ ଚୁପ୍‌ ହୋଇ ଘୋଡ଼ାର ଏହି କୌତୁକ ଦେଖୁଥାନ୍ତି ।

 

ଘୋଡ଼ା ଆଗ ଗୋଡ଼ ଦୁଇଟା ତଳକୁ ଆଣି ପୁଣି ଠିଆ ହେବାର ଉଦ୍ୟମ କଲା । ବେଲାରଫୋନ୍‌ ଦେଖିଲେ ପେଗାସସ୍‌ ଫେରିଯିବାକୁ ବସିଲାଣି, ଆଉ ଡେରିକଲେ ଚଳିବ ନାହିଁ । ସେ ହଠାତ୍‌ ଗଛମୂଳୁ ଦଉଡ଼ି ଆସି ପକ୍ଷିରାଜର ପିଠି ଉପରେ ବସିଗଲେ । ପେଗାସସ୍‌ କେବେ କାହାରିକୁ ପିଠିରେ ବସାଇ ନ ଥିଲା; ତେଣୁ ସେ ଡେଇଁପଡ଼ିଲା । ସେହି ଡିଆଁକରେ ସେ ପାଞ୍ଚଶହ ଫୁଟ ଉଚ୍ଚକୁ ଉଠିଗଲା । ଘୋଡ଼ା ଭୂଇଁରେ ଖସି ପଡ଼ିବା ସଙ୍ଗେ ସେ ମଧ୍ୟ ଖସିପଡ଼ିଲେ; ମାତ୍ର ସେ ଘୋଡ଼ା ପିଠିରୁ ଆଦୌ ଓହ୍ଲାଇଲେ ନାହିଁ । ତାଙ୍କୁ ଫିଙ୍ଗିଦେବା ପାଇଁ ଘୋଡ଼ା ଯେତେ ଚେଷ୍ଟା କଲେ ସୁଦ୍ଧା ପାରିଲା ନାହିଁ ।

 

ପେଗାସସ୍ ବେଲାରଫୋନ୍‌ଙ୍କୁ କାମୁଡ଼ିବାକୁ ବସିଲା; ପଛ ଗୋଡ଼ରେ ନାତ ମାରିଲା; କିନ୍ତୁ କାହିଁରେ କିଛି ହେଲାନାହିଁ । ତାଙ୍କଭଳି ଘୋଡ଼ାସବାରକୁ ଫିଙ୍ଗିଦେବା କଅଣ ସହଜ ? ବେଳ ଉଣ୍ତି ବେଲାରଫୋନ୍‌ ତା ଦେହରେ ଲଗାମ ଲଗାଇଦେଲେ । ଏବେ ପକ୍ଷିରାଜ ଯାଏ କୁଆଡ଼େ ? ସେ ବହୁଦିନର ପୋଷା ଘୋଡ଼ାପରି ଚୁପ୍‌ ହୋଇ ରହିଲା । ଏପରି ଦୁର୍ଦ୍ଦାନ୍ତ ଜନ୍ତୁର ସ୍ୱଭାବ ମୁହୂର୍ତ୍ତକେ ବଦଳିଗଲା । ସେ ଧୀର ହୋଇ ବେଲାରଫୋନ୍‌ଙ୍କୁ ଅନାଇଲା । ତା ଆଖିରୁ ଲୁହ ଗଡ଼ି ଯାଉଥାଏ । ତାର ଏହି ବାଧ୍ୟତା ଦେଖି ବେଲାରଫୋନ୍‌ଙ୍କ ମନରେ ଟିକିଏ କଷ୍ଟ ହେଲା । ସେ ଘୋଡ଼ାଟିକୁ ଆଉଁସି ଆଦର କଲେ । ମନେହେଲା, ପକ୍ଷିରାଜର ମନରେ ଆନନ୍ଦ । ତାର କେହି ପ୍ରଭୁ ନ ଥିଲେ, ସେ କାହାରି କାମରେ ଆସୁନଥିଲା କି ତାକୁ କେହି ସାହାଯ୍ୟ କରିବାକୁ ନ ଥିଲେ । ଏବେ ସେ ଜଣେ ପ୍ରଭୁ ପାଇଛି; ପୁଣି ସେ ପ୍ରଭୁ ନିର୍ଦ୍ଦୟ ନୁହନ୍ତି । ସେ ତାକୁ ଆପଣାର ସାଥିଭଳି ବ୍ୟବହାର ଦେଖାଇବେ ।

 

ଏଥି ମଧ୍ୟରେ ସେମାନେ ଅନେକ ଦୂର ଚାଲିଯାଇଥିଲେ । ହେଲିକନ ପର୍ବତ ଉପରେ ହେଲାକ୍ଷଣି ପେଗାସସ୍‌ ତା ଉପରେ ଓହ୍ଲାଇଲା । ଏଇ ପର୍ବତ ହେଉଛି ତାର ରହିବା ଜାଗା । ବେଲାରଫୋନ୍‌ ଘୋଡ଼ା ପିଠିରୁ ତଳକୁ ଓହ୍ଲାଇ ପଡ଼ିଲେ । ପେଗାସସ୍‌ ଆଜିଯାକେ ତା ମନଇଚ୍ଛା ବୁଲୁଥିଲା, କେହି ତାକୁ କିଛି କହିବାକୁ ନ ଥିଲା । ଏବେ ତା ଇଚ୍ଛା ବିରୁଦ୍ଧରେ କିଛି କରାଇବା ଅନ୍ୟାୟ ବୋଲି ବେଲାରଫୋନ୍‌ ସ୍ଥିର କଲେ । ସେ ଘୋଡ଼ାର ଲଗାମ କାଢ଼ି ନେଇ କହିଲେ, ‘‘ପେଗାସସ୍‌, ମୁଁ ତୋତେ ଲଗାମ୍‌ ଦେଇ ଅନ୍ୟାୟ କରିଛି । ସ୍ୱାଧୀନ ରହିବାକୁ କିଏ ନ ଚାହେଁ ? ନିଜ କାମ ପାଇଁ ମୁଁ ତୋର ସ୍ୱାଧୀନତା ହରଣ କରିବି କାହିଁକି ? ତୁ ମୋତେ ଛାଡ଼ି ଯୁଆଡ଼େ ଇଚ୍ଛା ଯାଆ । ମାତ୍ର ଯେବେ ମୋ ପ୍ରତି ତୋର ସ୍ନେହ ଥାଏ, ଆଦର ଥାଏ, ତୁ ମୋ ପାଖେ ପାଖେ ରହ । ମୁଁ ତୋର ପ୍ରଭୁ ହେବାକୁ ଚାହେଁ ନାହିଁ । ତୁ ଇଚ୍ଛାକଲେ ଆମେ ପରସ୍ପର ବନ୍ଧୁ ହୋଇ ରହିବା ।’’

 

ପେଗାସସ୍‌ ତା ମୁହଁକୁ ନେଇ ବେଲାରଫୋନ୍‌ଙ୍କ ମୁହଁ ପାଖରେ ଘଷିଦେଲା । ବେଲାରଫୋନ୍‌ ମଧ୍ୟ ତା ଗଳାର କେଶରଗୁଡ଼ିକୁ ଆଦରରେ ଆଉଁସିଦେଲେ । ଜଣାଗଲା, ସେ କହିବାକୁ ଚାହେଁ–ମୁଁ ତୁମ ପାଖେ ପାଖେ ରହିବି । ଆମେ ବନ୍ଧୁଭଳି ରହିବା । ବିପଦ ବେଳେ ପରସ୍ପରକୁ ସାହାଯ୍ୟ କରିବା । ତୁମେ ଯାହା କହିବ, ମୁଁ ପ୍ରାଣପଣେ ତା କରିବି ।

 

ଟିକକ ପରେ ପେଗାସସ୍‌ ତାର ଡେଣା ମେଲାଇ ଉପରକୁ ଉଠିଲା । ସୂର୍ଯ୍ୟ ଅସ୍ତ ହୋଇଯାଉଥିଲେ । ସୂର୍ଯ୍ୟଙ୍କର ସୁନେଲି କିରଣରେ ତାର ଡେଣା ବିଚିତ୍ର ଦିଶୁଥାଏ । ସେ ଏତେ ଉପରକୁ ଉଡ଼ିଗଲା ଯେ କିଛି ସମୟ ପରେ ମୋଟେ ଦେଖାଗଲା ନାହିଁ । ବେଲାରଫୋନ୍ ଭାବିଲେ, ‘ପେଗାସସ୍‌ ତାଙ୍କୁ ଭଲପାଏ ନାହିଁ । ସେଥିପାଇଁ ସେ ତାଙ୍କୁ ଛାଡ଼ି ଚାଲିଗଲା । ଆଉ ଫେରି ଆସିବ ନାହିଁ ।’ ଏହା ଭାବିଲାକ୍ଷଣି ତାଙ୍କ ମନରେ କଷ୍ଟ ହେଲା । ପେଗାସସ୍‌ ସାହାଯ୍ୟ ନ କଲେ ସେ ରାକ୍ଷସକୁ ମାରିବେ କିପରି ?

 

କିଛି ସମୟ ଗଲା । ସେତେବେଳକୁ ସୂର୍ଯ୍ୟ ବୁଡ଼ିଗଲେଣି । ଟିକିଏ ଟିକିଏ ଜହ୍ନଆଲୁଅ ପଡ଼ିଛି । ଏହି ସମୟରେ ପେଗାସସ୍‌ର ଡେଣାର ଶବ୍ଦ ମୁଣ୍ତ ଉପରେ ଶୁଣାଗଲା । ବେଲାରଫୋନ୍‌ ଦେଖିଲେ, ପକ୍ଷିରାଜ ଫେରିଆସୁଛି । ତାଙ୍କ ମନରେ ଭାରି ଆନନ୍ଦ । ତେବେ ପେଗାସସ୍‌ ତାଙ୍କୁ ଛାଡ଼ି ଯିବାକୁ ଇଚ୍ଛା କରେ ନାହିଁ । ସେ ତଳକୁ ଆସିଲା ମାତ୍ରେ ବେଲାରଫୋନ୍‌ ତା ଦେହ ଆଉଁସିଦେଲେ, ତା ବେକକୁ କୁଣ୍ଢାଇ କେତେବେଳ ଯାଏ ଆଦର କଲେ । ପେଗାସସ୍‌ ଧୀର ସ୍ୱରରେ ବୋବାଇ ଜଣାଇଦେଲା, ‘‘ମୁଁ ତୁମ ପାଖେ ପାଖେ ରହି ତୁମର ସେବା କରିବି ।’’

 

ରାତିରେ ଦୁହେଁଯାକ ସେହି ପାହାଡ଼ ଉପରେ ରହିଲେ । ବେଲାରଫୋନ୍‌ ପକ୍ଷିରାଜର ଗଳାରେ ଦୁଇ ହାତକୁ ବେଢ଼ାଇ ତା ପାଖରେ ଶୋଇପଡ଼ିଲେ ।

ସକାଳ ହେଲା । ଦୁହେଁ ଉଠିଲେ । ପେଗାସସ୍‌ ଛିଡ଼ା ହୋଇ ବେଲାରଫୋନ୍‌ଙ୍କ ଦେହରେ ଘଷିହେଲା । ସେ ବୁଝିପାରିଲେ, ପକ୍ଷିରାଜ ତାଙ୍କୁ ବୁଲିଯିବାକୁ ଡାକୁଛି । ସେ ଘୋଡ଼ା ପିଠିରେ ବସି ଆକାଶକୁ ଉଠିଲେ । କେତେ ଆଡ଼ ବୁଲି କେତେ ଗାଆଁ, ସହର, ବଣ, ନଈ, ପର୍ବତ ଦେଖିଲେ । ପାଞ୍ଚ ସାତ ହଜାର ମାଇଲ ଉଡ଼ିଲା ପରେ ପେଗାସସ୍‌ ପୁଣି ହେଲିକନ ପର୍ବତ ଉପରେ ଓହ୍ଲାଇଲା ।

ଏହିପରି ପ୍ରତିଦିନ ପେଗାସସ୍‌ ବେଲାରଫୋନ୍‌ଙ୍କୁ ପିଠିରେ ବସାଇ ନାନା ଆଡ଼ ବୁଲାଇଆଣେ । ଏତେ ବାଟ ଉଡ଼ିଲେ ମଧ୍ୟ ସେ କେବେ କ୍ଳାନ୍ତ ହୁଏ ନାହିଁ । ଏବେ ଦୁହେଁ ଦୁହିଁଙ୍କ ମନକଥା ବୁଝିପାରିଲେ । ବେଳେବେଳେ ପେଗାସସ୍‌ ଏତେ ଉଚ୍ଚକୁ ଉଡ଼ିଯାଏ ଯେ ପୃଥିବୀର ଗଛ ଲତା ବାରିହୁଏ ନାହିଁ । ପୃଥିବୀଟା ଗୋଟାଏ ରୁପା ଥାଳିପରି ଦିଶେ । ବେଲାରଫୋନ୍‌ ମନେକରନ୍ତି, ଏ କଅଣ ଆଉ ଗୋଟାଏ ଚନ୍ଦ୍ର ! ଆଉ କେତେବେଳେ ମେଘୁଆ ପାଗ ହେଲେ ଆକାଶରେ ମେଘଖଣ୍ତ ଭାସୁଥିବାର ଦେଖାଯାଏ । ବେଲାରଫୋନ୍‌ଙ୍କୁ ପିଠିରେ ବସାଇ ପେଗାସସ୍‌ ଉଚ୍ଚକୁ ଉଡ଼ିଯାଏ । ସେଠାରେ ଚକ୍‍ଚକ୍ ସୂର୍ଯ୍ୟକିରଣ ପଡ଼ିଥାଏ । ତଳକୁ ଚାହିଁଲେ ମେଘଗୁଡ଼ାକ ବରଫଖଣ୍ତଭଳି ଦେଖାଯାଉଥାନ୍ତି ।

ଏହିପରି ଆନନ୍ଦରେ କେତେଦିନ କଟିଗଲା । ବେଲାରଫୋନ୍‌ଙ୍କର ମନେପଡ଼ିଲା ସାଇମେରା କଥା । ତାକୁ ମାରିବାକୁ ସେ ପ୍ରତିଜ୍ଞା କରି ବାହାରିଥିଲେ । ଆଉ ବିଳମ୍ୱ କଲେ ଚଳିବ ନାହିଁ ।

ଏବେ ଆକାଶର ଯେତେ ଉଚ୍ଚକୁ ଗଲେ ମଧ୍ୟ ବେଲାରଫୋନ୍‌ଙ୍କୁ ଡରଲାଗେ ନାହିଁ । ଘୋଡ଼ାକୁ ନିଜ ମନକଥା ଜଣାଇବାର ଉପାୟ ବି ସେ ଶିଖିଗଲେଣି । କେଉଁଠି ହାତ କି ଗୋଡ଼ ମାରିଲେ କଅଣ କରିବାକୁ ହେବ, ତାହା ପେଗାସସ୍‌ ବୁଝି ସାରିଲାଣି । ଅସୁରକୁ ମାରିବାକୁ ଚେଷ୍ଟା କରିବାକୁ ହେବ ।

 

ଦିନେ ରାତିରେ ଦୁହେଁଯାକ ହିପୋକ୍ରିନ ବୋଲି ଗୋଟିଏ ଝରଣାକୂଳରେ ଶୋଇଲେ । ରାତିରେ ବେଶ୍‌ ନିଦ ହେଲା । ସକାଳ ହେବାରୁ ଦୁହେଁ ଉଠି ଝରଣାର ମଧୁର ଜଳରୁ ପେଟ ପୂରା କରି ପିଇଲେ । ପେଗାସସ୍‌ ଅନ୍ୟ ଦିନପରି ବେକଟି ଲମ୍ୱାଇ ଦେବାରୁ ବେଲାରଫୋନ୍‌ ତା ଦେହରେ ଲଗାମ୍‌ ଲଗାଇଦେଲେ । ଟିକିଏ ଏପାଖ ସେପାଖ ଦୌଡ଼ିବାରୁ ଜଣାଗଲା ଯେ ପକ୍ଷିରାଜର ମନ ଖୁସି ଅଛି–ସେ ଉଡ଼ିଯିବାକୁ ଚାହେଁ ।

 

ବେଲାରଫୋନ୍‌ଙ୍କର ଇଚ୍ଛା, ଆଉ ବସି ରହିଲେ ଚଳିବ ନାହିଁ । ଅସୁରଟାକୁ ଜବତ କରିବା ଦରକାର । ସେ ବେକରେ ଢାଲ ଓହଳାଇ ଦେଇ ଖଣ୍ତା ଧରି ପକ୍ଷିରାଜ ଉପରେ ବସିଲେ । ଚାହୁଁ ଚାହୁଁ ପୃଥିବୀ ଉପରୁ ପାଞ୍ଚ ମାଇଲ ଉଚ୍ଚକୁ ପକ୍ଷିରାଜ ଉଠିଗଲା । ସେଠାରୁ ପୃଥିବୀ ଉପର ସଫା ଦିଶୁଥାଏ । ବେଲାରଫୋନ୍‌ ଘୋଡ଼ାକୁ ପୂର୍ବଦିଗକୁ ଚଳାଇଲେ । କିଛି ସମୟ ପରେ ଲିସିଆ ରାଜ୍ୟର ପାହାଡ଼ ପର୍ବତ, ନଦୀ ଉପତ୍ୟକା ସବୁ ପରିଷ୍କାରରୂପେ ଦେଖାଗଲା ।

 

ଦୁହେଁଯାକ ମେଘ ଆଢ଼ୁଆଳରେ ରହି ସାଇମେରାର ସନ୍ଧାନ ନେଲେ । ଟିକିଏ ଦୂରରେ ଗୁଡ଼ାଏ ଘରର କାନ୍ଥ ଛିଡ଼ା ହୋଇଛି, ଚାଳ ନାହିଁ, ପାଖରେ ପାଉଁଶ ଜମା ହୋଇଛି । କେତେ ଗଦା ହାଡ଼ ଦିଶୁଛି । ଜନ ପ୍ରାଣୀର ଦେଖା ନାହିଁ । ବେଲାରଫୋନ୍‌ ଅନୁମାନ କରିନେଲେ, ଏସବୁ ସାଇମେରାର କାମ । ସେ ଯେଉଁ ମଣିଷ, ଗୋରୁ, ମଇଁଷି ଆଦି ଖାଇଛି, ଏଗୁଡ଼ାକ ସେଇମାନଙ୍କ ହାଡ଼ । ତାର ମୁହଁରୁ ନିଆଁ ବାହାରି ଗାଆଁଗଣ୍ତା ସବୁ ପୋଡ଼ି ଦେଇଛି । ତେବେ ସାଇମେରା ରହିବାର ଗୁହା ଏହାରି ପାଖରେ କେଉଁଠି ହୋଇଥିବ ।

 

ବେଲାରଫୋନ୍‌ ଦେଖିଲା, ଉପତ୍ୟକା ଭିତରେ ଗୋଟାଏ ଜାଗାରୁ ଧୂଆଁ ବାହାରୁଛି । ଇସାରା ପାଇ ପେଗାସସ୍‌ ତଳକୁ ଖସିଆସି ଭୂଇଁଠାରୁ ଅଳ୍ପ କେତେଗଜ ଛଡ଼ାରେ ରହିଲା । ପାହାଡ଼ ଧାରରେ ଗୋଟିଏ ଗୁହା ଭିତରୁ ଏହି ଧୂଆଁ ଆସୁଥିଲା । ଭଲକରି ଚାହିଁବାରୁ ବେଲାରଫୋନ୍‌ ଜାଣିପାରିଲେ ଯେ ଗୁହା ଭିତରୁ ତିନି ଦମକା ନିଆଁ ବାହାରୁଛି । ସାଇମେରାର ତିନି ମୁଣ୍ତରୁ ଏ ନିଆଁ ବାହାରୁଛି ବୋଲି ତାଙ୍କର ସନ୍ଦେହ ହେଲା । ସେ ଗୁହା ଭିତରକୁ ଅନାଇ ଦେଖିଲେ, ତାଙ୍କ ଅନୁମାନ ସତ୍ୟ । ସିଂହ, ଛେଳି ଓ ସାପ ଏ ତିନି ମୁଣ୍ତରୁ ନିଃଶ୍ୱାସ ନେଲାବେଳେ ଦମକାଏ ଲେଖାଏଁ ନିଆଁ ବାହାରୁଛି । ପେଗାସସ୍‌ ମଧ୍ୟ ସବୁ ଦେଖିପାରିଲା । ସେ ଯୁଦ୍ଧପାଇଁ ପ୍ରସ୍ତୁତ ରହି ରାବିବାକୁ ଲାଗିଲା ।

 

ଘୋଡ଼ାର ଶବ୍ଦ ଶୁଣି ତିନିଟିଯାକ ମୁଣ୍ତ ଆହୁରି ଜୋରରେ ନିଆଁ ବାହାର କଲେ । ଅସୁରଟା ଗୁହା ଭିତରୁ ବାହାରି ପଡ଼ିଲା । ତାର ନଖ, ତାର ମୁଣ୍ତ ଓ ତାର ମୁହଁରୁ ବାହାରୁଥିବା ନିଆଁ ଏସବୁ ଦେଖିଲେ ରକ୍ତ ପାଣି ଫାଟିଯିବ । ସେ ଘୋଡ଼ାକୁ ମାଡ଼ିବସିବ ବୋଲି ଡେଇଁପଡ଼ିଲା; କିନ୍ତୁ ପେଗାସସ୍‌ ଯେମିତି ଚାଲାଖ, ସେମିତି ସାହସୀ । ସେ ହଠାତ୍‌ ଉପରକୁ ଉଠିଗଲା । ଅସୁର କାହାକୁ ଧରିପାରିଲା ନାହିଁ ।

 

ବେଲାରଫୋନ୍‌ ଖଣ୍ତା ବାହାର କଲେ; ଚୁପ୍‌ଚୁପ୍‌ କରି ପେଗାସସ୍‌ର କାନରେ କହିଲେ, ‘‘ତୁ ମୋର ବନ୍ଧୁ । ମୁଁ ଏ ଅସୁରକୁ ମାରିବାକୁ ଆସିଛି । ତୁ ମତେ ସାହାଯ୍ୟ କର । ମୁଁ ଯଦି ଅସୁରକୁ ମାରି ନ ପାରେ, ତେବେ ମୁଁ ମରିଯିବି ପଛେ, ପଛଘୁଞ୍ଚା ଦେଇ ଫେରିବି ନାହିଁ । ତୁ ଯଦି ସାହାଯ୍ୟ ନ କରିବୁ, ତେବେ ତୁ ଏକୁଟିଆ ଫେରିଯିବୁ । ଅସୁର ହାତରେ ମୋର ପ୍ରାଣ ଯିବ ।’’

 

ପେଗାସସ୍‌ ସତେଅବା ବେଲାରଫୋନ୍‌ଙ୍କ କଥା ବୁଝିପାରିଲା । ସେ ଧୀର ଭାବରେ ନିଜର ନାକଟିକୁ ବେଲାରଫୋନ୍‌ଙ୍କ ମୁହଁପାଖେ ଘଷିଦେଇ ଜଣାଇଦେଲା–ଚିନ୍ତା ନାହିଁ, ମୁଁ ପାଖେ ପାଖେ ରହି ସାହାଯ୍ୟ କରିବି । ତୁମେ ଯାହା କରିବାକୁ କହିବ, ତା କରିବାକୁ ପ୍ରସ୍ତୁତ ଅଛି ।

 

ହଠାତ୍‌ ପେଗାସସ୍‌ ତୀର ବେଗରେ ତଳକୁ ଖସିପଡ଼ି ଅସୁରକୁ ଆକ୍ରମଣ କଲା । ବେଲାରଫୋନ୍‌ ମୁହୂର୍ତ୍ତକ ଭିତରେ ଖଣ୍ତା ଚଳାଇ ଅସୁରର ଗୋଟାଏ ମୁଣ୍ତ କାଟିପକାଇଲେ । ପେଗାସସ୍‌ ପଛକୁ ଘୁଞ୍ଚିଆସିଲାକ୍ଷଣି ବେଲାରଫୋନ୍‌ ଦେଖିଲେ ଯେ ଅସୁରର ଛେଳି ମୁଣ୍ତଟା କଟିଯାଇଛି । ଆଉ ଦୁଇଟା ମୁଣ୍ତ ଅଛି । ଆଗ ଅପେକ୍ଷା ଆହୁରି ଜୋରରେ ସେ ଦୁଇମୁଣ୍ତରୁ ହାବୁକା ହାବୁକା ନିଆଁ ବାହାରିଲା । ସିଂହର ଗର୍ଜନ ଓ ସାପର ସୁଉ ସୁଉ ଶବ୍ଦରେ ସେ ଅଞ୍ଚଳଟାଯାକ କମ୍ପିଗଲା ।

 

ବେଲାରଫୋନ୍‌ ଚୁପ୍‌କରି ପକ୍ଷିରାଜ ଘୋଡ଼ାର କାନପାଖେ କହିଲେ, ‘‘ସାବାସ୍‍ ପେଗାସସ୍‌ ! ଆଉଥରେ ଚାଲ । ଯେପରି ଆଉ ଗୋଟାଏ ଚୋଟରେ ଦୁଇଟାଯାକ ମୁଣ୍ତ ଛିଡ଼ିଯିବ-।’’

 

ବେଲାରଫୋନ୍‌ ଲଗାମକୁ ଧରି ହଲାଇ ଦେଲା ମାତ୍ରେ ପେଗାସସ୍ ଆଗଭଳି ଆଉଥରେ ତଳକୁ ଝାମ୍ପଦେଲା । ଦୁଇମୁଣ୍ତକୁ ଲାଖକରି ବେଲାରଫୋନ୍‌ ଖଣ୍ତାରେ ଚୋଟେ ବସାଇଲେ । ଏଥର ପେଗାସସ୍‌ ବିପଦ ଘଟିଲା । ଚୋଟ ବାଜିବା ସଙ୍ଗେ ସଙ୍ଗେ ପେଗାସସ୍‌ ଫେରିପଡ଼ିଲା; ମାତ୍ର ସେଇ ମୁହୂର୍ତ୍ତକ ଭିତରେ ରାକ୍ଷସ ପକ୍ଷିରାଜର ବାଆଁ ଡେଣାରେ ତା ନଖ ବସାଇଦେଲା । ଏହା ଫଳରେ ତାର ସେପାଖ ଡେଣାଟି ଜଖମ ହୋଇଗଲା । ବେଲାରଫୋନ୍‌ ଦେଖିଲେ ଏଥର ସେ ସିଂହ ମୁଣ୍ତଟି କାଟିଦେଇଛନ୍ତି, ମାତ୍ର ସାପ ମୁଣ୍ତଟି ଆଗପରି ରହିଛି । ଗୋଟିଏ ମୁଣ୍ତ ହେଲେ କଅଣ ହେବ, ସେଥିରୁ ତିନିଗୁଣ ଜୋରରେ ନିଆଁ ଝଲକ ବାହାରୁଛି । ପାଞ୍ଚଶ ଗଜ ଭିତରେ ସେ ନିଆଁ ତାତିରେ ପଶି ହେଉନାହିଁ । ସେଇ ମୁଣ୍ତର ଗର୍ଜନରେ ପୃଥିବୀ କମ୍ପି ଯାଉଛି; ସେ ଶବ୍ଦ ଘଡ଼ଘଡ଼ିକୁ ବଳି ଯାଉଛି ।

 

ଲିସିଆର ରାଜାଙ୍କ ନଅର ସେଠାରୁ ପଚାଶ ମାଇଲ ଦୂର । ରାଜା ନିଜ ପ୍ରାସାଦରେ ବସି ଗୋଟାଏ ଭୟଙ୍କର ସୁ ସୁ ଶବ୍ଦ ଶୁଣିଲେ; ମଝିରେ ମଝିରେ ଘଡ଼ଘଡ଼ିଭଳି ଶବ୍ଦ ମଧ୍ୟ ଶୁଭୁଥାଏ-। ପ୍ରଥମେ ସେ ଏହାକୁ ଘଡ଼ଘଡ଼ିର ଶବ୍ଦ ବୋଲି ମନେକରିଥିଲେ; କିନ୍ତୁ ଆକାଶରେ ଆଦୌ ମେଘ ନ ଥିଲା; ତେବେ ଘଡ଼ଘଡ଼ି ଆସିବ କାହୁଁ ? ପରେ ସେ ଜାଣିପାରିଲେ ଅସୁରର ଗର୍ଜନ ହେତୁ ଏପରି ଶବ୍ଦ ଶୁଣାଯାଉଛି । ସେ ଭୟରେ ଥରିଉଠିଲେ ।

 

ଏଣେ ପେଗାସସ୍‌ର ବାଆଁ ଡେଣାରେ ଆଘାତ ଲାଗିଥିବାରୁ ସେ ଆକାଶରେ ଟିକିଏ ରହିଗଲା । ରାଗରେ ସେ ରାବିଲା । ଯେପରି ହେଉ, ଅସୁରକୁ ମାରିବ ବୋଲି ସେ ପ୍ରତିଜ୍ଞା କଲା । ବେଲାରଫୋନ୍‌ ପକ୍ଷିରାଜ ଘୋଡ଼ାର କଷ୍ଟ ବୁଝିପାରି କହିଲେ, ‘‘ତୋର କଷ୍ଟ ଦେଖି ମୋ ମନରେ ଦୁଃଖ ହେଉଛି । ପ୍ରତିଶୋଧ ନ ନେଇ ମୁଁ ଛାଡ଼ିବି ନାହିଁ । ଆଉ ଯେଉଁ ଗୋଟାଏ ମୁଣ୍ତ ଅଛି, ସେଇଟାକୁ କାଟି ଅସୁରକୁ ମାରିଲେ ମୋ ମନରେ ଶାନ୍ତି ଆସିବ । ସାଇମେରା ନିଶ୍ଚୟ ତା କର୍ମର ଫଳ ଭୋଗିବ ।’’

 

ବେଲାରଫୋନ୍‌ ପୁଣିଥରେ ଲଗାମକୁ ଟିକିଏ ଟାଣିଦେଇ ଚିତ୍କାର କଲେ । ପେଗାସସ୍‌ ସିଧା ଲମ୍ଫଦେଇ ଅସୁର ମୁହଁ ପାଖରେ ପହଞ୍ଚିଗଲା । ଏଥର ରାକ୍ଷସର ମୁହଁରେ ନିଆଁ ଏତେ ପ୍ରବଳ ଥିଲା ଯେ ସେଥିରେ ଦୁହେଁ ପୋଡ଼ିଯିବାର ଭୟ ଥିଲା । ଭାଗ୍ୟକୁ ସେମାନଙ୍କର ପ୍ରାଣ ରହିଗଲା, ମାତ୍ର ନିଆଁର ତାତିରେ ବେଲାରଫୋନ୍‌ଙ୍କ ମୁଣ୍ତରୁ ଫାଳେ ତାତିଗଲା; ପେଗାସସ୍‌ର ଗୋଟାଏ ଡେଣାରୁ କେତେକ ଅଂଶ ମଧ୍ୟ ପୋଡ଼ିଗଲା । ସେତେବେଳକୁ ସେମାନେ ଅସୁରଠାରୁ ଶହେଗଜ ଦୂରରେ ଥାଇ ମଧ୍ୟ ଏତେ କ୍ଷତି ହେଲା; ତା ପାଖରେ ଥିଲେ କ’ଣ ହୋଇନଥାନ୍ତା ?

 

ସାଇମେରା ନିଜ ଜୀବନ ରଖିବା ପାଇଁ ଶେଷ ଉଦ୍ୟମ କଲା । ସେ ଡେଇଁପଡ଼ି ପେଗାସସ୍‌ ଦେହରେ ଲାଖିରହିଲା । ସଙ୍ଗେ ସଙ୍ଗେ ତା ଲାଞ୍ଜରେ ତାକୁ ଛନ୍ଦିବାକୁ ଚେଷ୍ଟାକଲା । ବେଲାରଫୋନ୍‌ ଢାଲ ଟେକି ଧରିବାରୁ ସାପମୁଣ୍ତର ନିଆଁ ସେମାନଙ୍କ ଦେହରେ ବାଜିପାରିଲା ନାହିଁ-। ପେଗାସସ୍‌ ଅତି ବେଗରେ ଉପରକୁ ଉଠିଲା । ତାର ପିଠି ଉପରେ ବେଲାରଫୋନ୍; ଦେହକୁ ଧରି ଓହଳିଥାଏ ସାଇମେରା । ପେଗାସସ୍‌ ଶୂନ୍ୟରେ, ତଳେ ରହିଥାଏ ପାହାଡ଼, ବନ, ପର୍ବତ ।

 

ରାକ୍ଷସର ଦୁଇମୁଣ୍ତ କଟିବା ପରେ ତାକୁ ଭାରି କଷ୍ଟ ହେଉଥିଲା । ସେ ରାଗରେ ଫଁ ଫଁ ହୋଇ କଣ କରିବ ସ୍ଥିର କରି ପାରୁନଥାଏ । ବେଲାରଫୋନ୍‌ ଦେଖିଲେ, ଅସୁରର ଛାତିରେ କିଛି ଆବରଣ ନାହିଁ । ସେ ବେଳ ଉଣ୍ତି ଖଣ୍ତାଟିକୁ ସେହି ଛାତିରେ ଭୂଷିଦେଲେ । ଅଳ୍ପ ସମୟ ଭିତରେ ଅସୁରର ପ୍ରାଣ ଛାଡ଼ିଗଲା । ସେ ଆକାଶରୁ ଭୂଇଁ ଉପରେ ଖସିପଡ଼ିଲା । ସେତେବେଳେ ଗୋଟାଏ ପ୍ରଚଣ୍ତ ଶବ୍ଦ ବହୁ ଦୂରକୁ ଶୁଣାଗଲା । ଭୂଇଁରେ ପଡ଼ିଲା ପରେ ତା ପେଟର ନିଆଁରେ ସେ ନିଜେ ପୋଡ଼ିହୋଇ ପାଉଁଶ ହୋଇଗଲା ।

 

ଅସୁର ଶୂନ୍ୟରୁ ଖସିଲାବେଳେ ତାକୁ ଦୂରରୁ ଦେଖି ଲୋକେ ମନେକରିଥିଲେ ଯେ ଆକାଶରୁ ଗୋଟାଏ ନକ୍ଷତ୍ର ଖସିପଡ଼ିଲା । ଆଉ କେହି କେହି ମନେକରିଥିଲେ ଯେ ବିଜୁଳି ମାରିଲା; କିନ୍ତୁ ପରଦିନ ସକାଳେ ସେମାନଙ୍କର ଭ୍ରମ ଭାଙ୍ଗିଗଲା । ସେମାନେ ସେଠାକୁ ଆସି ଦେଖିଲେ, ଗୋଟାଏ ଅଞ୍ଚଳ କଳା ପାଉଁଶରେ ପୂରିଯାଇଛି, ଆଉ ତା ଭିତରେ ଜମା ହୋଇଛି ଗଦାଏ ହାଡ଼ ।

 

ସାଇମେରାକୁ ମାରି ବେଲାରଫୋନ୍‌ ପକ୍ଷିରାଜ ଘୋଡ଼ାର ବେକକୁ ଆଉଁଶି ଦେଲେ । ତାକୁ ଚୁମ୍ୱନ ଦେଇ ନିଜର କୃତଜ୍ଞତା ଜଣାଇଲେ । ପେଗାସସ୍‌ ମଧ୍ୟ ଧୀର ରାବ କରି ନିଜର ଆନନ୍ଦ ପ୍ରକାଶ କଲା । ଏବେ ନିଜ ଦେଶକୁ ଫେରିବାର କଥା । ବେଲାରଫୋନ୍‌ ଘୋଡ଼ା କାନ ପାଖରେ କହିଲେ, ‘‘ଚାଲ, ଆଗେ ପିରିନ ଝରଣା ପାଖକୁ ଯିବା ।’’

 

ପେଗାସସ୍‌ ବେଲାରଫୋନ୍‌ଙ୍କୁ ପିଠିରେ ବସାଇ ପିରିନ ନଦୀକୂଳରେ ପହଞ୍ଚିଲା । ପିରିନର ମଧୁର ଜଳ ପିଇ ସେ ଦୁହେଁ ତୃପ୍ତି ଲାଭ କଲେ । ବେଲାରଫୋନ୍‌ ଦେଖିବାକୁ ପାଇଲେ, ସେଦିନର ସେହି ବୃଦ୍ଧ ଲୋକଟି ସେଠାରେ ଉପସ୍ଥିତ । ସେ ମଧ୍ୟ ପେଗାସସ୍‌କୁ ଦେଖିପାରି କହିଲା, ‘‘ଏବେ ମୋର ଠିକ୍‌ ମନେପଡ଼ିଲା । ପିଲାଦିନେ ଏଇ ପକ୍ଷିରାଜ ଘୋଡ଼ାକୁ ଥରେ ଦେଖିଥିଲି; କିନ୍ତୁ ସେତେବେଳେ ଯେଡ଼େ ସୁନ୍ଦର ଦିଶୁଥିଲା, ଏବେ ସେତେ ସୁନ୍ଦର ଦିଶୁନାହିଁ ।’’

 

ଏହି ସମୟରେ ଗୋଟିଏ ପିଲା ଦଉଡ଼ି ଆସି ବେଲାରଫୋନ୍‌ଙ୍କୁ କହିଲା, ‘‘ତୁମେ ସାଇମେରାକୁ ମାରି ଆସିଲ ! ମୁଁ ଜାଣେ ପରା ତୁମେ ତାକୁ ନମାରି ଫେରିବ ନାହିଁ ।’’

 

ବେଲାରଫୋନ୍‌ ପିଲାଟିକୁ ଆଦରରେ କୋଳକୁ ନେଇ କହିଲେ, ‘‘ହଁ ବାପ, ତୋରି ଯୋଗୁ ମୁଁ ସାଇମେରାକୁ ମାରିପାରିଛି । ତୋରି କଥାରେ ମୁଁ ବିଶ୍ୱାସ କରି ଏତେଦିନ ଚାହିଁ ବସିବାରୁ ସିନା ପକ୍ଷିରାଜ ଘୋଡ଼ାକୁ ପାଇଲି–ପୃଥିବୀ ଉପରେ ଉଡ଼ି କେତେ ରାଜ୍ୟ ଦେଖିଲି–ଶେଷରେ ସାଇମେରାକୁ ମାରିଲି । ତା ନୋହିଥିଲେ ମୁଁ କିଏ, ସାଇମେରା କିଏ ? ତୋର ଏ ସାହାଯ୍ୟ ଜୀବନରେ ଭୁଲିପାରିବି ନାହିଁ ।’’

 

ପେଗାସସ୍‌ ପାଣିପିଇ ଝରଣାକୂଳରେ ବୁଲୁଥିଲା । ବେଲାରଫୋନ୍‌ ତା ପାଖକୁ ଯାଇ ତାର ଲଗାମ ଫିଟାଇ ଦେଇ କହିଲେ, ‘‘ପେଗାସସ୍‌, ଏଣିକି ତୁ ତୋର ହେଲିକନ ପର୍ବତକୁ ଫେରିଯାଇ ଆନନ୍ଦରେ ରହ । ମୁଁ ତୋତେ ରଖି ମୋ କାମରେ ଲଗାଇଥିଲି ବୋଲି ମନରେ ଦୁଃଖ କରିବୁ ନାହିଁ । ଏଣିକି ତୁ ସ୍ୱାଧୀନ । ଜୀବନ ଥିବାଯାଏ ମୁଁ ତୋ କଥା ଭୁଲିପାରିବି ନାହିଁ ।’’

 

କିନ୍ତୁ ପେଗାସସ୍‌ ପଳାଇଗଲା ନାହିଁ । ସେ ତାର ମୁହଁଟି ବେଲାରଫୋନ୍‌ଙ୍କ କାନ୍ଧ ଉପରେ ରଖିଦେଲା ଓ ତାଙ୍କୁ ଛାଡ଼ି ଯିବାକୁ ଚାହେଁ ନାହିଁ ବୋଲି ଜଣାଇଦେଲା ।

 

ବେଲାରଫୋନ୍‌ ପେଗାସସ୍‌ର ମନକଥା ବୁଝିପାରି କହିଲେ, ‘‘ହେଉ, ଯେତେଦିନ ଇଚ୍ଛା ସେତେଦିନ ତୁ ମୋ ପାଖରେ ଥିବୁ । ଚାଲ, ଆଗେ ଲିସିଆକୁ । ରାଜାଙ୍କୁ ଜଣାଇଦେବା ସାଇମେରା ମରିଛି ।’’ ପିଲାଟିଠାରୁ ବିଦାୟ ନେଲାବେଳେ ବେଲାରଫୋନ୍‌ଙ୍କ ମନରେ ଭାରି କଷ୍ଟ ହେଲା । ସେ ତାକୁ କହିଲେ, ‘‘ମୁଁ ଲିସିଆକୁ ଯାଉଛି, କିନ୍ତୁ ମୁଁ ପୁଣି ଏଇଠାରେ ତୋତେ ଦେଖିବାକୁ ଫେରି ଆସିବି ।’’

 

ଏଇ ପିଲାଟି ଦିନେ ଗ୍ରୀସ୍‍ର ଜଣେ ବଡ଼ କବିରୂପେ ପ୍ରସିଦ୍ଧ ହେଲା । ସେ କଳ୍ପନାରାଜ୍ୟରେ ଯେତେ ବୁଲିଲା, ଯେତେ ଅଦ୍ଭୁତ କାର୍ଯ୍ୟ କଲା, ତାହା ତୁଳନାରେ ବେଲାରଫୋନ୍‌ଙ୍କ କୃତିତ୍ୱ ବଡ଼ ନୁହେଁ ।

Image

 

ସାୟାର୍ସଙ୍କ ନଅର

 

ଇଥାକା ହେଉଛି ଗ୍ରୀସ୍‍ର ଏକ ରାଜ୍ୟ । ସେହି ରାଜ୍ୟର ରାଜା ଅଲିସେସ ଥରେ ଟ୍ରୟକୁ ଯୁଦ୍ଧ କରିବାକୁ ଯାଇଥିଲେ । ଅନେକ ଦିନ ଯାଏ ଯୁଦ୍ଧ ଚାଲିଲା । ଯୁଦ୍ଧ ଶେଷରେ ସେ ଆପଣା ସୈନ୍ୟମାନଙ୍କୁ ଘେନି ନିଜ ରାଜ୍ୟକୁ ଫେରିଲେ । କିନ୍ତୁ ବାଟରେ ତାଙ୍କୁ ନାନା ବିପଦ ପଡ଼ିଥିଲା । ସମୁଦ୍ରରେ ଆସିବାବେଳେ ଝଡ଼ ଯୋଗେ ତାଙ୍କର ଅନେକ ଜାହାଜ ନଷ୍ଟ ହୋଇଯାଇଥିଲା ଓ ତାଙ୍କର ଅନେକ ସୈନ୍ୟ ବାଟରେ ପ୍ରାଣ ହରାଇଥିଲେ । ଏହି ସବୁ ବିପଦବେଳେ ଅଲିସେସ ଅପୂର୍ବ ଧୈର୍ଯ୍ୟ ଓ ସାହସ ଦେଖାଇଥିଲେ ।

 

ଏହିପରି କେତେ ବିପଦ କଟାଇବା ପରେ ଥରେ ତାଙ୍କ ଜାହାଜ ଗୋଟିଏ ଅଜଣା ଦ୍ୱୀପର କୂଳରେ ଲାଗିଲା । ସେତେବେଳକୁ ଜାହାଜରୁ ପିଇବା ପାଣି ଓ ଖାଇବା ଜିନିଷ ସରିଆସିଥିଲା । ଦ୍ୱୀପରୁ ମଧୁର ପାଣି ଓ ଖାଦ୍ୟ ସଂଗ୍ରହ କରି ଆଣିବା ସକାଶେ ଅଲିସେସ କେତେଜଣ ଲୋକଙ୍କୁ ପଠାଇଲେ । ଦ୍ୱୀପରେ କେତେକ ବଣଜଙ୍ଗଲ ଦେଖାଯାଉଥିଲା । ସେଠାରେ ନଦୀ ଥିବା ଅନୁମାନ କରି ଲୋକମାନେ ସେଆଡ଼କୁ ଗଲେ, କିନ୍ତୁ ସେଦିନ ସେମାନେ ଫେରିଆସିଲେ ନାହିଁ ।

 

ଏଣେ ଜାହାଜରେ ଅଲିସେସ ଓ ତାଙ୍କର ଅବଶିଷ୍ଟ ଲୋକେ ଅପେକ୍ଷା କରି ରହିଥାନ୍ତି । ଏହିପରି ଚାହିଁ ଚାହିଁ ଅନେକ ଦିନ ଗଲା । ମାତ୍ର ଯେଉଁମାନେ ଦ୍ୱୀପରେ ଓହ୍ଲାଇ ପାଣି ଓ ଖାଦ୍ୟ ଆଣିବାକୁ ଯାଇଥିଲେ, ସେମାନଙ୍କର ଦେଖା ନାହିଁ । ଶେଷରେ ଅଲିସେସ ସ୍ଥିର କଲେ ଯେ ସେ ନିଜେ ଦ୍ୱୀପକୁ ଯାଇ ସେମାନଙ୍କର ସନ୍ଧାନ ନେବେ । ଜାହାଜରେ ରହିଥିବା ଅନ୍ୟ ଲୋକମାନେ କହିଲେ, ‘‘ଆପଣ ହେଉଛନ୍ତି ଆମମାନଙ୍କର ରାଜା । ଯଦି ଦୈବାତ୍‌ କିଛି ବିପଦ ଘଟେ, ଆପଣ ଫେରି ଆସି ନ ପାରନ୍ତି, ତେବେ ହେବ କଅଣ ? ଆପଣଙ୍କୁ ନ ନେଇ ଆମେ ଇଥାକାକୁ ଫେରିଯିବା ଅସମ୍ଭବ । ପୁଣି ଆପଣଙ୍କ ସାହସ ଓ ବୁଦ୍ଧି କୌଶଳରେ ଆମେ ଏତେ ବିପଦ ଏଡ଼ି ଆସିଛୁ । ଆପଣ ଆମମାନଙ୍କୁ ଛାଡ଼ି ଗଲେ ଆମେ କିପରି ରହିବୁ ? କିଏ ଆମର ନେତା ହୋଇ ବୁଦ୍ଧି ବତେଇବ ? ଆପଣ ନିଜେ ଯାଆନ୍ତୁ ନାହିଁ । ଅନ୍ୟ କେହି ଯାଉ ।’’ ଏହିପରି କହି ସେମାନେ ରାଜାଙ୍କୁ ନିବର୍ତ୍ତାଇବାକୁ ବସିଲେ ।

 

କିନ୍ତୁ ରାଜା ଜିଦ୍‌ଧରି ବସିଲେ, ସେ ନିଜେ ଯାଇ ଲୋକଙ୍କର ସନ୍ଧାନ ନେବେ । ସେ କହିଲେ, ‘‘ତୁମେ କହୁଛ, ମୁଁ ତୁମର ରାଜା, ତୁମର ନେତା, ତୁମର ବୁଦ୍ଧିଦାତା । ତେଣୁ ମୋର କର୍ତ୍ତବ୍ୟ ହେଉଛି, ନିଜେ ଯାଇ ସେମାନଙ୍କୁ ଖୋଜିବା । ସେମାନେ ଆମର ସାଙ୍ଗସାଥି । ଆମ ସାଥିରେ ସେମାନେ ଏତେଦିନ ଯୁଦ୍ଧ କରିଛନ୍ତି; ସୁଖ ଦୁଃଖରେ ଭାଗୀ ହୋଇଛନ୍ତି । ସେମାନଙ୍କୁ ଛାଡ଼ି ଯିବା ମୋ ପକ୍ଷରେ ଅସମ୍ଭବ । ସେମାନଙ୍କୁ ଉଦ୍ଧାର ନ କଲେ ମୁଁ ରାଜା ହେବାର ଯୋଗ୍ୟ ନୁହେଁ । ତେଣୁ ମୁଁ ଦ୍ୱୀପକୁ ଯାଇ ସେମାନଙ୍କୁ ସାଥିରେ ଆଣି ଆସିବି; ନ ହେଲେ ପ୍ରାଣ ହରାଇବି । ଯାହା ମୁଁ ନିଜେ କରିବାକୁ କୁଣ୍ଠିତ, ସେ କାମର ଭାର ଅନ୍ୟ କାହାକୁ ଦେଇପାରିବି ନାହିଁ । ମୁଁ ନିଶ୍ଚୟ ଯିବି ।’’

 

ଏହା କହି ରାଜା ଖଣ୍ଡା ଓ ବର୍ଚ୍ଛା ଧରି ଦ୍ୱୀପରେ ଓହ୍ଲାଇ ସେହି ବଣଆଡ଼କୁ ଚାଲିଲେ । କିଛି ଦୂର ଚାଲି ଯିବା ପରେ ଜଣେ ଯୁବକଙ୍କ ସହିତ ତାଙ୍କର ଦେଖାହେଲା । ସେ ଦେହରେ ଗୋଟିଏ ହାଲୁକା ଜାମା ଓ ମୁଣ୍ଡରେ ଗୋଟିଏ ଟୋପି ପିନ୍ଧିଥିଲେ । ଟୋପିର ଦୁଇପାଖେ ଗୋଟିଏ ଲେଖାଏଁ ଡେଣା ଲାଗିଥାଏ । ତାଙ୍କ ହାତରେ ଗୋଟିଏ ବାଡ଼ି ଥିଲା । ବାଡ଼ିଟି ଏପରି ତିଆରି ଯେ ଠିକ୍‌ ଦୁଇଟି ସାପ ଗୁଡ଼େଇ ହୋଇଥିଲା ପରି ଦିଶୁଥିଲା । ସେ ଏପରି ବେଗରେ ଚାଲୁଥିଲେ ଯେ ତାଙ୍କ ପାଦ ଭୂଇଁରେ ଲାଗିଲା ପରି ଜଣାପଡ଼ୁନଥିଲା । ଯେ କେହି ବିଚାରିବ, ତାଙ୍କ ପାଦରେ ଡେଣା ଲାଗିଛି କି ? ଅଲିସେସ ଏହାଙ୍କୁ ଭଲରୂପେ ଚିହ୍ନିଥିଲେ; ଏହାଙ୍କଠାରୁ ସେ ଅନେକ ଜ୍ଞାନ ଅର୍ଜିଥିଲେ । ଏ ହେଉଛନ୍ତି ମର୍କ୍ୟୁରି ।

 

ଅଲିସେସଙ୍କୁ ଏ ଦ୍ୱୀପରେ ଯାଉଥିବାର ଦେଖି ମର୍କ୍ୟୁରି ପଚାରିଲା, ‘‘ତୁମେ ତରତର ହୋଇ କୁଆଡ଼େ ଚାଲିଛ ? ଏ ଦ୍ୱୀପକୁ ଆସିବା କେଡ଼େ ବିପଦର କଥା କଣ ଜାଣିନାହଁ ? ଏଠାରେ ସାୟାର୍ସ ବୋଲି ଜଣେ ସ୍ତ୍ରୀ ଅଛି । ସେ ଗୁଣି ବିଦ୍ୟା ଜାଣେ । ଯିଏ ଏ ଦ୍ୱୀପକୁ ଆସେ, ତାକୁ ସେ ଗୁଣି ବିଦ୍ୟା ବଳରେ ଗୋଟାଏ ପଶୁ, ନୋହିଲେ ଗୋଟାଏ ପକ୍ଷୀ କରିଦିଏ । ସେ ଯାହାଠାରେ ଯେଉଁ ଜନ୍ତୁର ଗୁଣ ଦେଖେ, ତାକୁ ସେଇ ଜନ୍ତୁ କରିଦିଏ । ସେଥିପାଇଁ ତୁମେ ଏ ଦ୍ୱୀପରେ ଗୋଟାଏ ହେଲେ ମଣିଷ ଦେଖିବାକୁ ପାଇବ ନାହିଁ । ଦେଖିବ ଖାଲି ବାଘ, ସିଂହ, ଘୁଷୁରି, ପାରା, କାଉ, ପେଚା ଆଦି । ସେମାନେ ସବୁ ମଣିଷ ଥିଲେ । ମନ୍ତ୍ର କରି ସେ ସେମାନଙ୍କୁ ଏପରି ଜୀବଜନ୍ତୁ କରିଦେଇଛି । ଏଇ ବଣ ମଝିରେ ତାର ନଅର ଦିଶୁଛି । ଏହା ସୁନ୍ଦର ମାର୍ବଲ ପଥରରେ ତିଆରି । ସେଇ ନଅର ଭିତରେ ସେ ରହେ । ତାକୁ ସାବଧାନ ରହିଥିବ ।’’

 

ଅଲିସେସ କହିଲେ, ‘‘ମୁଁ ଏ ଦ୍ୱୀପକୁ ଆସିଲାବେଳୁ ଗୋଟାଏ ହଳଦିବସନ୍ତ ପକ୍ଷୀ ମୋ ପଛେ ପଛେ ଉଡ଼ି ଆସୁଛି । ତାର ରାବଟି ଅତି କରୁଣ । ତା ରାବ ଶୁଣି ମୁଁ ମନେକଲି, ସତେଅବା କିଛି କହିବ ବୋଲି ସେ ମୋତେ ଡାକୁଛି । ସେ କଅଣ ପ୍ରକୃତରେ ହଳଦିବସନ୍ତ ଚଢ଼େଇଟିଏ, କି ସାୟାର୍ସ କୌଣସି ଲୋକଙ୍କୁ ଚଢ଼େଇ କରିଦେଇଛି ?’’

 

ମର୍କ୍ୟୁରି ଉତ୍ତର କଲେ, ‘‘ସେ ପ୍ରକୃତରେ ହେଉଛନ୍ତି ରାଜା ପିକସ । ସେ ରାଜା ନିଜର ଚକଚକିଆ ପୋଷାକ, ସୁନାର ମୁକୁଟ ଓ ବେକର ହାର ଘେନି ଗର୍ବ କରୁଥିଲେ । ସେଥିପାଇଁ ସାୟାର୍ସ ତାଙ୍କୁ ଗୋଟିଏ ହଳଦିବସନ୍ତ ପକ୍ଷୀ କରିଦେଇଛି । ତାର ସ୍ୱର ଯେ କାହିଁକି ଏତେ କରୁଣ ବୁଝିପାରୁଥିବ । ତୁମେ ନଅର ପାଖକୁ ଗଲେ ଅନେକ ସିଂହ, ବାଘ, ଗଧିଆ ପ୍ରଭୃତି ଦେଖିବାକୁ ପାଇବ । ସେମାନେ ତୁମ ପାଖକୁ ଦୌଡ଼ି ଆସିବେ । ଏମାନେ ସବୁ ଆଗେ ତୁମରିପରି ମଣିଷ ଥିଲେ; କିନ୍ତୁ ସେମାନଙ୍କର ସ୍ୱଭାବ ଥିଲା ହିଂସ୍ର ଓ ନିର୍ଦ୍ଦୟ । ତେଣୁ ସେମାନଙ୍କୁ ସାୟାର୍ସ ଏପରି ହିଂସ୍ର ଜନ୍ତୁରେ ପରିଣତ କରିଛି । ସେମାନଙ୍କ ଭିତରୁ ଯାହାର ସ୍ୱଭାବ ଯେଉଁ ଜନ୍ତୁପରି, ସେ ତାକୁ ସେହିପରି ଜନ୍ତୁ କରିଦେଇଛି ।’’

 

ଅଲିସେସ ଏହି କଥା ଶୁଣି ବଡ଼ ଚିନ୍ତିତ ହେଲେ । ସେ ମର୍କ୍ୟୁରିଙ୍କୁ ପଚାରିଲେ, “ମୋ ଜାହାଜର କେତେକ ଲୋକ ପାଣି ଓ ଖାଦ୍ୟ ନେବାପାଇଁ ଏଇ ଦ୍ୱୀପରେ ଓହ୍ଲାଇଥିଲେ । ଅନେକ ଦିନ ଗଲାଣି । ସେମାନେ ଫେରି ନଆସିବାରୁ ମୁଁ ସେମାନଙ୍କୁ ଖୋଜିବାକୁ ଯାଉଛି । ସାୟାର୍ସ ସେମାନଙ୍କୁ ଏହିପରି କୌଣସି ଜନ୍ତୁ କରିଦେଇଛି ବୋଲି ତୁମେ ଭାବୁଛ କି ?’’

 

ମର୍କ୍ୟୁରି ହସି ହସି କହିଲେ, ‘‘ନିଶ୍ଚୟ, ଏଥିରେ ସନ୍ଦେହ ନାହିଁ । ମୁଁ ଠିକ୍‌ ଜାଣେ, ସାୟାର୍ସ ପ୍ରଥମେ ସେମାନଙ୍କୁ ନଅରକୁ ନେଇ ଅନେକ ଭଲ ଭଲ ଜିନିଷ ଖାଇବାକୁ ଦେଲା । ସେମାନେ ଏଡ଼େ ପେଟୁ ଯେ ଘୁଷୁରିଭଳି ଗୁଡ଼ାଏ ଖାଇଲେ । ସେମାନେ ଖାଇବା ବିଷୟରେ ଘୁଷୁରିପରି । ତେଣୁ ସାୟାର୍ସ ସେମାନଙ୍କୁ ଘୁଷୁରି କରିଦେଇଛି ।’’

 

ଏକଥା ଶୁଣି ଅଲିସେସଙ୍କର ମୁଣ୍ଡ ଘୂରିଗଲା । ତାଙ୍କ ଜାହାଜରୁ ବାଇଶଜଣ ଲୋକ ଦ୍ୱୀପରେ ଓହ୍ଲାଇଥିଲେ । ଏବେ ସେ କଅଣ ବାଇଶଟି ଘୁଷୁରି ଘେନି ଫେରିବେ ? ସେ ବିଚାର କଲେ, ‘‘ଏହି ବୀରମାନେ ମୋ ପାଇଁ ଏତେ କଷ୍ଟ ସହି ଅଛନ୍ତି । ମୁଁ ସେମାନଙ୍କୁ ଘୁଷୁରି ଜୀବନରୁ ଉଦ୍ଧାର ନ କରି ଫେରିବି ନାହିଁ । ସେଥିପାଇଁ ଯେତେ କଷ୍ଟ ସହିବାକୁ ପଡ଼ିବ, ସହିବି ।’’

 

ମର୍କ୍ୟୁରି କହିଲେ, ‘‘ହଁ, ସେମାନଙ୍କୁ ଉଦ୍ଧାର କରିବା ତୁମର କର୍ତ୍ତବ୍ୟ, କିନ୍ତୁ ସେଥିପାଇଁ ଦରକାର ଅସୀମ ଶକ୍ତି ଓ ବୁଦ୍ଧି । ଯଦି ସାୟାର୍ସର ଟିକିଏ, ସୁବିଧା ହୁଏ ଓ ତୁମେ ସାବଧାନ ହୋଇ କାର୍ଯ୍ୟ ନ କର, ତେବେ ତୁମକୁ ସେ ଗୋଟିଏ କୋକିଶିଆଳି କରିଦେବ ।’’ କଅଣ କରିବାକୁ ହେବ ପରାମର୍ଶ ମାଗିବାରୁ ମର୍କ୍ୟୁରି କହିଲେ, ‘‘ମୁଁ ଯେଉଁ ଉପାୟ କହୁଛି, ଠିକ୍‌ ତାହା କଲେ, ତୁମେ ନିଜକୁ ସାୟାର୍ସ ହାତରୁ ରକ୍ଷାକରି ତୁମର ଅନୁଚରମାନଙ୍କୁ ଉଦ୍ଧାର କରିପାରିବ ।’’ ଏହା କହି ସେ ତଳୁ ଗୋଟିଏ ଛୋଟ ଧଳାଫୁଲ ତୋଳି ଆଣିଲେ । ସେ ଫୁଲଟିକୁ ଅଲିସେସଙ୍କ ହାତରେ ଦେଇ କହିଲେ, ‘‘ଏଇ ଫୁଲଟି ନିଅ । ଏହାକୁ ପ୍ରାଣପଣ ସାଇତି ଜଗି ରଖିଥିବ । ଏଇଟିର କେତେକ ବିଶେଷ ଶକ୍ତି ଅଛି । ସାରା ପୃଥିବୀରେ ଏହାଭଳି ଆଉ ଗୋଟିଏ ଫୁଲ ମିଳିବ ନାହିଁ । ମାର୍ବଲର ନଅର ଭିତରେ ପଶିଲାବେଳେ ଫୁଲଟିକୁ ଶୁଙ୍ଘୁଥିବ । ସାୟାର୍ସ ଖାଇବା ପାଇଁ ତୁମକୁ ଭଲ ଭଲ ଖାଦ୍ୟ ଓ ପିଇବାକୁ ମଦ ଆଣି ଦେବ । ସେତେବେଳେ ବରାବର ଏହି ଫୁଲକୁ ଶୁଙ୍ଘିଲେ ସାୟାର୍ସର ମନ୍ତ୍ର ତୁମ ଉପରେ କାଟୁ କରିବ ନାହିଁ । ତୁମେ ରକ୍ଷା ପାଇଯିବ ।’’

 

ଅଲିସେସ ଏହି ପରାମର୍ଶ ପାଇଁ ମର୍କ୍ୟୁରିଙ୍କୁ ଧନ୍ୟବାଦ ଦେଲେ । ସେ ଆଉ କିଛି ପ୍ରଶ୍ନ ପଚାରିବେ ବୋଲି ବିଚାରୁଥିଲେ; କିନ୍ତୁ ଦେଖିଲାବେଳକୁ ମର୍କ୍ୟୁରି ସେଠାରୁ ଚାଲିଯାଇଥିଲେ । ଅଲିସେସ ଫୁଲଟି ଧରି ଚାଲିଲେ । ସାୟାର୍ସର ନଅରସାମନା ପଡ଼ିଆରେ ପହଞ୍ଚିଲା ମାତ୍ରେ କେତେ ସିଂହ, ବାଘ, ଗଧିଆ ଆନନ୍ଦରେ ତାଙ୍କ ପାଖକୁ ଦୌଡ଼ି ଆସିଲେ । ସେମାନେ ତାଙ୍କୁ ଆଦରରେ ଡାକିଲା ପରି ଶବ୍ଦ କରୁଥିଲେ । କିନ୍ତୁ ଅଲିସେସ ଭାରି ବୁଦ୍ଧିମାନ୍‌ । ସେ ଜାଣିପାରିଥିଲେ ଏଗୁଡ଼ାକ ନିର୍ଦ୍ଦୟ ଲୋକ ହୋଇଥିବାରୁ ସାୟାର୍ସ ଏମାନଙ୍କୁ ଏପରି ହିଂସ୍ର ଜନ୍ତୁ କରିଦେଇଅଛି । ଟିକିଏ ସୁବିଧା ପାଇଲେ ସେମାନେ ଅଲିସେସଙ୍କୁ ମଧ୍ୟ ଟିକି ଟିକି କରିଦେବେ । ସେ ନିଜର ବର୍ଚ୍ଛାଧରି ସେମାନଙ୍କୁ ମାରିବାକୁ ଧାଇଁଲେ । ଜନ୍ତୁଗୁଡ଼ାକ ଭୟ ପାଇ ପଳାଇଗଲେ ।

 

ନଅର ଭିତରେ ପ୍ରବେଶ କରି ଅଲିସେସ ଗୋଟିଏ ବିଚିତ୍ର କଥା ଦେଖିଲେ । ସେଠାରେ ମାର୍ବଲର ଗୋଟିଏ କୁଣ୍ଡ ଥିଲା । ତା ମଝିରୁ ଗୋଟିଏ ପାଣିର ଫୁଆରା ଛାତ ଯାଏଁ ଉଠୁଥିଲା । ସେଠାରୁ ସେ ପାଣି ବିଛେଇ ହୋଇ ପଡ଼ିଲା ବେଳକୁ ଗୋଟିଏ ମଣିଷ ହୋଇଯାଉଥିଲା-। ଚାହୁଁ ଚାହୁଁ ସେ ମଣିଷ ଗୋଟାଏ ସିଂହ ହୋଇଯାଉଥିଲା । ପୁଣି ମୁହୂର୍ତ୍ତକେ ସିଂହଟା ଗୋଟାଏ ଗଧିଆ ପାଲଟି ଯାଉଥିଲା । ଏହା ଯେ ସାୟାର୍ସର ମନ୍ତ୍ରର ଫଳ ତାହା ଅଲିସେସ ଅକ୍ଳେଶରେ ଜାଣିଗଲେ । ସେ ବେଶି ବେଳଯାଏ ଏ ବିଚିତ୍ର ଦୃଶ୍ୟ ନ ଦେଖି ଆଗେଇ ଚାଲିଲେ । ଏହି ସମୟରେ ସେ ଗୋଟିଏ ରମଣୀର ଗୀତ ଧ୍ୱନି ଶୁଣିପାରିଲେ । ରମଣୀଟି ଅନ୍ଦର ମହଲର କୌଣସି ଘରେ ରହି ଗୀତ ଗାଉଥିଲା । ତା ସଙ୍ଗେ ସଙ୍ଗେ ଗୋଟାଏ ଠକ୍‌ଠକ୍ ଶବ୍ଦ ମଧ୍ୟ ଶୁଣାଯାଉଥିଲା । ସେଥିରୁ ଅଲିସେସ ଅନୁମାନ କରିନେଲେ, ସ୍ତ୍ରୀଲୋକଟି ତନ୍ତରେ ଲୁଗା ବୁଣୁଛି ଓ କଣ୍ଡା ଚାଲିଲା ବେଳେ ଠକ୍‍ଠକ୍‌ ଶବ୍ଦ ହେଉଛି । ଲୁଗା ବୁଣିବା ସଙ୍ଗେ ସଙ୍ଗେ ସ୍ତ୍ରୀଲୋକଟି ଗୀତ ଗାଉଛି । ଯେଉଁ ଘରୁ ଶବ୍ଦ ଆସୁଥିଲା, ତାର କବାଟ ପାଖକୁ ଯାଇ ଅଲିସେସ ଆହୁରି କେତେଗୁଡ଼ିଏ ଯୁବତୀଙ୍କର କଥାବାର୍ତ୍ତା ଓ ହସର ଧ୍ୱନି ଶୁଣିପାରିଲେ । ସେ କବାଟ ଠେଲି ଘର ଭିତରକୁ ପଶିଗଲେ ।

 

ଅତି ସୁନ୍ଦରୀ ଯୁବତୀଟିଏ ତନ୍ତ ପାଖରେ ବସି ଲୁଗା ବୁଣୁଥିଲା । ସେ ଗୀତ ବନ୍ଦ କରି ତନ୍ତ ପାଖରୁ ଉଠିଆସିଲା । ସେ ହସି ହସି ଅଲିସେସଙ୍କ ପାଖକୁ ଦଉଡ଼ିଆସି ତାଙ୍କୁ ଅଭ୍ୟର୍ଥନା କରି କହିଲା, ‘‘ଆପଣଙ୍କ ଆସିବାକୁ ଆମେ ଅନେକଦିନୁ ଚାହିଁ ରହିଛୁ । ଆଜି ଆପଣଙ୍କୁ ପାଇ ଆମେ ଧନ୍ୟ ହେଲୁ ।’’ ସେଠାରେ ଥିବା ଅନ୍ୟ ଚାରିଜଣ ଯୁବତୀ ମଧ୍ୟ ଅଲିସେସଙ୍କୁ ହସି ହସି ଅଭିବାଦନ କଲେ ।

 

ପ୍ରଥମ ସୁନ୍ଦରୀ ଯୁବତୀଟି ହେଉଛି ସାୟାର୍ସ ।

 

ସାୟାର୍ସ କହିଲା, ‘‘ମହାରାଜ, ଆପଣଙ୍କର ଯେଉଁ ଅନୁଚରମାନେ ଏଠାକୁ ଆସିଥିଲେ, ସେମାନେ ଉପଯୁକ୍ତ ଅଭ୍ୟର୍ଥନା ପାଇଅଛନ୍ତି । ସେମାନେ ଯାହା କିଛି ଚାହିଁଛନ୍ତି, ସେସବୁ ପାଇଛନ୍ତି-। ଆପଣ ସେମାନଙ୍କ ପାଖକୁ ଯିବାକୁ ଆଗ୍ରହ କରୁଥିବେ । କିନ୍ତୁ ତା ପୂର୍ବରୁ ଆପଣ ଖାଇ ପିଇ ଟିକିଏ ବିଶ୍ରାମ ନିଅନ୍ତୁ । ତାପରେ ସେମାନଙ୍କ ସଙ୍ଗେ ଆପଣଙ୍କର ଦେଖାହେବ-। ଆସନ୍ତୁ ଦେଖିବେ; ଆମେ ଲୁଗାରେ କିପରି ଆପଣଙ୍କ ଅନୁଚରମାନଙ୍କର ରୂପ ବୁଣିଛୁ ।’’

 

ସାୟାର୍ସର ହାତରେ ଖଣ୍ଡିଏ ଛୋଟ ବାଡ଼ି ଥିଲା । ସେଇ ବାଡ଼ିଟି ତନ୍ତଆଡ଼କୁ ଦେଖାଇ ସାୟାର୍ସ କହିଲା, ‘‘ଏଇ ଦେଖନ୍ତୁ, ଆମେ କେତେ ପରିଶ୍ରମ କରି ଆପଣଙ୍କ ଅନୁଚରମାନଙ୍କ ରୂପ ଲୁଗାରେ ବୁଣିଛୁ ।’’ ଅଲିସେସ ସେ ଲୁଗାକୁ ଚାହିଁ ଦେଖିଲେ, ତାଙ୍କ ଅନୁଚରମାନଙ୍କର ରୂପ । ପ୍ରତ୍ୟେକ ଲୋକ ଚକଚକିଆ ପୋଷାକ ପିନ୍ଧି ଗୋଟିଏ ଗୋଟିଏ ସୁନା ଚଉକିରେ ବସିଛନ୍ତି ଓ ସେମାନଙ୍କ ଆଗରେ ଟେବୁଲ୍‍ ଉପରେ ଥିବା ଖାଦ୍ୟକୁ ଲୋଭରେ ଗିଳି ଦେଉଛନ୍ତି; ମଦ ପିଉଛନ୍ତି । କେବଳ ଏହି ଦୃଶ୍ୟ ପର୍ଯ୍ୟନ୍ତ ଲୁଗାରେ ଦେଖିବାକୁ ମିଳିଲା । ସାୟାର୍ସ ବଡ଼ ଚାଲାକ୍‌ । ତାର ମନ୍ତ୍ରରେ ସେ ଶେଷରେ ସେମାନଙ୍କୁ କଅଣ କରିଥିଲା, ତାହା ଅଲିସେସଙ୍କୁ ଦେଖାଇଲା ନାହିଁ ।

 

ଅଲିସେସଙ୍କୁ ଲକ୍ଷ୍ୟକରି ସାୟାର୍ସ କହିଲା, ‘‘ଆପଣଙ୍କ ଚେହେରା, ଗାମ୍ଭୀର୍ଯ୍ୟ ଓ ସାହସ ଦେଖି ମୁଁ ଅନୁମାନ କରୁଛି, ଆପଣ ସାଧାରଣ ଲୋକ ନୁହନ୍ତି । ଆପଣ ନିଶ୍ଚୟ ଜଣେ ରାଜା । ମୋର ବିନୀତ ଅନୁରୋଧ, ଆପଣ ମୋ ସଙ୍ଗେ ଆସନ୍ତୁ । ଆପଣଙ୍କୁ ରାଜୋଚିତ ଆତିଥ୍ୟ ଦେଖାଇବାରେ ତ୍ରୁଟି ହେବନାହିଁ ।’’

 

ରାଜା ସାୟାର୍ସର ପଛେ ପଛେ ଯାଇ ଗୋଟିଏ ହଲରେ ପହଞ୍ଚିଲେ । ଘରଟିର ସାଜସଜ୍ଜା ଅତି ଚମତ୍କାର । ସେ ହଲ୍‌ର ମଝିରେ ଗୋଟିଏ ସୁନାର ସିଂହାସନ ପଡ଼ିଥିଲା । ତା ଦେହରେ ଅନେକ ମୋତି ମାଣିକ୍ୟ ଖଞ୍ଜାଯାଇଥିଲା । ବୋଧହୁଏ ଏପରି ସୁନ୍ଦର ଓ ମୂଲ୍ୟବାନ ସିଂହାସନ କୌଣସି ରାଜାଙ୍କ ଘରେ ନ ଥିବ ।

 

ସିଂହାସନରେ ଯେଉଁ ଗଦି ଥିଲା, ତାହା ଗୋଲାପଫୁଲପରି କଅଁଳ ଜଣାପଡ଼ୁଥିଲା । ସିଂହାସନ ଉପରେ ଗୋଟିଏ ଚାନ୍ଦୁଆ ଟଙ୍ଗା ହୋଇଥିଲା । ଏହି ଚାନ୍ଦୁଆର କାରିଗରି ଦେଖିଲେ ଆଖି ଲାଖି ରହିଯିବ ।

 

ସାୟାର୍ସ ଭାରି ଆଦର ଦେଖାଇ ଅଲିସେସଙ୍କ ହାତଧରି ତାଙ୍କୁ ସିଂହାସନ ଉପରେ ବସାଇଲା ଓ ଜଣେ ଚାକରକୁ ଡାକି କହିଲା, ‘‘ଯାଆ, ରାଜାମାନଙ୍କ ପାଇଁ ଯେଉଁ ମଦ ଅଲଗା ରଖାଯାଇଛି, ସେଥିରୁ ଗୋଟିଏ ବୋତଲ ଆଣିବୁ ।’’

 

ଏଇ ସୁନ୍ଦରୀ ଯୁବତୀର ଏସବୁ ଆଦର ଯତ୍ନରେ ଅଲିସେସ ଭୁଲିବାର ପାତ୍ର ନ ଥିଲେ । ମର୍କ୍ୟୁରିଙ୍କଠାରୁ ସେ ତାର ପ୍ରକୃତ ପରିଚୟ ପାଇଥିଲେ । ସେଥିପାଇଁ ସେ ସବୁବେଳେ ସେହି ଧଳା ଫୁଲଟିକୁ ଶୁଙ୍ଘିବାରେ ଲାଗିଥାନ୍ତି ।

 

ଏଥିମଧ୍ୟରେ ଚାକର ମଦ ବୋତଲ ଆଣି ପହଞ୍ଚିଲା । ଅଲିସେସ ପଚାରିଲେ, ‘‘ଏହା ଭଲ ବିଶୁଦ୍ଧ ମଦ ନା ?’’ ସାୟାର୍ସ ଉତ୍ତର କଲା, ‘‘ଜଗତରେ ଏଭଳି ବିଶୁଦ୍ଧ ମଦ ଅନ୍ୟ କେଉଁଠାରେ ମିଳିବ ନାହିଁ । ଅସଲ ଅଙ୍ଗୁରରୁ ତିଆରି ହୋଇଛି । କେତେକ ମଦ ଅଛି ତାକୁ ପିଇଲେ ମଣିଷର ପ୍ରକୃତି ବଦଳି ଯାଏ, କିନ୍ତୁ ଏହାକୁ ପିଇଲେ ତାର ପ୍ରକୃତ ସ୍ୱରୂପ ବାହାରିପଡ଼େ । ସେ ଯାହା ହେବାର କଥା ତାହା ହୋଇଯିବ ।’’

 

ଚାକର ଗୋଟିଏ ଗିଲାସରେ ମଦ ପୂର୍ଣ୍ଣ କରିଦେଲା । ପ୍ରକୃତରେ ତାର ରଙ୍ଗ ଓ ସୁବାସରେ ଯେ କେହି ଭୁଲିଯିବେ । ଦୁଷ୍ଟ ଚାକରଟା ଏହିପରି କେତେ ଲୋକଙ୍କୁ ମଦ ଦେଇ ହିଂସ୍ର ପଶୁପକ୍ଷୀ କରିବାରେ ସାହାଯ୍ୟ କରିଥିବ । ଏପରି କରିବାରେ ତାର ଆନନ୍ଦ । ସେ ଅଲିସେସଙ୍କ ହାତକୁ ଗିଲାସଟି ବଢ଼ାଇଦେଲା ।

 

ଏ ମଦକୁ ସାୟାର୍ସ ମନ୍ତ୍ର କରିଥିଲା । ଏହା ପିଇବାକୁ ଯେତିକି ମଧୁର ଏହାର ଗୁଣ ସେତିକି ମାରାତ୍ମକ । ଏହାର ଫେଣର ଗନ୍ଧ ନାକରେ ବାଜିଲାକ୍ଷଣି ମନୁଷ୍ୟର ନିଶ ଦାଢ଼ି ଘୁଷୁରିର ଲୋମ ହୋଇଯାଏ, କିମ୍ୱା ତାର ଆଙ୍ଗୁଠି ଓ ନଖ ସିଂହର ଥାବା ହୋଇଯାଏ, କିମ୍ବା ତାର ମୁହଁ କୋକିଶିଆଳିର ମୁହଁ ହୋଇଯାଏ । ଏହାକୁ ପିଇଲେ ରକ୍ଷା ନାହିଁ । ଯେ ପିଇଲା, ସେ ନିଶ୍ଚୟ ଗୋଟାଏ କିଛି ପଶୁ ବା ପକ୍ଷୀ ହୋଇଯିବ ।

 

ସାୟାର୍ସ ହସି ହସି କହିଲା, ‘‘ମହାରାଜ, ଶୀଘ୍ର ପିଇଦିଅନ୍ତୁ । ଦେଖିବେ ଆପଣଙ୍କ ସବୁ ଚିନ୍ତା କୁଆଡ଼େ ଉଭେଇଯିବ । ଏହା ମଦର ବିଚିତ୍ରଗୁଣ ।’’

 

ଅଲିସେସ ଡାହାଣ ହାତରେ ଗିଲାସଟି ଧରିଥାନ୍ତି; ଏଣେ ବାଆଁ ହାତର ଧଳା ଫୁଲଟିକୁ ନାକ ପାଖରେ ଧରି ଶୁଙ୍ଘୁଥାନ୍ତି । ଫୁଲର ସୁଗନ୍ଧରେ ତାଙ୍କର ଛାତି ପୂରିଯାଉଥାଏ । ସେ ହଠାତ୍‌ ଗିଲାସର ମଦତକ ପିଇଦେଲେ । ସାୟାର୍ସ ଭାବିଥିଲା ଯେ ମଦତକ ପିଇଦେଲାକ୍ଷଣି ରାଜା ଗୋଟାଏ କୋକିଶିଆଳି ହୋଇଯିବେ; କିନ୍ତୁ ତାର ମନ୍ତ୍ର କାଟୁ କରୁନଥିବା ଦେଖି ସେ ରାଗିଉଠିଲା । ଏତେବେଳଯାଏ ସେ ରାଜାଙ୍କୁ ଆଦର ଦେଖାଇ ମଧୁର କଥା କହୁଥିଲା । ଏବେ ତାର ନିଜ ରୂପ ପ୍ରକାଶ ପାଇଲା ।

 

ସେ ଚିତ୍କାର କରି କହିଉଠିଲା, ‘‘ଆରେ ହତଭାଗ୍ୟ ! ତୁ ଏତେବେଳଯାକେ ମଣିଷ ଦେହ ଧରି ରହିଛୁ କିପରି ? ଆଚ୍ଛା ଦେଖ ।’’ ଏହା କହି ସେ ତାର ମନ୍ତ୍ର ବାଡ଼ିରେ ଅଲିସେସଙ୍କୁ ଏକ ପାହାର ଦେଲା । ପୁଣି କହିଲା, ‘‘ତୋର ପ୍ରକୃତି ଯେଉଁ ପଶୁର ପ୍ରକୃତି ପରି ସେହି ପଶୁ ହୋଇଯାଆ । ତୁ ଯେବେ ଘୁଷୁରି ହେବାର ଯୋଗ୍ୟ, ତେବେ ଘୁଷୁରି ହୋଇ ତୋ ସାଥିଙ୍କ ପାଖେ ରହ । ସିଂହ ହେବାର ଥିଲେ ସିଂହ ହୁଅ; ନ ହେଲେ କୋକିଶିଆଳି ହୋଇ କୁକୁଡ଼ା ଚୋରାଇ ଖାଆ-। ମୋ ମଦ ତୋ ପେଟରେ ପଡ଼ିଛି । ତୁ କେବେ ଆଉ ମଣିଷ ହୋଇ ରହିପାରିବୁ ନାହିଁ ।’’

 

ମାତ୍ର ଅଲିସେସଙ୍କର କିଛି ପରିବର୍ତ୍ତନ ହେଲା ନାହିଁ । ମର୍କ୍ୟୁରି ଦେଇଥିବା ଫୁଲର ଗୁଣ କମ୍‌ ନୁହେଁ । ସେ ଯେତିକି ଫୁଲଟି ଶୁଙ୍ଘୁଥାନ୍ତି, ତାଙ୍କର ବଳ ବପୁ ସେତିକି ବଢ଼ୁଥାଏ । ରାଜା ଗିଲାସଟା ତଳେ ଫିଙ୍ଗିଦେଇ ଖୋଳରୁ ଖଣ୍ଡା ବାହାର କଲେ । ସାୟାର୍ସର ମୁଣ୍ଡର ବାଳ ପେଣ୍ଡାଟା ଧରି ତାକୁ ଟାଣି ଟାଣି ନେଇ କହିଲେ, ‘‘ଦୁଷ୍ଟା, ପାପୀୟସୀ । ଦେଖ, ଏଇ ଖଣ୍ଡାରେ ତୋର ପ୍ରାଣ ନେବି । ତୁ ଖୁବ୍‌ ଅନିଷ୍ଟ କରିସାରିଛୁ । ଆଉ ଯେପରି ଅନିଷ୍ଟ କରି ନ ପାରୁ ସେଥିପାଇଁ ତୋ ଜୀବନ ଦେବାକୁ ହେବ । ତୁ ଆଉ ଲୋକଙ୍କୁ ଭୁଲାଇ ଆଣି ସେମାନଙ୍କୁ ପଶୁ ପକ୍ଷୀ କରିପାରିବୁ ନାହିଁ ।’’

 

ଅଲିସେସଙ୍କ ଚକଚକିଆ ଖଣ୍ଡାକୁ ଦେଖି, ତାଙ୍କର ଏଭଳି କଥା ଶୁଣି ସାୟାର୍ସର ମନରେ ଭୟ ପଶିଗଲା । ଚାକରଟା ଡରରେ କୁଆଡ଼େ ପଳାଇଲା । ଚାରିଜଣଯାକ ଯୁବତୀ ଅଲିସେସଙ୍କ ଡରରେ ପାଦତଳେ ପଡ଼ି କ୍ଷମା ମାଗି କହିଲେ, ‘‘ଆମ ଦୋଷ ମାର୍ଜନା କର । ଆମର ଜୀବନ ରଖ ।’’

 

ସାୟାର୍ସ ବିକଳ ହୋଇ କହିଲା, ‘‘ମହାରାଜ ଅଲିସେସ, ମୁଁ ଏବେ ଆପଣଙ୍କୁ ଚିହ୍ନିଲିଣି । ଆପଣ ମୋର ପ୍ରାଣ ନିଅନ୍ତୁ ନାହିଁ । ମୋତେ କ୍ଷମା ଦିଅନ୍ତୁ । ମର୍କ୍ୟୁରି ମୋତେ କହିଥିଲେ ଯେ ଆପଣଙ୍କ ଛଡ଼ା ମୋତେ ଆଉ କେହି ଜିଣିପାରିବେ ନାହିଁ । ତାଙ୍କ କଥା ସତ ହେଲା । ଆପଣ ମୋତେ ଜିଣିଛନ୍ତି । ଏବେ ମୋତେ କ୍ଷମା କରନ୍ତୁ । ଏଣିକି ଏ ନଅର ଆପଣଙ୍କର । ଆପଣ ଯାହା ଇଚ୍ଛା ତାହା କରିପାରିବେ । ମୋର ଏକମାତ୍ର ପ୍ରାର୍ଥନା, ମୋର ଜୀବନ ରକ୍ଷା କରନ୍ତୁ ।’’

 

ସାୟାର୍ସଙ୍କ ସଙ୍ଗେ ସେ ଯୁବତୀମାନେ ମଧ୍ୟ କାନ୍ଦି କାନ୍ଦି ସେମାନଙ୍କ ଜୀବନ ଭିକ୍ଷା କଲେ; କିନ୍ତୁ ଅଲିସେସ କହିଲେ, ‘‘ତୁ ମୋର ସଙ୍ଗୀମାନଙ୍କୁ ମଣିଷ ନ କରିବା ପର୍ଯ୍ୟନ୍ତ ମୁଁ କିଛି ଶୁଣିବି ନାହିଁ-। ଆଗ ସେମାନଙ୍କୁ ମଣିଷ କରି ମତେ ଫେରାଇଦେ । ତାପରେ ତୋ ଜୀବନ ରଖିବା କଥା ବିଚାର କରିବି ।’’

 

ସାୟାର୍ସ ଅନ୍ୟ ଉପାୟ ନ ଦେଖି ରାଜାଙ୍କୁ ନଅର ପଛପଟକୁ ନେଇଗଲା । ସେଠାରେ ଗୁହାଳ ଘରେ ମୋଟ ପଚାଶଟି ଘୁଷୁରି ଥିଲେ । ସବୁ ଘୁଷୁରି ଦେଖିବାକୁ ଏକାପରି ହୋଇଥିବାରୁ କେଉଁଗୁଡ଼ିକ ପ୍ରକୃତ ଘୁଷୁରି, ଆଉ କେଉଁଗୁଡ଼ିକ ତାଙ୍କ ଜାହାଜର ସାଙ୍ଗସାଥି ତାହା ସେ ଜାଣିପାରିଲେ ନାହିଁ । ଅଲିସେସ ଗୁହାଳଘର କବାଟ ଫିଟାଇ ଦେବାରୁ ସେମାନଙ୍କ ଭିତରୁ ବାଇଶିଟି ବାହାରିଆସି କୁଉଁ କୁଉଁ ହୋଇ ତାଙ୍କୁ ବେଢ଼ିଗଲେ । ରାଜା ଅନୁମାନ କରିନେଲେ ଯେ ଏଇ ବାଇଶିଟି ତାଙ୍କର ସାଙ୍ଗସାଥୀ ହେବେ ।

 

ଘୁଷୁରିଗୁଡ଼ିକ କଅଣ ଚାହୁଁଥିଲେ ତାହା ଜଣାପଡ଼ୁନଥିଲା । ସେମାନେ କାଦୁଅରେ ମୁହଁ ପୋତି ଆହାର ଖୋଜିବାକୁ ଲାଗିଲେ । ଜଣେ ସ୍ତ୍ରୀଲୋକ ସେମାନଙ୍କଆଡ଼କୁ କିଛି ଖାଦ୍ୟଦ୍ରବ୍ୟ ଫିଙ୍ଗିଦେବାରୁ ସେମାନେ ଆପଣା ଆପଣା ଭିତରେ କଳିକରି ଛଡ଼ାଛଡ଼ି ହୋଇ ଖାଇଗଲେ–ସତେଅବା କେତେ କାଳରୁ ସେମାନଙ୍କ ପେଟରେ କିଛି ଆହାର ପଡ଼ିନଥିଲା । ଘୁଷୁରିମାନଙ୍କର ଏଭଳି ବ୍ୟବହାର ଦେଖି ରାଜାଙ୍କ ମନ ବିକଳ ହୋଇଉଠିଲା ।

 

ସେ ଧମକଦେଇ ସାୟାର୍ସକୁ କହିଲେ, ‘‘ଶୀଘ୍ର ଏମାନଙ୍କୁ ପୁଣି ମଣିଷ କରିଦେ, ନ ହେଲେ ତୋର ମୁଣ୍ଡ କାଟି ଶାସ୍ତି ଦେବି ।’’ ସାୟାର୍ସ କିଛି ମନ୍ତ୍ର ବୋଲି ତାର ବାଡ଼ିଟି ଘୁଷୁରିମାନଙ୍କ ଉପରେ ବୁଲାଇ ଆଣିଲା । ଚାହୁଁ ଚାହୁଁ ଅଦ୍ଭୁତ ପରିବର୍ତ୍ତନ ଘଟିଲା । ଆସ୍ତେ ଆସ୍ତେ ସେମାନଙ୍କର ରୂପ ବଦଳିଗଲା । ସେମାନେ ପୁଣି ମଣିଷ ହୋଇଗଲେ । ଏବେ ଅଲିସେସ ନିଜର ବନ୍ଧୁମାନଙ୍କୁ ଚିହ୍ନିପାରି ଆନନ୍ଦିତ ହେଲେ । ମାତ୍ର ରାଜାଙ୍କର ଗୋଟାଏ ସନ୍ଦେହ ହେଲା । ମନୁଷ୍ୟ ହେଲେହେଁ ସେମାନଙ୍କର ଘୁଷୁରି ପ୍ରକୃତି ଛାଡ଼ିନଥିଲା । ଗୋଟାଏ ସ୍ତ୍ରୀଲୋକ ପୁଣି କିଛି ଖାଦ୍ୟ ଫିଙ୍ଗିଦେଲା । ସଙ୍ଗେ ସଙ୍ଗେ ବାଇଶିଜଣଯାକ ନଇଁପଡ଼ି ତାକୁ ଖାଇବାପାଇଁ ଆପଣା ଆପଣା ଭିତରେ କଳି ଲଗାଇଲେ । ମାତ୍ର ଅଳ୍ପ ସମୟ ପରେ ସେମାନେ ନିଜ କାର୍ଯ୍ୟରେ ଲଜ୍ଜିତ ହୋଇ ପରସ୍ପର ମୁହଁକୁ ଚାହିଁଲେ । ରାଜା ବୁଝିପାରିଲେ, ‘‘ଏମାନଙ୍କର ଘୁଷୁରି ରୂପ ସିନା ଯାଇଛି, କିନ୍ତୁ ଘୁଷୁରି ପ୍ରକୃତି ଛାଡ଼ିବାକୁ କିଛିଦିନ ଲାଗିବ ।’’

 

ସେମାନେ ଅଲିସେସଙ୍କୁ ଧନ୍ୟବାଦ ଦେଲେ । ରାଜା କହିଲେ, ‘‘ତୁମେମାନେ ଆଉଥରେ ଘୁଷୁରିଶାଳରେ ପଶିବାକୁ ଯିବନାହିଁ ବୋଲି ମୋର ଆଶା ।’’

 

ଏହି ସମୟରେ ଗଛ ଉପରୁ ଗୋଟିଏ ବିକଳ ସ୍ୱର ଶୁଣାଗଲା । ରାଜା ଦେଖିଲେ, ଯେଉଁ ଚଢ଼େଇଟି ତାଙ୍କ ପଛେ ପଛେ ରାବି ଆସୁଥିଲା, ଏଇଟି ସେଇ ଚଢ଼େଇ । ଚଢ଼େଇଟି ପ୍ରକୃତରେ କୌଣସି ମନୁଷ୍ୟ, ଏହା ଜାଣିପାରି ରାଜା ସାୟାର୍ସକୁ ହୁକୁମ ଦେଲେ, ‘‘ତୋତେ ଏ ପକ୍ଷୀଟିକୁ ମଧ୍ୟ ମନୁଷ୍ୟ ରୂପ ଦେବାକୁ ହେବ ।’’ ସାୟାର୍ସ ଅନ୍ୟ ଉପାୟ ନ ଦେଖି ମନ୍ତ୍ର ପଢ଼ି ବାଡ଼ିଟିକୁ ଗଛ ପାଖେ ବୁଲାଇ ଆଣିଲା । ଚାହୁଁ ଚାହୁଁ ପକ୍ଷୀଟି ଗୋଟିଏ ମନୁଷ୍ୟ ହୋଇଗଲା । ତାଙ୍କ ଦେହରେ ଚକଚକିଆ ନୀଳ ପୋଷାକ, ଗୋଡ଼ରେ ହଳଦିଆ ମୋଜା, ମୁଣ୍ଡରେ ନାନା ରତ୍ନ ଲାଗିଥିବା ସୁନା ମୁକୁଟ ଓ ଗଳାରେ ସୁନାର ହାର । ସେ ଗଛରୁ ଡେଇଁପଡ଼ି ଅଲିସେସଙ୍କୁ ପ୍ରଣାମ କଲେ । କହିଲେ, ‘‘ମୁଁ ହେଉଛି ରାଜା ପିକସ । ଭଲ ପୋଷାକ, ଭଲ ଅଳଙ୍କାର ପିନ୍ଧି ମୁଁ ଭାରି ଗର୍ବ କରୁଥିଲି । ଏ ରାକ୍ଷସୀ ମୋତେ ପକ୍ଷୀଟିଏ କରି ରଖିଥିଲା ।’’

 

ରାଜା ପିକସ ଅଲିସେସଙ୍କଠାରୁ ବିଦାୟନେଇ ରାଜ୍ୟକୁ ଚାଲିଗଲେ । କିନ୍ତୁ ତେଣିକି ତାଙ୍କର ସ୍ୱଭାବ ଏକବାରେ ବଦଳିଗଲା । ସେ ପୋଷାକ ଅଳଙ୍କାରର ଗର୍ବ ଛାଡ଼ି ପ୍ରକୃତରେ ପ୍ରଜାଙ୍କର ଉପକାର କରିବାରେ ଲାଗିପଡ଼ିଲେ । ପ୍ରଜାମାନଙ୍କ ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୋଇ ସେ ରାଜ୍ୟ ଶାସନ କଲେ । ତାଙ୍କର ଗର୍ବ ଉଭେଇ ଗଲା ।

 

ସେତେବେଳକୁ ନଅରରେ ଆହୁରି ଅନେକ ସିଂହ, ବାଘ ଓ ଗଧିଆ ଥିଲେ; କିନ୍ତୁ ସେମାନଙ୍କୁ ପୁଣି ମଣିଷ କରିବାକୁ ଅଲିସେସଙ୍କର ଇଚ୍ଛାନଥିଲା । ନିଜ ନିଜ ମନ୍ଦ ପ୍ରକୃତିର ଫଳ ଭୋଗିବା ପାଇଁ ସେମାନଙ୍କୁ ସେ ଦ୍ୱୀପରେ ଛାଡ଼ିଦେଇ ଗଲେ ।

 

ରାଜା ଜାହାଜରୁ ତାଙ୍କର ଅବଶିଷ୍ଟ ଲୋକଙ୍କୁ ସେହି ନଅରକୁ ଡକାଇ ଆଣିଲେ । ନଅରରେ କୌଣସି ଜିନିଷର ଅଭାବ ନଥିଲା । ସେମାନେ କେତେଦିନ ପର୍ଯ୍ୟନ୍ତ ନଅରରେ ସୁଖରେ ରହିଲେ । ଏଥିପୂର୍ବରୁ ସେମାନେ ଅନେକ ଦୁଃଖ କଷ୍ଟ ସହି କ୍ଳାନ୍ତ ହୋଇପଡ଼ିଥିଲେ । ଏବେ ସେମାନଙ୍କର କ୍ଳାନ୍ତି ଦୂର ହୋଇଗଲା; ମନ ପୁଣି ପ୍ରଫୁଲ୍ଲ ହେଲା ।

 

ଦିନେ ଅଲିସେସ ନିଜର ଲୋକମାନଙ୍କୁ ସଙ୍ଗରେ ଘେନି ପୁଣି ଜାହାଜରେ ବସି ନିଜ ରାଜ୍ୟକୁ ଫେରିଗଲେ ।

Image

 

ଜାସନ ଓ ସୁନାର ଲୋମ

 

ଅତି ପୂର୍ବକାଳରେ ଜଣେ ଗୁରୁ ଥିଲେ । ସେ ନାନା ବିଦ୍ୟାରେ ପଣ୍ଡିତ ଥିଲେ । ତେଣୁ ଅନେକ ଲୋକ ନିଜ ନିଜ ପିଲାଙ୍କୁ ତାଙ୍କ ପାଖକୁ ପାଠ ପଢ଼ିବାକୁ ପଠାଉଥିଲେ । ତାଙ୍କଭଳି ମହାପଣ୍ଡିତ ସେ କାଳରେ ଆଉ କେହିନଥିଲେ; କିନ୍ତୁ ତାଙ୍କର ରୂପଟି ଥିଲା ଅଦ୍ଭୁତ । ତାଙ୍କର ବେକଠାରୁ ଉପର ଅଂଶ ଥିଲା ମଣିଷର ମୁଣ୍ଡ ପରି, ମାତ୍ର ଦେହଟି ଥିଲା ଠିକ୍ ଗୋଟିଏ ଘୋଡ଼ାର ଦେହପରି । ଘୋଡ଼ାପରି ତାଙ୍କର ଚାରୋଟି ଗୋଡ଼ ମଧ୍ୟ ଥିଲା । ଏହି ଗୁରୁଙ୍କର ନାମ ଚିରନ ।

 

ଏହି ଚିରନଙ୍କ ଶିଷ୍ୟମାନଙ୍କ ଭିତରେ ଜାସନ ବୋଲି ଗୋଟିଏ ପିଲା ଥିଲା । ସେ ଗୁରୁଙ୍କ ପାଖରେ ରହି ତାଙ୍କର ସେବା କରି ନାନା ବିଦ୍ୟା ଶିକ୍ଷା କଲା । ଚିରନ ଅନ୍ୟ ପିଲାଙ୍କ ସାଥିରେ ତାକୁ ମଧ୍ୟ ଆୟୁର୍ବେଦ, ଧନୁର୍ବେଦ ଯୁଦ୍ଧବିଦ୍ୟା, ସଙ୍ଗୀତ ବିଦ୍ୟା ପ୍ରଭୃତି ଶିକ୍ଷା ଦେଲେ । ଖଣ୍ଡା ଓ ଢାଲ ବ୍ୟବହାର କରିବାରେ ଜାସନ ଅନ୍ୟ ଛାତ୍ରମାନଙ୍କୁ ବଳିଗଲା । ଗୁରୁ ତା ଉପରେ ଖୁବ୍ ସନ୍ତୁଷ୍ଟ ହେଲେ । ସେ ଗୁରୁଙ୍କପରି ନାନା ବିଦ୍ୟାରେ ଜ୍ଞାନୀ ହୋଇଉଠିଲା ।

 

ଜାସନ ପ୍ରକୃତରେ ଜଣେ ରାଜାଙ୍କର ପୁଅ । ସେହି ରାଜାଙ୍କର ନାମ ଥିଲା ଏଇସନ । ଅନେକ ଦିନ ପୂର୍ବେ ପେଲିଅସ ବୋଲି ଜଣେ ଲୋକ ଏଇସନଙ୍କୁ ରାଜଗାଦିରୁ ତଡ଼ିଦେଇ ନିଜେ ରାଜା ହୋଇ ବସିଥିଲା । ରାଜ୍ୟରୁ ତଡ଼ା ଖାଇ ଏଇସନ ଅନେକ ଦିନ ଏଣେତେଣେ ବୁଲି ଶେଷରେ ମଲେ । ପେଲିଅସ ନିଶ୍ଚିନ୍ତରେ ସିଂହାସନରେ ବସି ରାଜ୍ୟ ଭୋଗ କଲେ । ଏଣେ ଜାସନ ଚିରନଙ୍କ ପାଖେ ପାଠ ପଢ଼ୁଥାନ୍ତି ।

 

କ୍ରମେ ଜାସନ ଯୁବକ ହେଲେ । ତାଙ୍କର ପାଠପଢ଼ା ଶେଷ ହେଲା । ସେ ଜାଣିପାରିଲେ, ପେଲିଅସ ତାଙ୍କ ବାପାଙ୍କୁ ତଡ଼ି ରାଜ୍ୟ ଅଧିକାର କରି ବସିଛି । ବାପାଙ୍କ ଅନ୍ତେ ସେ ରାଜା ହେବାର କଥା । ମାତ୍ର କିପରି ସେ ନିଜ ରାଜ୍ୟ ଫେରିପାଇବେ ? ପେଲିଅସ କଅଣ ତାଙ୍କୁ ସହଜରେ ରାଜ୍ୟ ଛାଡ଼ିଦେବ ?

 

କିପରି ପେଲିଅସଙ୍କୁ ସିଂହାସନରୁ ତଡ଼ିବେ ଓ ନିଜେ ରାଜା ହେବେ ଏହାହିଁ ତାଙ୍କର ପ୍ରଧାନ ଚିନ୍ତା ହେଲା । ଯାହାହେଉ, ବୟସ ହେଲାଣି, ପାଠପଢ଼ା ମଧ୍ୟ ଶେଷ । ତେବେ ସେ ଏଣିକି ନିଜ ଭାଗ୍ୟ ସନ୍ଧାନ ନକରିବେ କାହିଁକି ?

 

ଏହିପରି ଭାବି ଦିନେ ଜାସନ ଗୁରୁଙ୍କ ଆଶ୍ରମରୁ ବାହାରିଗଲେ । ତାଙ୍କ କାନ୍ଧରେ ଗୋଟିଏ ବାଘ ଛାଲ ଓ ଦୁଇ ହାତରେ ଦୁଇଟି ବର୍ଚ୍ଛା ଥିଲା । ବାଘ ଛାଲରେ ସେ ନିଜକୁ ଖରା ବର୍ଷାରୁ ରକ୍ଷା କରିପାରିବେ ଓ ବର୍ଚ୍ଛାରେ ଶତ୍ରୁକୁ ମାରି ପାରିବେ । ଆଉ କଅଣ ଦରକାର ? ଏହାଛଡ଼ା ତାଙ୍କର ଆଉ ଗୋଟିଏ ଜିନିଷ ଥିଲା ପାଦରେ ଥିଲା ହଳେ ଜୋତା । ଏ ଯୋଡ଼ିକ ତାଙ୍କ ବାପାଙ୍କର ଥିଲା । ଜୋତା ଉପରେ ଅତି ସୁନ୍ଦର କାରୁକାର୍ଯ୍ୟ ହୋଇଥିଲା । ଜୋତାର ଫିତା ଥିଲା ସୁନାରେ ତିଆରି । ଜାସନ ଏହି ଜୋତା ପିନ୍ଧି ଚାଲିଥାନ୍ତି । ଲୋକେ ତାଙ୍କ ଚେହେରା ଆଉ ଏ ଜୋତା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ଭାବୁଥିଲେ ଏ ବୀର ଜଣକ କିଏ ?

 

ଜାସନ କାହାକୁ ଖାତିର ନ କରି ଚାଲିଥାନ୍ତି । କେତେ କୋଶ ବାଟ ଯିବା ପରେ ଗୋଟାଏ ନଈ ପଡ଼ିଲା । ସେଥିରେ ପ୍ରବଳ ସୁଅ ଚାଲିଥାଏ । କେତେ ଗଛ, ଜୀବଜନ୍ତୁ ଭାସି ଯାଉଥାନ୍ତି । ଗଭୀର ପାଣି । ନଦୀକୁ ପାର ହୋଇ ଯିବେ କିପରି ? ପାଖରେ ଡଙ୍ଗାର ଦେଖା ନାହିଁ-। ପୁଣି ଏଭଳି ସୁଅରେ ଡଙ୍ଗା ଯାଆନ୍ତା ବା କିପରି ? ପହଁରି ଯିବାକୁ ଜାସନଙ୍କର ସାହସ ପାଇଲା ନାହିଁ ।

 

ସେ ନଈକୂଳରେ ଛିଡ଼ା ହୋଇ କଅଣ କରିବେ ଭାବୁଛନ୍ତି ଏଇ ସମୟରେ ପଛଆଡ଼ୁ କିଏ ଜଣେ କହିଲା, ‘‘ଟୋକାଟା କିପରି ନଈ ପାରିହେବ ବୋଲି ଭାବିହେଉଛି । ଜୋତା ଯୋଡ଼ାକ ଓଦା ହୋଇଯିବ ବୋଲି ଡରୁଛି ପରା ! ତାର ଚାରିଗୋଡ଼ିଆ ଗୁରୁ କଅଣ ଏଠି ଅଛି ଯେ, ତାକୁ ପିଠିରେ ବସାଇ ଆର କୂଳକୁ ନେଇଯିବ ?’’

 

ଜାସନ ଆଶ୍ଚର୍ଯ୍ୟରେ ପଛକୁ ବୁଲିପଡ଼ି ଦେଖନ୍ତି, ତାଙ୍କ ପାଖରେ ଗୋଟିଏ ବୁଢ଼ୀ ଛିଡ଼ା ହୋଇଛି । ସେଇ ବୁଢ଼ୀ ଯେ ଏହା କହୁଥିଲା, ଏଥିରେ ସନ୍ଦେହ ନାହିଁ । ବୁଢ଼ୀ ଗୋଟିଏ ବାଡ଼ି ଉପରେ ଭରାଦେଇ ଠିଆ ହୋଇଥିଲା । ବାଡ଼ି ଅଗରେ ଗୋଟିଏ କୋଇଲିର ଛବି । ବୁଢ଼ୀର ଚମ ଲୋଚାକୋଚା; କିନ୍ତୁ ଆଖି ଦୁଇଟା ଖୁବ୍ ଉଜ୍ଜ୍ୱଳ । ବୁଢ଼ୀ ଅନ୍ୟ ହାତରେ ଗୋଟିଏ ପାଚିଲା ଡାଳିମ୍ୱ ଧରିଥିଲା । ସେ ଦିନେ ଡାଳିମ୍ୱ ଫଳେ ନାହିଁ । ବୁଢ଼ୀ ଏହାକୁ ପାଇଲା କାହୁଁ ? ବୁଢ଼ୀ ପାଖକୁ ଲାଗି ଗୋଟାଏ ବଡ଼ ମୟୂର ଥିଲା । ଏ ବିଚିତ୍ର ବୁଢ଼ୀକୁ ଦେଖି ଓ ତାର କଥା ଶୁଣି ଜାସନଙ୍କ ମନରେ ସନ୍ଦେହ ହେଲା ।

 

ବୁଢ଼ୀ ପୁଣି ପଚାରିଲା, ‘‘ଜାସନ, ତୁ କୁଆଡ଼େ ଯାଉଛୁ ?’’

 

ଏହା ଶୁଣିଲା ମାତ୍ରେ ଜାସନର ସନ୍ଦେହ ଆହୁରି ବଢ଼ିଗଲା । ବୁଢ଼ୀ ତାକୁ ଚିହ୍ନିଲା କିପରି-? ତା ନାଁ ଜାସନ, ସେ ଚାରିଗୋଡ଼ିଆ ଚିରନ ପାଖେ ପଢ଼ୁଥିଲା, ଏସବୁ ବୁଢ଼ୀ ଜାଣିଲା କିପରି ?

 

ସେ ବୁଢ଼ୀର ଉଜ୍ଜ୍ୱଳ ଆଖିଯୋଡ଼ାକୁ ପୁଣି ଭଲକରି ଦେଖିଲା । ମାତ୍ର ଚିହ୍ନିପାରିଲା ନାହିଁ-। ସେ ଭାବିଲା–‘‘ବୁଢ଼ୀ ଯିଏ ହେଉ ପଛକେ ତାକୁ ଆଗତ ଭବିଷ୍ୟ ଜଣା ।’’

 

ଜାସନ ଉତ୍ତର କଲା, ‘‘ମୁଁ ଆୟଲକସ ରାଜ୍ୟକୁ ଯାଉଛି । ସେଠି ପେଲିଅସ ରାଜା ହୋଇ ବସିଛି । ସେ ରାଜ୍ୟ ଥିଲା ମୋ ବାପାଙ୍କର । ମୁଁ ଯାଉଛି, ତାକୁ ତଡ଼ି ବାପାଙ୍କ ରାଜ୍ୟରେ ପୁଣି ରାଜା ହେବି ।’’

 

ବୁଢ଼ୀ କହିଲା, ‘‘ଏଥିପାଇଁ ଏତେ ତରତର ହେଉଛୁ କାହିଁକି ? ମତେ ତୋ ପିଠିରେ ବସାଇ ନଈ ଆର ପାରିକି ନେଇଯାଆ । ତୋର ନଈ ପାରିହେବା ଯେମିତି ଦରକାର ମୁଁ ଆଉ ଏ ମୟୂର ମଧ୍ୟ ନଈ ପାରିହେବା ସେମିତି ଦରକାର । ମତେ ନେଇଯା, ବାପ !’’

 

ଜାସନ ଉତ୍ତର କଲା, ‘‘ମୁଁ ତୁମକୁ ନେଇ ନଈ ପାରି ହୋଇ ପାରିଲେ ଆନନ୍ଦରେ ତାହା କରନ୍ତି; କିନ୍ତୁ ଦେଖ, ନଈର ସୁଅ କେଡ଼େ ପ୍ରବଳ । ଏଥିରେ ପଶିଯିବାକୁ କିଏ ସାହସ କରିବ ? ତୁମକୁ ନେଇ ଯାଉ ଯାଉ ଗୋଡ଼ ଖସିଗଲେ ଦୁହେଁଯାକ ମରିବା । ଆଉ ଗୋଟିଏ କଥା, ତୁମକୁ ପିଠିରେ ବସାଇ ନେବାପାଇଁ ମୋର ବଳ ନାହିଁ ।’’

 

ବୁଢ଼ୀ କହିଉଠିଲା, ‘‘ଏଇ ସାମାନ୍ୟ କାମପାଇଁ ତ ତୋର ବଳ ନାହିଁ, ତୁ କିପରି ପେଲିଅସକୁ ସିଂହାସନରୁ ତଡ଼ିବୁ ବୋଲି ସାହସ କରିଛୁ ? ଆଉ ଗୋଟିଏ କଥା–ମୋ’ଭଳି ଗୋଟାଏ ବୁଢ଼ୀକୁ ଯେ ଟିକିଏ ସାହାଯ୍ୟ କରିପାରୁ ନାହିଁ, ସେ କଅଣ ରାଜା ହେବାକୁ ଯୋଗ୍ୟ ? ରାଜାମାନଙ୍କର କାମ ହେଲା, ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା । ତୁ ଯେବେ ମୋତେ ଟିକିଏ ସାହାଯ୍ୟ କରିପାରିବୁ ନାହିଁ, ତୁ କି ରାଜା ହେବୁ ?’’

 

ବୁଢ଼ୀର କଥାଗୁଡ଼ାକ ଜାସନକୁ ବାଧିଲା । ବୁଢ଼ୀ ଯାହା କହିଲା, ତା ମିଛ ନୁହେଁ । ଚିରନ ତାକୁ କେତେଥର ଶିଖାଇଛନ୍ତି–ଦୁର୍ବଳକୁ ସାହାଯ୍ୟ କରିବା ହେଉଛି ସବଳର କର୍ତ୍ତବ୍ୟ । ଆହୁରି ମଧ୍ୟ ତାଙ୍କର ଶିକ୍ଷା ହେଉଛି–ଯୁବତୀ ସ୍ତ୍ରୀ ମାତ୍ରେ ତୁମର ଭଉଣୀ ବୋଲି ମନେକରିବ; ବୁଢ଼ୀ ମାତ୍ରେ ତୁମର ମାଆ ବୋଲି ବିଚାରିବ । ସେ ବୁଢ଼ୀ କଥାରେ ଲଜ୍ଜିତ ହୋଇ କହିଲା, ‘‘ମାଆ, ତୁମ କଥା ସତ । ଆସ, ମୋ ପିଠିରେ ଲାଉ ହୋଇପଡ଼ । ମୁଁ ତୁମକୁ ନେଇ ନଦୀପାରି ହେବାକୁ ଚେଷ୍ଟା କରିବି ।’’ ବୁଢ଼ୀ କହିଲା, ‘‘ପୁଅ, ଈଶ୍ୱର ତୋର ମଙ୍ଗଳ କରିବେ । ତୁ କିଛି ଭୟ କରନା ଆମେ ନଈପାର ହୋଇଯିବା ।’’

 

ବୁଢ଼ୀ ଜାସନଙ୍କର ବେକକୁ ଧରି ତାଙ୍କ ପିଠିରେ ଲାଉ ହେଲା । ମୟୂର ଉଡ଼ିଯାଇ ବୁଢ଼ୀ କାନ୍ଧରେ ବସିଲା । ଜାସନ ଦୁଇ ହାତରେ ଗୋଟିଏ ଲେଖାଏଁ ବର୍ଚ୍ଛା ଧରି ନଈରେ ପଶି ଚାଲିଲେ । ନଈ ତଳଟା ପଥୁରିଆ । ତା ଉପରେ ଜାସନ ଧୀରେ ଧୀରେ ଚାଲୁଥାନ୍ତି । ସୁଅରେ ପାଦ ଟଳମଳ ହେଉଥାଏ । କ୍ରମେ ପାଣି ବେଶି ହେଲା । ବର୍ଚ୍ଛା ଦୁଇଟି ଉପରେ ଭରାଦେଇ ଯିବାକୁ ହେଉଥାଏ । ନଈ ମଝିରେ ହେଲାବେଳକୁ ଦେଖାଗଲା, କେତେ ଗଛ ସୁଅରେ ଉପୁଡ଼ି ଭାସିଯାଉଛି । ଗୋଟାଏ ଗଛ ଆସି ତାଙ୍କ ପାଖରେ ପହଞ୍ଚିଗଲା । ଜାସନ ଭାବିଲେ, ଗଛ ତାଙ୍କ ଦେହରେ ବାଜିଲେ ସେ ତା ସାଥିରେ ଭାସିଯିବେ । ମାତ୍ର ଦୈବଯୋଗକୁ ତାହା ହେଲାନାହିଁ । କିନ୍ତୁ ତାଙ୍କ ଗୋଡ଼ ଦୁଇଟା ପଥର ସନ୍ଧିରେ ଲାଗିଗଲା । ସେ ଗୋଡ଼ ବାହାରକରି ଆଣିବାକୁ ଟାଣି ଓଟାରି ହେଲେ । ଗୋଡ଼ ଦୁଇଟା ବାହାରିଆସିଲା; କିନ୍ତୁ ଗୋଟାଏ ଗୋଡ଼ର ଜୋତା ପଟକ କୁଆଡ଼େ ଭାସିଗଲା । ସେ ପାଟିକଲେ, ‘‘ଓଃ, ଗଲା, ଗଲା !’’

 

ବୁଢ଼ୀ ପଚାରିଲା, ‘‘ବାପ, ଏମିତି କାହିଁକି ହେଉଛୁ ?’’

 

ଜାସନ ଉତ୍ତର କଲେ, ‘‘ମୋର ପଟେ ଜୋତା କୁଆଡ଼େ ଭାସିଗଲା । ଏବେ ପଟେ ଜୋତା ପିନ୍ଧି ପେଲିଅସ ପାଖକୁ ଗଲେ ଲୋକେ କଅଣ କହିବେ ?’’

 

ଏହା ଶୁଣି ବୁଢ଼ୀ କହିଲା, ‘‘ସେଥିପାଇଁ ଚିନ୍ତା କରୁଛୁ କାହିଁକି ? ଜୋତା ପଟେ ହଜିଯିବା ତୋର ଭାଗ୍ୟର କଥା । ଏବେ ମୁଁ ତୋତେ ଠିକ୍ ଚିହ୍ନିଲି । ତୋରି କଥା ମତେ ଶାଗୁଆନ ଗଛ କହୁଥିଲା ।’’

 

ବୁଢ଼ୀ ଯାହା କହିଲା ସେକଥା ଭାବିବା ପାଇଁ ଜାସନଙ୍କର ବେଳ ନଥିଲା । ସେତେବେଳକୁ ପଥୁରିଆ ଆବଡ଼ାଖାବଡ଼ା ନଈରେ ଯିବାକୁ ତାଙ୍କୁ ବଡ଼ କଷ୍ଟ ହେଉଥାଏ । ଏଣେ ନଈର ଆର କୂଳ ପାଖ ହୋଇ ଆସୁଥାଏ । ଏତିକିବେଳକୁ ତାଙ୍କୁ ଜଣାପଡ଼ିଲା, ସତେ ଯେପରି ତାଙ୍କ ବଳ ଦଶଗୁଣ ବଢ଼ିଯାଇଛି । ଏହା କଅଣ ବୁଢ଼ୀକୁ ପିଠିରେ ପକାଇ ଆଣିବାର ଫଳ ?

 

ଆର କୂଳରେ ପହଞ୍ଚି ଜାସନ ଅତି ଧୀରେ ବୁଢ଼ୀକୁ ଘାସ ଉପରେ ଓହ୍ଲାଇଦେଲେ । ବୁଢ଼ୀ ତାଙ୍କୁ ଆଶୀର୍ବାଦ କରି କହିଲା, ‘‘ତୁ ଏତେ କଷ୍ଟ କରି ମତେ ଆଣିଲୁ । ଈଶ୍ୱର ତୋର ମଙ୍ଗଳ କରିବେ । ପଟେ ଜୋତା ହଜିଗଲା ବୋଲି ମନ ଦୁଃଖ କରିବୁ ନାହିଁ । ତୋର ଖାଲି ଗୋଡ଼ଟା ଦେଖି ପେଲିଅସ ଭୟରେ କମ୍ପିଉଠିବ । ଏହାଠାରୁ ସୁନ୍ଦର ଜୋତା ପିନ୍ଧିବାକୁ ତୋ ଭାଗ୍ୟରେ ଲେଖାଅଛି-। ଏବେ ତୋ ବାଟରେ ଯାଆ । ମୁଁ ଆଶୀର୍ବାଦ କରୁଛି । ତୁ ଯେତେବେଳେ ରାଜା ହୋଇ ସିଂହାସନରେ ବସିବୁ ସେତେବେଳେ ଏ ବୁଢ଼ୀଟା କଥା ଟିକିଏ ମନେପକାଉଥିବୁ ।’’

 

ବୁଢ଼ୀ ହସି ହସି ଏତିକି କହି ଛୋଟେଇ ଛୋଟେଇ ଚାଲିଗଲା । ବୁଢ଼ୀ ପଛେ ପଛେ ତା ମୟୂରଟି ପୁଚ୍ଛ ମେଲାଇ ଚାଲିଥାଏ । ବୁଢ଼ୀର ଆଖିର ଜ୍ୟୋତି, କଥା କହିବାର ଢଙ୍ଗ, ତାର ହସ, ଏସବୁ ଜାସନକୁ ଆଶ୍ଚର୍ଯ୍ୟ ଲାଗିଲା ।

 

କେତେଦିନ ଚାଲି ଚାଲି ଜାସନ ଆୟଲକସ ରାଜ୍ୟରେ ପହଞ୍ଚିଲେ । ସେ ସହରରେ ପଶିଲା କ୍ଷଣି ଲୋକେ ତାଙ୍କୁ ଦେଖି କୁହାକୋହି ହେଲେ, ‘‘ଦେଖିଲ, ଏତେଦିନ ପରେ ସେଇ ଲୋକ ଆସିଛି । ତା ପାଦରେ ପଟେ ଜୋତା ଅଛି ପରା ! ରାଜା ତାକୁ ଦେଖିଲେ କଅଣ କହିବେ-?’’

 

ଜାସନ ଲୋକମାନଙ୍କର ଏଭଳି କଥାବାର୍ତ୍ତା ଶୁଣିଲେ, ମାତ୍ର ଏଥିରୁ କିଛି ବୁଝିପାରିଲେ ନାହିଁ ।

 

ଜାସନ ସହରର ଲୋକ ଗହଳି ପାର ହୋଇ ସମୁଦ୍ରକୂଳରେ ପହଞ୍ଚିଲେ । ସେଠାରେ ବି ଅନେକ ଲୋକ ଜମିଥିଲେ । ସେତେବେଳକୁ ରାଜା ପେଲିଅସ ବେଦି ଉପରେ ଗୋଟାଏ କାଳିଆ ଷଣ୍ଢକୁ ବଳି ଦେବାକୁ ଯାଉଥିଲେ । ପୁରୋହିତ ମନ୍ତ୍ର ପଢ଼ିବା ପରେ ରାଜା ଗୋଟିଏ ଛୁରି ଧରି ଷଣ୍ଢକୁ ମାରିବାକୁ ଯାଉଛନ୍ତି, ସେତିକିବେଳେ ତାଙ୍କ ଆଖିପଡ଼ିଲା ଜାସନଙ୍କ ଉପରେ । ସେ ତାଙ୍କ ମୁଣ୍ଡଠାରୁ ପାଦଯାଏ ଚାହିଁଗଲେ । ଗୋଟାଏ ପାଦରେ ଜୋତା ନ ଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ପଚାରିଲେ, ‘‘ଯୁବକ, ତୁମେ କିଏ ? କାହିଁକି ଆସିଛ ?’’ ପାଖ ଲୋକମାନେ କହିବାକୁ ଲାଗିଲେ, ‘‘ଏବେ ସେଇ ଲୋକ ଆସିଛି । ଦେଖନ୍ତୁ, ତା ପାଦରେ ପଟେ ଜୋତା । ଯେଉଁ ଭବିଷ୍ୟଦ୍‍ବାଣୀ ଶୁଣିଥିଲେ, ତାହା ନିଶ୍ଚେ ଘଟିବ ।’’

 

ଅନେକବର୍ଷ ତଳେ ଜଣେ ବ୍ୟକ୍ତି ଭବିଷ୍ୟଦ୍‍ବାଣୀ କହିଥିଲେ ଯେ, ପେଲିଅସ ଦିନେ ରାଜ୍ୟ ଛାଡ଼ିବାକୁ ବାଧ୍ୟ ହେବେ । ପାଦରେ ପଟେ ଜୋତା ପିନ୍ଧିଥିବା ଜଣେ ଯୁବକ ତାଙ୍କୁ ସିଂହାସନରୁ ତଡ଼ି ରାଜା ହେବ । ସେହିଦିନଠାରୁ ପେଲିଅସ ରାଜ୍ୟରେ ଘୋଷଣା କରିଥିଲେ, ଯାହାର ଦୁଇପାଦରେ ଜୋତା ନ ଥିବ, ସେ ତାଙ୍କ ପାଖକୁ ଆସିପାରିବ ନାହିଁ । ଏବେ ସେ ଜାସନଙ୍କୁ ପଟେ ଜୋତା ପିନ୍ଧିଥିବାର ଦେଖି ତାଙ୍କ ମନରେ ଭୟ ହୋଇଗଲା । କିନ୍ତୁ ବାହାରେ ଭୟର କୌଣସି ଲକ୍ଷଣ ନ ଦେଖାଇ ସେ ଜାସନଙ୍କୁ କହିଲେ, ‘‘ତୁମେ ମୋ ରାଜ୍ୟକୁ ଆସିଥିବାରୁ ମୁଁ ଆନନ୍ଦିତ । ତୁମକୁ ଅଭିବାଦନ ଜଣାଉଛି । ମୋର ମନେହୁଏ, ତୁମେ ଜଣେ ବିଦେଶୀ ଲୋକ । ତୁମର ନାଆଁ କଅଣ ? କେଉଁଠାରୁ ଆସିଲ ?’’

 

ଯୁବକ ଉତ୍ତର କଲେ, ‘‘ମୋର ନାମ ଜାସନ । ମୁଁ ଗୁରୁ ଚିରନଙ୍କ ପାଖରେ ରହି ପଢ଼ୁଥିଲି । ପଢ଼ା ସାରି ଆସିଛି ।’’

 

ରାଜା ମନକଥା ମନରେ ରଖି କହିଲେ, ‘‘ଚିରନଙ୍କ ଛାତ୍ରମାନେ ଖୁବ୍ ବୁଦ୍ଧିମାନ୍, ଅନେକ କଥା ଜାଣନ୍ତି । ତୁମକୁ ମୁଁ ସ୍ୱାଗତ ଜଣାଉଛି । ଆଚ୍ଛା, ଚିରନଙ୍କ ଶିକ୍ଷାରେ ତୁମର ବୁଦ୍ଧି ବଢ଼ିଛିତ ?’’

 

ଜାସନ ଉତ୍ତର କଲେ, ‘‘ମୁଁ ଖୁବ୍ ଜ୍ଞାନ ଅର୍ଜିଛି ବୋଲି କହିପାରିବି ନାହିଁ । କିନ୍ତୁ ଆପଣ କୌଣସି ପ୍ରଶ୍ନ ପଚାରିଲେ ତାର ଯଥାସାଧ୍ୟ ଉତ୍ତର ଦେବି ।’’

 

ରାଜା ପଚାରିଲେ, ‘‘ଆଚ୍ଛା, ତୁମର ଯଦି କୌଣସି ଅନିଷ୍ଟକାରୀ ଶତ୍ରୁ ତୁମ ଘରକୁ ଆସିବ, ତେବେ ତୁମେ କଅଣ କରିବ ? ଯେବେ ସେ ଲୋକକୁ ତୁମେ ହାତରେ ପାଅ, ତେବେ କଅଣ କରିବ ?’’

 

ଜାସନ ବୁଝିପାରିଲେ ଯେ ରାଜାଙ୍କର ଉଦ୍ଦେଶ୍ୟ ଭଲ ନୁହେଁ । ତଥାପି ସେ ଭୟ ନ କରି ଉତ୍ତର କଲେ, ‘‘ଶତ୍ରୁ ମୋ ଆୟତ୍ତରେ ପଡ଼ିଲେ, ମୁଁ ତାକୁ ବିପଦରେ ପକାଇବାକୁ କୁଣ୍ଠିତ ହେବିନାହିଁ । ମୁଁ ତାକୁ ସୁନାର ଲୋମ ଆଣିବାପାଇଁ ପଠାଇଦେବି ।’’

 

ଜାସନ ‘ସୁନାର ଲୋମ ଆଣିବା’ କଥା କହିବାର ଗୋଟିଏ କାରଣ ଥିଲା । ଏଭଳି କଠିନ କାମ ଆଉ କିଛି ଥିବାର ଜଣାନଥିଲା । ଏହାକୁ ଆଣିବାକୁ ହେଲେ ଭୀଷଣ ସମୁଦ୍ର ପାରହେବାକୁ ପଡ଼େ । ସୁନାର ଲୋମ ଆଣିବାକୁ ଯେତେ ବୀର ଯାଇଥିଲେ, କେହି ଜଣେ ହେଲେ ପ୍ରାଣ ଘେନି ଫେରିନଥିଲେ ।

 

ରାଜା ପେଲିଅସ ଜାସନଙ୍କୁ କହିଲେ, ‘‘ମୁଁ ଦେଖୁଛି ଚିରନଙ୍କ ପାଖରେ ରହି ତୁମେ ଖୁବ୍‍ ଜ୍ଞାନ ଅର୍ଜିଛ । ଏବେ ମୋର ହୁକୁମ–ତୁମେ ଯାଇ ମୋ ପାଇଁ ସୁନାର ଲୋମ ନେଇ ଆସିବ ।’’

 

ଏଥିରେ ଜାସନ ଦବିନଯାଇ କହିଲେ, ‘‘ମହାରାଜ, ମୁଁ ଯିବାପାଇଁ ପ୍ରସ୍ତୁତ ଅଛି; କିନ୍ତୁ ମୁଁ ଯେବେ ସୁନାର ଲୋମ ନେଇ ଫେରିଆସେ, ତେବେ ଆପଣଙ୍କର ଏ ରାଜ୍ୟ ଓ ରାଜସିଂହାସନ ଅଧିକାର କରିବି ।’’

 

ରାଜା ଭାବିଲେ, ସୁନାର ଲୋମ ଆଣିବାକୁ ଯାଇ କେହି ଜଣେ ସୁଦ୍ଧା ଫେରିନାହାନ୍ତି । ଜାସନ ମଧ୍ୟ ସେମାନଙ୍କଭଳି ମରିବ । ତେବେ ଚିନ୍ତା କଅଣ ? ଏହିପରି ବିଚାରି ସେ କହିଲେ, ‘‘ବେଶ୍, ଭଲ କଥା । ତୁମେ ଯେବେ ଫେରିଆସିବ, ମୁଁ ରାଜଗାଦି ଛାଡ଼ିଦେବି, ତୁମେ ସିଂହାସନରେ ବସିବ । ସେତେଦିନ ଯାଏ ତୁମର ସିଂହାସନ ମୁଁ ଜଗି ରଖିଥିବି ।’’

 

ଜାସନ ରାଜାଙ୍କ ମନର ଭାବ ଜାଣିପାରିଲେ । ସେ ସୁନାର ଲୋମ ଆଣିବେ ବୋଲି ପ୍ରତିଜ୍ଞା କରି ବାହାରିଲେ । ତାଙ୍କର ମନେପଡ଼ିଗଲା, ଆସିଲାବେଳେ ବୁଢ଼ୀ କହୁଥିଲା, ଶାଗୁଆନ ଗଛଠାରୁ ସେ ତାଙ୍କ କଥା ଶୁଣିଥିଲା । ତେବେ ଆଗ ସେଇ ଶାଗୁଆନ ଗଛକୁ ପଚାରିବେ । ଯେଉଁ ଗଛ ମଣିଷ ପରି କଥା କହିପାରେ, ତାର ନିଶ୍ଚୟ ଅଦ୍ଭୁତ ଗୁଣ ଥିବ । ତା’ଠାରୁ ସାହାଯ୍ୟ ମିଳିବ ।

 

ଅନେକ ଅଞ୍ଚଳ ବୁଲି ବୁଲି ଜାସନ ଗୋଟିଏ ପ୍ରକାଣ୍ଡ ବଣରେ ପହଞ୍ଚିଲେ । ସେଇ ବଣ ମଝିରେ ଏକ ବିଶାଳ ଶାଗୁଆନ ଗଛ । ତାର ଡାଳଗୁଡ଼ାକ ବହୁ ଦୂର ଯାଏ ଲମ୍ୱିଯାଇଛି । ତାର ଗହଳ ପତ୍ର ଯୋଗୁଁ ଶହ ଶହ ଏକର ଜମି ଉପରେ ସୂର୍ଯ୍ୟକିରଣ ପଡ଼ିପାରୁନାହିଁ ।

 

ଜାସନ ଗଛମୂଳେ ଛିଡ଼ା ହୋଇ ଉପରକୁ ଚାହିଁ କହିଲେ, ‘‘ହେ ବୃକ୍ଷ ଦେବତା, ମୁଁ ସୁନାର ଲୋମ ଆଣିବାକୁ ବାହାରିଛି । ମୋତେ କଅଣ କରିବାକୁ ହେବ କହିଦିଅନ୍ତୁ ।’’

 

କିଛି ସମୟ ପରେ ପତ୍ର ମଧ୍ୟରେ ଖସ୍ ଖସ୍ ଶବ୍ଦ ଶୁଣାଗଲା । ଜାସନ ମନେକଲେ ପତ୍ରଗୁଡ଼ାକ ଆପଣା ଆପଣା ଭିତରେ ଫୁସ୍‍ଫୁସ୍‍ ହୋଇ କଅଣ ବିଚାର କରୁଛନ୍ତି । ଶବ୍ଦ ଆସ୍ତେ ଆସ୍ତେ ବଢ଼ିଲା । ଶେଷରେ ଗଛର ଗଣ୍ଡି ପାଖରୁ ଶୁଣାଗଲା, ‘‘ଜାସନ, ଆଗେ ତୁମେ ଆର୍ଗସ ପାଖକୁ ଯାଅ । ତାକୁ କହିବ, ସେ ତୁମପାଇଁ ଗୋଟିଏ ବଡ଼ ଜାହାଜ ତିଆରି କରିଦେବ । ସେଥିରେ ପଚାଶଟି ଆହୁଲା ଥିବ । ତାପରେ ଯାହା କରିବାର କଥା, ମୁଁ ପରେ କହିବି ।’’

 

ଜାସନ ସହରକୁ ଫେରିଯାଇ ଆର୍ଗସଙ୍କୁ ଭେଟିଲେ । ଆର୍ଗସ ଭଲ ଜାହାଜ ତିଆରି କରି ଜାଣନ୍ତି । ଜାସନ ତାଙ୍କୁ ଜାହାଜର ବରାଦ ଦେଲେ । ସେ ଏଥିପୂର୍ବରୁ ଏତେ ବଡ଼ ଜାହାଜ ତିଆରି କରିନଥିଲେ; କିନ୍ତୁ ଆର୍ଗସ ଓ ତାଙ୍କ କାରିଗରମାନେ ଜାସନଙ୍କ ବରାଦ ଅନୁସାରେ ଗୋଟିଏ ଜାହାଜ ତିଆରି କରିଦେଲେ । ସେଥିରେ ପଚାଶଟି ଆହୁଲା ଥିଲା । ଏହାକୁ ଆର୍ଗସ ତିଆରି କରିଥିବାରୁ ଜାହାଜର ନାମ ହେଲା ‘ଆର୍ଗୋ’ ।

 

ଜାହାଜ ଠିକ୍ ହୋଇଯିବାରୁ ଜାସନ ପୁଣି ଶାଗୁଆନ ଗଛ ପାଖକୁ ଯାଇ ପଚାରିଲେ, ‘‘ଜାହାଜ ହୋଇଗଲା । ଏବେ ମୁଁ କଅଣ କରିବି ?’’

 

ଏଥର ପତ୍ର ଗହଳିରୁ ଫୁସ୍‍ଫୁସ୍ ଶବ୍ଦ ଶୁଣାଗଲା ନାହିଁ । ଗଛର ଗୋଟିଏ ବଡ଼ ଡାଳ କହିଲା, ‘‘ମୋତେ କାଟି ନେଇ, ମୋ କାଠରେ ଗୋଟିଏ ମୂର୍ତ୍ତି ତିଆରି କରାଅ । ତାକୁ ଜାହାଜର ଆଗ ମୁଣ୍ଡରେ ଖଞ୍ଜିଦେବ ।’’

 

ସେ କାଳରେ ଜାହାଜର ଆଗ ମୁଣ୍ଡରେ ଗୋଟିଏ କାଠର ମୂର୍ତ୍ତି ଖଞ୍ଜା ଯାଉଥିଲା । ଲେଖଙ୍କର ବିଶ୍ୱାସ ଥିଲା, ଏଇ ମୂର୍ତ୍ତିରେ ଦେବତା ରହି ଜହାଜକୁ ଚଳାନ୍ତି ଓ ବିପଦରୁ ରକ୍ଷାକରନ୍ତି ।

 

ଗଛର ପରାମର୍ଶ ଅନୁସାରେ ଜାସନ ଗଛର ଡାଳଟିକୁ କଟାଇ ଜଣେ କାରିଗରକୁ ଦେଇ କହିଲେ, ‘‘ଏଥିରେ ମୋ ଜାହାଜ ପାଇଁ ଗୋଟିଏ ମୂର୍ତ୍ତି କରିଦିଅ ।’’ କାରିଗର କାମରେ ଲାଗିଲା । ତାକୁ ଜଣାପଡ଼ିଲା, ସତେଅବା ସେ ମୂର୍ତ୍ତି ଗଢ଼ୁନାହିଁ; କିଏ ଜଣେ ତା ହାତକୁ ଚଳାଇ ମୂର୍ତ୍ତି ଗଢ଼ୁଛି । କାମ ସରିବାରୁ ଦେଖାଗଲା, ଗୋଟିଏ ସୁନ୍ଦର ନାରୀ ମୂର୍ତ୍ତି ହୋଇଛି । ତା ମୁଣ୍ଡରେ ଏକ ଟୋପି, ମୁଣ୍ଡର ବାଳ କାନ୍ଧ ଉପରକୁ ଓହଳିପଡ଼ିଛି । ତା ହାତରେ ଏକ ଢାଲ । ତାର ଉପରେ ମେଦୁସାର ମୁଣ୍ଡର ଛବି । ମୁଣ୍ଡର ସାପଗୁଡ଼ାକ ମଧ୍ୟ ଛବିରେ ଦେଖାଯାଉଛି । ମୂର୍ତ୍ତିର ଡାହାଣ ହାତଟି ଆଗକୁ ପ୍ରସାରିତ ହୋଇ ରହିଛି । ଜାସନ ଏହି ସୁନ୍ଦର ମୂର୍ତ୍ତିଟିକୁ ଦେଖି ଖୁବ୍ ଆନନ୍ଦିତ ହେଲେ । ଏଥିରେ ଦେବୀଙ୍କର ମୂର୍ତ୍ତି ଠିକ୍ ଏଇପରି । ସେ ଭାବିଲେ ଯେ ଏହି ମୂର୍ତ୍ତିରେ ଏଥିନି ଦେବୀ ବିଜେ କରିଅଛନ୍ତି । ସେ ଏହି ମୂର୍ତ୍ତିଟି ନେଇ ଜାହାଜ ଆଗ ମୁଣ୍ଡରେ ଖଞ୍ଜିଦେଲେ ।

 

ଜାହାଜତ ପ୍ରସ୍ତୁତ ହୋଇଗଲା । ଏବେ ଜାସନ କଅଣ କରିବେ ? ଶାଗୁଆନ ଗଛର ପରାମର୍ଶ ମାଗିବାକୁ ସେ ବାହାରିଛନ୍ତି, ଏହି ସମୟରେ ଜହାଜର ସେହି ମୂର୍ତ୍ତି କହିଲେ, ‘‘ଆଉ ଗଛପାଖକୁ ଯିବାର ଆବଶ୍ୟକ ନାହିଁ । ତୁମର ଯାହା ଜାଣିବା କଥା ଏଣିକି ମତେ ପଚାରିବ ।’’

 

ମୂର୍ତ୍ତି କଥା କହିବାର ଶୁଣି ଜାସନ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ । ଗଛ କଥା କହୁଥିଲା, ଏବେ ସେ ଗଛର କାଠରେ ତିଆରି ହୋଇଥିବା ମୂର୍ତ୍ତି ମଧ୍ୟ କଥା କହୁଛି । ଏଥିରେ କିଏ ଅବା ଆଶ୍ଚର୍ଯ୍ୟ ହେବନାହିଁ ? ଜାସନ ସେହି ମୂର୍ତ୍ତିକୁ ପଚାରିଲେ, ‘‘ଜହାଜରେ ପଚାଶଟି ଆହୁଲା ଲାଗିଛି । ଏହାକୁ ଚଳାଇବା ପାଇଁ ପଚାଶଜଣ ନାଉରି ଦରକାର । ପୁଣି ନାଉରିମାନେ ଖୁବ୍‍ ବଳୁଆ ଓ ସାହସୀ ନ ହେଲେ ଚଳିବ ନାହିଁ । ବାଟରେ କେତେ ବିପଦ ପଡ଼ିପାରେ । ନାଉରିମାନେ ସେସବୁ ବିପଦ ସହିବାକୁ ପ୍ରସ୍ତୁତ ଥିବା ଆବଶ୍ୟକ । ଏପରି ନାଉରି ମୁଁ କାହୁଁ ପାଇବି ?’’

 

ମୂର୍ତ୍ତିଟି ଉତ୍ତର କଲା, ‘‘ସେଥିପାଇଁ ଚିନ୍ତା କରିବାର କାରଣ ନାହିଁ । ତୁମେ ଯାଇ ଗ୍ରୀସ୍‍ର ବୀରମାନଙ୍କୁ ଡାକ । ନାଉରିର ଅଭାବ ରହିବ ନାହିଁ ।’’

 

ଜାସନ ଗ୍ରୀସ୍‍ର ବଡ଼ ବଡ଼ ସହରକୁ ଲୋକ ପଠାଇ ଜଣାଇ ଦେଲେ, ସେ ସୁନାର ଲୋମ ଆଣିବାକୁ ଯାଉଛନ୍ତି । ସେ ଏହି କାର୍ଯ୍ୟରେ ଅଣଚାଶ ଜଣ ସାହସୀ ବୀର ଚାହାନ୍ତି । ସେମାନଙ୍କୁ ଜାହାଜ ଚଳାଇ ଦୂର ଦେଶକୁ ଯିବାକୁ ପଡ଼ିବ । ଜାସନ ନିଜେ ଗୋଟିଏ ଆହୁଲା ଚଳାଇବେ । ସେଥିପାଇଁ ସେ ପଚାଶଜଣ ପରିବର୍ତ୍ତେ ଅଣଚାଶଜଣ ଲୋକ ଖୋଜୁଥିଲେ ।

 

ଜାସନ ସୁନାର ଲୋମ ଆଣିବାକୁ ଯିବେ ଶୁଣି ଗ୍ରୀସ୍‍ର ବଡ଼ ବଡ଼ ସହରରୁ ବୀରମାନେ ଆସି ତାଙ୍କ ପାଖେ ପହଞ୍ଚିଗଲେ । ସେମାନଙ୍କ ଭିତରୁ ଅନେକେ ଏଥିପୂର୍ବରୁ ରାକ୍ଷାସମାନଙ୍କ ସଙ୍ଗେ ଯୁଦ୍ଧ କରି ସୁନାମ ଅର୍ଜିଥିଲେ; କେତେକ ଚିରନଙ୍କ ପାଖରୁ ଅନ୍ୟାନ୍ୟ ବିଦ୍ୟା ସଙ୍ଗେ ଯୁଦ୍ଧବିଦ୍ୟା ଶିଖିଥିଲେ । ସମସ୍ତଙ୍କ ମନରେ ଅପୂର୍ବ ଉତ୍ସାହ । ଜାସନଙ୍କ ସଙ୍ଗରେ ସୁନାର ଲୋମ ଆଣିବାକୁ ଯିବା କଅଣ କମ୍ ଭାଗ୍ୟର କଥା ! ଏହି ବୀରମାନଙ୍କ ଭିତରେ ଥିଲେ ହରକିଉଲସ, ଯାଆଁଳା ଭାଇ କାଷ୍ଟର ଓ ପୋଲକ୍‍ସ, ଥିସିଅସ୍, ଅର୍ଫିଅସ ପ୍ରଭୃତି । ଥିସିଅସ୍ ଏଥିପୂର୍ବରୁ ଗୋଟିଏ ରାକ୍ଷସ ମାରିଥିଲେ । ଅର୍ଫିଅସଙ୍କର ବୀରତ୍ୱ ଛଡ଼ା ଆଉ ଗୋଟିଏ ଗୁଣ ଥିଲା । ସେ ଏଡ଼େ ସୁନ୍ଦର ବାଦ୍ୟ ବଜାଇ ପାରୁଥିଲେ ଯେ ତାହା ଶୁଣିବାକୁ ବାଘ ଭାଲୁ ମଧ୍ୟ କାନଡେରି ରହୁଥିଲେ । ସେ ତାଙ୍କ ବୀଣାଟିକୁ କେବେ ହାତଛଡ଼ା କରୁନଥିଲେ ।

 

ଏମାନଙ୍କ ଛଡ଼ା ଜଣେ ବୀରାରମଣୀ ମଧ୍ୟ ଆସିଥିଲେ । ତାଙ୍କର ନାମ ହେଉଛି ଆଟଲାଣ୍ଟା । ପିଲାଦିନୁ ତାଙ୍କୁ ଗୋଟିଏ ଭାଲୁ ନେଇଯାଇ ପାହାଡ଼ ପର୍ବତ ଭିତରେ ଲୁଚାଇ ପାଳିଥିଲା । ସେ ଯେତେ ବେଗରେ ଦଉଡ଼ି ପାରୁଥିଲେ, ଆଉ କେହି ସେପରି ପାରୁନଥିଲେ । ଦଉଡ଼ିଲାବେଳେ ତାଙ୍କ ପାଦ ଭୂଇଁରେ ପଡ଼ିଲାଭଳି ଜଣାଯାଏ ନାହିଁ । ବଣ ଜଙ୍ଗଲରେ ବଢ଼ିଥିବାରୁ ସେ ବଣର ପଶୁମାନଙ୍କଭଳି ଚଞ୍ଚଳ ଥିଲେ । ସେ କି ଘରେ ରହି ରନ୍ଧାବଢ଼ା କରନ୍ତେ ନାଁ ଛୁଞ୍ଚି ସୂତା ଧରି ରୁମାଲ ସିଲେଇ କରନ୍ତେ ? ସେ କହୁଥିଲେ, ‘‘ଝିଅମାନେ କ’ଣ ପୁଅଙ୍କଠାରୁ ହୀନ ? ତାଙ୍କର ଯେମିତି ହାତ ଗୋଡ଼ ଅଛି, ଆମର ସେମିତି ହାତ ଗୋଡ଼ ଅଛି । ସେମାନେ ଯେବେ ଯୁଦ୍ଧ କରିବେ ଆମେ ନ କରିବା କାହିଁକି ?’’

 

ପବନ ଦେବତାଙ୍କର ଦୁଇଟି ପୁଅ ମଧ୍ୟ ଏହି ଦଳରେ ଥିଲେ । ସେ ଦୁହିଙ୍କର କାନ୍ଧ ପାଖରେ ଯୋଡ଼ିଏ ଲେଖାଏଁ ଡେଣା ଥିଲା । ସେମାନେ ଫୁଙ୍କିଦେଲେ ପବନରେ ଗଛପତ୍ର ଉଡ଼ିଯାଉଥିଲା । ଏଇଥିରୁ ତାଙ୍କର ବଳ ଜଣାପଡ଼ିବ । ମୋଟଉପରେ କୁହାଯାଇପାରେ, ଏମାନେ ସମସ୍ତେ ବୀରପଣ ଓ ସାହସରେ କେହି କାହାକୁ ଊଣା ନ ଥିଲେ ।

 

ଏବେ ବୀରମାନେ ଆହୁଲା ଧରି ଜାହାଜ ଚଳାଇବାକୁ ବସିଲେ । ଏତେ ବଡ଼ ଜାହାଜ । ଯେତେ ଚେଷ୍ଟା କଲେ ମଧ୍ୟ ଜାହାଜ ଚଙ୍କିଲା ନାହିଁ । ଜାହାଜ ଆଗରେ ଥିବା ମୂର୍ତ୍ତିଟି କହିଲା, ‘‘ଅର୍ଫିଅସ ବୀଣା ବଜାଇଲେ ଜାହାଜ ଚାଲିବ ।’’ ସତକୁ ସତ ଅର୍ଫିଅସ ବୀଣା ବଜାଇବାରୁ ଜାହାଜ ଚାଲିଲା । ପଚାଶଜଣ ଯାକ ଆହୁଲା ପକାଉଥାନ୍ତି । ଜାହାଜ ସମୁଦ୍ର ଉପରେ ଉଡ଼ିଗଲା ପରି ଚାଲିଥାଏ । ସେମାନେ କୂଳ ଛାଡ଼ିଲା ବେଳେ ଲୋକେ ସେମାନଙ୍କୁ ଆଶୀର୍ବାଦ କଲେ; ସେମାନଙ୍କର ଜୟଧ୍ୱନି କଲେ । କେବଳ ରାଜା ପେଲିଅସଙ୍କ ମନ ଖରାପ । ତାଙ୍କ ମନ ରାଗରେ ଜଳିଉଠୁଥାଏ । ସେ ଗୋଟାଏ ପାହାଡ଼ ଉପରେ ଛିଡ଼ା ହୋଇ ଜାହାଜ କୂଳ ଛାଡ଼ିବାର ଦେଖିଲେ । ଲୋକମାନଙ୍କର ଜୟଧ୍ୱନି ଶୁଣି ସେ ବିରକ୍ତ ହେଉଥାନ୍ତି; ଭାବୁଥାନ୍ତି, ଜାହାଜଟା ଝଡ଼ ତୋଫାନରେ ଖଣ୍ଡ ଖଣ୍ଡ ହୋଇଗଲେ ଭଲ ହୁଅନ୍ତା ।

 

ଜାହାଜ ଚଳାଉଥିବାବେଳେ ଜାସନଙ୍କ ସଙ୍ଗୀମାନେ କେବଳ ସୁନାର ଲୋମ ବିଷୟରେ ଗପ କରୁଥାନ୍ତି । ସମସ୍ତେ ଏହି କଥା ଶୁଣିଥିଲେ, କିନ୍ତୁ କେହି ଏହାକୁ ସ୍ୱଚକ୍ଷୁରେ ଦେଖିନଥିଲେ । ଲୋମ ସିନା ମେଣ୍ଢା ଦେହରେ ଥାଏ–ସୁନାର ଲୋମ କଅଣ ?

 

ଏଠାରେ ଏହି ସୁନାର ଲୋମ କଅଣ, କହି ରଖିବା ଦରକାର । ଅତି ପୂର୍ବ କାଳରେ ଗୋଟିଏ ମେଣ୍ଢା ଥିଲା । ଥରେ ସେ ଦୁଇଟି ପିଲାଙ୍କୁ ବିପଦରୁ ରକ୍ଷା କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲା । ପିଲା ଦିଓଟି ହେଉଛନ୍ତି ଭାଇ ଭଉଣୀ । ସେ ଏହି ପିଲା ଦିଓଟିଙ୍କୁ ପିଠିରେ ବସାଇ କେତେ ରାଜ୍ୟ, କେତେ ସମୁଦ୍ର ବୁଲିଲା । ଶେଷରେ କଲ୍‍ଚିସ୍‍ ବୋଲି ଗୋଟିଏ ବନ୍ଦରରେ ପହଞ୍ଚିଲା । ଏହିଠାରେ ଭଉଣୀଟି ମେଣ୍ଢା ପିଠିରୁ ଖସିପଡ଼ି ସମୁଦ୍ରରେ ବୁଡ଼ି ମଲା । ଝିଅଟିର ନାଆଁ ଥିଲା ହେଲି । ତେଣୁ ସେ ଯେଉଁଠାରେ ବୁଡ଼ି ମଲା ସେ ସ୍ଥାନର ନାମ ହେଲା ହେଲିସପଣ୍ଟ । ଏବେ ମଧ୍ୟ ଏସିଆ ଓ ଇଉରୋପର ମିଳନ ସ୍ଥଳରେ ହେଲିସପଣ୍ଟ ରହିଛି । ପୁଅଟିର ନାମ ଥିଲା ଫ୍ରିକ୍‍ସସ୍-। ସେ ମେଣ୍ଢା ପିଠିର ଲୋମକୁ ଧରି ବସି ରହିଲା । ଶେଷରେ ସେ ନିରାପଦରେ ଓହ୍ଲାଇଲା-

 

ଏତେବାଟ ପିଲା ଦୁଇଟିଙ୍କୁ ପିଠିରେ ବସାଇ ବୁଲି ବୁଲି ମେଣ୍ଢାଟିର ଦେହରେ ଆଉ ବଳ ନଥିଲା । ପୁଅଟି ତା ପିଠିରୁ ଯେମିତି ବାଲି ଉପରେ ଓହ୍ଲାଇ ପଡ଼ିଛି, ସେମିତି ମେଣ୍ଢାଟିର ପ୍ରାଣ ଛାଡ଼ିଗଲା । ସାମାନ୍ୟ ମେଣ୍ଢାଟିର ଏହି କାର୍ଯ୍ୟରେ ଦେବତାମାନେ ସନ୍ତୁଷ୍ଟ ହୋଇ ତାର ଚମଡ଼ାକୁ ସୁନା କରିଦେଲେ । ତା ଦେହରୁ ଏକ ପ୍ରକାର ଜ୍ୟୋତି ବାହାରିଲା । ସମଗ୍ର ପୃଥିବୀରେ ଏହାଭଳି ଅପୂର୍ବ ଦ୍ରବ୍ୟ ଆଉ କିଛିନଥିଲା । ଗୋଟିଏ ଗଛ ଡାଳରେ ଏହି ବିଚିତ୍ର ଚମଡ଼ାଟି ଓହଳିଥାଏ । ତାର ଲୋମର ଜ୍ୟୋତିରେ ସେ ଅଞ୍ଚଳଯାକ ଆଲୁଅ ହୋଇଯାଉଥାଏ । ଏହାକୁ କାଳେ କିଏ ନେଇଯିବ ବୋଲି ଗୋଟାଏ ଦୈତ୍ୟ ଗଛମୂଳେ ଏହାକୁ ଜଗି ରହିଥାଏ । କେତେ ବୀର, କେତେ ରାଜାଙ୍କର ଏହି ସୁନା ଲୋମ ଉପରେ ଲୋଭ ।

 

କେତେ ଲୋକ ଏହାକୁ ନେବାପାଇଁ ଚେଷ୍ଟା କରି ପ୍ରାଣ ହରାଇ ଥିଲେ, ତାର ସଂଖ୍ୟା ନାହିଁ । ଏବେ ଜାସନ ଓ ତାଙ୍କ ସଙ୍ଗୀମାନେ ଏହି ସୁନାର ଲୋମ ନେବେ ବୋଲି ବାହାରିଥିଲେ ।

 

ସେମାନଙ୍କୁ ବାଟରେ ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼ିଥିଲା, କେତେ ଅସୁର ମାରିବାକୁ ହୋଇଥିଲା । ଯାହାହେଉ ସେମାନେ ଏସବୁ ବିପଦ ପାରହୋଇ ଗଲେ ।

 

ଏଥି ମଧ୍ୟରେ ଯେଉଁ ଫ୍ରିକ୍‍ସସ୍‍ଙ୍କୁ ମେଣ୍ଢା ରକ୍ଷା କରିଥିଲା, ସେ ରାଜା ହୋଇଥିଲେ । ତାଙ୍କର ଦୁଇ ପୁଅ । ଜାସନଙ୍କର ଏହି ରାଜପୁତ୍ର ଦୁହିଙ୍କ ସଙ୍ଗେ ଦେଖାହେଲା । ସେ ଦୁହେଁ ଜାସନଙ୍କୁ କହିଲେ, ‘‘କଲ୍‍ଚିସରେ ଯେଉଁଠାରେ ସୁନାର ଲୋମ ରହିଛି, ତାହା ଆମମାନଙ୍କୁ ଜଣା । ଆମେ ବାଟ ଦେଖାଇଦେବୁ ।’’

 

କଲ୍‍ଚିସ୍ ଯେଉଁ ରାଜ୍ୟରେ, ତାର ରାଜା ଥିଲେ ଏଇଟିସ । ଯେଉଁ ସାୟାର୍ସର କଥା ତୁମେ ଆଗରୁ ଶୁଣିଛ, ସେ ହେଉଛି ଏହି ଏଇଟିସଙ୍କର ଭଉଣୀ । ଭଉଣୀ ମନ୍ତ୍ର ବଳରେ କେତେ ମଣିଷଙ୍କୁ ପଶୁ ପକ୍ଷୀ କରିଦେଇ କଷ୍ଟ ଦେଇଥିଲା । ଏ ରାଜା ମଧ୍ୟ ସେହିପରି ନିର୍ଦ୍ଦୟ ଥିଲେ । ଲୋକଙ୍କର କଷ୍ଟ ଦେଖିଲେ ସେ ଆନନ୍ଦ ପାଉଥିଲେ । ପୁଣି ତାଙ୍କର ଇଚ୍ଛା, ସୁନାର ଲୋମ ସେ ନିଜେ ରଖିବେ ।

 

ଜାସନଙ୍କୁ ଦେଖି ରାଜା ଏଇଟିସ କହିଲେ, ‘‘ତୁମେ ସୁନା ଲୋମ ନେବ ବୋଲି ଆସିଛ ସତ; କିନ୍ତୁ ସେଠାକୁ ଯିବାକୁ ହେଲେ ତୁମକୁ କଅଣ କରିବାକୁ ହେବ ଜାଣ ?’’

 

ଜାସନ ଉତ୍ତର କଲେ, ‘‘ମୁଁ ଶୁଣିଛି ଯେ ଯେଉଁ ଗଛରେ ସୁନା ଲୋମ ଝୁଲୁଛି ତା ମୂଳରେ ଗୋଟାଏ ରାକ୍ଷସ ଜଗିରହିଥାଏ । ସେ କୁଆଡ଼େ ଏଡ଼େ ଭୟଙ୍କର ଯେ ମଣିଷ ଦେଖିଲାମାତ୍ରେ ଏକାଥରକେ ଗିଳିଦିଏ ।’’

 

ରାଜା କହିଲେ, ‘‘ଯାହା ଶୁଣିଛ ସେକଥା ସତ । ମାତ୍ର ସେଠାକୁ ଯିବା ପୂର୍ବରୁ ତୁମକୁ ଆହୁରି ଅନେକ କାମ କରିବାକୁ ପଡ଼ିବ । ମୋର ଯୋଡ଼ିଏ ଷଣ୍ଢ ଅଛନ୍ତି । ସେ ଯୋଡ଼ିକୁ ସ୍ୱର୍ଗର କାରିଗର ଭଳ୍‍କାନ ତିଆରି କରି ମୋତେ ଦେଇଛନ୍ତି । ତାଙ୍କର ଦେହ ପିତ୍ତଳର ଓ ପେଟ ଭିତରେ ଚୁଲିପରି ସବୁବେଳେ ନିଆଁ ଜଳୁଥାଏ । ନିଶ୍ୱାସ ନେଲାବେଳେ ତାଙ୍କ ନାକ ଓ ପାଟିରୁ ନିଆଁ ବାହାରୁଥାଏ ଓ କେହି ସେମାନଙ୍କ ପାଖକୁ ଗଲାମାତ୍ରେ ସେ ସେହି ନିଆଁରେ ପୋଡ଼ି ପାଉଁଶ ହୋଇଯାଏ । ଆଗେ ସେ ଷଣ୍ଢ ଦୁହିଙ୍କୁ ଆୟତ୍ତ କରିବାକୁ ପଡ଼ିବ । ତୁମେ ଏହା କରିପାରିବତ ?’’

 

ଜାସନ କହିଲେ, ‘‘ମୁଁ ଯେକୌଣସି ବିପଦ ପାଇଁ ପ୍ରସ୍ତୁତ ହୋଇ ଆସିଛି । ଷଣ୍ଢମାନଙ୍କୁ ଜବତ କରିପାରିବି ।’’

 

ରାଜା ପୁଣି କହିଲେ, ‘‘ଖାଲି ଷଣ୍ଢ ଦୁଇଟାକୁ ଆୟତ୍ତ କଲେ ହେବନାହିଁ , ସେ ଦୁହିଙ୍କୁ ଲଙ୍ଗଳରେ ଯୋଚି ସହର ମୁଣ୍ଡରେ ଥିବା ପଡ଼ିଆକୁ ହଳ କରିବାକୁ ପଡ଼ିବ ଓ ହଳ କରିସାରି ସେଥିରେ ଅସୁରର ଦାନ୍ତ ବୁଣିବ । କିଛି ସମୟ ପରେ ସେହି ଦାନ୍ତରୁ ଗୋଟାଏ ପ୍ରକାଣ୍ଡ ସୈନ୍ୟ ଦଳ ଭୂଇଁ ଭେଦି ବାହାରିବେ । କାଡ଼୍‍ମସ୍ ବୋଲି ଜଣେ ବୀର ଅସୁରର ସେହି ଦାନ୍ତଗୁଡ଼ିକ ଓପାଡ଼ି ଦେଇ ରଖିଯାଇ ଅଛନ୍ତି । ସେ ଦାନ୍ତର ଅଦ୍ଭୁତ ଗୁଣ । ସେଥିରୁ ଯେଉଁ ସୈନ୍ୟ ବାହାରିବେ ସେମାନଙ୍କୁ ଯୁଦ୍ଧରେ ମାରିବାକୁ ହେବ । ତୁମେ ମୋଟେ ପଚାଶ ଜଣ ଆସିଛ । ଏତେ ସୈନ୍ୟଙ୍କୁ ମାରିବ କିପରି-?’’

 

ଜାସନ ଉତ୍ତର କଲେ, ଚିରନଙ୍କ ପାଖେ ପଢ଼ିଲାବେଳେ ତାଙ୍କଠାରୁ ସେ ଅସୁର ଓ କାଡ଼୍‍ମସ୍‍ଙ୍କ କଥା ଶୁଣିଛି । ଦାନ୍ତରୁ ଯେଉଁ ସୈନ୍ୟମାନେ ବାହାରିବେ ସେମାନଙ୍କୁ ଜବତ କରିପାରିବି ବୋଲି ମୋର ସାହସ ହେଉଛି ।’’

 

ଏଇଟିସ ମନେ ମନେ ଭାବିଲେ, ‘‘ପିଲା ମନେ ମନେ ଖୁସି ହେଉଛି । ଆଗ ମୋ ଷଣ୍ଢଙ୍କ ହାବୁଡ଼େ ପଡ଼ିଯାଉ । ସେତେବେଳେ ମଜା ବାହାରିଯିବ ।’’ ତାହାପରେ ଜାସନଙ୍କୁ ଶୁଣାଇ ସେ କହିଲେ, ‘‘ବେଶ୍, କାଲି ସକାଳେ ଦେଖିବା, ତୁମେ କିପରି ହଳ କରି ସାରିଥିବ ।’’

 

ରାଜା ଓ ଜାସନଙ୍କ ଭିତରେ କଥାବାର୍ତ୍ତା ଚାଲିଥିଲା ବେଳେ ଗୋଟିଏ ସୁନ୍ଦରୀ ଝିଅ ରାଜାଙ୍କ ସିଂହାସନ ପଛରେ ଛିଡ଼ା ହୋଇ ସବୁ ଶୁଣୁଥିଲା । ଜାସନ ରାଜାଙ୍କ ପାଖରୁ ଚାଲିଗଲା ପରେ ସେ ଘରୁ ବାହାରିଆସି ତାଙ୍କୁ ଭେଟି କହିଲା, ‘‘ଜାସନ, ମୁଁ ହେଉଛି ରାଜାଙ୍କର ଝିଅ । ମୋର ନାଆଁ ମିଡ଼ିଆ । ମୋଠାରେ ତୁମର ବିଶ୍ୱାସ ଥିଲେ, ତୁମେ ମୋ କଥା ଅନୁସାରେ କାମ କର । ରାଜାଙ୍କ ଷଣ୍ଢଙ୍କୁ କିପରି ଆୟତ୍ତ କରିହେବ, ସେ ଉପାୟ ମୁଁ ବତାଇଦେବି ।’’

 

ଜାସନ ଏହି ପ୍ରସ୍ତାବରେ ଆନନ୍ଦରେ ସ୍ୱୀକୃତ ହୋଇ ରାଜକନ୍ୟାଙ୍କୁ ଧନ୍ୟବାଦ ଦେଇ କହିଲେ, ‘‘ତୁମର ସାହାଯ୍ୟ ପାଇଁ ଜୀବନଯାକ ଋଣୀ ରହିବି । ତୁମେ ଖୁବ୍ ବୁଦ୍ଧିମତୀ । ତୁମେ କିଛି ଗୁଣିବିଦ୍ୟା ଜାଣ କି ?’’

 

ରାଜକନ୍ୟା ଉତ୍ତର ଦେଲେ, ‘‘ହଁ, ଜାଣେ । ମୋର ପିଉସୀ ସାୟାର୍ସ ସେ ବିଦ୍ୟାରେ ଧୁରନ୍ଧର । ତାଙ୍କଠାରୁ ମୁଁ କିଛି ଶିଖିଛି । ତୁମର ଯଦି ପ୍ରକୃତରେ ସାହସ ଥାଏ, ତେବେ ମୁଁ ତୁମକୁ ସାହାଯ୍ୟ କରିବି । ମୋ ବାପାଙ୍କ ଷଣ୍ଢର ନିଶ୍ୱାସରେ ଯେ କେହି ପୋଡ଼ି ପାଉଁଶ ହୋଇଯିବ । କିନ୍ତୁ ମୁଁ ତୁମକୁ ଗୋଟିଏ ତୈଳ ଦେବି । ତାହାକୁ ମୁଁ ମନ୍ତ୍ର କରିଛି । ଦେହରେ ତାହା ଲଗାଇଲେ ତୁମ ଦେହ ଷଣ୍ଢର ନିଶ୍ୱାସ ନିଆଁରେ ପୋଡ଼ିଯିବ ନାହିଁ । ଏହା କହି ସେ ଜାସନଙ୍କ ଦେହରେ କିଛି ତେଲ ବୋଳିଦେଲେ । ତାପରେ ଜାସନଙ୍କ ହାତରେ ଗୋଟିଏ ସୁନାର ଫରୁଆ ଦେଇ କହିଲେ, ‘‘ଏଥିରେ ଗୋଟାଏ ଔଷଧ ଅଛି । ଏହି ଫରୁଆକୁ ଧରି ରାତିଅଧରେ ନଅର ଆଗରେ ମୋ ସଙ୍ଗେ ଦେଖାକରିବ । ତେଣିକି କଅଣ କରିବାକୁ ହେବ ମୁଁ କହିଦେବି । ତୁମେ ଭୟ ନ କରି କାମ କଲେ, ପାହାନ୍ତିଆ ବେଳକୁ ଷଣ୍ଢ ଦୁଇଟି ତୁମର ବଶ ହୋଇଯାଇଥିବେ ।’’

 

ରାଜକନ୍ୟା ଚାଲିଗଲେ । ଏଣେ ଜାସନ ତାଙ୍କ ସଙ୍ଗୀମାନଙ୍କ ପାଖକୁ ଯାଇ ସବୁକଥା ଜଣାଇ ଦେଲେ ଓ ସମସ୍ତେ ପ୍ରସ୍ତୁତ ହୋଇ ରହିବାକୁ ପରାମର୍ଶ ଦେଲେ ।

 

ରାତି ଅଧରେ ଜାସନ ନଅର ଆଗରେ ମିଡ଼ିଆଙ୍କୁ ଦେଖିଲେ । ମିଡ଼ିଆ ତାଙ୍କ ହାତକୁ ଗୋଟିଏ ଟୋକେଇ ବଢ଼ାଇ ଦେଇ କହିଲେ ଯେ ସେଥିରେ ଅସୁରର ଦାନ୍ତ ଅଛି । ସହରର ଲୋକେ ସେତେବେଳକୁ ଶୋଇ ପଡ଼ିଥିଲେ । ଜାସନ ମିଡ଼ିଆଙ୍କ ପଛେ ପଛେ ଚାଲିଲେ । ଦୁହେଁଯାକ ସହର ମୁଣ୍ଡରେ ଥିବା ଏକ ବଡ଼ ପଡ଼ିଆରେ ପହଞ୍ଚିଲେ । ଏହି ପଡ଼ିଆକୁ ହଳ କରି ସେଥିରେ ଅସୁରର ଦାନ୍ତ ବୁଣିବାକୁ ହେବ । ସେତେବେଳକୁ ଷଣ୍ଢ ଦୁଇଟା ପଡ଼ିଆର ଗୋଟାଏ ମୁଣ୍ଡରେ ଥାଆନ୍ତି । ମିଡ଼ିଆ ଚୁପ୍‍କରି ଜାସନଙ୍କ କାନ ପାଖରେ କହିଲେ, ‘‘ଏଇ, ସେ ପଟେ ଷଣ୍ଢ ଦୁଇଟା ଅଛନ୍ତି । ସେମାନେ ତୁମକୁ ଦେଖିଲାମାତ୍ରେ ପବନପରି ମାଡ଼ି ଆସିବେ । ତାଙ୍କର ନାକ ଓ ପାଟିରୁ ନିଆଁ ବାହାରିବା ଦେଖି ଡରିଯିବ ନାହିଁ ।’’

 

ଜାସନଙ୍କ ମନରେ ସନ୍ଦେହ ଆସୁଥାଏ । ସେ ପଚାରିଲେ, ‘‘ତୁମେ ନିଶ୍ଚୟ କରି ଜାଣ ଯେ, ଏ ତେଲ ଯୋଗେ ମୋ ଦେହ ପୋଡ଼ିଯିବ ନାହିଁ ?’’

 

ମିଡ଼ିଆ ଉତ୍ତର କଲେ, ‘‘ତୁମର ଯେବେ ମନରେ ଟିକିଏ ହେଲେ ସନ୍ଦେହ ହେଉଛି, ତେବେ ଏଇଠାରୁ ଫେରିଯାଅ । ଯାହାର ମନ ଦୁର୍ବଳ, ସେ ଏଭଳି କାମରେ ହାତଦେବା ଉଚିତ ନୁହେଁ ।’’

 

ଜାସନ ମନ ଦୃଢ଼ କରି ଏତେ ବାଟ ଆସିଛନ୍ତି । ସେ କଅଣ ଏଡ଼େ ଭୀରୁ ଯେ ପଳାଇ ଯାଆନ୍ତେ ! ସେ ଖୁବ୍ ସାହସରେ କିଛିଦୂର ଆଗକୁ ଯାଇ ଦେଖିଲେ, ଗୋଟାଏ ଆଲୁଅ ଦିଶୁଛି । ଡାହାଣୀ ଆଲୁଅ ପରି ଜଳିଉଠୁଛି, ପୁଣି ଲିଭିଯାଉଛି । ଏହି ଆଲୁଅ ଷଣ୍ଢ ଦୁଇଟାଙ୍କର ନାକରୁ ବାହାରୁଥିଲା । ଜାସନ ଯେତିକି ଆଗକୁ ଗଲେ ନିଆଁ ସେତିକି ଉଜ୍ଜ୍ୱଳ ଦେଖାଗଲା । ସେ ଗୋଟାଏ ଗଛ ମୂଳରେ ଛିଡ଼ାହୋଇ ରହିଲେ ।

 

ଏଥିମଧ୍ୟରେ ଷଣ୍ଢଦୁଇଟାର ନିଦ ଭାଙ୍ଗିଗଲା । ଦୁହିଙ୍କର ମୁହଁରୁ ଏତେ ନିଆଁ ବାହାରିଲା ଯେ ଗଛଟା ଜଳିଉଠିଲା; ପଡ଼ିଆଯାକ ଦିନଭଳି ଆଲୁଅ ହୋଇଗଲା । ଜାସନଙ୍କୁ ଦେଖିପାରି ଷଣ୍ଢ ଦୁଇଟା ଜାସନଙ୍କ ପାଖକୁ ମାଡ଼ିଆସିଲେ । ମାତ୍ର ତୈଳ ଗୁଣରୁ ସେମାନଙ୍କ ନିଆଁରେ ତାଙ୍କ ଦେହରେ ଫୋଟକାଟାଏ ସୁଦ୍ଧା ହେଲାନାହିଁ ।

 

ଜାସନ ଜଗିରହିଲେ । ଷଣ୍ଢଦୁଇଟା ତାଙ୍କ ପାଖକୁ ଶିଙ୍ଘ ଉଞ୍ଚାଇ ମାଡ଼ି ଆସିଲା କ୍ଷଣି ସେ ଗୋଟାକର ଶିଙ୍ଘ ଓ ଆଉ ଗୋଟାକର ଲାଞ୍ଜ ଧରିପକାଇଲେ । ଜାସନଙ୍କ ଏହି ସାହସ ଦେଖି ଷଣ୍ଢଦୁଇଟାର ଭୟ ହୋଇଗଲା । ସେମାନେ ଆଉ ଜାସନଙ୍କୁ ମାରିବାକୁ ସାହସ କଲେ ନାହିଁ । ଜାସନ ଷଣ୍ଢ ଦୁଇଟିକୁ ନେଇ ଲଙ୍ଗଳରେ ଯୋଚିଦେଲେ । ଏଣିକି ସେମାନଙ୍କ ନାକରୁ କିମ୍ୱା ମୁହଁରୁ ନିଆଁ ବାହାରିଲା ନାହିଁ ଓ ପୋଷା ବଳଦ ପରି ଜାସନଙ୍କ କଥା ମାନି ଚାଲିଲେ ।

 

ଜାସନ ଚିରନଙ୍କ ପାଖରୁ କିପରି ହଳ କରିବାକୁ ହୁଏ ଶିଖିଥିଲେ । ଚାହୁଁ ଚାହୁଁ ପଡ଼ିଆଟାଯାକ ଚାଷ ହୋଇଗଲା । ସେତେବେଳକୁ ରାତି ତିନିପହର ହେବ । ଆକାଶରେ ଚନ୍ଦ୍ର ପଡ଼ିଥାନ୍ତି ।

 

ମିଡ଼ିଆ ଦେଇଥିବା ଟୋକେଇରୁ ଅସୁର ଦାନ୍ତ ବାହାର କରି ଜାସନ ପଡ଼ିଆଯାକ ବୁଣିଦେଲେ । ରାଜକନ୍ୟା ଜାସନଙ୍କର ସାହସ ଦେଖି ମନେ ମନେ ସନ୍ତୁଷ୍ଟ ହେଲେ । ତାଙ୍କର ବିଶ୍ୱାସ ହେଲା, ଜାସନ ସୁନାର ଲୋମ ନେଇପାରିବେ ।

 

ମିଡ଼ିଆ ଜାସନଙ୍କ ପାଖେ ପାଖେ ରହି ତାଙ୍କୁ ଉତ୍ସାହ ଦେଉଥାନ୍ତି । ଅସୁର ଦାନ୍ତ ବୁଣା ହେଲା ପରେ କଅଣ ହେବ ବୋଲି ଜାସନ ପଚାରିବାରୁ ମିଡ଼ିଆ କହିଲେ, ‘‘କିଛି ସମୟ ପରେ ଦାନ୍ତଗୁଡ଼ିକରୁ ସୈନ୍ୟମାନେ ବାହାରିବେ । ସେତେବେଳେ ସେମାନଙ୍କୁ ମାରିବାକୁ ହେବ । ତୁମେ ଟିକିଏ ଅପେକ୍ଷା କରି ରହ ।’’

 

ଚନ୍ଦ୍ରକିରଣ ପଡ଼ିଥାଏ । ହଳ ହୋଇଥିବା ପଡ଼ିଆ ସ୍ପଷ୍ଟ ଦେଖାଯାଉଥାଏ । ଜାସନ ପଡ଼ିଆକୁ ଚାହିଁ ରହିଥାନ୍ତି । କିଛି ସମୟ ପରେ ପଡ଼ିଆଯାକରେ ବର୍ଚ୍ଛାର ଅଗ୍ରଭାଗ ଦେଖାଗଲା । କ୍ରମେ ସୈନ୍ୟମାନଙ୍କ ମୁଣ୍ଡର ଟୋପି, ତାପରେ ସେମାନଙ୍କ ମୁହଁ ଦେଖାଗଲା । ଆଉ କିଛି ସମୟ ପରେ ସେମାନଙ୍କ ଦେହର ସାଞ୍ଜୁ ଦେଖାଗଲା । ପ୍ରତ୍ୟେକଙ୍କ ଡାହାଣ ହାତରେ ଖଣ୍ଡା ଓ ବାଁ ହାତରେ ଢାଲ । ଜାସନ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି । ଅଳ୍ପ ସମୟ ମଧ୍ୟରେ ସମଗ୍ର ପଡ଼ିଆଟି ଅସ୍ତ୍ରଧାରୀ ସୈନ୍ୟରେ ପୂରିଗଲା । ପ୍ରତି ଦାନ୍ତ ଗୋଟିଏ ଲେଖାଏଁ ସୈନ୍ୟ ହୋଇ ଯୁଦ୍ଧ କରିବାକୁ ବାହାରିପଡ଼ିଲେ ।

 

ଏହି ସୈନ୍ୟମାନେ ଚିତ୍କାର କରିଉଠିଲେ, ‘‘ଶତ୍ରୁ କାହିଁ ? ଆମେ ତାକୁ ମାରି ଶେଷ କରିଦେବୁ । ଯୁଦ୍ଧରେ ଶତ୍ରୁକୁ ମାରିବୁ ବା ନିଜେ ମରିବୁ, ଏଇ ଆମର ପ୍ରତିଜ୍ଞା । ଆସ ଭାଇମାନେ ! ଶତ୍ରୁ ଉପରେ ମାଡ଼ିଯିବା । ଯୁଦ୍ଧରେ ଜିଣିବା ବା ମରିବା ।’’ ଏହିପରି କହି ସେମାନେ ପଡ଼ିଆଯାକ ଦୌଡ଼ିଲେ ।

 

ଜାସନ ଦୂରରେ ରହି କିପରି ଏହି ସୈନ୍ୟମାନଙ୍କୁ ବିନାଶ କରିବେ ତାହା ଚିନ୍ତା କରୁଥିଲେ । ତାଙ୍କ ଉପରେ ଦୃଷ୍ଟି ପଡ଼ିଲାକ୍ଷଣି ସୈନ୍ୟମାନେ ତାଙ୍କୁ ଶତ୍ରୁ ମନେକରି ତାଙ୍କ ଉପରକୁ ମାଡ଼ିଆସିଲେ । ମିଡ଼ିଆ ଏ ଅବସ୍ଥା ଦେଖି ଜାସନଙ୍କ ହାତକୁ ଖଣ୍ଡେ ପଥର ବଢ଼ାଇ ଦେଇ କହିଲେ, ‘‘ଶୀଘ୍ର ଏ ପଥର ଖଣ୍ଡିକ ସୈନ୍ୟଦଳ ଉପରକୁ ଫିଙ୍ଗିଦିଅ ।’’ ଜାସନ ପଥରଟି ଫିଙ୍ଗିଦେବାରୁ ତାହା ଜଣକର ଟୋପିରେ, ତାପରେ ଜଣକର ଢାଳରେ ଓ ଶେଷରେ ଅନ୍ୟ ଜଣକର ନାକରେ ବାଜି ତଳେ ପଡ଼ିଲା । ପ୍ରତ୍ୟେକ ସୈନ୍ୟ ମନେକଲା ଯେ ତା ପାଖ ସୈନ୍ୟ ତା ଉପରକୁ ପଥର ଫିଙ୍ଗିଛି-। ଏଥିରୁ ସୈନ୍ୟମାନଙ୍କ ଭିତରେ କଳିଲାଗିଲା । ଏପରି ଭୀଷଣ ଯୁଦ୍ଧ କେବେ ଦେଖାନଥିଲା । ସାମାନ୍ୟ ପଥର ଖଣ୍ଡେ କାହୁଁ ପଡ଼ିଲା, ସେକଥା ନ ବୁଝି ଆପଣା ଆପଣା ଭିତରେ ଯୁଦ୍ଧ କରି ମରିବା ଘୋର ମୂର୍ଖତା; କିନ୍ତୁ ସୈନ୍ୟମାନେ ତାହା ନଭାବି ଯୁଦ୍ଧରେ ମାତିଥାନ୍ତି । ଏଣେ ଜାସନ ସେମାନଙ୍କର ନିର୍ବୋଧତା ଦେଖି ମନେ ମନେ ହସୁଥାନ୍ତି ।

 

ଅଳ୍ପ ସମୟ ମଧ୍ୟରେ ସବୁ ସୈନ୍ୟ ସେହି ପଡ଼ିଆରେ ମରିପଡ଼ିଲେ । କେବଳ ଜଣେ ସୈନ୍ୟ ମଲାପରି ପଡ଼ିଥିଲେହେଁ ମରିନଥିଲେ । ସେ ପାଟିକଲା, ‘‘ଆମର ଜୟ ହୋଇଛି । କାଳକାଳକୁ ଆମର ନାଆଁ ରହିଯିବ ।’’ କିଛି ସମୟ ପରେ ସେ ମଧ୍ୟ ମରି ଶୋଇଲା । ମିଡ଼ିଆ ଜାସନଙ୍କୁ କହିଲେ, ‘‘ଦେଖିଲ, ସୈନ୍ୟଗୁଡ଼ାକ କି ନିର୍ବୋଧ । କିଛି କାରଣ ନ ଥାଇ ଅନେକ ଲୋକ ଏହିପରି ଯୁଦ୍ଧ କରି ଆପଣାର ସର୍ବନାଶ କରନ୍ତି ।’’ ଏହା ଶୁଣି ଜାସନ କହିଲେ, ‘‘ଲୋକଗୁଡ଼ାକ ଆପଣା ଭିତରେ ଯୁଦ୍ଧ କରିବାର ଦେଖି ମୋ ମନରେ ଦୁଃଖ ହେଲା । ଏତେ ଲୋକଙ୍କୁ ମରଣ ମୁହଁକୁ ଠେଲିଦେଇ ସୁନାର ଲୋମ ନେବାରେ କିଛି ଲାଭ ଥିଲାପରି ମୋର ମନେହେଉନାହିଁ ।

 

ମିଡ଼ିଆ କହିଲେ, ‘‘ହୁଏତ କାଲି ସକାଳକୁ ତୁମେହିଁ କହିବ ଯେ ସେମାନଙ୍କ ମରିବା ଠିକ୍ ହୋଇଛି । ସେକଥା ନଭାବି ଆଗେ ତୁମର କାମ କର । ରାଜାଙ୍କ ପାଖକୁ ଯାଇ ଜଣାଇଦିଅ ଯେ ତାଙ୍କ ହୁକୁମ ଅନୁସାରେ କାମ ହୋଇସାରିଛି ।’’

 

ଜାସନ ରାଜାଙ୍କ ପାଖକୁ ଯାଇ ସେହିପରି କହିଲେ; କିନ୍ତୁ ରାଜା ଏଥିରେ ସନ୍ତୁଷ୍ଟ ନ ହୋଇ ବିରକ୍ତ ହୋଇଉଠିଲେ । ସେ କହିଲେ, ‘‘ତୁମେ ଏକୁଟିଆ ଏ କାମ କରିପାରିନଥାନ୍ତ । ତୁମକୁ ମୋ ଝିଅ ମିଡ଼ିଆ ତାର ମନ୍ତ୍ର ବଳରେ ସାହାଯ୍ୟ କରିଛି । ତା ହୋଇନଥିଲେ ତୁମେ ଏତେବେଳକୁ ପାଉଁଶ ହୋଇସାରିଥାନ୍ତ । ମୁଁ ତୁମକୁ ମନାକରୁଛି, ସୁନାଲୋମ ଆଣିବାପାଇଁ ଆଉ ଚେଷ୍ଟା ନ କରି ଚାଲିଯାଅ । ତାହା ନୋହିଲେ ତୁମକୁ ଘୋର ବିପଦରେ ପଡ଼ିବାକୁ ହେବ । ତୁମର ଓ ତୁମ ସାଥିମାନଙ୍କର ପ୍ରାଣ ଉପରେ ବାଧା ପହଞ୍ଚିପାରେ । ମୋ କଥା ମାନି ପଳାଇଯାଅ ।’’

 

ଏକଥା ଶୁଣି ଜାସନଙ୍କ ମନରେ ଯେତିକି ଦୁଃଖ ସେତିକି ରାଗ ହେଲା । ରାଜା ଯାହା କହିଲେ ତାହା ଜାସନ ମିଡ଼ିଆଙ୍କ ପାଖେ ଆସି ପ୍ରକାଶ କଲେ । ମିଡ଼ିଆ କହିଲେ, ‘‘ବାପାଙ୍କ ବିଚାର ସବୁ ମୁଁ ଜାଣେ । ତୁମ ଜାହାଜରେ ନିଆଁ ଲଗାଇ ଦେଇ ତୁମକୁ ଓ ତୁମର ସାହସୀ ସଙ୍ଗୀମାନଙ୍କୁ ମାରିଦେବା ତାଙ୍କ ଇଚ୍ଛା । ମୁଁ ତୁମକୁ ଯଥାସାଧ୍ୟ ସାହାଯ୍ୟ କରୁଛି । ତୁମେ ଅତି ଶୀଘ୍ର ଯାଇ ସୁନାର ଲୋମ ନେଇଆସ । ରାତି ନ ପାହୁଣୁ ଏ କାମ ଶେଷ କରି ଭୋରରୁ ଜାହାଜ ଛାଡ଼ିଦିଅ ।’’

 

ଅନ୍ଧାର ହୋଇଆସିଥିଲା । ମିଡ଼ିଆ ଓ ଜାସନ ଦୁହେଁଯାକ ଗଛଲତା ମଧ୍ୟରେ ଲୁଚି ଲୁଚି ଯାଇ ଗୋଟିଏ ତୋଟାରେ ପହଞ୍ଚିଲେ । ସବୁଆଡ଼ ଅନ୍ଧାର ହେଲେହେଁ ତୋଟାଟି ଆଲୁଅରେ ଝଲମଲ ହେଉଥିଲା । ଗୋଟିଏ ଗଛ ଉପରେ ସୁନାର ଲୋମ ଝୁଲୁଥିଲା । ତାହାରି ତେଜରେ ତୋଟାସାରା ଆଲୁଅ ହୋଇଯାଇଥିଲା ।

 

ଜାସନ ଅଧୀର ହୋଇ ସୁନାର ଲୋମ ଆଣିବା ପାଇଁ ଧାଇଁଯାଉଥିଲେ; କିନ୍ତୁ ମିଡ଼ିଆ ତାଙ୍କୁ ଧରିପକାଇ କହିଲେ, ‘‘ଟିକିଏ ଅପେକ୍ଷା କର । ଗଛ ମୂଳେ କିଏ ଜଗି ରହିଛି, କ’ଣ ଭୁଲିଗଲ-? ରହ, ମୁଁ ତୁମ ସଙ୍ଗରେ ଯିବି ।’’ ଏହା କହି ସେ ଆଉ ଗୋଟିଏ ସୁନାଫରୁଆ ଧରି ବାହାରିଲେ ।

 

ଏହି ସମୟରେ ଗୋଟିଏ ହରିଣ ସେ ଗଛ ପାଖରେ ଦଉଡ଼ିଗଲା । ମୁହୂର୍ତ୍ତକ ଭିତରେ ଗଛ ମୂଳର ସେ ରାକ୍ଷାସଟା ମୁଣ୍ଡ ଲମ୍ୱାଇ ସେ ହରିଣଟାକୁ ଗିଳିଦେଲା । ରାକ୍ଷସ ମୁହଁଟା ମେଲା କଲାବେଳେ ତାହା ରାଜାଘର ଫାଟକ ପରି ବଡ଼ ଦେଖାଯାଉଥିଲା । ଏହା ଦେଖି ଜାସନଙ୍କର ରକ୍ତ ପାଣି ହୋଇଗଲା । ସାହସ ବାନ୍ଧି ସେ ରାକ୍ଷସକୁ ମାରିବାପାଇଁ ଖଣ୍ଡା ବାହାରକଲେ ।

 

ମିଡ଼ିଆ ପୁଣି ଜାସନଙ୍କ କାନ ପାଖରେ କହିଲେ, ‘‘ଏତେ ତରତର ହୁଅ ନାହିଁ । ମୁହୂର୍ତ୍ତେ ଅପେକ୍ଷା କର ।’’ ବୋଧହୁଏ ଏଇ ଫୁସ୍‍ଫୁସ୍ କଥାର ଶବ୍ଦ ରାକ୍ଷସ ଶୁଣିପାରିଲା । ସେ ମୁହଁ ମେଲାକରି ତିରିଶି ହାତ ଯାଏ ତାର ମୁଣ୍ଡଟା ଲମ୍ୱାଇ ଦେଲା । ସଙ୍ଗେ ସଙ୍ଗେ ମିଡ଼ିଆ ତାଙ୍କ ଫରୁଆରୁ ଗୁଡ଼ିଏ ବଟିକା କାଢ଼ି ତା ପାଟି ଭିତରକୁ ପକାଇଦେଲେ । ଚାହୁଁ ଚାହୁଁ ରାକ୍ଷସଟା ଆଖିବୁଜି ଶୋଇପଡ଼ିଲା । ମିଡ଼ିଆ ଜାସନଙ୍କୁ ବୁଝାଇଦେଇ କହିଲେ, ‘‘ଏହା ଏକପ୍ରକାର ନିଦ ଔଷଧ । ତାକୁ ଖାଇ ରାକ୍ଷସଟା ଶୋଇପଡ଼ିଛି । ଇଚ୍ଛା କରିଥିଲେ ମୁଁ ତାକୁ ଔଷଧ ଦେଇ ମାରିପାରିଥାନ୍ତି; କିନ୍ତୁ ବେଳେବେଳେ ଏଭଳି ରାକ୍ଷସମାନେ ବହୁତ କାମ କରନ୍ତି । ତେଣୁ ତାକୁ ମାରିଲି ନାହିଁ । ଏବେ ତୁମେ ଶୀଘ୍ର ଯାଇ ସୁନାର ଲୋମ ନେଇଆସ ।’’

 

ଜାସନ ସୁନାର ଲୋମ ଘେନି ଆସି ଜାହଜ ପାଖରେ ପହଞ୍ଚିଲେ । ବାଟରେ ସେହି ବୁଢ଼ୀ ସଙ୍ଗେ ଦେଖାହେଲା । ତା ପାଖରେ ମୟୂରଟି ମଧ୍ୟ ଥିଲା । ସେ ଆନନ୍ଦରେ ଜାସନଙ୍କୁ ଆଶୀର୍ବାଦ କରି ଜାହାଜ ପର୍ଯ୍ୟନ୍ତ ସଙ୍ଗରେ ଆସିଲା । ସେତେବେଳକୁ ପୂର୍ବ ଦିଗରେ ସିନ୍ଦୂରା ଫାଟି ଆସୁଥିଲା । ଜାହାଜର ଆଗରେ ଥିବା ମୂର୍ତ୍ତି ଡାକିଲା, ‘‘ଜାସନ, ଶୀଘ୍ର ଉପରକୁ ଉଠିଆସ ।’’

 

ଜାସନ ମିଡ଼ିଆଙ୍କୁ ଧନ୍ୟବାଦ ଜଣାଇ ଜାହାଜରେ ବସିଲେ । ତାଙ୍କର ସଙ୍ଗୀମାନେ ସୁନାର ଲୋମ ଦେଖି ଆନନ୍ଦରେ ଚିତ୍କାର କରିଉଠିଲେ । ଅର୍ଫିଅସ ବୀଣା ବଜାଇଲେ ଓ ଜହାଜ ପବନ ବେଗରେ ଚାଲିଲା । ଯଥା ସମୟରେ ଜାସନ ନିଜ ଦେଶରେ ପହଞ୍ଚିଲେ ।

Image

 

ଏଣ୍ଟିଅସ୍‍ ଓ ବାମନଜାତି

 

ହଜାର ହଜାର ବର୍ଷ ତଳେ ଏଣ୍ଟିଅସ୍‍ ବୋଲି ଗୋଟିଏ ମଣିଷ ଥିଲା । ସେ ଆକାରରେ ଯେକୌଣସି ରାକ୍ଷସଠାରୁ ମଧ୍ୟ ବଡ଼ ହେବ । ତା ଦେହରେ ବହୁତ ବଳ, କିନ୍ତୁ ତାର ସ୍ୱଭାବଟି ଭଲ-। ତା ପାଖରେ ରହୁଥିଲେ ଲକ୍ଷ ଲକ୍ଷ ଟିକି ଟିକି ମଣିଷ । ଏଭଳି ଛୋଟ ଛୋଟ ମଣିଷ କେହି ଦେଖି ନ ଥିବେ, କି ଏଣ୍ଟିଅସ୍‍ଭଳି ବଡ଼ ମଣିଷ କେହି ଦେଖିନଥିବେ ।

 

ଏଣ୍ଟିଅସ୍‍ ଓ ଏହି ବାମନଜାତିର ଲୋକେ ଏକ ମାଆ ପୃଥିବୀ ଭିତରୁ ଜନ୍ମ । ତେଣୁ ଏଣ୍ଟିଅସ୍‍ ବଡ଼ ଭାଇ, ବାମନମାନେ ସାନ ଭାଇ । ଆଫ୍ରିକା ମହାଦେଶର ଗୋଟିଏ ରାଜ୍ୟରେ ସମସ୍ତେ ରହିଥାନ୍ତି । ବଡ଼ ଭାଇ ସାନ ଭାଇମାନଙ୍କୁ ଭାରି ସେହ୍ନ କରୁଥିଲା । ସେମାନଙ୍କର ଦିନ ସୁଖରେ କଟିଯାଉଥିଲା ।

 

ବଡ଼ଭାଇ ଏତେ ଉଚ୍ଚ ଯେ ସେ ଠିଆ ହେଲାବେଳେ ତା ମୁଣ୍ଡଟା ଆକାଶରେ ଲାଗିଲାପରି ଜଣାଯାଏ । ସାନଭାଇମାନେ ଦୂରବୀକ୍ଷଣ ଯନ୍ତ୍ର ନ ଧରିଲେ ତା ମୁଣ୍ଡ ଦେଖିପାରନ୍ତି ନାହିଁ । କୁହୁଡ଼ି ପଡ଼ିଥିଲା ବେଳେ ବହୁ କଷ୍ଟରେ କେବଳ ତା ଗୋଡ଼ ଦେଖିହୁଏ । ତାର ଗୋଟିଏ ମାତ୍ର ଆଖି, ଗୋଟାଏ ବଡ଼ ଶଗଡ଼ ଚକପରି କପାଳ ମଝିରେ ଜଳଜଳ ହେଉଥାଏ । ଦେହକୁ ଚାହିଁ ହାତ ଗୋଡ଼ । ଏଣ୍ଟିଅସ୍‍ ଚାଲିଲାବେଳେ ଗୋଟାଏ ପର୍ବତ ମାଡ଼ିଆସିଲା ପରି ବୋଧହୁଏ ।

 

ମାତ୍ର ବାମନମାନଙ୍କ ଆକାର ଖୁବ୍ ଛୋଟ । ସେମାନଙ୍କ ଭିତରେ କେହି ଛଅ ସାତ ଇଞ୍ଚ ଉଚ୍ଚ ହେଲେ ତାକୁ ସବୁଠାରୁ ଡେଙ୍ଗା ଲୋକ ବୋଲି ସେମାନେ ମନେକରନ୍ତି । ସେମାନଙ୍କ ଘରଗୁଡ଼ିକ ଦେଖିବାକୁ ଚଢ଼େଇ ପିଞ୍ଜରାପରି । ସେମାନଙ୍କ ସହରର ସବୁଠାରୁ ବଡ଼ ରାସ୍ତାର ଓସାର ତିନି ଫୁଟରୁ ବେଶି ନଥିଲା । ସବୁଠାରୁ ବଡ଼ ଦେଉଳର ଉଚ୍ଚତା ଚାରିଫୁଟ ହେବ । ସେମାନେ ଟିକି ବଳଦ ଯୋଚି ଟିକି ହଳରେ ଜମି ଚାଷ କରୁଥିଲେ; ଫସଲ ଅମଳ କରି ଖାଉଥିଲେ-। ଆକାରରେ ଛୋଟ ହେଲେ ସୁଦ୍ଧା ସେମାନେ ଆମରିଭଳି ସବୁ କାମ କରି ନିଜ ନିଜ ଅଭାବ ମେଣ୍ଟାଉଥିଲେ । ସେମାନଙ୍କ ଭିତରେ ସୈନ୍ୟ ମଧ୍ୟ ଥିଲେ ଓ ତରବାରି, ଢାଲ, ଧନୁଶର ପ୍ରଭୃତି ବ୍ୟବହାର କରୁଥିଲେ । ଜଣେ ସୈନ୍ୟର ତରବାରି ତିନି ଇଞ୍ଚିରୁ ବେଶି ଲମ୍ବ ନଥିଲା । ଏମାନଙ୍କର ପିଲାମାନେ ବି ସେହିପରି ଛୋଟ ଥିଲେ । ଆମର ଗୋଟିଏ ଜୋତାରେ ଦଶ ପନ୍ଦରଜଣ ବାମନ ପିଲା ନିଶ୍ଚିନ୍ତରେ ଶୋଇପାରନ୍ତେ ।

 

ଏଣ୍ଟିଅସ୍‍ ଗୋଟିଏ ଶାଳ ଗଛର ଗଣ୍ଡକୁ ହାତରେ ବାଡ଼ିପରି ଧରି ଚାଲେ । ଏଇ ବାଡ଼ିଟି ପଚାଶଫୁଟ ଉଚ୍ଚ ଓ ତାର ଗୋଲେଇ ଆଠଫୁଟ ହେବ ।

 

ବାମନମାନେ ବଡ଼ଭାଇ ସାଙ୍ଗରେ କଥାବାର୍ତ୍ତା କରିବାକୁ ଭଲପାଆନ୍ତି । ସେଠାରେ ଠିଆହୋଇ ଉପରକୁ ଚାହିଁ ପାଟିକରନ୍ତି, ‘‘ଭାଇ କେମିତି ଅଛ ?’’ ଖୁବ୍‍ ପାଟି ନକଲେ ଭାଇଙ୍କ କାନକୁ ସେକଥା ଶୁଣାଯାଏ ନାହିଁ । କେହି କେହି ଭଲ ଶୁଣାଯିବ ବୋଲି ପୁଙ୍ଗା ଧରି କଥାବାର୍ତ୍ତା କରନ୍ତି । ଏଣ୍ଟିଅସ୍‍ ସେମାନଙ୍କ କଥା ଶୁଣି ହସି ହସି କହେ, ‘‘ହଁ, ମୁଁ ବେଶ୍‍ ଭଲ ଅଛି । ତୁମେ ଭଲ ଅଛ ତ ?’’ ଏଣ୍ଟିଅସ୍‍ କଥା କହିଲେ ତା ସ୍ୱର ଘଡ଼ଘଡ଼ି ପରି ଶୁଣାଯାଏ । କେହି କେହି ସେ ସ୍ୱରରେ କାଲ ହୋଇଯାଇଥିବାର ଶୁଣାଅଛି । ଘରଗୁଡ଼ାକ ଥରିଯାଏ, ମାତ୍ର କୁଟା ଓ ପକ୍ଷୀ ପରରେ ତିଆରି ହୋଇଥିବାରୁ ଭାଙ୍ଗି ପଡ଼େ ନାହିଁ ।

 

ଏଣ୍ଟିଅସ୍‍ ବିଚାରିଲେ ଫୁଙ୍କିଦେଇ ହଜାର ହଜାର ଲୋକଙ୍କୁ ଉଡ଼ାଇ ଦେଇପାରନ୍ତା; ପାଦ ପକାଇଦେଲା ମାତ୍ରେ ଗୋଟାଏ ଗୋଟାଏ ସହର ଚୂନା କରିପାରନ୍ତା, କିନ୍ତୁ ସେ ତାର ଟିକି ଭାଇମାନଙ୍କୁ ଭାରି ଭଲପାଏ; ସେମାନଙ୍କର ଯେପରି କିଛିହେଲେ ଅନିଷ୍ଟ ନ ହୁଏ, ସେଥିପାଇଁ ସାବଧାନ ଥାଏ । ଚାଲିଲାବେଳେ ତଳକୁ ଚାହିଁ ଖୁବ୍ ସାବଧାନରେ ପାଦ ପକାଇବାକୁ ହୁଏ–କାଳେ କେଉଁଠି କିଏ ଯାଉଥିବ କି ପିଲାଏ ଖେଳୁଥିବେ । ଏଣ୍ଟିଅସ୍‍ ବାମନମାନଙ୍କୁ ଯେପରି ଆଦର କରୁଥିଲା, ସେମାନେ ତାକୁ ମଧ୍ୟ ସେହିପରି ଆଦର କରୁଥିଲେ ।

 

ବାମନମାନଙ୍କର ଦରକାର ପଡ଼ିଲାମାତ୍ରେ ଏଣ୍ଟିଅସ୍‍ ସାହାଯ୍ୟ କରିବାକୁ ବାହାରିପଡ଼ୁଥିଲା । ବେଶି ଖରା ହେଉଥିଲେ ସେ ଠିଆ ହୋଇଯାଏ ଓ ତା ଛାଇ ତଳେ ହଜାର ହଜାର ଲୋକ ଆଶ୍ରୟ ନେଇଯାନ୍ତି । ଜାହାଜ ଚଳାଇବାକୁ ଲୋକେ ନ ପାରିଲେ, ସେ ଟିକିଏ ଫୁଙ୍କି ଦେଉଥିଲା । କେଉଁଠି କଳ ଚଳାଇ ନ ପାରିଲେ ସେମାନେ ଏଣ୍ଟିଅସ୍‍କୁ ଡାକୁଥିଲେ । ତାର ଆଙ୍ଗୁଠି ଟିକିଏ ବାଜିଲାମାତ୍ରେ କଳ ଚାଲିଲା । ସେହିପରି କଠିନ କାମ ନ ପଡ଼ିଲେ ସେମାନେ ଏଣ୍ଟିଅସ୍‍ର ସାହାଯ୍ୟ ନେଉନଥିଲେ । ସେମାନେ ଆପେ ନିଜ କାମ କରିଯାଉଥିଲେ ।

 

ଯେତେବେଳେ ଏଣ୍ଟିଅସ୍‍ର ଚାରିପାଖେ ବାମନମାନେ ବୁଲୁଥାନ୍ତି, ହୁଙ୍କାତଳେ ପିମ୍ପୁଡ଼ି ଚାଲୁଥିବାପରି ମନେହୁଏ । ସେ ଶୋଇଥିବାବେଳେ ପିଲାମାନେ ନିଶୁଣିରେ ତା ମୁହଁ ଉପରକୁ ଚଢ଼ି ଦାଢ଼ି ଭିତରେ ଲୁଚକାଳି ଖେଳନ୍ତି । ଟୋକାମାନେ ବାଜି ରଖନ୍ତି–କିଏ ବଡ଼ ଭାଇଙ୍କ ଆଖି ଚାରିପାଖେ ଆଗ ଦଉଡ଼ି ଆସିପାରିବ । କେହି କେହି ପିଲା ତା ଆଙ୍ଗୁଠି ସନ୍ଧିରେ ଲୁଚିଯାନ୍ତି ।

 

ପୁଣ୍ୟ ପର୍ବ ଦିନ ଖେଳ କୌତୁକ ହୁଏ । ଏଣ୍ଟିଅସ୍‍ ଶୋଇପଡ଼ିଲେ ଗୋଟିଏ ପାହାଡ଼ ପରି ଦିଶେ । ତାରି ଉପରେ ଦୌଡ଼ ପ୍ରତିଯୋଗିତା ହୁଏ । କେହି କେହି ଅତି ସାହସୀ ବାମନ ତାର ଓଠ ଉପରେ ଠିଆହୋଇ ମୁହଁ ଭିତରକୁ ଚାହେଁ । ସେ ଟିକିଏ ପାଟି ପାକୁ ପାକୁ କଲାକ୍ଷଣି ସେହି ବୀର ପାଟିକରି ପଳାଇଆସେ । ବେଳେବେଳେ କେହି ଚଗଲା ଏଣ୍ଟିଅସ୍‍କୁ କହେ, ‘‘ଭାଇ, ତମ ଚମଡ଼ାଟା କେତେ ମୋଟ ?’’ ଏଣ୍ଟିଅସ୍‍ ଉତ୍ତର କରେ, ‘‘ତୁ ପରୀକ୍ଷା କରି ଦେଖୁନୁ ।’’ ସେ ତା ଖଣ୍ଡାଟା ଆଣି ଏଣ୍ଟିଅସ୍‍ ଦେହରେ ଭୁଷିଦିଏ । ଅବଶ୍ୟ ଏଥିରେ ତାର କିଛି କ୍ଷତି ହୁଏ ନାହିଁ; ଟିକିଏ ଚୁମୁଟିବା ପରି ଲାଗେ । ଏମାନଙ୍କର ଏପରି ଖେଳ କୌତୁକରେ ଯେ କେହି ବିରକ୍ତ ହୋଇଉଠନ୍ତା; କିନ୍ତୁ ଏଣ୍ଟିଅସ୍‍ ଆଦୌ ରାଗେ ନାହିଁ । ସାନଭାଇଗୁଡ଼ାଙ୍କ ସାଥିରେ ଏଭଳି ଖେଳିବାରେ ତାର ଆନନ୍ଦ ।

 

ବାମନଗୁଡ଼ିକ ଆକାରରେ ଛୋଟ ହେଲେ କଅଣ ହେବ; ସେମାନଙ୍କ ପେଟ ଭିତରେ ବଡ଼ଭାଇ ପ୍ରତି ଭାରି ସେହ୍ନ । ସେମାନେ କହନ୍ତି, ‘‘ଆମ ଭାଇଭଳି କେହି ଦୁଃଖୀ ନାହାନ୍ତି । ଜଣେ ସାଙ୍ଗସାଥି ନାହିଁ ଯେ ଟିକିଏ ଦୁଃଖସୁଖ ହେବ । ପାଖରେ ସାହାଯ୍ୟ କରିବାକୁ କେହି ନାହିଁ । ବିଚାରାର ମନରେ କେତେ କଷ୍ଟ ହେଉନଥିବ ?

 

ଆମେ ତା ମନ ଭୁଲାଇବା ପାଇଁ ଚେଷ୍ଟା ନ କଲେ ହେବ କିପରି ?’’

 

ଦିନେ ଏଣ୍ଟିଅସ୍‍ ତା ପାଖରେ ବାଡ଼ିଖଣ୍ଡି ରଖିଦେଇ ଶୋଇଥିଲା । ଦୁଇ ଚାରିଜଣ ବାମନ ଏଣେତେଣେ ଆଖପାଖରେ ବୁଲୁଥିଲେ । ତା ଦେହଟା ରାଜ୍ୟର ଅଧେ ମାଡ଼ିବସିଥିଲା । ତା ଘୁଙ୍ଗୁଡ଼ି ଶବ୍ଦ ମେଘ ଗର୍ଜନ ପରି ଶୁଭୁଥିଲା । ଜଣେ ବାମନ ତା କାନ୍ଧ ଉପରେ ଚଢ଼ି ଦୂରବୀକ୍ଷଣ ଯନ୍ତ୍ରରେ ଚାରିଆଡ଼ର ଦୃଶ୍ୟ ଦେଖୁଥିଲା । ଏକ ପାଖରେ ସେ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିଲା । ଗୋଟାଏ ପର୍ବତ ଆଗକୁ ଆଗକୁ ଆସୁଥିବାପରି ତାକୁ ଜଣାପଡ଼ିଲା । ସେ ଦିଗରେ କୌଣସି ପର୍ବତ ନଥିଲା–ପର୍ବତଟାଏ ଆସିଲା କାହୁଁ ! ସେଇଟା ପୁଣି ଚାଲୁଛି କିପରି ?

 

ଲୋକଟି ସେହିପରି ଚାହିଁରହିଥାଏ । କିଛି ସମୟ ପରେ ପର୍ବତଟା ଟିକିଏ ପାଖକୁ ଆସିବାରୁ ସେ ଦେଖିଲା ଯେ ଏଇଟା ପର୍ବତ ନୁହେଁ; ଏଣ୍ଟିଅସ୍‍ଭଳି ଗୋଟାଏ ବଡ଼ ମଣିଷ । ଉଚ୍ଚତାରେ ଏଣ୍ଟିଅସ୍‍ଠାରୁ ଟିକିଏ କମ୍ ହେଲେହେଁ ଖୁବ୍ ବଡ଼ ମଣିଷଟାଏ ।

 

ସେ ଲୋକଟି ଏଣ୍ଟିଅସ୍‍ର କାନପାଖକୁ ଦଉଡ଼ିଯାଇ ଡାକ ପକାଇଲା, ‘‘ଭାଇ, ଉଠ ଉଠ-। ତମରିଭଳି କିଏ ଗୋଟାଏ ଆସୁଛି ।’’ ବହୁତ ଡାକ ପରେ ଏଣ୍ଟିଅସ୍‍ କହିଲା, ‘‘ଓଃ, କାହିଁକି ଗୁଣୁଗୁଣୁ ହେଉଛୁ । ଦେଖୁନୁ ମତେ ନିଦ ମାଡ଼ୁଛି ।’’

 

ଏଣେ ସେ ଲୋକଟା ପାଖେଇ ଆସୁଥାଏ । ତା ମୁଣ୍ଡର ଟୋପି ଉପରେ ସୂର୍ଯ୍ୟକିରଣ ପଡ଼ି ଚକ୍‍ଚକ୍ ଦିଶୁଥାଏ । ତା ଦେହରେ ସାଞ୍ଜୁ ମଧ୍ୟ ସେହିପରି ଚକ୍‍ଚକ୍ କରୁଥାଏ । ପିଠି ଉପରେ ସେ ଗୋଟାଏ ସିଂହର ଛାଲ ପକାଇଥାଏ । ଡାହାଣ କାନ୍ଧରେ ସେ ଯେଉଁ ଗଦା ଧରିଥିଲା, ସେଇଟା ଏଣ୍ଟିଅସ୍‍ର ବାଡ଼ିଠାରୁ ଆହୁରି ଲମ୍ୱ । ଅଣ୍ଟାରେ ଗୋଟାଏ ଖଣ୍ଡା ଓହଳିଥାଏ ।

 

ଏପରି ଏକ ପ୍ରକାଣ୍ଡ ମଣିଷକୁ ଦେଖି ବାମନ ଜାତିର ଲୋକେ ଚିତ୍କାର କରିଉଠିଲେ । ହଜାର ହଜାର ଲୋକଙ୍କ ପାଟିରେ ମଧ୍ୟ ଏଣ୍ଟିଅସ୍‍ ନିଦ ଭାଙ୍ଗୁନଥାଏ । କେତେଜଣ ତା କାନ ପାଖରେ ପାଟିକଲେ, ‘‘ହେ ବଡ଼ଭାଇ, ଚଞ୍ଚଳ ଉଠିପଡ଼ । ଓଃ, ତମେ କେଡ଼େ ଅଳସୁଆ । ହେଇଟି ଗୋଟାଏ ଅସୁର ଆସୁଛି; ତୁମ ସାଥିରେ ଯୁଦ୍ଧ କରିବ ।’’

 

ଏଣ୍ଟିଅସ୍‍ର ନିଦ ଅଳ୍ପ ଭାଙ୍ଗିଗଲା । ସେ କହିଲା, ‘‘ଓଃ, କେଡ଼େ ଖରାପ ଲୋକ । ମୁଁ ଟିକିଏ ଶୋଇ ସାରେ । ଯେ ଆସୁଛି, ଆସୁଥାଉ ।’’

 

ଏଥି ମଧ୍ୟରେ ରାକ୍ଷସଟା ଖୁବ୍ ପାଖେଇ ଆସିଲାଣି । ସବୁ ବାମନ ଏକାବେଳକେ ପାଟିକରି ଉଠିଲେ, ‘‘ଭାଇ, ଚଞ୍ଚଳ ଉଠ । ରାକ୍ଷସଟା ତମଠାରୁ ବଳୁଆ ଦିଶୁଛି । ତା କାନ୍ଧଗୁଡ଼ାକ ଭାରି ଓସାରିଆ । ଏତେବେଳେ ଶୋଇଲେ ଆଉ ଚଳିବ ! ଶୀଘ୍ର ଉଠିପଡ଼ ।’’

 

ଶେଷରେ ଏଣ୍ଟିଅସ୍‍ ଆଖି ମଳି ମଳି ଉଠି ବସିଲା । ହାଇମାରି ଏପାଖ ସେପାଖକୁ ଚାହିଁଲା ।

 

ନିଦ ଭଲ ହୋଇ ଭାଙ୍ଗିଗଲା । ଏବେ ଏହି ନୂଆ ରାକ୍ଷସ ଉପରେ ତାର ନଜର ପଡ଼ିଲା-। ସେ ଠେଙ୍ଗାଟା ଧରି କେତେ ପାହୁଣ୍ଡରେ ମାତ୍ର ତା ଆଡ଼କୁ ତିନି ଚାରିମାଇଲ ଚାଲିଗଲା ।

 

ଏଣ୍ଟିଅସ୍‍ ଗର୍ଜିଉଠିଲା, ‘‘ଆରେ ତୁ କିଏ ? ତୁ କାହିଁକି ଏଠିକି ଆସିଛୁ ?’’ କଥା ସାଙ୍ଗେ ସାଙ୍ଗେ ତା ଠେଙ୍ଗାଟା ହଲୁଥାଏ ।

 

ଅସୁର କିଛି ନ କହି ଠିଆହୋଇ ରହିଲା । ଏଣ୍ଟିଅସ୍‍ ପୁଣି କହିଲା, ‘‘କିରେ, ତୋତେ କଅଣ ଶୁଭୁନାହିଁ ? ତୋ ନାଆଁ କଣ ? ତୁ ମୋ ରାଜ୍ୟରେ ପଶିଲୁ କାହିଁକି ?’’

 

ଏବେ ଅସୁରର ତୁଣ୍ଡ ଫିଟିଲା । ସେ ଧୀରସ୍ଥିର ଭାବରେ କହିଲା, ‘‘ମୁଁ ଦେଖୁଛି ତୁ ବଡ଼ ଅଭଦ୍ର । ମୋର ଏଠୁ ଯିବା ଆଗରୁ ତୋତେ ଭଦ୍ରତା ଶିଖାଇଦେବି । ମୋ ନାଁ ହେଉଛି ହରକ୍ୟୁଲସ୍-। ମୁଁ ହେସ୍ପେରିଡ଼ିସ ବଗିଚାକୁ ଯାଉଛି । ସେ ବଗିଚାରେ ସୁନାର ଆତଫଳ ଅଛି । ଆମ ରାଜାଙ୍କ ପାଇଁ ସେଥିରୁ ତିନୋଟି ଫଳ ଆଣିବି ।’’

 

ହରକ୍ୟୁଲସ୍‍ର ବଳ କଥା ଏଣ୍ଟିଅସ୍‍ ଆଗରୁ ଶୁଣିଥିଲା । ତା’ଭଳି ବା ତା’ଠାରୁ ବଳୁଆ ହରକ୍ୟୁଲସ୍‍କୁ ଏଣ୍ଟିଅସ୍‍ର ଭାରି ଘୃଣା । ଏବେ ତାକୁ ଆଗରେ ଦେଖି ରାଗିଉଠି କହିଲା, ‘‘ନା, ଆଉ ଆଗକୁ ଯିବାକୁ ମୁଁ ତୋତେ ଛାଡ଼ି ଦେବି ନାହିଁ । ପଛକୁ ଫେରିଯିବାକୁ ମଧ୍ୟ ଦେବି ନାହିଁ ।’’

 

ହରକ୍ୟୁଲସ୍ କହିଲା, ‘‘ମୋର ଯୁଆଡ଼େ ଇଚ୍ଛା ମୁଁ ଯିବି । ତୁ ମତେ ବନ୍ଦ କରିବାକୁ କିଏ-? କିପରି ଅଟକାଇ ରଖିବୁ ଦେଖିବି ।’’

 

ଏଣ୍ଟିଅସ୍‍ ନିଜକୁ ଖୁବ୍ ବଳୁଆ ମନେକରୁଥିଲା । ସେଥିର ଏକ ବିଶେଷ କାରଣ ମଧ୍ୟ ଥିଲା । ସେ ହେଉଛି ପୃଥିବୀ ମାତାଙ୍କ ପୁଅ । ତାକୁ ଶ୍ରଦ୍ଧାକରି ପୃଥିବୀ ମାତା ବର ଦେଇଥିଲେ, ତୁ ଯେତେଥର ମୋତେ ଛୁଉଁଥିବୁ, ତୋର ବଳ ପ୍ରତିଥର ଦଶଗୁଶ ଲେଖାଏଁ ବଢ଼ିଯାଉଥିବ । ଏହି ହେତୁରୁ ଏଣ୍ଟିଅସ୍‍ ଦଶପଚାଶ ମାଇଲ ଚାଲିଗଲେ, ହାଲିଆ ହୋଇ ପଡ଼େ ନାହିଁ; ଓଲଟି ତାର ବଳ ଶହେ ଦୁଇଶ ଗୁଣ ବଢ଼ିଯାଏ । ସେହିପରି ସେ ଭୂଇଁରେ ଶୋଇପଡ଼ିଲେ, ଉଠିଲାବେଳକୁ ତାର ବଳ ବଢ଼ିଯାଇଥାଏ । ଏଥିରେ ଏଣ୍ଟିଅସ୍‍ କାହାକୁ ଖାତିରି କରିବ କାହିଁକି ?

 

ହରକ୍ୟୁଲସ୍‍ର ଧମକ ଶୁଣି ଏଣ୍ଟିଅସ୍‍ର ରାଗ ବଢ଼ିଗଲା । ସେ କହିଲା, ‘‘ତୋତେ କିପରି ଅଟକାଇବି ? ମୋର ଏଇ ଠେଙ୍ଗାକୁ ଦେଖ । ଏଇଥିରେ ତୋ ମୁଣ୍ଡ ଛେଚି ଗୁଣ୍ଡା କରିଦେବି-। ମୁଁ ବଳରେ ତୋଠାରୁ ପଚାଶ ଗୁଣ । ଥରେ ମାଟିକୁ ଗୋଇଠା ମାରିଦେଲେ ମୋ ବଳ ପାଞ୍ଚଶ ଗୁଣ ହୋଇଯିବ । ତୋତେ ଏପରି ପିଟିବି ଯେ, ଖଣ୍ଡା ଆଉ ଗଦା ଫିଙ୍ଗିଦେଇ ତୁ ମୋ ଶରଣ ପଶିବୁ, ମୋର ଆଉ ମୋ ଟିକି ଭାଇଙ୍କର ସେବା କରିବାକୁ ବାଧ୍ୟ ହେବୁ । ସେ ସିଂହ ଛାଲଟା ନେଇ ମୋ ହାତପାଇଁ ଯୋଡ଼ାଏ ଦସ୍ତାନା ତିଆରି କଲେ ହେବ ।’’

 

ହରକ୍ୟୁଲସ୍ ସବୁ ଶୁଣି ନଶୁଣିଲା ପରି ରହିଥାଏ । ସେ କହିଲା ‘‘ଆଚ୍ଛା, ସିଂହ ଛାଲରେ ଦସ୍ତାନା କରିବୁ ପରା–ଆଗ ମୋ କାନ୍ଧରୁ ସେଇଟାକୁ ନେଲୁ ଦେଖି ?’’

 

ଏଣ୍ଟିଅସ୍ ଲମ୍ୱ ଲମ୍ୱ ପାହୁଣ୍ଡ ପକାଇ ହରକ୍ୟୁଲସ୍‍ର ଖୁବ୍ ପାଖରେ ପହଞ୍ଚିଗଲା । ସେ ଠେଙ୍ଗାରେ ପାହାରେ ପିଟିଲା ବେଳକୁ ହରକ୍ୟୁଲସ୍ ତା ଗଦାଟା ଦେଖାଇଦେଲା । ତେଣୁ ପାହାରଟା ତା ଦେହରେ ନ ବାଜି ଗଦାରେ ବାଜିଲା । ତହୁଁ ହରକ୍ୟୁଲସ୍ ତା ଗଦାରେ ଏଣ୍ଟିଅସ୍‍ର ମୁଣ୍ଡକୁ ଏପରି ପାହାରେ ପିଟିଲା ଯେ ସେ ତଳେ ପଡ଼ିଗଲା ।

 

ବଡ଼ଭାଇର ଏ ଦଶା ଦେଖି ବାମନମାନେ କାନ୍ଦିଉଠିଲେ । ପୃଥିବୀରେ ଯେ ତାଙ୍କ ଭାଇଠାରୁ କେହି ବଳୁଆ ଥାଇପାରେ, ଏହା ସେମାନେ କଳ୍ପନା କରିନଥିଲେ । ଏବେ ସେମାନେ ହାହାକାର କରିବାକୁ ଲାଗିଲେ ।

 

ଏଣ୍ଟଅସ୍‍ ଏପରି ଏକ ପାହାର ଖାଇଲେ ସୁଦ୍ଧା ପୁଣି ଉଠିପଡ଼ିଲା । ତାର ବଳ ଦଶଗୁଣ ବଢ଼ି ଯାଇଥାଏ । ସେ ଠେଙ୍ଗା ଧରି ହରକ୍ୟୁଲସ୍‍କୁ ପୁଣି ପିଟିବାକୁ ବସିଲା । ଏଥର ମଧ୍ୟ ଲାଖ ଠିକ୍ ରହିଲା ନାହିଁ । ଠେଙ୍ଗାଟା ହରକ୍ୟୁଲସ୍‍ର ଦେହରେ ନ ବାଜି ଭୂଇଁରେ ବାଜି କେତେ ଦୂର ଯାଏ ପୋତି ହୋଇଗଲା । ମାଟିଭିତରୁ ସେ ଠେଙ୍ଗାଟାକୁ ଟାଣି ବାହାର କରୁ କରୁ ହରକ୍ୟୁଲସ୍ ତାକୁ ଗଦାରେ ପିଟିଦେଇଗଲା । ଏଣ୍ଟିଅସ୍‍ ରାଗରେ ଏଡ଼େ ଗର୍ଜନ କଲା ଯେ ସେ ରାଜ୍ୟଟା ଥରିଉଠିଲା-। ବାମନମାନଙ୍କ କଥା କହିଲେ ନସରେ । ଏଦୁହିଁଙ୍କର ପିଟା ପିଟି, ଗର୍ଜନ ତର୍ଜନରେ ଭୂମିକମ୍ପ ହେବାରୁ ସେମାନଙ୍କର କେତେ ସହର ଭୂଇଁରେ ମିଶିଗଲା; କେତେ ଲୋକ ଭୟରେ ମୂର୍ଚ୍ଛା ହୋଇଗଲେ । ଆଉ କେତେ ଯୁଦ୍ଧ କରିବାକୁ ଡାକରା ଛାଡ଼ିଲେ । ଲକ୍ଷ ଲକ୍ଷ ଲୋକଙ୍କର କୋଳାହଳ ଏ ଦୁହିଁଙ୍କର ରଡ଼ି ଭିତରେ ଉଭେଇଗଲା ।

 

ଏଥିମଧ୍ୟରେ ଏଣ୍ଟିଅସ୍‍ ଠେଙ୍ଗାଟା ଭୂଇଁରୁ ବାହାର କରି ପୁଣି ପାହାରେ ପିଟିଲା । ମାତ୍ର ଏଥର ମଧ୍ୟ ହରକ୍ୟୁଲସ୍ ତାର ଗଦାରେ ଠେଙ୍ଗାକୁ ଆଘାତ କଲା । ଫଳରେ ଏଣ୍ଟିଅସ୍‍ର ଠେଙ୍ଗା ଗୁଣ୍ଡ ହୋଇଗଲା । ସେ ଗୁଣ୍ଡ ଛିଡ଼ିକି ପଡ଼ିବାରୁ ଶହ ଶହ ଲୋକ ମରିଗଲେ । ଏଣ୍ଟିଅସ୍‍ ଟିକିଏ ପଛକୁ ଘୁଞ୍ଚି ଆସିଲାବେଳକୁ ହରକ୍ୟୁଲସ୍‍ ତାକୁ ଗଦାରେ ପିଟିବାରୁ ସେ ତଳେ ଗଡ଼ିପଡ଼ିଲା ।

 

ରାଗରେ ଏଣ୍ଟିଅସ୍‍ର ଆଖିଟା ଲାଲ ପଡ଼ିଗଲା । ସେ ଭୂଇଁରୁ ଉଠିଲା ମାତ୍ରେ ଦୁଇ ଚାରି କୁଦା ଡେଇଁଲା । ଏହାଦ୍ୱାରା ତାର ବଳ ବଢ଼ି ଆସିଲା । ସେ ଗର୍ଜନ କରି ଡାକିଲା, ‘‘ଆ, ଆ, ତୁ କେଡ଼େ ବୀର ଦେଖିବି ।’’

 

ହରକ୍ୟୁଲସ୍ ଦେଖିଲା, ଏଣ୍ଟିଅସ୍‍କୁ ଭୂଇଁ ଉପରେ ପକାଇଲେ ଲାଭ ନାହିଁ । ଏଥିରେ ବରଂ ତାର ବଳ ବେଶି ହେଉଛି । ତେଣୁ ସେ ତାର ଗଦାଟା ତଳେ ଫିଙ୍ଗିଦେଇ କହିଲା, ‘‘ତୋର ଠେଙ୍ଗାଟା ଭାଙ୍ଗି ଗଲାଣି । ଏଣିକି ଗଦା ଧରି ତୋ ସଙ୍ଗେ ଯୁଦ୍ଧ କଲେ ଅନ୍ୟାୟ ହେବ । ଆ, ତୋର ମୋର ମଲ୍ଲ ଯୁଦ୍ଧ କରିବା ।’’

 

ଏଣ୍ଟିଅସ୍‍ର ମଲ୍ଲ ଯୁଦ୍ଧରେ ଭଲ ନାଆଁ ଥିଲା । ସେ ବା ଡରିବ କାହିଁକି ? ସେ କହିଲା, ‘‘ମୁଁ କଅଣ ସେଥିକି ଡରିଛି ? ମଲ୍ଲ ଯୁଦ୍ଧକୁ ଆ । ତୋତେ ଏପରି ପକେଇଦେବି ଯେ ଆଉ କେବେହେଲେ ଉଠିବୁ ନାହିଁ ।’’

 

ସେ କୁଦାମାରି ଡେଇଁପଡ଼ି ହରକ୍ୟୁଲସ୍‍କୁ ମାଡ଼ିବସିବାକୁ ଗଲା । ସେତେବେଳକୁ ତାର ବଳ କେତେଶହ ଗୁଣ ହୋଇଯାଇଥାଏ । ହରକ୍ୟୁଲସ୍ ଭାରି ଚାଲାଖ । ସେ ସୁବିଧା ଉଣ୍ଡୁଥାଏ । ଏଣ୍ଟିଅସ୍‍ ତାଆଡ଼କୁ ମାଡ଼ି ଆସିଲାବେଳକୁ ସେ ଏଣ୍ଟିଅସ୍‍ର ଅଣ୍ଟାକୁ ଧରି ମୁଣ୍ଡ ଉପରକୁ ଟେକିଦେଲା ।

 

ସେ ଏକ ବିଚିତ୍ର ଦୃଶ୍ୟ । ହରକ୍ୟୁଲସ୍‍ର ମୁଣ୍ଡ ଉପରକୁ କିଛି ଉଚ୍ଚରେ ଏଣ୍ଟିଅସ୍‍ ଗୋଟାଏ ପର୍ବତ ପରି ରହି ହାତଗୋଡ଼ ପିଟି ହେଉଥାଏ । କିନ୍ତୁ ହରକ୍ୟୁଲସ୍ ତାକୁ ନଛାଡ଼ି ତାକୁ ସେହିପରି ଧରିଥାଏ ।

 

ମାଟି ଉପର ଛାଡ଼ି ଶୂନ୍ୟରେ ଏତେ ସମୟ ରହିବାରୁ ଏଣ୍ଟିଅସ୍‍ର ବଳ କମିଆସିଲା । ହାତ ଗୋଡ଼ ଛାଟିବାକୁ ମଧ୍ୟ ତାର ବଳ ରହିଲା ନାହିଁ । ଅସଲ କଥା ହେଲା; ପ୍ରତି ପାଞ୍ଚମିନିଟରେ ଅନ୍ତତଃ ଥରେ ପୃଥିବୀକୁ ନ ଛୁଇଁଲେ ଏଣ୍ଟିଅସ୍‍ର ବଳ ଦଶଭାଗରୁ ଭାଗେ ହୋଇଯାଏ । ଯେତେବେଳେ ଏଣ୍ଟିଅସ୍‍ ଏକବାରେ ଦୁର୍ବଳ ହୋଇପଡ଼ିଲା, ହାତଗୋଡ଼ ହଲେଇ ପାରିଲା ନାହିଁ, ସେତେବେଳେ ହରକ୍ୟୁଲସ୍ ତାକୁ ଦୂରକୁ ଫିଙ୍ଗିଦେଲା । ମାଇଲିଏ ଦୂରରେ ସେ ଗୋଟାଏ ପାହାଡ଼ ପରି ପଡ଼ିଲା ଓ ତାର ପ୍ରାଣବାୟୁ ବାହାରିଗଲା ।

 

ବାମନ ଜାତିର ଲୋକେ ବଡ଼ଭାଇଙ୍କର ଏ ଦଶା ଦେଖି କାନ୍ଦିଉଠିଲେ; ସେମାନଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହିଗଲା । କିନ୍ତୁ ହରକ୍ୟୁଲସ୍‍ର ସେଆଡ଼େ ଦୃଷ୍ଟି ନାହିଁ । ସେମାନଙ୍କ କାନ୍ଦଣା ଶୁଣି ସେ ମନେକଲା, କେଉଁଠି ଚଢ଼େଇଗୁଡ଼ାଏ ଚେଁ ଚେଁ ହେଉଛନ୍ତି । ଏଣ୍ଟିଅସ୍‍ ସାଥିରେ ଲଢ଼େଇ କରି ତାକୁ ହାଲିଆ ଲାଗୁଥିଲା । ସେ ସିଂହ ଛାଲଟା ପାରି ତା ଉପରେ ଶୋଇପଡ଼ିଲା ।

 

ବାମନମାନେ ଦେଖିଲେ, ଅସୁରଟା ଶୋଇଛି । ସେମାନେ ଗୋଟାଏ ବଡ଼ ସଭା କଲେ-। ହଜାର ହଜାର ସଂଖ୍ୟାରେ ବାମନ ଜାତିର ଲୋକେ ଆସି ସଭାରେ ଯୋଗଦେଲେ । ଏତେ ବଡ଼ ସଭା ସେ ରାଜ୍ୟରେ କେବେ ହୋଇନଥିଲା ।

 

ଜଣେ ବକ୍ତା ମଞ୍ଚ ଉପରକୁ ଯାଇ ଉଚ୍ଚ ସ୍ୱରରେ ବକ୍ତୃତା ଦେଲେ. ‘‘ଭାଇମାନେ, ଆଜି ଏଠାରେ ଯେଉଁ ଦୁଃଖଦାୟକ ଘଟଣା ଘଟିଗଲା, ତାହା ଆପଣମାନେ ସ୍ୱଚକ୍ଷୁରେ ଦେଖିଛନ୍ତି । ଆମର ବଡ଼ ଭାଇ ଏଣ୍ଟିଅସ୍‍ ଏଇଠାରେ ମରି ପଡ଼ିଛନ୍ତି । ଗୋଟାଏ ବିଦୋଶୀ ଶତ୍ରୁ ଅନ୍ୟାୟ ଯୁଦ୍ଧରେ ତାଙ୍କୁ ହତ୍ୟା କରିଛି । ଏବେ ସେହି ଦୁଷ୍ଟ ଶତ୍ରୁ ବିଜୟ ଗର୍ବରେ ଏଠାରେ ଶୋଇରହିଛି । ଆମେ ଯେଉଁ ପୃଥିବୀର ସନ୍ତାନ, ଏଣ୍ଟିଅସ୍‍ ମଧ୍ୟ ସେହି ପୃଥିବୀର ସନ୍ତାନ । ସେ ଥିଲେ ଆମର ବଡ଼ଭାଇ । ସେ ଚିରକାଳ ଆମ ସହିତ ଶାନ୍ତିରେ ରହି ଆସିଥିଲେ । ଆପଣମାନେ ଜାଣନ୍ତି, ଝଡ଼ ବର୍ଷାବେଳେ ସେ ଛିଡ଼ାହୋଇ ଆମ ସହରକୁ କେତେଥର ରକ୍ଷା କରିଅଛନ୍ତି । ଆମର ପିଲାମାନେ ତାଙ୍କ ବାଳରେ, ତାଙ୍କ ଦାଢ଼ିରେ ଖେଳି କେଡ଼େ ଆନନ୍ଦ ପାଉନଥିଲେ ? ତାଙ୍କର ଆମପ୍ରତି ଦୟା ଭୁଲି ହେବନାହିଁ । କାଳେ କେହି ତାଙ୍କ ପାଦତଳେ ଚାପି ହୋଇଯିବ, ଏହି ଭୟରେ ସେ ତଳକୁ ଚାହିଁ ଚାହିଁ ଧୀରେ ଧୀରେ ପାଦ ପକାଉଥିଲେ । ତାଙ୍କର ଏ ଦୟା, ଏ ସ୍ନେହ ପାଇଁ ଆମେ ତାଙ୍କ ପ୍ରତି କଅଣ କରିଛୁ ? ଗୋଟାଏ ଶତ୍ରୁ ଆସି ତାଙ୍କର ପ୍ରାଣ ନେଲା । ସେ ଶତ୍ରୁକୁ ଛାଡ଼ିଦେଲେ ଆମର ପାପ ଶତଗୁଣ ହେବ । ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ପଡ଼ିବ । ଦୋଷୀକୁ ଦଣ୍ଡ ଦେବାକୁ ହେବ । ଆମ ଦେଶରେ ବୀରର ଅଭାବ ନାହିଁ । ଶତ୍ରୁ ପାଖରେ ଆମ ଜାତି କେବେ ମୁଣ୍ଡ ନୁଆଇଁ ନାହିଁ । ଆସ, ଆଜି ଆମ ସାହାସର, ଆମ ବୀରତ୍ୱର ପରିଚୟ ଦେବା । ଶତ୍ରୁକୁ ଧ୍ଵଂସ କରିବା । ତାର ହାଡ଼ ଆମ ଏଣ୍ଟିଅସ୍‍ର ହାଡ଼ ପାଖରେ ଜମାହୋଇ ରହିଲେ ଆମର ଏଇ କୀର୍ତ୍ତି ସୁନାର ଅକ୍ଷରରେ ଆମ ଇତିହାସରେ ଲେଖା ହୋଇ ରହିବ । ଆମର ପୁଅ ନାତିମାନେ ତାହା ପଢ଼ି ପୂର୍ବପୁରୁଷଙ୍କ ବୀରତ୍ୱ କଥା ଜାଣିବେ ।’’

 

ସଭାରେ ବାରମ୍ୱାର ହାତ ତାଳି ଶୁଣାଯାଉଥାଏ । ବକ୍ତା ଅଣ୍ଟାରୁ ନିଜର ତରବାରି ବାହାର କରି ମୁଣ୍ଡ ଉପରକୁ ଟେକି କହିଲେ, ‘‘ଆମର ତରବାରି ଆଜି ଶତ୍ରୁର ରକ୍ତ ଚାହେଁ । ଆସ, ସମସ୍ତେ ମିଶି ଶତ୍ରୁକୁ ଶେଷ କରିବା । ଯୁଦ୍ଧ କରି ତାକୁ ମାରିବା ନହେଲେ ମରିବା । ଆପଣମାନେ ଯଦି ଭୟ କରି ଯୁଦ୍ଧକୁ ବାହାରିବେ ନାହିଁ, ତେବେ ମୁଁ ଏକାକୀ ଏହି ଖଣ୍ଡାଧରି ସେ ଦୁଷ୍ଟ ସଙ୍ଗେ ଯୁଦ୍ଧ କରିବି । ଧର୍ମର ଜୟ ସୁନିଶ୍ଚିତ ।’’

 

ଏହି ବକ୍ତାଙ୍କ ପରେ ଆଉ କେତେଜଣ ବକ୍ତୃତା ଦେଲେ । କେହି କେହି ମତଦେଲେ ଯେ ଶୋଇଥିବା ବେଳେ ତାକୁ ଆକ୍ରମଣ କରି ମାରିବାକୁ ହେବ । ଆଉ କେତେକ ଏଥିରେ ଆପତ୍ତି କରି କହିଲେ, ଶତ୍ରୁ ଶୋଇଥିବା ବେଳେ ତାକୁ ଆକ୍ରମଣ କରିବା ଅନ୍ୟାୟ । ଆଗେ ତାକୁ ଉଠାଇ ତା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା । ମାତ୍ର ଅଧିକାଂଶ ଲୋକଙ୍କର ମତ ହେଲା, ‘‘ସେ ଅନ୍ୟାୟ ଯୁଦ୍ଧରେ ଏଣ୍ଟିଅସ୍‍ର ପ୍ରାଣ ନେଇଛି । ତେଣୁ ସେ ଶୋଇଥିଲା ବେଳେ ତାକୁ ଆକ୍ରମଣ କରି ମାରିବା ଅନ୍ୟାୟ ହେବନାହିଁ ।

 

ସଙ୍ଗେ ସଙ୍ଗେ ଆକ୍ରମଣର ବ୍ୟବସ୍ଥା ହେଲା । କୋଡ଼ିଏ ହଜାର ସୈନ୍ୟ ଧନୁରେ ଶର ଯୋଖି ଆଗେ ଆଗେ ଚାଲିଲେ । ଆଉ କୋଡ଼ିଏ ହଜାର ସୈନ୍ୟଙ୍କୁ ଆଦେଶ ଦିଆଗଲା ଯେ ସେମାନେ ନଡ଼ା କୁଟାର ବୋଝ ନେଇ ଆଗ ସେ ଅସୁରର ନାକ ମୁହଁ ବନ୍ଦ କରିଦେବେ । ତାହାହେଲେ ସେ ନିଶ୍ୱାସ ନେଇ ପାରିବ ନାହିଁ । କିନ୍ତୁ ଏ ଆଦେଶ ପାଳନ କରାଯାଇ ପାରିଲା ନାହିଁ-। ସୈନ୍ୟମାନେ ତାର ମୁହଁ ପାଖକୁ ଗଲା ମାତ୍ରେ ତାର ନିଶ୍ୱାସ ପବନରେ ଉଡ଼ିଗଲେ । କୁଟାରେ ତାର ନାକ ମୁହଁ ବନ୍ଦ କରିବେ କେତେବେଳେ ?

 

ନେତାମାନେ ମିଳି ପୁଣି ଏକ ସଭା କଲେ । ଏଥିରେ ସ୍ଥିର ହେଲା ଯେ ସୈନ୍ୟମାନେ ରାଜ୍ୟର କାଠିକୁଟା, ଶୁଖିଲା କାଠ ଆଦି ସଂଗ୍ରହ କରି ଆଣନ୍ତୁ । ସେସବୁ ଶତ୍ରୁର ମୁଣ୍ଡ ଚାରିପାଖେ ଜମା କରାଗଲା ପରେ ସେଥିରେ ନିଆଁ ଲଗାଇ ଦିଆଯିବ । ନିଆଁର ଉତ୍ତାପରେ ସେ ସିଝି ହୋଇ ମରିବ । ଶତ୍ରୁ ଉଠିବାକୁ ଚେଷ୍ଟା କଲେ ସବୁ ସୈନ୍ୟ ଏକାବେଳକେ ତା ଉପରକୁ ଶର ମାରିବେ ।

 

ଏହିପରି ବ୍ୟବସ୍ଥା ହେଲା । ସୈନ୍ୟମାନେ ବହୁତ କାଠି, କୁଟା ପ୍ରଭୃତି ଆଣି ହରକ୍ୟୁଲସ୍‍ର ମୁଣ୍ଡ ଚାରିପାଖେ ଜମା କଲେ । ଖୁବ୍ ସାହସୀ କେତେଜଣ ସୈନ୍ୟ ଯାଇ ସେଥିରେ ନିଆଁ ଲଗାଇ ଦେଲେ । ଏ ଉପାୟଟା ଯେ ସୁଚିନ୍ତିତ ଏଥିରେ ସନ୍ଦେହ ନାହିଁ–ନିଆଁ ଜଳିଉଠି ତାକୁ ପୋଡ଼ିଦେବ । ମାତ୍ର ଏଥିରେ ଗୋଟାଏ ‘କିନ୍ତୁ’ ରହିଗଲା । ହରକ୍ୟୁଲସ୍‍ ଚୁପ୍ କରି ଶୋଇ ରହି ପୋଡ଼ି ହେବାକୁ ପ୍ରସ୍ତୁତ ନଥିଲା ।

 

ନିଆଁର ତାତି ତା ଦେହରେ ବାଜିଲାକ୍ଷଣି ସେ ଉଠି ବସିପଡ଼ିଲା । ସେ ଚାରିଆଡ଼କୁ ଚାହିଁ କହିଲା, ‘‘ଏ କଅଣ ?’’

 

ଏଣେ କୋଡ଼ିଏ ହଜାର ସୈନ୍ୟ ଏକ ସଙ୍ଗରେ ହରକ୍ୟୁଲସ୍‍ର ମୁହଁ ଉପରକୁ ଶର ମାରିଲେ । କିନ୍ତୁ ତାର ମୋଟା ଚମଡ଼ା ଭିତରକୁ ଶର ପଶିପାରିଲା ନାହିଁ । ଗୋଟାଏ ଦୁଇଟା ତା ଦେହରେ ଲାଖି ରହିଲା ମାତ୍ର । ଦେହରେ କଣ୍ଟା ବାଜିଗଲା ପରି ସେ ଅନୁଭବ କଲା ।

 

ସହସ୍ର ସହସ୍ର ବାମନ ସୈନ୍ୟଙ୍କ କଣ୍ଠରୁ ଶୁଣାଗଲା, ‘‘ସଇତାନ, ତୁ ଆମ ଭାଇ ଏଣ୍ଟିଅସ୍‍ର ପ୍ରାଣ ନେଇଛୁ । ଆମେ ତାର ପ୍ରତିହିଂସା ନେବୁ । ଆମର ବୀର ଜାତି ଏ ଅପମାନ ସହି ନ ପାରେ, ଆମେ ଯୁଦ୍ଧ ଘୋଷଣା କରୁଛୁ ।’’

 

ହରକ୍ୟୁଲସ୍‍ କାନ ଡେରି ସବୁ ଶୁଣିଲା । ଚାରିଆଡ଼କୁ ଚାହିଁ ପ୍ରଥମେ କିଛି ଦେଖିପାରିଲା ନାହିଁ । ଟିକିଏ ତଳକୁ ଚାହିଁ ଦେଖିଲା, ତା ପାଦ ପାଖରେ ହଜାର ହଜାର ପୋକପରି ମନୁଷ୍ୟ; ଟିକି ଟିକି ଧନୁରେ ଶର ମାରିବାକୁ ତିଆର ହୋଇ ରହିଛନ୍ତି । ସେ ହାତ ବଢ଼ାଇ ଗୋଟାଏ ସୈନ୍ୟକୁ ଦୁଇ ଆଙ୍ଗୁଠିରେ ଧରି ନେଇ ତାର ବାଁ ହାତ ପାପୁଲି ଉପରେ ରଖିଦେଲା । ଦୈବାତ୍ ଏହି ସୈନ୍ୟଟି ହେଉଛି ସେହି ବକ୍ତା, ଯିଏ ପ୍ରିତିଜ୍ଞା କରିଥିଲା–ଏକାକୀ ଯୁଦ୍ଧ କରି ହରକ୍ୟୁଲସ୍‍କୁ ମାରିବ-

 

ହରକ୍ୟୁଲସ୍‍ ବିସ୍ମିତ ହୋଇ ପଚାରିଲା, ‘‘ତୁ କଅଣ ଚାହୁଁ ?’’

 

ବୀର ସୈନିକଟି ଉତ୍ତର କଲା, ‘‘ମୁଁ ତୋର ଶତ୍ରୁ । ଆମ ଜାତିର ବୀର, ଆମର ଭାଇ ଏଣ୍ଟିଅସ୍‍କୁ ତୁ ବଧ କରିଛୁ ।

 

ଆମେ ତୋତେ ମାରିବୁ ବୋଲି ପ୍ରତିଜ୍ଞା କରିଛୁ । ଆ, ମୋ ସଙ୍ଗେ ଯୁଦ୍ଧ କର ।’’

 

ହରକ୍ୟୁଲସ୍‍ ଏହି ବକ୍ତୃତା ଶୁଣି ଯେତିକି ବିସ୍ମିତ ହେଲା, ସେତିକି ଆନନ୍ଦିତ ହେଲା । ବାମନର ଦେହଟି ଛୋଟ ହେଲେ ମଧ୍ୟ ତା ହୃଦୟଟି ଛୋଟ ନୁହେଁ । ତାର ମଧ୍ୟ ସ୍ନେହ, ଶ୍ରଦ୍ଧା ସଙ୍ଗେ ପ୍ରତିହିଂସା, ବୀରତ୍ୱ ପ୍ରଭୃତି ଗୁଣ ଅଛି । ହରକ୍ୟୁଲସ୍‍କୁ ହସମାଡ଼ିଲା ।

 

ସେ କହିଲା, ‘‘ଜୀବନରେ କେତେ ଆଶ୍ଚର୍ଯ୍ୟ କଥା ଦେଖିଛି । କାହାର ନଅଟା ମୁଣ୍ଡ, କାହାର ଛଅଟା ଗୋଡ଼, କାହାର ଦେହଟା ଘୋଡ଼ାର କିନ୍ତୁ ମୁଣ୍ଡଟା ମଣିଷର । କିନ୍ତୁ ଆଜି ଏ ଯେଉଁ ବିଚିତ୍ର ମନୁଷ୍ୟ ଦେଖିଲି, ସେପରି କେବେ ଦେଖିନଥିଲି । ଦେହଟା ଛୋଟ ହେଲେହେଁ ମନଟା ଛୋଟ ନୁହେଁ । ଆଚ୍ଛା କହିଲୁ, ତୋ ମନଟା କେତେ ବଡ଼ ?’’

 

ସୈନ୍ୟଟି ଉତ୍ତର କଲା, ‘‘ମୋ ମନ ତୋ ମନଠାରୁ ଛୋଟ ନୁହେଁ, ବରଂ ବଡ଼ ।’’

 

ଏଡ଼େ ସାମାନ୍ୟ ଜୀବଟିର ସାହାସ, ବୀରତ୍ୱ ଓ ଉଦାରଭାବ ଦେଖି ହରକ୍ୟୁଲସ୍‍ର ମନ ତରଳିଗଲା । ସେ ଭାବିଲା, ‘ଛୋଟ ହେଲେବି ସେ ମଧ୍ୟ ମନୁଷ୍ୟ । ସେ ମୋର ଭାଇ ।’

 

ସେ ସୈନ୍ୟମାନଙ୍କ ପାଖେ ଆଣ୍ଠୋଇ ପଡ଼ି କହିଲା, ‘‘ତୁମେମାନେ ଏକ ବୀର ଜାତି । ପୃଥିବୀରେ ତୁମଭଳି ବୀର ଜାତି ସମସ୍ତଙ୍କର ନମସ୍ୟ । ତୁମର ଛୋଟ ଦେହରେ ଯେଉଁ ବିରାଟ ମନ ଅଛି, ତାର ତୁଳନା ମିଳିବ ନାହିଁ । ତୁମର ଅନିଷ୍ଟ କରିବା ମୋ ପକ୍ଷରେ ଘୋର ଅନ୍ୟାୟ ହେବ । ମୁଁ ଅଜ୍ଞାନରେ ତୁମର ଭାଇଙ୍କୁ ମାରି ଯେଉଁ ଅନ୍ୟାୟ କରିଛି, ସେଥିପାଇଁ କ୍ଷମା ମାଗୁଛି । ତୁମେମାନେ ଶାନ୍ତିରେ ରହ । ମୁଁ ତୁମ ଦେଶ ଛାଡ଼ି ଚାଲିଯିବି । କାଳେ କାହାର ଉପରେ ପାଦ ପଡ଼ିଯିବ, ସେଥିପାଇଁ ସାବଧାନ ରହିବି । ମୋତେ ବିଦାୟ ଦିଅ । ମୁଁ ଏଣିକି ତୁମର ବନ୍ଧୁ, ଶତ୍ରୁ ନୁହେଁ ।’’

 

ହରକ୍ୟୁଲସ୍‍ ଗଦାଧରି ଯିବାକୁ ବାହାରିଲା । ସେ ହସି ହସି କହିଲା, ‘‘ଜୀବନରେ କେତେ ରାକ୍ଷସଙ୍କ ସଙ୍ଗେ ଯୁଦ୍ଧ କରି ଜିଣିଥିଲି; କିନ୍ତୁ ଆଜି ଏହି ଛୋଟ ଜୀବଙ୍କ ପାଖେ ପ୍ରଥମେ ହାରିଲି ।”

Image

 

ନର୍ସିସସ୍ ଓ ପ୍ରତିଧ୍ୱନି

 

ବହୁକାଳ ପୂର୍ବେ ପୃଥିବୀରେ ପରୀମାନେ ଥିଲେ । ସେମାନେ ଦେଖିବାକୁ ଭାରି ସୁନ୍ଦରୀ-। ପରୀମାନଙ୍କ ମଧ୍ୟରେ ଅନେକ ଶ୍ରେଣୀ ଥିଲେ । ଏ ବଣରେ ରହୁଥିଲେ, କେହି ବା ଜଳରେ ରହୁଥିଲେ । ସେମାନଙ୍କର ଅଦ୍ଭୁତ ଶକ୍ତି ଥିଲା । ସେମାନେ ଇଚ୍ଛା ଅନୁସାରେ ଯାଇପାରୁଥିଲେ ।

 

‘ପ୍ରତିଧ୍ୱନି’ ବୋଲି ଗୋଟିଏ ପରୀ ଥିଲା । ସେ ଗପ କରିବାକୁ ଭାରି ଭଲପାଉଥିଲା । ତା ପାଟି କେତେବେଳେ ହେଲେ ବନ୍ଦ ନ ଥାଏ । ତା ମନରେ ଭାରି ଗର୍ବ । ଥରେ ସେ ସ୍ୱର୍ଗର ଜୁନୋ ନାମକ ଏକ ଦେବୀଙ୍କୁ ଅପମାନ ଦେଲା । ଜୁନୋ ଏଥିରେ ରାଗି ତାକୁ ଅଭିଶାପ ଦେଇ କହିଲେ, ‘‘ତୁ ଏତେ ଗପ କରୁଛୁ ଯେ ଟିକିଏ ଭଦ୍ର ଭାବରେ କଥାବାର୍ତ୍ତା କରୁନାହୁଁ । ଏଣିକି ଶେଷ କଥା ପଦକ ଛଡ଼ା ଆଉ କିଛି ତୁ କହିପାରିବୁ ନାହିଁ । ଏଇ ହେଲା ତୋର ଦଣ୍ଡ । ତୋର ନିଜର କଥା କହିବାର ଶକ୍ତି ରହିବ ନାହିଁ, ଖାଲି ଅନ୍ୟ ଲୋକର କଥା ଶୁଣି ତା କଥାର ଶେଷ ପଦକ କହିବୁ । ତୋତେ କେହି ନ ଡାକିବା ଯାଏ ତୁ ଲୁଚି ରହିଥିବୁ । ମୁଁ ତୋତେ ଆଉ ଦେଖିବାକୁ ଚାହେଁ ନାହିଁ । ଯା, ଏଣିକି ତୁ ପାହାଡ଼ ପର୍ବତରେ ରହିବୁ । ମୋତେ ଦେଖା ଦେବୁ ନାହିଁ ।’’

 

ଦେବୀଙ୍କର ଅଭିଶାପ ସଙ୍ଗେ ସଙ୍ଗେ ଫଳିଲା । ଜୁନୋଙ୍କ କଥା ସରିଲାକ୍ଷଣି ପ୍ରତିଧ୍ୱନି କହିଲା, ‘‘ନାହିଁ’’ । ସେ ଯାଇ ନିର୍ଜନ ପାହାଡ଼ରେ ରହିଲା ।

 

ପାହାଡ଼ରେ ସେ ଲୁଚି ରହିଥାଏ । ସାଙ୍ଗ ସାଥୀମାନଙ୍କ କଥା ତାର ମନେପଡ଼ିଲେ ସେ କାନ୍ଦିଉଠେ । ବେଳେବେଳେ କାଠୁରିଆମାନେ ପାହାଡ଼କୁ କାଠ କାଟିବାକୁ ଆସନ୍ତି । ସେମାନଙ୍କ ସଙ୍ଗରେ ସେ କଥାବାର୍ତ୍ତା ହେବାକୁ ମନକରେ । କିନ୍ତୁ ତାର ତୁଣ୍ତରୁ କଥା ବାହାରେ ନାହିଁ । ଦୈବାତ୍ କୌଣସି କାଠୁରିଆ କିଛି କହିଲେ, ପ୍ରତିଧ୍ୱନି କେବଳ ତା କଥାର ଶେଷ ପଦଟି କହେ । କେତେ କଥା କହିବ ବୋଲି ସେ ମନରେ ପାଞ୍ଚେ; କିନ୍ତୁ କିଛି କହିପାରେ ନାହିଁ ।

 

ଦିନେ ପ୍ରତିଧ୍ୱନି ମନ ଦୁଃଖରେ ଏକୁଟିଆ ବସିଛି; ଏହି ସମୟରେ ନର୍ସିସସ୍ ବୋଲି ଏକ ସୁନ୍ଦର ଯୁବକ ପାହାଡ଼ ଉପରକୁ ଉଠିଲେ । ଯୁବକଙ୍କର ମୁଣ୍ତରେ ସୁନ୍ଦର କେଶ, ଆଖିରେ ଉଜ୍ଜ୍ୱଳ ଜ୍ୟୋତି, ଦେହରେ ପ୍ରଚୁର ଶକ୍ତି । ତାଙ୍କୁ ଦେଖିଲେ କୌଣସି ଦେବତା ବୋଲି ଭ୍ରମ ହେବ । ଏଭଳି ସୁନ୍ଦର ପୁରୁଷଟିଏ ଦେଖିଲାକ୍ଷଣି ପ୍ରତିଧ୍ୱନି ତାଙ୍କୁ ଭଲପାଇଲା, ତାଙ୍କ ସାଥିରେ କଥାବାର୍ତ୍ତା ହେବାକୁ ମନ କଲା ।

 

ଜୁନୋ ଅଭିଶାପ ଦେଇଥିଲେ ଯେ ତାକୁ କେହି ନ ଡାକିବା ଯାଏ ସେ ଦେଖା ଦେବ ନାହିଁ-। ତେଣୁ ସେ ନର୍ସିସସ୍‍ଙ୍କୁ ଦେଖି ତାଙ୍କ ପଛେ ପଛେ ଚାଲିଲା । ସେ ଭାବିଲା, ‘‘ମୋ ପାଦର ଶବ୍ଦ ଶୁଣି ସେ ମୋତେ ନିଶ୍ଚୟ ଡାକିବେ । ସେତିକିବେଳେ ମୁଁ ବାହାରିପଡ଼ି ତାଙ୍କୁ ଦେଖାଦେବି ।’’

 

ପ୍ରତିଧ୍ୱନି ଗଛପତ୍ର ଉହାଡ଼ରେ ଲୁଚି ଲୁଚି ନର୍ସିସସ୍‍ଙ୍କ ପଛେ ପଛେ ଚାଲିଥାଏ । ବେଳେବେଳେ ଉଙ୍କିମାରି ତାଙ୍କ ସୁନ୍ଦର ରୂପକୁ ଚାହିଁ ଦେଉଥାଏ । କିଛି ସମୟ ପରେ ନର୍ସିସସ୍ ସନ୍ଦେହ କଲେ, ତାଙ୍କ ପଛରେ କିଏ ଜଣେ ଆସୁଛି । ସେ ବଡ଼ ପାଟିକରି ଡାକିଲେ, ‘‘ମୋ ପଛରେ ଆସୁଛି କିଏ ?’’ ପ୍ରତିଧ୍ୱନି କେବଳ କହିଲା, ‘‘କିଏ’’ ?

 

ନର୍ସିସସ୍ ପୁଣି ପଚାରିଲେ, ‘‘କିଏ ମୋ ପଛରେ ଲୁଚି ଲୁଚି ଆସୁଛି ?’’ ଉତ୍ତର ମିଳିଲା ‘ଆସୁଛି’ । ନର୍ସିସସ୍ ଏଥର ଠିକ୍ ଜାଣିଲେ ଯେ ତାଙ୍କ ପଛରେ କେହି ଜଣେ ଆସୁଛି । ସେ କହିଲେ, ‘‘ମୋ ପାଖକୁ ଆସ । ପ୍ରତିଧ୍ୱନି ‘ଆସ’ ଏତିକି କହି ନର୍ସିସସ୍‍ଙ୍କ ପାଖକୁ ଚାଲିଆସିଲା ।

 

ପ୍ରତିଧ୍ୱନି ଆନନ୍ଦରେ ନର୍ସିସସ୍‍ଙ୍କୁ କୁଣ୍ଢାଇବାକୁ ବାହାରିଛି, ଏହି ସମୟରେ ସେ ପ୍ରତିଧ୍ୱନିକୁ ଦୂରକୁ ଠେଲିଦେଲେ । ନର୍ସିସସ୍ ବଡ଼ ଗର୍ବୀ ଥିଲେ, ସେ ନିଜ ଛଡ଼ା ଆଉ କାହାରି କଥା ଭାବୁନଥିଲେ । ଏଥିପୂର୍ବରୁ ସେ ଲକ୍ଷ୍ୟ କରିଥିଲେ ଯେ ‘ପ୍ରତିଧ୍ୱନି’ ତାଙ୍କ କଥାର ଶେଷ ପଦଟି ଛଡ଼ା ଆଉ କିଛି କହୁନଥିଲା । ତେଣୁ ସେ ତାଙ୍କୁ ଥଟ୍ଟା କରୁଥିଲା ବୋଲି ସେ ମନେ ମନେ ସ୍ଥିର କରି ନେଇଥିଲେ । ପ୍ରତିଧ୍ୱନି ବିକଳ ହୋଇ ତାଙ୍କ ଆଡ଼କୁ ଚାହିଁଲା; ମାତ୍ର ସେ ବିକଳ ଚାହାଣିରେ ନର୍ସିସସ୍‍ଙ୍କ ମନ ଆଦୌ ତରଳିଲା ନାହିଁ ।

 

ସେତେବେଳକୁ ନର୍ସିସସ୍‍ଙ୍କୁ ଖୁବ୍ ଶୋଷ କରୁଥିଲା । ପାଖରେ ଗୋଟିଏ ନିର୍ମଳ ଜଳର ପୋଖରୀ ଦେଖି ସେ ତା ପାଖକୁ ଯିବାକୁ ବାହାରିଲେ । ଯିବାବେଳେ ସେ ରାଗିଯାଇ ପ୍ରତିଧ୍ୱନିକୁ କହିଲେ, ‘‘ଏଠାରୁ ବାହାରିଯାଆ’’ । ପ୍ରତିଧ୍ୱନି ଉତ୍ତର କଲା ‘ଯାଆ’ ।

 

ଅନ୍ୟ ଉପାୟ ନ ଦେଖି ପ୍ରତିଧ୍ୱନି ପାହାଡ଼ ଉପରକୁ ଫେରିଯାଇ ନିଜ ଜାଗାରେ ଲୁଚି ରହିଲା । କାହାରିକୁ ମୁହଁ ଦେଖାଇବା ପାଇଁ ତାର ସାହସ ହେଲାନାହିଁ ।

 

ଏବେ ପ୍ରତିଧ୍ୱନି ମହା କଷ୍ଟରେ ପଡ଼ିଲା । ସେ ନିଜ ମନର ଦୁଃଖ ନର୍ସିସସ୍‍ଙ୍କୁ ଜଣାଇବାକୁ ଇଚ୍ଛା କଲା; କିନ୍ତୁ ଜଣାଇବ କିପରି ? ତାର ତ ଆଉ ନିଜେ କିଛି କହିବାର ଶକ୍ତି ନାହିଁ-। ସେ ଯେ ଅନ୍ୟର କଥାର ଖାଲି ଶେଷ ପଦକ ଛଡ଼ା ଆଉ କିଛି କହିପାରୁନି, ତାହାର କାରଣ ନର୍ସିସସ୍‍ଙ୍କୁ ବୁଝାଇଦେବା ପାଇଁ ତାର ଭାରି ଇଚ୍ଛା, କିନ୍ତୁ ତା ମଧ୍ୟ ପାରୁନି । ସେ ମନେ ମନେ ନର୍ସିସସ୍‍ଙ୍କୁ ଅଭିଶାପ ଦେଲା, ‘‘ମୁଁ ତୋତେ ଏତେ ଭଲପାଏ, ମାତ୍ର ତୁ ମତେ ଘୃଣାରେ ଠେଲି ଦେଇ ଚାଲିଗଲୁ । ମୋ ମନର କଷ୍ଟ ତୁ ଟିକିଏ ବୁଝିଲୁ ନାହିଁ । ତୋର ଏ ଗର୍ବର ଦଣ୍ତ ଭୋଗକର । ମୁଁ ତୋର ରୂପ ଦେଖି ତୋତେ ଭଲପାଇଥିଲି । ତୁ ଆପଣା ଛଡ଼ା ଆଉ କାହାରି କଥା ଚିନ୍ତା ନ କରି ମୋତେ ତଡ଼ିଦେଲୁ । ତେଣୁ ତୁ ନିଜ ଛଡ଼ା ଅନ୍ୟ କାହାରିକୁ ଭଲ ପାଇପାରିବୁ ନାହିଁ । ତୁ ଯେପରି ମୋତେ ଘୃଣା କଲୁ, ଲୋକେ ତୋତେ ସେହିପରି ଘୃଣା କରନ୍ତୁ ।’’

 

ପ୍ରତିଧ୍ୱନି ମନେକଲା, ଏପରି ହେଲେ ନର୍ସିସସ୍ ମୋ ମନର କଷ୍ଟ ଜାଣିପାରିବେ; ହୁଏତ ମୋ ପାଖକୁ ଫେରିଆସିବେ ।

 

ନର୍ସିସସ୍ ପାଣି ପିଇବା ପାଇଁ ପୋଖରୀକୂଳକୁ ଗଲେ । ପୋଖରୀର ପାଣି ଦର୍ପଣ ପରି ନିର୍ମଳ । ସେ ପାଣିକୁ ଚାହିଁ ଦେଖିଲେ ଗୋଟିଏ ସୁନ୍ଦର ମୁହଁ ତାଙ୍କରି ଆଡ଼କୁ ଚାହିଁ ରହିଛି । ଏଡ଼େ ସୁନ୍ଦର ମୁହଁ ସେ ଏଥିପୂର୍ବରୁ କେବେ ଦେଖିନଥିଲେ । କି ସୁନ୍ଦର ଢଳ ଢଳ ଆଖି ! କୁଞ୍ଚକୁଞ୍ଚିଆ ବାଳଗୁଡ଼ିକ କପାଳ ଉପରେ ଉଡ଼ୁଛି । ସେ ମନେକଲେ, ଗୋଟିଏ ଜଳପରୀ ତାଙ୍କୁ ଚାହୁଁଛି । ତାଙ୍କ ମନଟା ଆନନ୍ଦରେ ପୂରିଗଲା । ସେ ମନେମନେ ତାକୁ ଭଲପାଇ ବସିଲେ ।

 

ନର୍ସିସସ୍ ଜାଣି ପାରି ନଥିଲେ ଯେ ପାଣିରେ ଦେଖିଥିବା ମୁହଁଟି ତାଙ୍କ ନିଜର ପ୍ରତିବିମ୍ବ ଛଡ଼ା ଆଉ କିଛି ନୁହେଁ । ସେ କାଳରେ ମୁହଁ ଦେଖିବା ପାଇଁ ଦର୍ପଣ ନଥିଲା । ତେଣୁ ନର୍ସିସସ୍ ଭଲକରି ନିଜର ଚେହରା ଦେଖିନଥିଲେ । କେତେଥର ନିଜର ଚକଚକିଆ ଢାଲ ଉପରେ ସେ ନିଜର ପ୍ରତିବିମ୍ୱ ଦେଖିଥିଲା । ମାତ୍ର ତାହା ଅତି ଅସ୍ପଷ୍ଟ ଓ ବଙ୍କା ଢଙ୍କା । ସେହି ହେତୁରୁ ପୋଖରୀରେ ପ୍ରତିବିମ୍ୱ ଦେଖି ତାକୁ ସେ ଚିହ୍ନିପାରିଲେ ନାହିଁ ଓ ତାହା ଗୋଟିଏ ଜଳପରୀ ବୋଲି ମନେକଲେ । ପ୍ରତିଧ୍ୱନି ଯେପରି ନର୍ସିସସ୍‍ଙ୍କୁ ଦେଖିଲାମାତ୍ରେ ଭଲପାଇଥିଲା, ନର୍ସିସସ୍ ମଧ୍ୟ ଠିକ୍ ସେହିପରି ଆପଣାର ପ୍ରତିବିମ୍ୱକୁ ଦେଖିଲାମାତ୍ରେ ଭଲପାଇଲେ ।

 

ସେ ଜଳପରୀକୁ ବହୁତ ଡାକିଲେ । କିନ୍ତୁ କିଛି ଉତ୍ତର ମିଳିଲା ନାହିଁ । ସେ ଡାକିଲାବେଳେ ପାଣିରେ ଜଳପରୀର ଓଠ କିଛି କହିଲାପରି ହଲିଯାଏ, ମାତ୍ର ସେ ପରୀକୁ ଧରିବା ପାଇଁ ପାଣି ଭିତରେ ହାତ ବୁଡ଼ାଇଲାକ୍ଷଣି ପରୀ କୁଆଡ଼େ ଉଭେଇଯାଏ । ସେ ପୋଖରୀକୂଳେ ବସି ରହିଲେ । ପାଣି ପୁଣି ସ୍ଥିର ହୋଇଗଲା । ନର୍ସିସସ୍ ପୋଖରୀକୁ ଚାହିଁ ପୁଣି ସେହି ପରୀର ମୁହଁ ଦେଖିଲେ; ମାତ୍ର ଯେତେଡାକିଲେ ସୁଦ୍ଧା ସେ କିଛି ଉତ୍ତର ଦେଲା ନାହିଁ ।

 

ସନ୍ଧ୍ୟା ହେଲା । ମାତ୍ର ନର୍ସିସସ୍ ପୋଖରୀକୂଳ ଛାଡ଼ି ଅନ୍ୟ କୁଆଡ଼େ ଗଲେ ନାହିଁ । ସେ ଚାହୁଁଥିଲେ, ଜଳପରୀ ପୋଖରୀରୁ ବାହାରିଆସି ତାଙ୍କ ପାଖରେ ବସୁ, କଥାବାର୍ତ୍ତା ହେଉ । କିଛି ସମୟ ପରେ ଚନ୍ଦ୍ର ଉଇଁଲା । ତାର କିରଣ ପାଣି ଉପରେ ପଡ଼ିଲା । ନର୍ସିସସ୍ ପାଣିକୁ ଚାହିଁ ଦେଖିଲେ ଆଗଭଳି ପରୀ ତାଙ୍କ ଆଡ଼କୁ ଚାହିଁଛି । କିନ୍ତୁ ଯେତେ ଡାକିଲେ, କିଛି ଉତ୍ତର ମିଳିଲା ନାହିଁ ।

 

ପରୀକୁ ପାଇନପାରି ନର୍ସିସସ୍‍ଙ୍କ ମନରେ ବଡ଼ ଦୁଃଖ । ସେ ଯେ ନିଜର ପ୍ରତିବିମ୍ୱକୁ ଭଲପାଇଛନ୍ତି, ତାହା ଜାଣିପାରିଲେ ନାହିଁ । ଖାଇବା ପିଇବା ସବୁ ଛାଡ଼ି ସେ ପୋଖରୀକୂଳେ ବସି କେବଳ ସେହି ମୁହଁକୁ ଝୁରିହେଲେ । ଦିନକୁ ଦିନ ତାଙ୍କର ଦେହ ଶୁଖି ଆସିଲା; କିନ୍ତୁ ସେ ସେହିପରି ପାଣିକୁ ଚାହିଁଥାନ୍ତି । ପରୀର ମୁହଁ ମଧ୍ୟ ଏଣିକି ଶୁଖିଲା ଦିଶିଲା । ପରୀର ଶୁଖିଲା ମୁହଁ ଦେଖି ତାଙ୍କ ମନରେ ଆହୁରି ଦୁଃଖ ହେଲା ।

 

ଏହିପରି କେତେଦିନ ଗଲା । ନର୍ସିସସ୍‍ଙ୍କର ଦେହ ଶୁଖି କଣ୍ଟା ରହିଲା । ମାତ୍ର ସେ ଯେତେ ଚେଷ୍ଟା କଲେ ସୁଦ୍ଧା ପରୀ ପାଣିରୁ ବାହାରି ତାଙ୍କ ପାଖକୁ ଆସିଲା ନାହିଁ କି କିଛି କହିଲା ନାହିଁ ।

 

ଏଣେ ପ୍ରତିଧ୍ୱନି ପୋଖରୀ ପାଖରେ ରହି ନର୍ସିସସ୍‍ଙ୍କର ଅବସ୍ଥା ଦେଖୁଥାଏ । ଯେତେବେଳେ ନର୍ସିସସ୍ ମନ କଷ୍ଟରେ ‘ଆହା’ ବୋଲି କହନ୍ତି, ପ୍ରତିଧ୍ୱନି ତୁଣ୍ତରୁ ବାହାରିପଡ଼େ ‘ହା’-। ନର୍ସିସସ୍‍ଙ୍କର ଏ କଷ୍ଟ ଦେଖି ତା ମନରେ ମଧ୍ୟ କଷ୍ଟ ହେଲା; ସେ ଅଭିଶାପ ଦେଇଥିଲା ବୋଲି ମନରେ କଷ୍ଟ କଲା । ମାତ୍ର ଏବେ ପ୍ରତିକାରର କିଛି ଉପାୟ ନଥିଲା ।

 

ନଖାଇ ନପିଇ ପୋଖରୀ କୂଳେ ପଡ଼ି ପଡ଼ି ଦିନେ ନର୍ସିସସ୍‍ ଆଉ ଉଠିପାରିଲେ ନାହିଁ କି ପାଣି ଭିତରକୁ ଚାହିଁପାରିଲେ ନାହିଁ । କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ବାହାରିଗଲା ।

 

ସ୍ୱର୍ଗର ଦେବତାମାନେ ଦେଖିଲେ, ପୋଖରୀକୂଳରେ ସୁନ୍ଦର ଯୁବକଟିଏ ମରି ପଡ଼ିଛି । ସେମାନେ ତାହାକୁ ଗୋଟିଏ ସୁନ୍ଦର ଧଳା ଫୁଲ କରିଦେଲେ । ଏହି ଫୁଲର ନାଁ ହେଉଛି ନର୍ସିସସ୍ । ଏବେ ମଧ୍ୟ ତୁମେ ପୋଖରୀକୂଳରେ ନର୍ସିସସ୍ ଫୁଲ ଦେଖିପାରିବ । ଫୁଲ ପାଖରୀକୂଳରୁ ପାଣି ଭିତରକୁ ଓହଳିପଡ଼ି ନିଜର ପ୍ରତିବିମ୍ୱକୁ ଦେଖୁଥିଲା ପରି ମନେହେବ ।

 

ନର୍ସିସସ୍ ମରିଯିବାରୁ ପ୍ରତିଧ୍ୱନିର ମନରେ ଦୁଃଖ ଓ ଅନୁତାପ ହେଲା । ସେ ପୋଖରୀକୂଳକୁ ଆସି ନର୍ସିସସ୍‍ଙ୍କର ଶେଷ ଚିହ୍ନ ସେହି ଧଳା ଫୁଲକୁ ଚାହିଁ ରହେ । ବେଳେବେଳେ ତାକୁ ହାତରେ ଆଉଁସି ଦିଏ ।

 

ପ୍ରତିଧ୍ୱନିର ମନରେ ଏତେ ଦୁଃଖ ହେଲା ଯେ ସେ ପର୍ବତ ଗୁହାରୁ ବାହାରି ଆଉ ପଦାକୁ ଆସିଲା ନାହିଁ । କେବଳ କାଠୁରିଆମାନେ ପର୍ବତକୁ ଆସି କିଛି କହିଲେ ସେମାନଙ୍କର ଶେଷ କଥା ପଦକ କହିଦିଏ ।

 

ନର୍ସିସସ୍‍ଙ୍କ କଥା ଚିନ୍ତା କରି କରି ପ୍ରତିଧ୍ୱନି ଦିନକୁ ଦିନ ଶୁଖିଆସିଲା । ସେ ଖିଆପିଆ ଛାଡ଼ିଦେଲା । ଶୁଖି ଶୁଖି ତାର ଦେହରେ କିଛି ରହିଲା ନାହିଁ–ଖାଲି ରହିଗଲା ତାର ସ୍ୱରଟି ।

 

ଲୋକେ କହନ୍ତି ପ୍ରତିଧ୍ୱନି ଏବେ ମଧ୍ୟ ବଞ୍ଚିଛି, ତାର ଦେହଟା ଉଭେଇଯାଇଛି । ମାତ୍ର ସେ ଚାରିଆଡ଼େ ଲୁଚି ରହିଛି । ପାହାଡ଼ରେ, ବଣରେ, ପୋଖରୀକୂଳରେ, କି ନିର୍ଜନ ପଡ଼ିଆରେ ତୁମେ ଯେବେ କିଛି କହିବ, ସେ ତୁମ କଥାର ଶେଷ ପଦଟି କହି ଉତ୍ତର ଦେବ । ତୁମେ ଯଦି କହିବ ‘କିଏରେ’, ପ୍ରତିଧ୍ୱନି ଉତ୍ତର କରିବ ‘ରେ-ଏ-ଏ’ ।
 

ଯାହାହେଉ ସେ ସୁନ୍ଦର ପରୀ ପ୍ରତିଧ୍ୱନିକୁ ଆଉ ତୁମେ ଦେଖିବାକୁ ପାଇବ ନାହିଁ । କେବଳ ତାର ସ୍ୱର ଶୁଣିପାରିବ ।

Image